Editorial: ସନାତନର ସ୍ବଗତୋକ୍ତି: ଅସରନ୍ତି ଉପନିବେଶ

Nov 27, 2026 - 03:09
Editorial: ସନାତନର ସ୍ବଗତୋକ୍ତି: ଅସରନ୍ତି ଉପନିବେଶ

ଦାଶ ବେନହୁର 'ନିବେଶ'ର ଅନେକ ଅର୍ଥ।

ଅନେକରୁ ଗୋଟିଏ ହେଉଛି ଅବସ୍ଥାନ ବା ଶିବିର।

ସେଇଥିରୁ ଉପନିବେଶ ଶବ୍ଦର ସୃଷ୍ଟି।

ଯାହାର ଅର୍ଥ ବିଦେଶରେ ସ୍ଥାପିତ ଆବାସ ବା ଦେଶାନ୍ତରରେ ନିବାସ।

ରାମାୟଣ କାଳରୁ ଗୋଟେ ପଟେ ମଣିଷ ଗୀତ ଗାଏ 'ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ' କିନ୍ତୁ ଅନ୍ୟପଟେ ତା' ଭିତରର ଇଚ୍ଛା ସେ କେତେ କୁଆଡ଼େ ବ୍ୟାପିଯିବ।

ନିଜ ମାଟି ଯାହା ହୋଇଥାଉ ନା କାହିଁକି ଆଉ କେଉଁଠାରେ ଉର୍ବର ଭୂମି ଦେଖିଲେ ତାକୁ ସେ କବଳିତ କରିବ।

ସେ ମାଟିର ଜୀବଜନ୍ତୁ, ମଣିଷ, ସମ୍ପଦ ସବୁକିଛିର ମାଲିକ ହେବ।

ନିଜର ଜନ୍ମନିବାସ ଛାଡ଼ି ଅନ୍ୟ ସ୍ଥାନରେ ତା'ର ପତିଆରା ସ୍ଥାପନା କରିବ।

ରାମାୟଣରେ ରାବଣର ନିଧନ ‌ସହ ଲକ୍ଷ୍ମଣଙ୍କ ମନରେ ଆସିଛି ସେ ଲଙ୍କାରେ ନିବାସ କରନ୍ତେ।

ସେଥିପାଇଁ ଭାଇ ଶ୍ରୀରାମଙ୍କୁ କହିଛନ୍ତି- ''ଇଏ ସ୍ବର୍ଣ୍ଣମୟୀ ଲଙ୍କା।

ଆମେ ଏହାକୁ ଛାଡ଼ି ଅଯୋଧ୍ୟା କାହିଁକି ଫେରିବା?'' ଏଭଳି ମନ ପଛରେ ଉପନିବେଶବାଦର ମଞ୍ଜି ନାହିଁ ବୋଲି ଆମେ କ'ଣ ଅସ୍ବୀକାର କରିପାରିବା?

ତୁମେ ସେଠାରେ କାହିଁକି ବସତି ସ୍ଥାପନ କରିଥାନ୍ତ?

କ'ଣ ଧନସମ୍ପତ୍ତି ପାଇଁ?

ସେମିତି ଲିଓ ଟଲଷ୍ଟୟଙ୍କ ଗପ।

'ହାଓ ମଚ୍ ଲ୍ୟାଣ୍ଡ୍ ଡଜ୍ ଏ ମ୍ୟାନ୍ ନିଡ୍?' ଜଣେ ମଣିଷର କେତେ ଜମି ଲୋଡ଼ା?

ପାହୋମ୍ ନାମକ ଚାଷୀ ବସ୍କିରମାନଙ୍କୁ ଏକହଜାର ରୁବଲ୍ ବଦଳରେ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ଯାଏ ଯେତେ ଭୂମି ସେ ବୁଲିବୁଲି ‌ଦଖଲକୁ ଆଣିବ ସେତକ ତା'ର ହେବ ବୋଲି ଅନୁମତି ପାଇଛି।

ଆଉ ଟିକିଏ ଆଗକୁ ମାଡ଼ିଯିବି, ଆଉ ଖଣ୍ଡେ ଭୂମି ସାଉଁଟିନେବି ମନ କରିକରି ଶେଷକୁ କ୍ଳାନ୍ତ ଅବସନ୍ନ ହୋଇ ସେ ପ୍ରାଣ ଛାଡ଼ିଛି।

ଏହା ମଧ୍ୟ ଏକପ୍ରକାରର ଉପନିବେଶବାଦୀ ମନଃସ୍ଥିତି।

ଭୂମି, ମଣିଷ, ସାଧନ, ସମ୍ପଦ ଆଦି ସବୁକଥା କବଳିତ କରିବାର ଦୁର୍ବାର ଅଭିଳାଷ ମଣିଷର ସହଜାତ।

'ଦେଶାନ୍ତରେ ଅକ୍ତିଆର'ର ଅନ୍ୟ ଅର୍ଥ ଉପନିବେଶ ସ୍ଥାପନ।

ପୃଥିବୀ-ମଣିଷର ଯେ ଯୋଜନା ସେ ଅନ୍ୟ ଗ୍ରହରେ ବସବାସ ସ୍ଥାପନ କରିବ, ଚନ୍ଦ୍ରରେ ରିଅଲ୍ ଇଷ୍ଟେଟ୍ ବସେଇବ ସେ ସମସ୍ତ ଏ ମନୋଭାବର ପ୍ରତିଫଳନ ମାତ୍ର।

ଅତୀତରେ କୁହାଯାଉଥିଲା, ''ଆଇଦର୍ ୟୁ ଏକ୍‌ସପ୍ୟାଣ୍ଡ ଅର୍ ପେରିସ୍''।

ମାନେ ସମ୍ପ୍ରସାରିତ ହୁଅ ନ ହେଲେ ତୁମେ ନାଶ ପାଇଯିବ।

ଏ କଥାର ପରିଣାମ ଥିଲା ସାମ୍ରାଜ୍ୟବାଦ ପ୍ରତିଷ୍ଠା।

ତା'ର ଏକ ପ୍ରତିରୂପ ହେଉଛି ଉପନିବେଶ ସ୍ଥାପନ।

ସେ ଆବଶ୍ୟକତା ନିଜର ପାରଙ୍ଗମତା ଦେଖାଇବା ପାଇଁ ହେଉ କି ଅର୍ଥନୈତିକ ଆବଶ୍ୟକତା ପୂରଣ ପାଇଁ ହେଉ, ଉପନିବେଶୀ ଚିନ୍ତାଧାରା ଯେମିତି ଅନେକ ମଣିଷଙ୍କର ସହଜାତ ସେମିତି ବି ଅନେକ ଦେଶ ଓ ଜାତିର।

ଏ ଚିନ୍ତାଧାରା ବନ୍ୟଜନ୍ତୁର ହିଂସ୍ରତାଠାରୁ ଭୟଙ୍କର।

ଜାନ୍ତବ ହିଂସ୍ରତାରେ ଜୀବନ ସଂଘାତ ଥାଇପାରେ, ପରିଣତି ମୃତ୍ୟୁ ହୋଇପାରେ କିନ୍ତୁ ବର୍ଷ ପରେ ବର୍ଷ, ପିଢ଼ି ପରେ ପିଢ଼ି ଶୋଷଣର ଅବାରିତ କାର୍ଯ୍ୟକ୍ରମ ନ ଥାଏ ସେଥିରେ।

ଆଡ୍‌ଭେଞ୍ଜର ନାମରେ ଆଉ ଗୋଟାଏ ମଣିଷବର୍ଗକୁ ମରଣାନ୍ତକ କଷ୍ଟ ଦେଇ କବଳରେ ରଖିବାଠାରୁ ବଡ଼ ହିଂସ୍ରତା ଆଉ କ'ଣ ଅଛି?

ମୁଁ ସଭ୍ୟ, ତୁ ଅସଭ୍ୟ।

ତତେ ମୁଁ କବଳିତ କରି ଶୋଷଣ କରିବା ମୋର ନୈତିକ ଅଧିକାର।

ତେଣୁ ଗୁଳ‌ିଗୋଳା ଧରି, ଚଞ୍ଚକତା କରି, ତୁମରି ଭିତରୁ କିଛି ବ୍ୟକ୍ତିଙ୍କୁ ବିଶ୍ବାସଘାତକତାର ଜଡ଼ିବୁଟି ଖୁଆଇ ଆମେ ଆସିଗଲୁ ତୁମକୁ ସଭ୍ୟତା ଶିଖାଇବୁ।

ତୁମଠାରୁ କାମ ଆଦାୟ କରିବୁ, ତୁମକୁ ଦାସ କରି ରଖିବୁ।

ଦରକାର ପଡ଼ିଲେ ହାତଗୋଡ଼ କାଟିଦେଇ କବନ୍ଧ କରି ଝୁଲେଇଦେବୁ।

ଏଇଭଳି ନାରା ଦେଇ ଦିନେ ପଶ୍ଚିମର ପର୍ତ୍ତୁଗୀଜ୍‌, ଓଲନ୍ଦାଜ, ସ୍ପେନୀୟ, ଫରାସୀ, ଜର୍ମାନ୍, ଇତାଲୀୟ ତଥା ବିଲାତ ଭୂମିର ମତୁଆଳମାନେ ଖେଦିଯାଇଥିଲେ ସାରା ଆଫ୍ରିକା, ଏସିଆ ଓ ଅଷ୍ଟ୍ରେଲିଆ।

ନିଜ ଭୂମି ଯଥେଷ୍ଟ ନୁହେଁ।

ଅନ୍ୟ ସ୍ଥାନରେ ନିବେଶ ଆବଶ୍ୟକ।

ନିବେଶ କେବଳ ନୁହେଁ, ସାର୍ବଭୌମ ଅକ୍ତିଆର ଲୋଡ଼ା।

ଶୋଷଣ ଆମ ଅଧିକାର ଓ ଦାୟିତ୍ବ- ମଣିଷ ମାତ୍ରେ ଏ ଚିନ୍ତନ ଅଳ୍ପେ ବହୁତେ ସବୁଆଡ଼େ ଅଛି।

ମାତ୍ର ପଶ୍ଚିମ ଦେଶଗୁଡ଼ିକ ଏଭଳି ମନ୍ଦ ବାସନାକୁ ଯେତେ ମୌଳିକ ମନେକରି କାର୍ଯ୍ୟ କରିଛନ୍ତି ସେଭଳି କୌଣସି ପ୍ରାଚ୍ୟଦେଶ କରିନାହାନ୍ତି।

ପରବର୍ତ୍ତୀକାଳରେ ଦେଖାଶିଖା ବା ପ୍ରତିଶୋଧର ଭାବନା ନେଇ ଚୀନ, ଜାପାନ ଭଳି ଦେଶ ଏ ପଥର ପଥିକ ହୋଇଛନ୍ତି।

ଆମେ ଶ୍ରେଷ୍ଠ, ତୁମେ ନିକୃଷ୍ଟ ବକ୍ତବ୍ୟକୁ ପଶ୍ଚିମୀ ପଣ୍ଡିତମାନେ ବହୁ ଭାବରେ ଆଲୋଚନା କରି ପୃଥିବୀବ୍ୟାପୀ ନୂଆ ମାନସିକତା ମଧ୍ୟ ପ୍ରସ୍ତୁତ କରିଛନ୍ତି।

ରୁଡ୍‌ୟାର୍ଡ କିପଲିଙ୍ଗ ଭଳି ଭାରତ-ଜନ୍ମିତ ସାହିତ୍ୟରେ ନୋବେଲ ପୁରସ୍କାରପ୍ରାପ୍ତ ବିଦ୍ବାନ ବି କହିଛନ୍ତି- ''ଇଷ୍ଟ ଇଜ ଇଷ୍ଟ, ୱେଷ୍ଟ ଇଜ ୱେଷ୍ଟ।

ଦି ଟ୍ବିନ୍ ସାଲ୍ ନେଭର ମିଟ୍।'' ''ପୂର୍ବ, ପୂର୍ବ; ପଶ୍ଚିମ, ପଶ୍ଚିମ।

ଏ ଦୁଇର ମିଳନ ଅସମ୍ଭବ।'' ଭାବାର୍ଥ ଦିଗରୁ ତାହା ଠିକ୍ ହୋଇପାରେ କାରଣ କୌଣସି ଭୂଖଣ୍ଡ ଆଉ ଗୋଟିଏ ଭୂଖଣ୍ଡ ସହ ସମାନ ନୁହେଁ।

ହେଲେ ତା'ର ବ୍ୟଞ୍ଜନାର୍ଥଟି କ'ଣ?

''ଆମେ ଆଲୁଅ, ତୁମେ ଅନ୍ଧାର।

ଅତଏବ ଆଲୋକ ଦେବା ପାଇଁ ତୁମକୁ ଆମେ ଦାସତ୍ବରେ ରଖିବୁ।'' ଉପନିବେଶୀ ଚିନ୍ତନ କାଳେ କାଳେ ପଶ୍ଚିମରୁ ପୂର୍ବକୁ ପ୍ରବାହିତ ହୋଇଛି।

ପାଖାପାଖି ପଞ୍ଚଦଶ ଶତାବ୍ଦୀର ଆରମ୍ଭରୁ ଏ ପ୍ରବାହ ପର୍ତ୍ତୁଗାଲ ଓ ସ୍ପେନ ଦେଇ ଗତି କରିଛି।

ସେତେବେଳେ ନା ଥିଲା ସ୍ଥଳପଥ ନା ବାୟୁପଥ।

ସ୍ଥଳପଥ ଅସମ୍ଭବ କାରଣ ପୃଥିବୀର ସତୁରିଭାଗ ଜଳ।

ବାୟୁପଥର ପରିକଳ୍ପନା ନ ଥିଲା ସେତେବେଳେ।

ଅତଏବ ଜଳପଥ, ଜାହାଜ, ବୋଇତ ଆଧାରରେ ଭୂଖଣ୍ଡରୁ ଭୂଖଣ୍ଡକୁ ଯିବା, ନୂଆ ଭୂଖଣ୍ଡ ଆବିଷ୍କାର କରିବା ସେତେବେଳେ ଥିଲା ଦେଶ ବା ଶାସନର ଗୌରବ, ବାଣିଜ୍ୟିକ ବୀରପଣ ଓ ରୋମାଞ୍ଚର କଥା।

ସେଥିପାଇଁ ପର୍ତ୍ତୁଗାଲର ଭାସ୍କୋଡାଗାମା ଓ ଇଟାଲିର କ୍ରିଷ୍ଟୋଫର୍ କଲମ୍ବସ୍ ଇତିହାସ ପ୍ରସିଦ୍ଧ ହୋଇ ରହିଛନ୍ତି।

ଗୋଟାଏ ସମୟ‌େର ସ୍ପେନୀୟ ନୌଶକ୍ତିର ଯୁଦ୍ଧ-ଜାହାଜ-ସମଷ୍ଟି 'ଆର୍ମଡା' ଅନ୍ୟ ଅନେକ ଭୂଖଣ୍ଡକୁ ଥରହର କରି ରଖିଥିଲା।

ପରେ ପରେ ବ୍ରିଟେନ, ଫ୍ରାନ୍‌ସ ଓ ନେଦରଲାଣ୍ଡ୍‌ସ ଭଳି ଶାସନ କ୍ଷେତ୍ରଗୁଡ଼ିକ କୁଦିପଡ଼ିଲେ ଜନ-ଧନ-ଜମି-ଜୀବନ ସବୁକିଛି ଅକ୍ତିଆର କରିବା ପାଇଁ।

ଏହା ବ୍ୟବସ୍ଥିତ ଓ ସାମ୍ରାଜ୍ୟବାଦର ସ୍ବରୂପ ନେଇ ହୁଏତ ଆରମ୍ଭ ହୋଇଥିଲା ଚତୁର୍ଦ୍ଦଶ ଶତାବ୍ଦୀ ପରେ କିନ୍ତୁ ତା'ର ଅନେକ ଆଗରୁ ଫୋନେସିଆନ୍, ବେବିଲୋନିଆନ୍, ପର୍ସିଆନ୍ ଓ ଆରବୀମାନେ ସ୍ଥଳପଥରେ ଉପନିବେଶୀ ଆକ୍ରମଣ ଜାରି ରଖିଥିଲେ।

ପୂର୍ବରେ କେବଳ ହାନ୍-ଚୈନିକମାନେ ସାମିଲ ଥିଲେ ଏଭଳି ପ୍ରକ୍ରିୟାରେ।

ପ୍ରମାଣ ମିଳେ ଯେ ଖାସ୍ ଏଇ କାରଣରୁ ମଧ୍ୟଯୁଗରେ ଇଉରୋପୀୟ ଲୋଲୁପୀମାନେ ଉତ୍ତର, ପୂର୍ବ, ଦକ୍ଷିଣ ଏପରିକି ପଶ୍ଚିମରୁ ପଶ୍ଚିମକୁ ନିଜର ଅକ୍‌ଟୋପସୀୟ ଉପନିବେଶବାଦ ଆରମ୍ଭ କରିଦେଇଥିଲେ।

ପୃଥିବୀ ଗୋଟାଏ।

ଜଳବାୟୁ ଭିନ୍ନ ଭିନ୍ନ ମାତ୍ର ମାନବିକତା ସର୍ବତ୍ର ଆଚ୍ଛାଦିତ।

ବୁଝିବାରେ ଅସୁବିଧା ନାହିଁ ଯେ ଉପନିବେଶବାଦ ମାନବିକତାବିରୋଧୀ।

ଯେଉଁ ମାର୍ଗରେ ହେଉ ନିଜକୁ ଆପଣାର ସୁବିଧା ଲାଗି ଗୋଟାଏ ଜାନ୍ତବ ଝିଙ୍ଗାସରେ ଅନ୍ୟ ଉପରେ ଲଦିଦେବା ହିଁ ଉପନିବେଶବାଦର କୁତ୍ସିତ ସ୍ବରୂପ।

ଅନେକଙ୍କର ଧାରଣା, କେବଳ ଭୂମି କବଳିତ କରି ବା ବାଣିଜ୍ୟ ଆଧାରରେ ଏ କୁତ୍ସିତ ଚିନ୍ତାଧାରା ବ୍ୟାପେ।

ଭିତରେଇ ଦେଖିଲେ ଧର୍ମ, ଭାଷା, ଖାଦ୍ୟ, ପୋଷାକ, ଜ୍ଞାନ ଏପରିକି ନିଜର ବୈଷୟିକ କୌଶଳ ଅନ୍ୟ ଉପରେ ଲଦି ତାକୁ ଦାସ କରି ରଖିବାର ଯୋଜନା ଆଜି ନବ୍ୟ-ଉପନିବେଶବାଦ ଭାବେ ଏକ ଉଗ୍ର ରୂପ ପରିଗ୍ରହଣ କରିଛି।

ଉପନିବେଶବାଦର ଶେଷ ନାହିଁ।

ଗୋଟାଏ ଲୋକସମୂହ ଆଉ ଗୋଟେ ଲୋକସମୂହକୁ ମାନସିକ ଭାବେ ପ୍ରଭାବିତ କରି ରଖିବା ହେଉଛି ଉପନିବେଶବାଦର ଆଧୁନିକ ସ୍ବରୂପ।

ପଦାର୍ଥ ଅପେକ୍ଷା କୌଶଳକୁ ଅସ୍ତ୍ର କରି ଲାଗିପଡ଼ିଛନ୍ତି ବିକଶିତ ରାଷ୍ଟ୍ରର ଅଧିକାଂଶ ସଦସ୍ୟ।

ଧର୍ମକୁ ଧରି ଏ ଭୂଖଣ୍ଡରୁ ସେ ଭୂଖଣ୍ଡ ବ୍ୟାପିଯିବା ଭଳି ନୂଆ ଉପନିବେଶବାଦ ବହୁ ପୁରୁଣାକାଳର କଥା।

ତାହା ଏବେ ନାନା କୌଶଳ ମାଧ୍ୟମରେ ପୁନଶ୍ଚ ଲାଗୁ କରାଯାଇଛି।

ଇଂଲାଣ୍ଡୀୟମାନେ ଭାଷାକୁ ଧରି ଅନ୍ୟ ଭୂଖଣ୍ଡର ସାହିତ୍ୟ, ସଂସ୍କୃତିକୁ ସୁଦ୍ଧା କବଳିତ କରିବାରେ ସକ୍ଷମ ହୋଇଛନ୍ତି।

ଆଗକୁ କିଏ ଯଦି କହନ୍ତି, ଯେ ଯାଏ ଇଂରେଜୀ ଭାଷା କଥିତ ଓ ବ୍ୟବହୃତ ସେ ଅଞ୍ଚଳ ମାନସିକ ଭାବେ ଇଂଲାଣ୍ଡର ତେବେ ତାହାକୁ ଅସ୍ବୀକାର କରାଯିବ କେମିତି?

ଭାଷା ବି ଉପନିବେଶ ତିଆରି କରିପାରେ।

ଅନ୍ୟପକ୍ଷରେ ଜ୍ଞାନ ଆସେ ଏଇ ଭାଷା ଓ କୌଶଳ ମାଧ୍ୟମରେ।

ମିଛ ଗଣତାନ୍ତ୍ରିକ ଉଦାରବାଦକୁ ଇଂରେଜୀ ଭାଷା ହିଁ ଏସିଆ ତଥା ଆଫ୍ରିକାରେ ପରିବ୍ୟାପ୍ତ କରିଛି।

ଗଣତନ୍ତ୍ର ନାଅଁାରେ ଶୋଷଣ ଚାଲିଛି।

ସବୁଆଡ଼େ ଆଜି ଉପନିବେଶୀ ଖାଦ୍ୟପେୟ।

କଣ୍ଟିନେଣ୍ଟାଲ୍‌ ନ ହେଲେ ଚାଇନିଜ୍‌।

ପୋଷାକ ବି ସର୍ବତ୍ର ଇଉରୋପୀୟ।

ସେଇଭଳି ବୈଷୟିକ କୌଶଳ।

ଉପନିବେଶୀ ସ୍ରୋତ ଏ ଦେଶରୁ ସେ ଦେଶକୁ ଭଲକଥା ନେବାରେ କିଛି ଅସୁବିଧା ନାହିଁ।

ମାତ୍ର ତାକୁ ଆୟୁଧ କରି ଆମେରିକା ଭଳି ଦେଶ ଏବେ ନୂଆ ଉପନିବେଶବାଦ ସୃଷ୍ଟି କରିଚାଲିଛି।

ଇଣ୍ଟର୍‌ନେଟ୍‌, ନଭଜାଲ, କୃତ୍ରିମ ମେଧାର ନିୟାମକ ସାଜି ତଥା ଯୁଦ୍ଧ ସରଞ୍ଜାମର ‌େବୖଶିଷ୍ଟ୍ୟ ଦେଖାଇ ଚୀନ, ଆମେରିକା ଭଳି ଅାଉ କେତେକ ଦେଶ ଅନୁରୂପ ଉପନିବେଶ ତିଆରିରେ ବ୍ୟସ୍ତ।

ଭାରତ ଉପରେ ସମସ୍ତଙ୍କର ଆଖି କାରଣ ଏହା ସର୍ବାଧିକ ଜନସଂଖ୍ୟାର ଦେଶ।

ଯୁବବର୍ଗ ବେଶ୍ ଅଧିକ।

ପୃଥିବୀ ଯେତେବେଳେ ବଜାର ନୀତିରେ ଚାଲୁଛି ସେ ସମୟରେ ଭାରତ ଭଳି ଲୋକକ୍ଷେତ୍ରଟିଏ ଉପନିବେଶ ସ୍ଥାପନ ପାଇଁ ସର୍ବୋତ୍କୃଷ୍ଟ।

ବାସ୍ତବ ଉପନିବେଶବାଦ ଠାରୁ ଏବେ ସାରା ପୃଥିବୀରେ ଯେଉଁ ଆଭାସୀ-ଉପନିବେଶବାଦ ଚାରିଆଡ଼େ ଖେଳିବୁଲୁଛି ତାହା ଯେ ଅଧିକ ଭୟଙ୍କର ଏହା ସମସ୍ତେ ହୃଦୟଙ୍ଗମ କରିବା ଉଚିତ।

ସଚେତନ ନ ରହିଲେ ଏ ନୂଆ ଉପନିବେଶବାଦ ଆମକୁ ଆଉ ଏକ ଦାସତ୍ବ ଭିତରକୁ ଠେଲିଦେବ।

ସାବଧାନ! (ମତାମତ ଲେଖକଙ୍କ ନିଜସ୍ବ) dashbenhur.53@gmail.com Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)