Editorial: ମାଛ କଣ୍ଟା

Nov 27, 2026 - 03:56
Editorial: ମାଛ କଣ୍ଟା

ବାଂଲାଦେଶର ରାଜନୈତିକ ଇତିହାସରୁ ଦିଶିଥାଏ ଯେ ପ୍ରତିଶୋଧ ଏବଂ ସଡ଼କ ହିଂସାରୁ ପ୍ରଭୁତ୍ବ ଓ ନ୍ୟାୟ ମାଗୁଥିବା ଏହି ଦେଶର ନାଗରିକମାନେ ସ୍ବଭାବତଃ ଅଧୈର୍ଯ୍ୟ; ଯେଉଁ କାରଣରୁ, ମାତ୍ର ଦୁଇ ବର୍ଷ ତଳେ, ଶେଖ ହସିନାଙ୍କ ଶୋଣିତର ତୃଷାରେ ଆକୁଳ ଏହି ରାଷ୍ଟ୍ର ଏବେ ହୁଏତ ତାଙ୍କୁ ସ୍ବାଗତ ଜଣାଇପାରେ!

ବାଂଲାଦେଶରେ ହୋଇ ଆସିଥିବା ଘନଘନ ରାଜନୈତିକ ପଟ ପରିବର୍ତ୍ତନର ଏହା ହେଉଛି ଏକ କାରଣ; ଯେଉଁଥି ଲାଗି ମୃତ୍ୟୁର ଆଶଙ୍କା ଥିବା ସତ୍ତ୍ବେ ଶେଖ ହସିନା ଏକ ବିବେଚନାପୂର୍ଣ୍ଣ ବିପଦ ବରଣ କରିବାକୁ ବାହାରିଛନ୍ତି!

Advertisment ଗଲା ୨୪ ତାରିଖରେ, ବାଂଲାଦେଶର ପ୍ରମୁଖ ରାଜନୈତିକ ଦଳ ଆୱାମି ଲିଗ (ବର୍ତ୍ତମାନ ନିଷିଦ୍ଧ)ର ଜଣେ ମୁଖପାତ୍ର ଘୋଷଣା କରିଛନ୍ତି ଯେ ଆସନ୍ତା ଡିସେମ୍ବର ୧୬ ତାରିଖରେ, ଭାରତରେ ଆଶ୍ରିତ, ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ; ଯେଉଁ ଖବରଟି ବାଂଲାଦେଶରେ ଏକ ରାଜନୈତିକ ଭୂକଂପ ସୃଷ୍ଟି କରିଥିବାବେଳେ ଅନ୍ତର୍ଜାତୀୟ ସ୍ତରରେ ଆଲୋଚନାର ବିଷୟବସ୍ତୁ ହୋଇଛି।

ଯଦିଓ, ଡିସେମ୍ବର ମାସରେ ବାଂଲାଦେଶକୁ ଫେରିଯିବା ନେଇ, ପୂର୍ବରୁ ଶେଖ ହସିନା ଏକାଧିକ ବାର ସ୍ପଷ୍ଟ କରିସାରିଛନ୍ତି, ତାଙ୍କୁ ମୃତ୍ୟୁ ଦଣ୍ଡ ଦେବା ଲାଗି ଉଦ୍‌ଗ୍ରୀବ ସରକାରର ହାତରେ ଯେ ସେ ଏମିତି ସ୍ବେଚ୍ଛାରେ ଧରା ଦେବେ, ତାହା ଅଧିକାଂଶ ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ସକାଶେ ବିଶ୍ବାସଯୋଗ୍ୟ ହେଉ ନ ଥିଲା।

ସେହି ଦୃଷ୍ଟିରୁ, ନିର୍ଦ୍ଦିଷ୍ଟ ତାରିଖର ଘୋଷଣା ପରେ ସେହି ସନ୍ଦେହ ଆପାତତଃ ଦୂର ହୋଇଛି; କିନ୍ତୁ, ଏହା ସହିତ ପାଞ୍ଚ ଥର ଧରି ବାଂଲାଦେଶର ପ୍ରଧାନମନ୍ତ୍ରୀ ହୋଇଥିବା ଶେଖ ହସିନାଙ୍କ ଭାଗ୍ୟ, ଭବିଷ୍ୟତ୍‌, ତାଙ୍କର ଏଭଳି ନିଷ୍ପତ୍ତି ପଛରେ ଥିବା ଗୂଢ଼ ରାଜନୀତି ଓ ତା'ର ପରିଣାମ ଇତ୍ୟାଦି ନେଇ ଅନୁମାନ, ଆକଳନ ଓ ଆଶଙ୍କା ଆଦିର ଯେଉଁ ଝଡ଼ ସୃଷ୍ଟି ହୋଇଛି, ସେ ସଂଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ଏଠାରେ ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।

ଆୱାମି ଲିଗର ମୁଖପାତ୍ରଙ୍କ ସୂତ୍ରରୁ ଜଣାପଡ଼ିଛି ଯେ ବାଂଲାଦେଶ ପ୍ରତ୍ୟାବର୍ତ୍ତନ ସକାଶେ ହସିନା ଏକ ପାସପୋର୍ଟ, ରାଷ୍ଟ୍ରୀୟ ପରିଚୟ ପତ୍ର ଏବଂ ତାଙ୍କୁ ନେବା ସକାଶେ ବାଂଲାଦେଶ ସରକାରୀ ଏୟାରଲାଇନ୍‌ସର ବିମାନଟିଏ ଲୋଡ଼ିଥାଆନ୍ତି; ଯାହାର ଅର୍ଥ ସେ ସସମ୍ମାନ ନିଜ ମାତୃଭୂମିରେ ପଦାର୍ପଣ କରିବାକୁ ଇଚ୍ଛୁକ।

କିନ୍ତୁ, ଅସଂଗତିଟି ହେଲା ଗଣସଂହାର ଭଳି ଜଘନ୍ୟ ଅପରାଧ ସକାଶେ ସେ ସେଠାରେ ମୃତ୍ୟୁ ଦଣ୍ଡରେ ଦଣ୍ଡିତ; ଯେଉଁଥି ଲାଗି ସେଠାକାର ସରକାର ତାଙ୍କୁ ଜଣେ ଅପରାଧିନୀ ସ୍ବରୂପ ଫେରସ୍ତ ଚାହାନ୍ତି, ଅର୍ଥାତ୍‌ ଭାରତ ସରକାରଙ୍କ ଦ୍ବାରା ନିୟମାନୁସାରେ ପ୍ରତ୍ୟର୍ପିତ ଶୃଙ୍ଖଳ ଆବଦ୍ଧ ଶେଖ ହସିନା!

ଅନେକ ପର୍ଯ୍ୟବେକ୍ଷକଙ୍କ ମତରେ ବାଂଲାଦେଶର ସାଂପ୍ରତିକ ସରକାର ଶେଖ ହସିନାଙ୍କୁ ଘେରି ରହିଥିବା ସାମାନ୍ୟତମ ପ୍ରଭାମଣ୍ଡଳକୁ ମଧ୍ୟ ତାଙ୍କ ଠାରୁ ଛିନ୍ନ କରିଦେବାକୁ ଚାହିଁଥାଆନ୍ତି, ଯାହା ତାଙ୍କର ଦୀର୍ଘ କାଳର ପ୍ରଧାନମନ୍ତ୍ରିତ୍ବ ଏବଂ ଆୱାମି ଲିଗ ଭଳି ଏକ ବିଶାଳ ରାଜନୈତିକ ଦଳର ସର୍ବମୟ ନେତ୍ରୀ ରୂପେ ଏ ଯାବତ୍‌, କିଞ୍ଚିତ ହେଲେ ସୁଦ୍ଧା, ଅକ୍ଷୁଣ୍ଣ ରହିଛି।

ବାଂଲାଦେଶର ତାରିକ ରହମାନ ସରକାର, ସମ୍ଭବତଃ, ଶଙ୍କାଗ୍ରସ୍ତ ଯେ ଶେଖ ହସିନାଙ୍କ ଘର ବାହୁଡ଼ା ଏକ ମହିମାମୟ ବ୍ୟାପାର ମଧ୍ୟ ହୋଇଯାଇପାରେ!

ପ୍ରକାଶ ଥାଉ କି ସଂପ୍ରତି ସେଠାରେ ଦାରିଦ୍ର୍ୟ, ନିଯୁକ୍ତିହୀନତା ଓ ମୁଦ୍ରାସ୍ଫୀତି ଉତ୍କଟ ସମସ୍ୟା ରୂପେ ଉଭା ହେଲାଣି, ଯାହା ଶେଖ ହସିନାଙ୍କ ଶାସନ ସମୟରେ ନିୟନ୍ତ୍ରଣାଧୀନ ଥିଲା।

ସେହି କାରଣରୁ ସେଠାରେ ଜନ ଅସନ୍ତୋଷର କ୍ଷୁଦ୍ର ସ୍ଫୁଲିଙ୍ଗମାନ ସୃଷ୍ଟି ହେବାରେ ଲାଗିଛି।

ସେହି ଦୃଷ୍ଟିରୁ, ଅନେକ ବିଶ୍ଳେଷକଙ୍କ ମତରେ, ଏଭଳି ଏକ ସ୍ଥିତିର ଧାରଣା କରି ପାରି ଶେଖ ହସିନା ଏହି ସମୟକୁ ହିଁ ତାଙ୍କ ଘର ବାହୁଡ଼ା ଲାଗି ପ୍ରକୃଷ୍ଟ କ୍ଷଣ ବୋଲି ବାଛିଛନ୍ତି!

ଗଣମାଧ୍ୟମ ସୂତ୍ରରୁ ପ୍ରକାଶିତ ହେଉଛି ଯେ ହସିନାଙ୍କ ସ୍ବଦେଶ ପ୍ରତ୍ୟାବର୍ତ୍ତନର ତାରିଖ ଘୋଷିତ ହେବା ପରେ ବାଂଲାଦେଶରେ ପୁନର୍ବାର ସଡ଼କ ହିଂସାର ଅନଳ ଜଳି ଉଠିଲାଣି, ଯାହା ସେଠାକାର ସରକାରଙ୍କୁ ଉଦ୍‌ବିଗ୍ନ କରି ପକାଇଥିବ!

ହୁଏତ ସେଠାକାର ସରକାରଙ୍କ ହୃଦ୍‌ବୋଧ ହୋଇଥିବ ଯେ ଶେଖ ହସିନାଙ୍କ ଘର ବାହୁଡ଼ା ତଣ୍ଟିରେ ଏକ ମାଛ କଣ୍ଟା ଭଳି ଲାଗି ରହିପାରେ; ଯାହାକୁ ନା ଉଦରସାତ୍‌ କରି ହେଉଥିବ ନା ବାହାରକୁ ନିକ୍ଷେପ କରି ହେଉଥିବ!

ସୁତରାଂ, ତାରିକ ରହମନ ସରକାର ସକାଶେ ଶେଖ ହସିନାଙ୍କ ଏଭଳି ଅତର୍କିତ ଉପସ୍ଥିତି କାମ୍ୟ ନୁହେଁ; ଏବଂ ଯଦିବା କୌଣସିମତେ ହସିନା ସେଠାରେ ପହଞ୍ଚନ୍ତି, ତେବେ ତାଙ୍କୁ ଦଣ୍ଡିତ କରିବା ମଧ୍ୟ ସମ୍ଭବ ହୋଇ ନ ପାରେ; କାରଣ ତଦ୍ଦ୍ବାରା ସେଠାରେ ଏକ ଗୃହଯୁଦ୍ଧ ତୁଲ୍ୟ ପରିସ୍ଥିତି ସୃଷ୍ଟି ହୋଇଯିବାର ଆଶଙ୍କା ରହିଛି!

ବାଂଲାଦେଶର ରାଜନୀତି କିଭଳି ରକ୍ତ-ରଂଜିତ, ପ୍ରତିଶୋଧ ପରାୟଣ ଏବଂ ସଡ଼କ ହିଂସାର ଦାବାନଳ ଦ୍ବାରା ଦଗ୍‌ଧୀଭୂତ ହୋଇ ଆସିଛି, ଇତିହାସ ତା'ର ଅନେକ ସାକ୍ଷ୍ୟ ବହନ କରିଥାଏ।

କ୍ଷମତା ଦଖଲର ଚକ୍ରାନ୍ତରେ ସ୍ବାଧୀନ ବାଂଲାଦେଶ ତା'ର ଦୁଇ ପ୍ରତିଷ୍ଠାତା ପୁରୁଷ ଶେଖ ମୁଜିବୁର ରହମନ ଓ ଜିଆ ଉର ରହମନଙ୍କ ହତ୍ୟା ଦେଖିଛି, ଯେଉଁ ସମୟରେ ସେମାନେ ରାଷ୍ଟ୍ରପତି ରୂପେ ଗାଦିନସୀନ ଥିଲେ।

କ୍ଷମତା ଲାଭର ଦୁର୍ଲଂଘ୍ୟ କାମନା ହେତୁ ଏହି ଦୁଇ ନେତାଙ୍କ ଦ୍ବାରା ସଂଗଠିତ ଦଳ ଓ ଉତ୍ତରାଧିକାରୀମାନେ ପ୍ରଥମରୁ ପରସ୍ପରର ଜାତଶତ୍ରୁ ହୋଇ ରହିଛନ୍ତି।

ସେଠାକାର ରାଜନୀତି କିଭଳି ପ୍ରତିଶୋଧର ଦୁଷ୍ଟ-ଚକ୍ର ଦ୍ବାରା କବଳିତ, ତାହାର ଉଦାହରଣ ଦେଖନ୍ତୁ: ଶେଖ ହସିନା (ଶେଖ ମୁଜିବୁରଙ୍କ କନ୍ୟା)ଙ୍କ ପ୍ରଧା‌ନମନ୍ତ୍ରିତ୍ବ ସମୟରେ ଦୀର୍ଘ କାଳ ଧରି ନିର୍ବାସିତ ଥିବା ତାରିକ ରହମନ (ଜିଆ ଉର ରହମନଙ୍କ ପୁତ୍ର), ସଂପ୍ରତି, ପ୍ରଧାନମନ୍ତ୍ରୀ ପଦାସୀନ ଏବଂ ହସିନା ବାଂଲାଦେଶରୁ ବିତାଡ଼ିତ, ନିର୍ବାସିତ ଓ ମୃତ୍ୟୁ ଦଣ୍ଡାଦେଶର ଶରବ୍ୟ!

ଏକ ସ୍ବାଧୀନ ରାଷ୍ଟ୍ର ଭାବେ ତାରୁଣ୍ୟରେ ଥିଲେ ହେଁ ବାଂଲାଦେଶ ଏ ଯାବତ୍‌ ପ୍ରତ୍ୟକ୍ଷ କରିସାରିଛି ପାଞ୍ଚଟି ସଫଳ ସଶସ୍ତ୍ର ସାମରିକ ବିଦ୍ରୋହ ଓ ୨୯ଟି ସାମରିକ ବିଦ୍ରୋହର ଉଦ୍ୟମ।

ଏହି କ୍ଷୁଦ୍ର କାଳଖଣ୍ଡରେ ନିର୍ବାଚିତ, ବିଦ୍ରୋହ ସମର୍ଥିତ ଏବଂ ସେନା ଦ୍ବାରା ନିଯୁକ୍ତ ରାଷ୍ଟ୍ର ମୁଖ୍ୟମାନଙ୍କ ସଂଖ୍ୟା ୨୦ରୁ ଅଧିକ, ଯେଉଁମାନଙ୍କ ମଧ୍ୟରୁ କେତେକଙ୍କ ନାମ ସେ ଦେଶର ନାଗରିକମାନଙ୍କ ସ୍ମରଣରେ ମଧ୍ୟ ନ ଥାଇପାରେ!

ବାଂଲାଦେଶର ରାଜନୈତିକ ଇତିହାସରୁ ଦିଶିଥାଏ ଯେ ପ୍ରତିଶୋଧ ଏବଂ ସଡ଼କ ହିଂସାରୁ ପ୍ରଭୁତ୍ବ ଓ ନ୍ୟାୟ ମାଗୁଥିବା ଏହି ଦେଶର ନାଗରିକମାନେ ସ୍ବଭାବତଃ ଅଧୈର୍ଯ୍ୟ; ଯେଉଁ କାରଣରୁ, ମାତ୍ର ଦୁଇ ବର୍ଷ ତଳେ, ଶେଖ ହସିନାଙ୍କ ଶୋଣିତର ତୃଷାରେ ଆକୁଳ ଏହି ରାଷ୍ଟ୍ର ଏବେ ହୁଏତ ତାଙ୍କୁ ସ୍ବାଗତ ଜଣାଇପାରେ!

ବାଂଲାଦେଶରେ ହୋଇ ଆସିଥିବା ଘନଘନ ରାଜନୈତିକ ପଟ ପରିବର୍ତ୍ତନର ଏହା ହେଉଛି ଏକ କାରଣ; ଯେଉଁଥି ଲାଗି ମୃତ୍ୟୁର ଆଶଙ୍କା ଥିବା ସତ୍ତ୍ବେ ଶେଖ ହସିନା ଏକ ବିବେଚନାପୂର୍ଣ୍ଣ ବିପଦ ବରଣ କରିବାକୁ ବାହାରିଛନ୍ତି!

ଶେଖ ହସିନା ଅତ୍ୟନ୍ତ ମର୍ମସ୍ପର୍ଶୀ କଣ୍ଠରେ କହୁଥିବାର ଶୁଣାଯାଏ ଯେ ସେ ନିଜ ମାତୃଭୂମିରେ ମୃତ୍ୟୁ ବରଣ କରିବାକୁ ଚାହାନ୍ତି!

ଅନେକ ଶାସକ ବା ରାଜନୈତିକ ବ୍ୟକ୍ତିବିଶେଷ ପରିସ୍ଥିତିର ତାଡ଼ନାରେ ଆତ୍ମ-ନିର୍ବାସନ ବରଣ କରୁଥିଲେ ହେଁ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବାକୁ ସର୍ବଦା ବ୍ୟାକୁଳ ଥାଆନ୍ତି; ସ୍ବଦେଶରେ ମୃତ୍ୟୁ ଦଣ୍ଡର ଭୟ ଥିଲେ ସୁଦ୍ଧା କିଛି ଫେରନ୍ତି ମଧ୍ୟ!

ଯେମିତି ୧୮୨୩ ମସିହାରେ, ମେକ୍‌ସିକୋରୁ ପଳାୟନ କରିଥିବା ଶାସକ ଅଗଷ୍ଟିନ ଡି ଇତରବିଡେ ସ୍ବଦେଶ ଫେରିଥିଲେ ୧୮୨୪ ମସିହାରେ ଏବଂ ଫାୟାରିଂ ସ୍କ୍ବାଡକୁ ସାମନା କରିବାର ଦୁର୍ଭାଗ୍ୟ ଭୋଗିଥିଲେ।

୧୯୭୯ ମସିହାରେ ସେଣ୍ଟ୍ରାଲ ଆଫ୍ରିକାର ଶାସକ ଜ୍ୟାଁ ବେଡେଲ ବୋକାସା ଗାଦିଚ୍ୟୁତ ଓ ନିର୍ବାସିତ ହେବାର କିଛି ବର୍ଷ ପରେ, ଅର୍ଥାତ୍‌ ଅଷ୍ଟମ ଦଶକର ଅନ୍ତିମ ଭାଗରେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ, ଯେଉଁଠି ତାଙ୍କ ବିରୋଧରେ ମୃତ୍ୟୁ ଦଣ୍ଡାଦେଶ ପ୍ରସ୍ତୁତ ହୋଇ ରହିଥିଲା।

କିନ୍ତୁ ପୁନର୍ବିଚାର ପରେ ତାଙ୍କ ଦଣ୍ଡକୁ କୋହଳ କରି ଆଜୀବନ କାରାବାସକୁ ପରିଣତ କରିଦିଆଯାଇଥିଲା।

୧୯୭୭ ମସିହାରେ ଫିଲିପିନ୍‌ସର ବିରୋଧୀ ଦଳର ନେତା ବେନିଗ୍‌ନୋ ଆକ୍ବିନୋ ୧୯୮୩ ମସିହାରେ ଆତ୍ମ ନିର୍ବାସନରେ ଅନ୍ତ ଘଟାଇ ସ୍ବଦେଶ ଫେରିଥିଲେ।

ପ୍ରକାଶ ଥାଉ କି ଏକଛତ୍ରବାଦୀ ଶାସକ ଫର୍ଡିନାଣ୍ଡ ମାର୍କୋସଙ୍କ ମିଲିଟାରି ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲା, ଯାହା ଅବଶ୍ୟ ପରେ ଆଜୀବାନ କାରାଦଣ୍ଡକୁ ପରିବର୍ତ୍ତିତ ହୋଇ ଯାଇଥିଲା।

କିନ୍ତୁ, ବିମାନରୁ ଅବତରଣ କରିବା ମାତ୍ରକେ ମାନିଲା ବିମାନ ବନ୍ଦରରେ ତାଙ୍କୁ ଜଣେ ଅତତାୟୀ ଗୁଳି କରି ହତ୍ୟା କରିଥିଲା।

ଏ ସବୁ ଏଠାରେ କହିବାର ମର୍ମ ହେଲା, ଏଭଳି ବିତର୍କିତ ସ୍ଥିତିରେ ବିଜ୍ଞମାନଙ୍କ ବିଦଗ୍‌ଧ ମତ ଓ ଅନୁମାନ ସତ୍ତ୍ବେ କାହା ଲାଗି କିଭଳି ଭାଗ୍ୟ ଅପେକ୍ଷା କରି ରହିଥାଏ, ତାହା କେବଳ ସମୟ ହିଁ କହିବ!

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)