Editorial: ବିଶେଷ ପ୍ରବନ୍ଧ: ରାଷ୍ଟ୍ରର ସ୍ବାସ୍ଥ୍ୟ ଓ ‘ଦୁର୍ଯ୍ୟୋଧନ ସିଣ୍ଡ୍ରୋମ୍‌’

Nov 25, 2026 - 04:32
Editorial: ବିଶେଷ ପ୍ରବନ୍ଧ: ରାଷ୍ଟ୍ରର ସ୍ବାସ୍ଥ୍ୟ ଓ ‘ଦୁର୍ଯ୍ୟୋଧନ ସିଣ୍ଡ୍ରୋମ୍‌’

ସୁଭାଷ ପଟ୍ଟନାୟକ ଠିକ୍ ପଦକ୍ଷେପଟି କଣ ତାହା ଅନୁଭବ କରିବାର ନୈତିକ ସଚେତନତା ଏବଂ ପ୍ରକୃତରେ ଯାହା ଠିକ୍ ତାହା କରିବାର ନୈତିକ କାର୍ଯ୍ୟପ୍ରବଣତା ମଧ୍ୟରେ ଥିବା ବ୍ୟବଧାନ ହେଉଛି ନୈତିକତାର ମନସ୍ତତ୍ତ୍ବ ଏବଂ ଆଚରଣଗତ ନୀତିଶାସ୍ତ୍ରରେ ଅଧ୍ୟୟନ ହୋଇଥିବା ବିଷୟ।

ଆମେମାନେ ନୈତିକ ସମସ୍ୟାକୁ ଚିହ୍ନିପାରିବାରେ ଯେତିକି ଦକ୍ଷ, ତାକୁ ସଠିକ ଆଚରଣ ସହିତ ଅନୁସରଣ କରିବାରେ ସେତିକି ବିଫଳ।

ଏହା ହିଁ ହେଉଛି ନୈତିକ ସଚେତନତା ଓ ଆମର କାର୍ଯ୍ୟ ମଧ୍ୟରେ ରହିଥିବା ବ୍ୟବଧାନ।

ଆଜି ସମାଜରେ ସମସ୍ତେ ନୈତିକତା ଦୃଷ୍ଟିରୁ କଣ ଠିକ୍, ଭାବନାତ୍ମକ ଭାବରେ କଣ ସୁସ୍ଥ ଓ ସ୍ବଚ୍ଛ ଏବଂ ଆଧ୍ୟାତ୍ମିକ ଭାବରେ କଣ ଅର୍ଥପୂର୍ଣ୍ଣ ତାହା ଭଲଭାବରେ ଜାଣିଥିଲେ ବି ସଚେତନ ଭାବରେ ଏପରି ଏକ ପଥ ବାଛି ନେଇଥାନ୍ତି, ଯାହା ତ୍ବରିତ ସନ୍ତୁଷ୍ଟି ଓ ବ୍ୟକ୍ତିଗତ ଲାଭ ଦେଇ ପାରିବ।

ସେଥିପାଇଁ ଭୁଲ୍‌ କଣ ଜାଣିଥିବା ସତ୍ତ୍ବେ ସମସ୍ତେ ସେଇ ଭୁଲ୍‌ଟି କରିବାରେ ଆଗ୍ରହୀ ହୁଅନ୍ତି ଏବଂ ଘଟିଯାଉଥିବା ଭୁଲ୍‌ଗୁଡିକ ଦେଖି ମଧ୍ୟ ଚୁପ୍ ରହନ୍ତି।

ଫଳତଃ ମନ ମଧ୍ୟରେ ଗୋଟିଏ କୁରୁକ୍ଷେତ୍ର ସଂଘଟିତ ହୋଇ ବିବେକ ଓ ପ୍ରଲୋଭନ, ଜ୍ଞାନ ଓ ଆବେଗ ଏବଂ ଇଚ୍ଛା ଓ ସଂଯମ ମଧ୍ୟରେ ନିରନ୍ତର ସଂଘର୍ଷ ଘଟିଥାଏ।

ମହାଭାରତରେ ଦୁର୍ଯ୍ୟୋଧନଙ୍କର ଗୋଟିଏ ପ୍ରସିଦ୍ଧ ଉକ୍ତି ହେଉଛି, 'ଜାନାମି ଧର୍ମଂ ନଚମେ ପ୍ରବୃତ୍ତିଃ / ଜାନାମ୍ୟ ଅଧର୍ମଂ ନଚମେ ନିବୃତ୍ତିଃ'।

ମୁଁ ଜାଣେ ଧର୍ମ କଣ ଓ ଠିକ୍ କେଉଁଟି, ତଥାପି ମୁଁ ସେଥିରେ ଆଗ୍ରହୀ ନୁହେଁ।

ମୁଁ ଜାଣିଛି ଅଧର୍ମ କଣ ଓ ଭୁଲ କାର୍ଯ୍ୟ କେଉଁଟି, ତଥାପି ମୁଁ ସେଥିରୁ ନିବୃତ୍ତ ହୋଇ ନପାରେ।

ଦୁର୍ଯ୍ୟୋଧନଙ୍କର ଦୁଃଖଦ ଘଟଣାବଳୀ କେବଳ ଏକଥା ନୁହେଁଯେ ସେ ଭୁଲ ରାସ୍ତା ବାଛିଥିଲେ, ବରଂ ତାହା ସେ ଜାଣିଶୁଣି ବାଛିଥିଲେ ଏବଂ ପରିଣତି ପ୍ରତି ସଚେତନ ଥିବାସତ୍ତ୍ବେ ବିବେକର ସ୍ବରକୁ ନୀରବ କରି ଦେଇଥିଲେ।

ଭୀଷ୍ମ, ଦ୍ରୋଣାଚାର୍ଯ୍ୟ, କର୍ଣ୍ଣ ଓ କୃପାଚାର୍ଯ୍ୟ ପରି ପାରିଷଦବର୍ଗ ଭୁଲ କଣ ଓ ଠିକ୍ କଣ ତାହା ଜାଣିଥିବା ସତ୍ତ୍ବେ ନୀରବ ରହିଯାଇଥିଲେ।

ଦୁର୍ଯ୍ୟୋଧନ ସମେତ ସମସ୍ତେ ଯେଉଁ ମାନସିକତା ମଧ୍ୟଦେଇ ଗତି କରିଥିଲେ ତାହାକୁ ଆମେ ଆଜି କହିବା 'ଦୁର୍ଯ୍ୟୋଧନ ସିଣ୍ଡ୍ରୋମ୍' ବା 'ଦୁର୍ଯ୍ୟୋଧନ ସଂଲକ୍ଷଣ'।

ଦୁର୍ଯ୍ୟୋଧନଙ୍କ ଉପରୋକ୍ତ ଉକ୍ତିଟି ମାନବ ପ୍ରକୃତିର ଏକ ଗଭୀର ଅନ୍ତର୍ଦ୍ବନ୍ଦ୍ବକୁ ଇଙ୍ଗିତ କରେ।

ସେ ଧର୍ମ କଣ ଅଧର୍ମ କଣ ସେ ବିଷୟରେ ଅଜ୍ଞ ନଥାଇ ମଧ୍ୟ ଅହଂକାର, ଲୋଭ, ଈର୍ଷା, ଅସୁରକ୍ଷା ଓ କ୍ଷମତା ମୋହରେ ପରିଚାଳିତ ହୋଇ ଅକରଣୀୟ କାର୍ଯ୍ୟମାନ କରି ଚାଲିଥିଲେ ଏବଂ ଭୀଷ୍ମ ଆଦି ବୁଦ୍ଧିଜୀବୀମାନେ ଅନୀତିକୁ ଜାଣିଥିବା ସତ୍ତ୍ବେ ଚୁପ୍ ରହୁଥିଲେ।

ଆଜି ଆମ ରାଷ୍ଟ୍ର ଓ ସମାଜ ଦୁର୍ଯ୍ୟୋଧନ ସିଣ୍ଡ୍ରୋମ୍‌ ଦ୍ବାରା ଗଭୀର ଭାବରେ ଆକ୍ରାନ୍ତ।

ନୈତିକ ନିଷ୍କ୍ରିୟତା କେବଳ ବ୍ୟକ୍ତିକୁ ନୁହେଁ, ସମାଜକୁ ମଧ୍ୟ ପ୍ରଭାବିତ କରି ଚାଲିଛି।

ଦ୍ରୁତ ସଫଳତା ଓ ସ୍ବୀକୃତି ପାଇଁ ଆମେ ନୀତିଶାସ୍ତ୍ରକୁ ବନ୍ଦ କରିଦେଇ ଅନ୍ୟାୟ, ଅନୀତି ଓ ସ୍ବାର୍ଥପରତାକୁ ବାଛିନେଇଛେ।

ସଚ୍ଚୋଟତାକୁ ବିକ୍ରିରୁ ପ୍ରାପ୍ତ ଏ କ୍ଷଣସ୍ଥାୟୀ ଲାଭ ଶେଷରେ ଆମ ବିଶ୍ବାସ, ଶାନ୍ତି ଓ ସମ୍ମାନକୁ ନଷ୍ଟ କରିଦେଉଛି।

ପରିଣାମରେ ମିଳୁଛି କଣ?

ସମାଜ ଓ ରାଷ୍ଟ୍ରର ଅଧୋଗତି।

ଆଜି ଆଖି ଖୋଲିଦେଲେ ଦୃଷ୍ଟିରେ ପଡେ ନିର୍ଯାତନା, ବଳାତ୍କାର, ହିଂସା, ଲୁଟପାଟ, ଉତ୍କୋଚ କାରବାର ଓ ସରକାରୀ ସ୍ବୈରଚାରିତା ଇତ୍ୟାଦି।

ଯୁବଶ୍ରେଣୀ ଆଜି ପଥଭ୍ରଷ୍ଟ।

କର୍ମସଂସ୍ଥାନର ରାସ୍ତାମାନ ଅବରୁଦ୍ଧ।

ଚରିତ୍ର ଗଠନର ଶିକ୍ଷା ବଦଳରେ ଛାତ୍ର ପଢୁଛି ସାଂପ୍ରଦାୟିକତାର ପାଠ।

ସରକାରୀ ଲୁଟପାଟ ଚରମ ସୀମାରେ।

କର ଆଦାୟ କରି ଖୈରାତ ବାଣ୍ଟିବାକୁ ସରକାର ନିଜର ସଫଳତା ଭାବୁଛି।

ଜାତି ନାମରେ ବିଭାଜନ, ସଂପ୍ରଦାୟ ନାମରେ ବିଭାଜନ ଓ ଧର୍ମ ନାମରେ ସମାଜ ଆଜି ବିଭକ୍ତ।

ସମସ୍ତେ ଚାହାନ୍ତି ନିଜ ପାଇଁ ଗୋଟିଏ ସଂରକ୍ଷିତ ଚଉକି।

ପରିଣତି ପ୍ରତି ସଚେତନ ଥାଇ ମଧ୍ୟ ଆମେ ଏ ଭୁଲ କରିଚାଲିଛେ।

ବୁଦ୍ଧିଜୀବୀ ବର୍ଗ ଦିଗଦର୍ଶନ ଦେବା ପରିବର୍ତ୍ତେ ଆଜି ସଂପୂର୍ଣ୍ଣ ଚୁପ୍।

ସେମାନଙ୍କର ସଦ୍‌ଜ୍ଞାନ ବ୍ୟାବହାରିକତା ହରାଇ ବସିଛି।

ଜାଣିବା ଓ କରିବା ମଧ୍ୟରେ ସୃଷ୍ଟି ହୋଇଛି ଅପହଞ୍ଚ ଦୂରତା।

ଦୁର୍ଯ୍ୟୋଧନ ସିଣ୍ଡ୍ରୋମ୍‌ର କୁପରିଣତି ସମସ୍ତଙ୍କ ନିକଟରେ ଆଜି ସୁସ୍ପଷ୍ଟ।

ଯଦି ରାଜନୀତିକୁ ଏକ ବିଚାର ଭାବରେ ଧରି ନିଆଯାଏ, ଏହା ମାଧ୍ୟମରେ ରାଷ୍ଟ୍ର ପରିଚାଳନା ଅସମ୍ଭବ।

ରାଜନୀତିର ଆଦର୍ଶକୁ ରାଷ୍ଟ୍ରନୀତି ଭାବରେ ଗ୍ରହଣ କରି ହେବନି।

କିନ୍ତୁ ଆଜି ଦେଶକୁ ଚଳାଉଛି ରାଜନୀତିର ଆଦର୍ଶ।

ରାଷ୍ଟ୍ର କେବେ ଚିନ୍ତା କରେନାହିଁ।

ବୁଦ୍ଧିଜୀବୀମାନଙ୍କର ଚିନ୍ତନ ହିଁ ରାଷ୍ଟ୍ର ପ୍ରଗତିର ନିୟାମକ।

ସରକାରକୁ ଦିଗ୍‌ଦର୍ଶନ ଦେଇ ଦେଶ ଓ ସମାଜ ସୁଧାରିବାର ଦାୟିତ୍ୱ ବୁଦ୍ଧିଜୀବୀର।

ମାତ୍ର ସେମାନଙ୍କ ପାଖରେ ଆଜି ତିନିଟି ମୁଖ୍ୟ କର୍ତ୍ତବ୍ୟର ଅଭାବ।

ନୈତିକ ପ୍ରଭୁତ୍ବ, ଯାହା ମାଧ୍ୟମରେ ଶାସକ ଓ ସମାଜ ସଠିକ ରାସ୍ତାରେ ଚାଲିବାକୁ ବାଧ୍ୟ ହୁଅନ୍ତା, ଶାସକ ଓ ସମାଜକୁ ଉପଯୁକ୍ତ ଦିଗ୍‌ଦର୍ଶନର ଦାୟିତ୍ବବୋଧ ଏବଂ ନୈତିକ ପ୍ରଭାବ ମାଧ୍ୟମରେ ଶାସକ ଓ ସମାଜ ଉପରେ ଚାପ ପ୍ରୟୋଗ।

ବୁଦ୍ଧିଜୀବୀମାନଙ୍କ ସହିତ ଶାସକ ଓ ସମାଜର ଆଜି ସେମିତି କୌଣସି ଯୋଗସୂତ୍ର ନାହିଁ।

ବୁଦ୍ଧିଜୀବୀ ମଧ୍ୟ ସମାଜ ଓ ଶାସକର ତ୍ରୁଟିକୁ ଜାଣିଥିବା ସତ୍ତ୍ବେ ଚୁପ୍ ରହି ନିଜର ଚକ୍ଷୁ ବଦଳରେ ରାଜନୈତିକ ଚଷମା ପିନ୍ଧି ଦୁନିଆକୁ ଦେଖୁଛି।

ଯେଉଁମାନେ କିଛି ସାହସ ଯୁଟାଇ ପାରୁଛନ୍ତି ସେମାନେ 'ଅର୍ବାନ୍ ନକ୍ସଲ' ନତୁବା 'ଦିମାଗି ନକ୍ସଲ'ରେ ଗଣ୍ୟ ହେଉଛନ୍ତି।

କୌରବ ରାଜସଭାର ପାରିଷଦ ବର୍ଗଙ୍କ ପରି ଆଜି ବୁଦ୍ଧିଜୀବୀର ମସ୍ତିଷ୍କରୁ ସ୍ବାଧୀନ ଚିନ୍ତା ହଜିଯାଇଛି।

କିଛି ବର୍ଷ ହେଲା ଆମ ରାଜ୍ୟରେ ସରକାର ସହିତ ବୁଦ୍ଧିଜୀବୀର ସଂପର୍କ ଖୁବ୍‌ ଜଟିଳ।

ସେହିହେତୁ ସରକାରମାନେ ଚିନ୍ତାଶକ୍ତି-ଦାରିଦ୍ର୍ୟର ଶିକାର ହୋଇଛନ୍ତି।

ରାଜ୍ୟ ଚାଲିଛି ସରକାରର ମର୍ଜି ଓ ଦଳୀୟ ମୁଖିଆର ଇଚ୍ଛାରେ।

ସାଂରଚନିକ, ଆଦର୍ଶଗତ ଓ ସାଂଗଠନିକ ପରିବର୍ତ୍ତନ ମଧ୍ୟରେ ବୁଦ୍ଧିଜୀବୀ ଆଉ 'କାଦୁଅରେ ପଶି ଗୋଡ ଧୋଇବା'କୁ ପସନ୍ଦ କରୁନି।

କ୍ଷମତା ସମ୍ମୁଖରେ ସତ୍ୟ କହିବାର ବିପଦ କଣ ତାହା ସମସ୍ତେ ଦେଖୁଛନ୍ତି ଫଳରେ କ୍ଷମତା ସତ୍ୟକୁ ଦେଖିବାର ଦୃଷ୍ଟିଶକ୍ତି ହରାଉଛି।

ଦୁର୍ଯ୍ୟୋଧନ ସିଣ୍ଡ୍ରୋମରୁ ମୁକ୍ତି ପାଇଁ ନିଜର ଜ୍ଞାନ ଓ କାର୍ଯ୍ୟ ମଧ୍ୟସ୍ଥ ବ୍ୟବଧାନକୁ ଦୂର କରିବାକୁ ସଚେତନ ପ୍ରୟାସର ଆବଶ୍ୟକ।

ଆଭ୍ୟନ୍ତରୀଣ ନୈତିକ ଦିଗଦର୍ଶିକାକୁ ଚିହ୍ନିବା, ଅନ୍ତର୍ନିହିତ ପ୍ରବୃତ୍ତିକୁ ବୁଝିପାରିବା, ନିଷ୍ପତ୍ତି ନେବା ପାଇଁ ସଚେତନ ଆଭିମୁଖ୍ୟର ବିକାଶ କରିବା ଓ ଆତ୍ମ-ନିୟନ୍ତ୍ରଣର ଅଭ୍ୟାସ କରି ଅସତ୍‌ ଆକର୍ଷଣକୁ ପ୍ରତିରୋଧ କରିବାପାଇଁ ଇଚ୍ଛାଶକ୍ତିକୁ ଦୃଢ଼ କରିବାକୁ ହେବ।

ମନୁଷ୍ୟର ପ୍ରକୃତ ବିଜୟ କ୍ଷମତା ବଳରେ ଅନ୍ୟକୁ ପରାସ୍ତ କରିବାରେ ଏବଂ କଳ ବଳ ପ୍ରୟୋଗ କରି ସିଂହାସନ ଅକ୍ତିଆରରେ ନଥାଏ।

ବିଜୟ ନିହିତ ଥାଏ ସତ୍ୟଠାରୁ ଦୂରେଇ ଯାଉଥିବା ଆବେଗମାନଙ୍କୁ ପରାସ୍ତ କରିବାରେ।

ଦୁର୍ଯ୍ୟୋଧନଙ୍କ କାହାଣୀ ଚେତାଇ ଦିଏ ଯେ ଯେତେବେଳେ ଜ୍ଞାନ ଚରିତ୍ର ଠାରୁ ବିଚ୍ଛିନ୍ନ ହୋଇଯାଏ, ସେବେ ମହାବିନାଶମାନ ହିଁ ଘଟିଥାଏ।

ବୃହତ୍ ପତନ ଆମର ଘଟେନାହିଁ ଯେତେବେଳେ ଆମେ ଠିକ୍ ରାସ୍ତାଟି ଜାଣିପାରି ନଥାଉ; ବରଂ ପତନ ଅବଶ୍ୟମ୍ଭାବୀ ହୋଇଯାଏ ଯେତେବେଳେ ଠିକ୍ ରାସ୍ତାଟି ଜାଣିଥିବା ସତ୍ତ୍ବେ ଜ୍ଞାତସାରରେ ଭୁଲ୍ ରାସ୍ତାରେ ଚାଲିଯାଉ।

ବିବେକ ଓ ଆଚରଣ ଉଭୟ ସମନ୍ବୟରେ ରହିଲେ ମର୍ଯ୍ୟାଦା, ପରିପୂର୍ଣ୍ଣତା ଓ ପ୍ରଗତି ସମ୍ଭବ ହୁଏ।

ସାଂପ୍ରତିକ ସମାଜରେ ଆଜି ଦୁର୍ଯ୍ୟୋଧନ ସିଣ୍ଡ୍ରୋମର ଚୂଡାନ୍ତ ପ୍ରତ୍ୟୁତ୍ତର ହେଉଛି ନିଜ ମନ ଓ ଆବେଗର ସମୁଚିତ ନିୟନ୍ତ୍ରଣ।

ଭଗବତ୍ ଗୀତାରେ ଉଲ୍ଲେଖ ଅଛି, 'ଉଦ୍ଧରେଦାତ୍ମନାତ୍ମାନାଂ ନାତ୍ମାନମବସାଦୟେତ୍ / ଆତ୍ମୈବ ହ୍ୟାତ୍ମନୋ ବନ୍ଧୁରାତ୍ମୈବ ରିପୁରାତ୍ମନଃ'। (ଅ:୬/୫) ମନୁଷ୍ୟକୁ ନିଜସ୍ୱ ଚିନ୍ତାଧାରା ଏବଂ ସତ୍‌ପଥରେ ରହି ଜନ କଲ୍ୟାଣ ପାଇଁ କାର୍ଯ୍ୟ କରିବାକୁ ହେବ ଏବଂ ନିଜକୁ ପତନ ହେବାକୁ ଛାଡିଦେବ ନାହିଁ।

କାରଣ ଏହି ମନୁଷ୍ୟ ନାମକ ଜୀବଟି ନିଜେ ନିଜର ବନ୍ଧୁ ଓ ନିଜେ ମଧ୍ୟ ନିଜର ଶତ୍ରୁ। (ମତାମତ ଲେଖକଙ୍କ ନିଜସ୍ବ) ମୋ: ୯୩୩୭୬୪୮୬୩୮ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)