Editorial: ପଲ୍ଲୀକବି: କିଏ ସାତ ତ କିଏ ସତର!: ଅସିତ ମହାନ୍ତିଙ୍କ ସମ୍ପାଦକୀୟ ସାହିତ୍ୟିକ ପାଣିପାଗରେ ପଢ଼ନ୍ତୁ ଏଥର...

Aug 14, 2026 - 17:17
Editorial: ପଲ୍ଲୀକବି: କିଏ ସାତ ତ କିଏ ସତର!: ଅସିତ ମହାନ୍ତିଙ୍କ ସମ୍ପାଦକୀୟ ସାହିତ୍ୟିକ ପାଣିପାଗରେ ପଢ଼ନ୍ତୁ ଏଥର...

"ପଲ୍ଲୀକବି: କିଏ ସାତ ତ କିଏ ସତର!

ଅସିତ ମହାନ୍ତିସାହିତ୍ୟିକ ପାଣିପାଗ ଆଉ ପ୍ରାୟ ଏଗାର ମାସ ପରେ ଆମେ ନନ୍ଦକିଶୋର ବଳଙ୍କର ମୃତ୍ୟୁ-ଶତବାର୍ଷିକୀ ବର୍ଷରେ ପଦାର୍ପଣ କରିବା।

କାରଣ, ୧ ଜୁଲାଇ, ୧୯୨୮ରେ ତାଙ୍କର ବିୟୋଗ ଘଟିଥିଲା।

ନନ୍ଦକିଶୋର ବଳ ଓଡ଼ିଶାରେ "ପଲ୍ଲୀକବି" ଭାବରେ ପ୍ରଖ୍ୟାତ। "ପଲ୍ଲୀକବି" କହିଲେ, ଅବିସମ୍ବାଦିତ ଭାବରେ ଓଡ଼ିଶାରେ ସେହି ଜଣଙ୍କୁ ହିଁ ବୁଝାଏ।

ମାତ୍ର ଏଇ ପ୍ରାୟ ଶହେ ବର୍ଷ ଭିତରେ ତାଙ୍କର "ପଲ୍ଲୀକବି" ଆଖ୍ୟାକୁ ନେଇ ଯେଉଁ ଆହ୍ବାନ ସୃଷ୍ଟି ହୋଇ ନ ଥିଲା, ଏବେ ସେହି ଆହ୍ବାନ ସୃଷ୍ଟି ହୋଇଛି।

ଏ ଆହ୍ବାନ ସୃଷ୍ଟି ହୋଇଛି ଓଡ଼ିଶା ସାହିତ୍ୟ ଏକାଡେମୀର ଏକ ପୁସ୍ତକକୁ ନେଇ।

ପୁସ୍ତକଟିର ନାଆଁ "ପଲ୍ଲୀକବି କୃଷ୍ଣପ୍ରସାଦ ବେହେରା"।

ଏହାର ଲେଖକ ଡକ୍ଟର ମନ୍ମଥ କୁମାର ପ୍ରଧାନ।

ଏ ପୁସ୍ତକ ୨୦୧୭ରେ ପ୍ରକାଶ ପାଇଥିଲେ ମଧ୍ୟ, ବିଳମ୍ବରେ ଏହି ଚର୍ଚ୍ଚାର ସୂତ୍ରପାତ ହୋଇଛି।Advertisment ନନ୍ଦକିଶୋର ବଳଙ୍କର ଜନ୍ମ ୧୮୭୫ ମସିହା ଡିସେମ୍ବର ମାସ ୨୨ ତାରିଖରେ।

ସେ ଥିଲେ ଜଣେ କୃତୀ ଛାତ୍ର।

ଗାଁ ସ୍କୁଲରେ ପ୍ରାଥମିକ ଶିକ୍ଷାଲାଭ ପରେ ସେ ଆସି ପଢ଼ିଥିଲେ କଟକର ଟାଉନ୍‌ ସ୍କୁଲ୍‌ ଓ ରେଭେନ୍‌ସା କଲେଜରେ।

ସ୍କୁଲ୍‌ ଜୀବନରେ ତାଙ୍କର ଅନ୍ୟତମ ଶିକ୍ଷକ ଥିଲେ ମଧୁସୂଦନ ରାଓ।

ବି.

ଏ.

ପାସ୍ ପରେ ସେ ଶିକ୍ଷକତା କରିଥିଲେ ଏବଂ ପରେ ସ୍କୁଲ୍‌ ଇନ୍‌ସ୍ପେକ୍ଟର ଭାବରେ ତାଙ୍କର ଶେଷ ଚାକିରି ଜୀବନ ବିତିଥିଲା।

୧୯୨୦ରେ ସେ ପୁରୀ ଜିଲ୍ଲା ସମୂହର ଇନ୍‌ସ୍ପେକ୍ଟର ହୋଇଥିଲେ।

କର୍ତ୍ତବ୍ୟନିଷ୍ଠା ଯୋଗୁଁ ସେ ୧୯୨୪ରେ "ରାୟସାହେବ" ଉପାଧି ମଧ୍ୟ ଲାଭ କରିଥିଲେ।

ଆହୁରି ପଢ଼ନ୍ତୁ- BRICS summit: ବ୍ରିକ୍ସ ସମ୍ମିଳନୀରେ ଯୋଗଦେବାକୁ ନୂଆଦିଲ୍ଲୀ ଆସିବେ ଇରାନ ରାଷ୍ଟ୍ରପତି କିନ୍ତୁ "ରାୟସାହେବ" ଉପାଧି ଅପେକ୍ଷା "ପଲ୍ଲୀକବି" ଆଖ୍ୟାରେ ହିଁ ସେ ଓଡ଼ିଶାରେ ଅଧିକ ପରିଚିତ ଓ ପ୍ରସିଦ୍ଧ ହେଲେ।

କାରଣ, ସରକାରୀ ପଦପଦବି ଅପେକ୍ଷା ତାଙ୍କର ସାହିତ୍ୟିକ ପ୍ରତିଭାକୁ ଓଡ଼ିଶାବାସୀ ଅଧିକ ମହତ୍ତ୍ବ ଦେଇଥିଲେ।

ତାଙ୍କ ସଂପର୍କରେ "ସମ୍ବାଦ-ଆମ ଓଡ଼ିଶା ସାହିତ୍ୟକୋଷ"ରେ ବିଶିଷ୍ଟ ସମାଲୋଚକ ଦାଶରଥି ଦାସ ଲେଖିଛନ୍ତି, “ସେ ସମସାମୟିକ ସବୁ ପ୍ରଖ୍ୟାତ ସାହିତ୍ୟିକଙ୍କ ସହିତ ସଦ୍‌ଭାବ ଓ ସହଯୋଗ ରକ୍ଷା କରିପାରିଥିଲେ; ରାଧାନାଥ ରାୟଙ୍କଠାରୁ ବିଶ୍ବନାଥ କରଙ୍କ ପର୍ଯ୍ୟନ୍ତ, ଫକୀର‌ମୋହନଙ୍କଠାରୁ ଗଙ୍ଗାଧର ମେହେରଙ୍କ ପର୍ଯ୍ୟନ୍ତ, ନୀଳକଣ୍ଠଙ୍କଠାରୁ କୁନ୍ତଳାକୁମାରୀଙ୍କ ପର୍ଯ୍ୟନ୍ତ।

ତାଙ୍କର ଦେହାନ୍ତ ଘଟେ ୧୯୨୮ ଖ୍ରୀଷ୍ଟାବ୍ଦ ଜୁଲାଇ ମାସ ୧ ତାରିଖରେ।

ଯଶୋଦେହେ କିନ୍ତୁ ସେ ଜୀବିତ ଅଛନ୍ତି ଓ ରହିବେ।” ନନ୍ଦକିଶୋର ବଳ ଥିଲେ ଏକ ନୂଆ କବିତା-ଐତିହ୍ୟର ପ୍ରବର୍ତ୍ତକ।

ସେ ସଂପର୍କରେ ଶ୍ରୀ ଦାସ ଲେଖିଛନ୍ତି, “ଊନବିଂଶ ଶତାବ୍ଦୀର ଶେଷାର୍ଦ୍ଧରେ ସଦ୍ୟୋଜାତ ଆଧୁନିକ ଓଡ଼ିଆ କବିତା ବିକାଶର ଦୁଇଟି ପର୍ଯ୍ୟାୟ ଲକ୍ଷ୍ୟ କରାଯାଏ।

ପ୍ରଥମ ପର୍ଯ୍ୟାୟର କାଳସୀମା ୧୮୭୧ରୁ ୧୮୯୫।

ଆଧୁନିକ କବିତାର ପ୍ରାଣପ୍ରତିଷ୍ଠାତା ପିତୃପୁରୁଷ ରାଧାନାଥ ଓ ମଧୁସୂଦନ।

ଏହି ସମୟରେ ଆଧୁନିକ କବିତାର ଦିଗ ଓ ବାଗ, ଭାଷା ଓ ଛନ୍ଦ, ଶୈଳ୍ପିକ ରୂପ ଓ ରୀତି ନିର୍ଦ୍ଦିଷ୍ଟ ଆଦର୍ଶ ଖୋଜି ପାଏ ଏବଂ ପରବର୍ତ୍ତୀ କବିଙ୍କ ପାଇଁ ଭୂମି ଓ ଭୂମିକା ପ୍ରସ୍ତୁତ କରେ।

ଦ୍ବିତୀୟ ପର୍ଯ୍ୟାୟର କାଳସୀମା ୧୮୯୬ରୁ ୧୯୨୦।

ପ୍ରଥମ ପର୍ଯ୍ୟାୟରେ କାବ୍ୟାଦର୍ଶ ଓ ଭାବାଦର୍ଶ ବଦଳିଛି...

ପାଶ୍ଚାତ୍ୟ ବିଷୟବସ୍ତୁ ପରିବର୍ତ୍ତେ ଭାରତୀୟ ଓ ଉତ୍କଳୀୟ ଉପାଦାନ ଉପରେ ଗୁରୁତ୍ବ ଦିଆଯାଇଛି।

...କାବ୍ୟକବିତା କ୍ଷେତ୍ରରେ ଏହି ନୂଆ ରୂପରୀତିର ନୂଆ ଐତିହ୍ୟ ନିର୍ମାଣ କ୍ଷେତ୍ରରେ ଯେଉଁମାନେ କୃତିତ୍ବ ପ୍ରଦର୍ଶନ କରିଛନ୍ତି, ତନ୍ମଧ୍ୟରେ ଅଛନ୍ତି ଫକୀରମୋହନ, ଗଙ୍ଗାଧର ଓ ନନ୍ଦକିଶୋର ବଳ ପ୍ରମୁଖ ମହାନ୍‌ ସାହିତ୍ୟିକଗଣ।

କବି ଗଙ୍ଗାଧର ଓ ନନ୍ଦକିଶୋର ରାଧାନାଥ-ପ୍ରଭାବିତ କବିସମାଜର ସଦସ୍ୟ ନିଶ୍ଚୟ।

କିନ୍ତୁ ରାଧାନାଥଙ୍କ କାବ୍ୟାଦର୍ଶ ଓ ଭାବାଦର୍ଶ ବିରୋଧରେ ତାଙ୍କର ପ୍ରତିବାଦ କିଛି କମ୍‌ ନୁହେଁ।

ବରଂ ରାଧାନାଥଙ୍କ କାବ୍ୟାଦର୍ଶ ଓ ଭାବାଦର୍ଶର ଐତିହ୍ୟ ଉତ୍ତରାଧିକାର ଛାଡ଼ି, ନନ୍ଦିକିଶୋର ଏକ ନୂଆ କବିତା-ଐତିହ୍ୟର ପ୍ରବର୍ତ୍ତକ ହୋଇ ଉଠିଥିଲେ।” ଏହାର ଗୋଟିଏ ପୃଷ୍ଠଭୂମି ଅଛି।

ସେହି ପୃଷ୍ଠଭୂମିଟି ନନ୍ଦକିଶୋରଙ୍କ କବିତାରେ ପଲ୍ଲୀପ୍ରାଣତାର ଏକ ଗୁରୁତ୍ବପୂର୍ଣ୍ଣ ନିୟାମକ।ତାହା ହେଉଛି- ସେ କଲେଜର ଛାତ୍ର ଥିବାବେଳେ "ତାଳଚେର ପଦକ" ପାଇଁ ଏକ ଇଂରେଜୀ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ସେହି ପ୍ରତିଯୋଗିତାର ବିଷୟ ଥିଲା- ଉତ୍କଳର ପଲ୍ଲୀଜୀବନ।

ସେ ସେହି ପ୍ରତିଯୋଗିତାରେ ଭାଗନେଇ ପଦକ ଜିତିଥିଲେ।

ତାହା ତାଙ୍କୁ ଏପରି ପ୍ରେରଣା ଦେଇଥିଲା ଯେ ସେ ସେହି ସମୟରୁ ପଲ୍ଲୀଜୀବନ ଆଧାରିତ କବିତା ରଚନା ଆରମ୍ଭ କଲେ।

ଆହୁରି ପଢ଼ନ୍ତୁ- Bribery Case ୫ହଜାର ଟଙ୍କା ଲାଞ୍ଚ ନେଇଥିଲେ, ବିଡିଏର ପୂର୍ବତନ ସେକ୍‌ସନ୍‌ ଅଫିସରଙ୍କୁ ୩ବର୍ଷ କାରାଦଣ୍ଡ ଏ ସଂପର୍କରେ ଶ୍ରୀ ଦାସ ଆହୁରି ମଧ୍ୟ ଲେଖିଛନ୍ତି- ନନ୍ଦକିଶୋର “ପଲ୍ଲୀଜୀବନ ଆଧାରିତ କବିତାଲେଖା ଆରମ୍ଭ କରନ୍ତି ୧୮୯୮ରେ, ଓଡ଼ିଆରେ।

ପ୍ରକାଶ ପାଏ "ଉତ୍କଳ ସାହିତ୍ୟ"ରେ ସାଇ ମଧ୍ୟେ, ଗ୍ରାମ ଚାଟଶାଳୀ, ଗ୍ରାମ ଖଳା, ଗ୍ରାମ ତୋଟା, ଗ୍ରାମ ଶ୍ମଶାନ ଆଦି କବିତା କାଳକ୍ରମେ।

ଓଡ଼ିଶାରେ ପଲ୍ଲୀଜୀବନଧାରା ଓ ପଲ୍ଲୀ ପ୍ରକୃତିଶ୍ରୀ କାବ୍ୟକୌଳିନ୍ୟ ଲାଭ କରେ।

ସରସ ପଲ୍ଲୀଭାଷା ଓ ସମ୍ବେଦନଶୀଳ ପଲ୍ଲୀପ୍ରାଣର ଆବେଗସ୍ପନ୍ଦନ ଓଡ଼ିଆ କବିତାକୁ ନୂଆ ଏକ ଦିଗ୍‌ଦର୍ଶନ ଦିଏ।

ସାଙ୍ଗେ ସାଙ୍ଗେ ନନ୍ଦକିଶୋର ପଲ୍ଲୀକବି ଭାବରେ ପ୍ରଶଂସା ପାଇଯାଆନ୍ତି ପ୍ରଚୁର।” ନନ୍ଦକିଶୋର କିପରି ହେଲେ ପଲ୍ଲୀକବି, ଏହା ହେଉଛି ତାହାର ଯାତ୍ରାପଥ।

ସମକାଳରେ ଓ ପରବର୍ତ୍ତୀ କାଳରେ ଆହୁରି ଅନେକ କବି ପଲ୍ଲୀଜୀବନଧାରା ଓ ପଲ୍ଲୀପ୍ରକୃତିଶ୍ରୀକୁ ନେଇ କାବ୍ୟ ରଚନା କରିଛନ୍ତି।

ମାତ୍ର ତାହା ସତ୍ତ୍ବେ, ବିଗତ ପ୍ରାୟ ୧୩୦ ବର୍ଷ ମଧ୍ୟରେ, ଓଡ଼ିଆ ସାହିତ୍ୟ ପରିସରରେ କେବଳ ନନ୍ଦକିଶୋର ବଳ ହିଁ ପଲ୍ଲୀକବି ଭାବରେ ଆଖ୍ୟାୟିତ ହୋଇ ଆସିଛନ୍ତି।

ବସ୍ତୁତଃ ନନ୍ଦକିଶୋର ବଳଙ୍କର ନାମାନ୍ତର ହିଁ ହୋଇଯାଇଛି "ପଲ୍ଲୀକବି"।

ଏହାସତ୍ତ୍ବେ, ଆଶ୍ଚର୍ଯ୍ୟଜନକ ଯେ ଓଡ଼ିଶା ସାହିତ୍ୟ ଏକାଡେମୀ ୨୦୧୭ ମସିହାରେ "ପଲ୍ଲୀକବି କୃଷ୍ଣପ୍ରସାଦ ବେହେରା" ଶୀର୍ଷକରେ ଏକ ପୁସ୍ତକ ପ୍ରକାଶ କରିଛନ୍ତି।

ତାହାକୁ ନେଇ ହିଁ ଏବେ ଉଠିଛି ପ୍ରଶ୍ନର ଝଡ଼- “ଓଡ଼ିଶାର ପଲ୍ଲୀକବି କିଏ?” ଏ ପ୍ରସଙ୍ଗରେ ଉଲ୍ଲେଖନୀୟ, ଯେ ପରବର୍ତ୍ତୀ କାଳରେ କବି ସଚ୍ଚିଦାନନ୍ଦ ରାଉତରାୟ ଲେଖିଛନ୍ତି "ପଲ୍ଲୀଶ୍ରୀ"।

ସେହିପରି କବି ବିଦ୍ୟୁତ୍‌ପ୍ରଭା ଦେବୀ ଲେଖିଛନ୍ତି ଅଜସ୍ର ପଲ୍ଲୀକବିତା।

ଆହୁରି ଅନେକଙ୍କର ନାମ ମଧ୍ୟ ଏ ପ୍ରସଙ୍ଗରେ ଉଲ୍ଲେଖ କରାଯାଇପାରେ।

ମାତ୍ର ଏମାନଙ୍କ ମଧ୍ୟରୁ କାହାରିକୁ "ପଲ୍ଲୀକବି" ଭାବରେ ଓଡ଼ିଆ ସାହିତ୍ୟର କାବ୍ୟରସିକ ବା କାବ୍ୟାଲୋଚକମାନେ ଅଭିହିତ କରିନାହାନ୍ତି।

ଏହାସତ୍ତ୍ବେ, ୧୯୧୫ ମସିହାରେ ଜନ୍ମିତ କୃଷ୍ଣପ୍ରସାଦ ବେହେରାଙ୍କୁ "ପଲ୍ଲୀକବି" ଭାବରେ ଅଭିହିତ କରିବା ନିଶ୍ଚିତ ଭାବରେ ସଂପୃକ୍ତ ଆଲୋଚକ ଏବଂ ସର୍ବୋପରି ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷେ ଅସୌଜନ୍ୟ।

ଆହୁରି ପଢ଼ନ୍ତୁ- World Cup Campaign: ଆଜିଠୁ ଏଫ୍‌ଆଇଏଚ୍‌ ହକି ବିଶ୍ବକପ୍‌: ୱେଲ୍ସକୁ ଭେଟିବ ଭାରତ କିନ୍ତୁ ଏ ସଂପର୍କରେ ଆଉ ଏକ ସାଂଘାତିକ ତଥ୍ୟ ହେଉଛି- ଏହି ନାଁରେ (ପଲ୍ଲୀକବି କୃଷ୍ଣପ୍ରସାଦ) ଓ ଏହି ବିଷୟରେ ସେହି ବହିଟି କଟକର ଏକ ଘରୋଇ ପ୍ରକାଶନ ସଂସ୍ଥା (ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ) ପକ୍ଷରୁ ୨୦୦୦ ମସିହାରେ ପ୍ରକାଶ ପାଇଥିଲା। "ପଲ୍ଲୀକବି କୃଷ୍ଣପ୍ରସାଦ ବେହେରା" ପୁସ୍ତକର ପୃ-୩୧ରେ ତାଙ୍କ ସାହିତ୍ୟର ଆଲୋଚନା ପ୍ରସଙ୍ଗରେ ଡକ୍ଟର ହରେକୃଷ୍ଣ ମହତାବଙ୍କ ସମେତ କେତେକ ଆଲୋଚକଙ୍କର ଉଦ୍ଧୃତି ଦିଆଯାଇଛି।

ଡକ୍ଟର ମହତାବ ଲେଖିଛନ୍ତି, “କୃଷ୍ଣପ୍ରସାଦ ଜଣେ ପଲ୍ଲୀକବି ରୂପେ ପରିଚିତ।” ଆଉ ଜଣେ ନନ୍ଦକିଶୋର ଦାସ ଲେଖିଛନ୍ତି, “ସେ ଜଣେ ନାଟ୍ୟକାର ଓ ପଲ୍ଲୀର କବି ଭାବେ” ଜନମାନସରେ ରହିଛନ୍ତି।

ଆଉ ଜଣେ ସୁନ୍ଦର ମୋହନ ଦାସ କହିଛନ୍ତି, “ପଲ୍ଲୀକବି ଭାବରେ ସେ ବଣମାଳତୀ ପରି ଅକାଳରେ ଝଡ଼ି ପଡ଼ିଲେ।” ମାତ୍ର ଏମାନେ କେହି କୃଷ୍ଣପ୍ରସାଦଙ୍କ ନାମ ପଛରେ "ପଲ୍ଲୀକବି" ଆଖ୍ୟା ବା ଉପାଧି ଯୋଡ଼ି ନାହାନ୍ତି।

ଏପରି ସ୍ଥଳେ ତାଙ୍କୁ "ପଲ୍ଲୀକବି" ଆଖ୍ୟାରେ ପୁସ୍ତକର ଶୀର୍ଷକରେ ଆଖ୍ୟାୟିତ କରିବା, ସଂପୃକ୍ତ ଆଲୋଚକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରେ ଅସମୀଚୀନ।

ଏ ପ୍ରସଙ୍ଗରେ ଆଉ ଗୋଟିଏ କଥା ଗୁରୁତ୍ବପୂର୍ଣ୍ଣ।

ତାହା ହେଉଛି- ଏହି ଓଡ଼ିଶା ସାହିତ୍ୟ ଏକାଡେମୀ ହିଁ ୨୦୦୭ ମସିହାରେ ଆଉ ଗୋଟିଏ ପୁସ୍ତକ ପ୍ରକାଶ କରିଥିଲେ, ଯାହାର ଶୀର୍ଷକ "ପଲ୍ଲୀକବି ନନ୍ଦକିଶୋର ବଳ"।

ତାହାର ଲେଖକ ଡକ୍ଟର ସୁରେନ୍ଦ୍ର କୁମାର ମହାରଣା।

ସେହି "ସାତ" ମସିହା ପରେ ତାହାର ଆଉ ଗୋଟିଏ ହେଲେ ସଂସ୍କରଣ ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରକାଶ କରି ନାହାନ୍ତି।

ଅଥଚ ସେହି ଏକାଡେମୀ "ସତର" ମସିହାରେ ଏ "ପଲ୍ଲୀକବି"ଙ୍କୁ ନେଇ କୃଷ୍ଣପ୍ରସାଦ ବେହେରା ପୁସ୍ତକଟି ପ୍ରକାଶ କରିଛନ୍ତି।

ଏଣୁ ସ୍ବାଭାବିକ ଭାବେ ଯେଉଁ ରୋଚକ ପ୍ରସଙ୍ଗଟି ଉଠୁଛି, ତାହା ହେଉଛି- "ପଲ୍ଲୀକବି: କିଏ ସାତ ତ କିଏ ସତର!” ଆହୁରି ପଢ଼ନ୍ତୁ- Health: ଆପୋଲୋ ହସ୍ପିଟାଲ୍‌‌ରେ ବିଶ୍ବ ଅଙ୍ଗଦାନ ଦିବସ ଏ ପ୍ରସଙ୍ଗରେ ବିଶିଷ୍ଟ ସାହିତ୍ୟ ‌ସମାଲୋଚକ ବୈଷ୍ଣବ ଚରଣ ସାମଲଙ୍କର ଏକ ଉକ୍ତି ଗୁରୁତ୍ବପୂର୍ଣ୍ଣ।

ଫ୍ରେଣ୍ଡସ୍‌ ପବ୍ଲିଶର୍ସ, କଟକ ପ୍ରକାଶିତ "ନନ୍ଦକିଶୋର ଗ୍ରନ୍ଥାବଳୀ"ର ମୁଖବନ୍ଧରେ ସେ କହିଛନ୍ତି, “ଇନ୍ଦ୍ରଧନୁ-ବିଜୁଳି ସଂଘର୍ଷର ଅବସାନ ପରେ ରାଧାନାଥ ପ୍ରବର୍ତ୍ତିତ କାବ୍ୟାଦର୍ଶ ପରିବର୍ତ୍ତେ ଏ ଦେଶର ବିଷୟବସ୍ତୁ ଓ ଜାତୀୟ ସଂସ୍କୃତିକୁ ଆଧାର କରି ଯେଉଁ ନୂତନ କାବ୍ୟଚେତନା ସୃଷ୍ଟି ହେଲା, ସେହି କାବ୍ୟଚେତନାର ସ୍ରଷ୍ଟାମାନଙ୍କ ମଧ୍ୟରେ ନନ୍ଦକିଶୋର ଅନ୍ୟତମ; କେବଳ ଅନ୍ୟତମ ନୁହନ୍ତି, ଜଣେ ବଳିଷ୍ଠ ସ୍ରଷ୍ଟା।

ଯେତେବେଳେ ସହର-ସଂସ୍କୃତି ଓ ସହର-ଜୀବନ କ୍ରମଶଃ ପ୍ରସାରଲାଭ କରିଆସୁଥିଲା ଏବଂ ପଲ୍ଲୀ-ସଂସ୍କୃତି ଓ ପଲ୍ଲୀଜୀବନ ତା" ଭିତରେ ଝାସ ଦେବାକୁ ବସୁଥିଲା, ସେତିକିବେଳେ ନନ୍ଦକିଶୋର ପଲ୍ଲୀର ଐଶ୍ବର୍ଯ୍ୟ ଓ ସମ୍ପଦକୁ ସମ୍ପାଦି ଦେଇଗଲେ ରାଶି ରାଶି କବିତା ଭିତରେ।

...ନନ୍ଦକିଶୋରଙ୍କଠାରେ ହିଁ ତାହାର ହୋଇଥିଲା ପୂର୍ଣ୍ଣ ବିକାଶ।

...ସେ ହୋଇଗଲେ ପଲ୍ଲୀ-କବି।

ଏ ସମ୍ମାନ ଆଉ କାହାରି ପ୍ରାପ୍ୟ ହେଲାନାହିଁ; କେବଳ ହିଁ ନନ୍ଦକିଶୋର ଏପରି ଏକ ଗୌରବର ହେଲେ ଅଧିକାରୀ।

ପରେ ସଚ୍ଚିଦାନନ୍ଦ ରାଉତରାୟ ପଲ୍ଲୀର ପରିବର୍ତ୍ତିତ ଜୀବନଧାରାକୁ ନେଇ କବିତା ଲେଖିଛନ୍ତି, ବିଦ୍ୟୁତ୍‌ପ୍ରଭା ମଧ୍ୟ ଲେଖିଛନ୍ତି ପଲ୍ଲୀକବିତା; ଏବଂ ଅନ୍ୟାନ୍ୟ କେତେକ ପଲ୍ଲୀପ୍ରକୃତି ଓ ପଲ୍ଲୀଜୀବନକୁ ନେଇ କବିତା ଲେଖିଛନ୍ତି।

ମାତ୍ର କେହି ପଲ୍ଲୀକବି ହୋଇପାରି ନାହାନ୍ତି।

ନନ୍ଦକିଶୋର ହିଁ ଏକମାତ୍ର ପଲ୍ଲୀକବି ଏବଂ ତାଙ୍କୁ ଏହି ପଦବୀରୁ ହଟାଇ ଦେଲାଭଳି ପ୍ରତିଭା ସୃ‌ଷ୍ଟି ହେବେ କି ନା ତାହା ଅନାଗତ କାଳ ହିଁ କହିବ।” ଏଣୁ, ଏ ଦୃଷ୍ଟିରୁ, ସତର ମସିହାରେ କରିଥିବା "ପଲ୍ଲୀକବି" ଶୀର୍ଷକ ଅସୌଜନ୍ୟକୁ ଏକାଡେମୀ ସଂଶୋଧନ କରନ୍ତୁ।

ସାତ ମସିହାର "ପଲ୍ଲୀକବି" ବହିଟିକୁ ଉପଲବ୍‌ଧ କରାଇ ଏହାର ପ୍ରାୟଶ୍ଚିତ୍ତ କରନ୍ତୁ।(ମତାମତ ଲେଖକଙ୍କ ନିଜସ୍ବ) ମୋ: ୯୪୩୭୦ ୩୪୮୦୪ ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media