Editorial: ଜେନ୍-ଜି: ଏକ କରୁଣ ଭ୍ରମ: ଜୟନ୍ତ କୁମାର ବିଶ୍ବାଳଙ୍କ ସମ୍ପାଦକୀୟ ଦିଗ୍ବଳୟର ଏ ପାଖରେ ପଢ଼ନ୍ତୁ ଏଥର...
"ଜେନ୍-ଜି: ଏକ କରୁଣ ଭ୍ରମ ଜୟନ୍ତ କୁମାର ବିଶ୍ବାଳଦିଗ୍ବଳୟର ଏ ପାଖରେ ଏହି ଲେଖାର ଆଦୌ ଉଦ୍ଦେଶ୍ୟ ନୁହେଁ, ଜେନ୍-ଜିକୁ କେବଳ ନିନ୍ଦା କରିବା।
ଏହାର ଉଦ୍ଦେଶ୍ୟ, ଜେନ୍-ଜି ତୁଷ୍ଟୀକରଣ କରିବା ପରିବର୍ତ୍ତେ, ସେମାନେ ଯାହା କହୁଛନ୍ତି ଓ କରୁଛନ୍ତି ତାହା ହିଁ ସବୁଠାରୁ ବଡ଼ ଆଦର୍ଶ ବୋଲି ସେମାନଙ୍କୁ ଏକ ମିଥ୍ୟା ଆତ୍ମସନ୍ତୋଷରେ ଆସକ୍ତ କରାଇବା ପରିବେର୍ତ୍ତ, ବାସ୍ତବତାଟି ସେମାନଙ୍କୁ ଦେଖାଇବା।Advertisment "ସମ୍ବାଦ"ରେ ପ୍ରକାଶିତ ଶ୍ରଦ୍ଧେୟ ସରଳ କୁମାର ଦାସଙ୍କର "ଇଏ ପରା ଜେନ୍-ଜି!" ପ୍ରବନ୍ଧଟି ସାବଲୀଳ ଭାବେ "ଜେନ୍-ଜି"ର ଦର୍ଶନକୁ ଉପସ୍ଥାପିତ କରିଛି।
ଏହି ପ୍ରବନ୍ଧଟି ପଢ଼ିସାରିଲା ପରେ "ପ୍ରଗତିବାଦୀ"ରେ ପ୍ରକାଶିତ ଅଧ୍ୟାପକ ବିଶ୍ବରଞ୍ଜନଙ୍କର "ଅପମାନରୁ ଅସ୍ତିତ୍ବର ସନ୍ଧାନ" ପଢ଼ିଲି।
ଏ ସଂପର୍କରେ ମୋର କିଛି ସ୍ପଷ୍ଟ ଭିନ୍ନମତ ଅଛି।
ମୁଁ ହୁଏତ ମୋର ବିଶ୍ଳେଷଣରେ ଭୁଲ୍ ହୋଇପାରେ; ମାତ୍ର ମୋର ଉଦ୍ଦେଶ୍ୟ, ସମାଜର ସମସ୍ତେ, ବିଶେଷ କରି ଏବେକାର ବାପାମା"ମାନେ ସେମାନଙ୍କର ପିଲାମାନଙ୍କ ବିଷୟରେ ଟିକିଏ ଗଭୀର ଭାବେ ଚିନ୍ତା କରିବା ଆରମ୍ଭ କରନ୍ତୁ।
ଆନ୍ଦୋଳନରେ ହୋଇଥିବା ପୁଲିସର ଅତ୍ୟାଚାର ଓ ଆନ୍ଦୋଳନକାରୀ ଛାତ୍ରଛାତ୍ରୀମାନଙ୍କର ପ୍ରଧାନମନ୍ତ୍ରୀ, ଭାରତୀୟ ସେନା ଏବଂ ପୁଲିସ ପ୍ରତି ଅଶ୍ଳୀଳ ତାଚ୍ଛଲ୍ୟ ସମ୍ବନ୍ଧରେ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଆଲୋଚନା ହେଉଛି।
ତେଣୁ ସେହି କଥାକୁ ପଛକୁ ରଖି ବର୍ତ୍ତମାନ ବରଂ ଆଲୋଚନା କରିବା ଯେ ଆଜିର ତରୁଣ ସମାଜର ଜୀବନ ଦୃଷ୍ଟି ଓ ଜୀବନଧାରା କ"ଣ?
ଆହୁରି ପଢ଼ନ୍ତୁ- Suvendu Adhikari: ଶୁଭେନ୍ଦୁ ଅଧିକାରୀଙ୍କ ହେଲିକପ୍ଟରର ଜରୁରୀକାଳୀନ ଅବତରଣ ଅନ୍ୟ ସବୁ ପିଢ଼ିରେ ବି ତରୁଣ ସମାଜ ଥିଲେ।
ମାତ୍ର ଏବେର ତରୁଣ ସମାଜ ସବୁଠାରୁ ଅସ୍ଥିର, ଭୂମିଚ୍ୟୁତ ଓ ବିଭ୍ରାନ୍ତ।
ଏହାର କେତେକ ସ୍ପଷ୍ଟ ସାମାଜିକ କାରଣ ରହିଛି।
ସରଳ ଭାଷାରେ ଏହି "ଇନଷ୍ଟାଗ୍ରାମ ପିଢ଼ି"ର ଲାଳନପାଳନ ପରିବାର, ସାହି ସମାଜ, ସ୍କୁଲ କଲେଜ ଅପେକ୍ଷା ହ୍ବାଟ୍ସଆପ, ଫେସବୁକ, ଇନଷ୍ଟାଗ୍ରାମରେ ଅଧିକ ହେଉଛି।
କୌଣସି ନା କୌଣସି କାରଣରୁ, ପିଲା ତା"ର ଜୀବନର ଗଢ଼ିହେଲା ସମୟ (ଫର୍ମେଟିଭ ଇଅର୍ସ) ଯେଉଁଠି କଟେଇଥାଏ ଏବଂ ଯେଉଁଠି ତା"ର ଚିନ୍ତା, ଚେତନା, ସଂସ୍କାରର ଏକ ଭିତ୍ତିଭୂମି ପଡ଼ିଥାଏ, ସେହି ସବୁ କ୍ଷେତ୍ର - ପରିବାର, ସ୍କୁଲ, କଲେଜ - ଏବେ ବିଭିନ୍ନ କାରଣରୁ ଫମ୍ପା ହୋଇଗଲେଣି।
ପରିବାରରେ ପିଲାଟି ଶିଖେ ଭଲପାଇବା, ସେବା ଆଦର କରିବା, ଅନ୍ୟ ପାଇଁ ତ୍ୟାଗ କରିବା, ଧୈର୍ଯ୍ୟ ଓ ବୁଝାମଣା ସହ ଜୀବନକୁ ସୁନ୍ଦର କରିବା।
କିନ୍ତୁ ଏବେ ଆମର ଅଧିକାଂଶ ନୂଆ ପିଢ଼ିର ପରିବାରରେ ଏହି ଜୀବନ ସଂରଚନା ସମ୍ଭବପର ହୋଇପାରୁ ନାହିଁ।
ସ୍କୁଲ, କଲେଜରେ ସେ ନିଜ ଆତ୍ମୀୟମାନଙ୍କ ବାହାରେ ଏକ ବୃହତ୍ତର ପୃଥିବୀ ସହିତ ସଂପର୍କିତ ହୁଏ ଏବଂ ସେମାନଙ୍କ ପ୍ରତି ଦାୟିତ୍ବବାନ୍ ହେବାକୁ ଶିଖେ।
୫୦ ବର୍ଷ ତଳେ ଆମେ ଯେତେବେେଳ ଛାତ୍ର ଥିଲୁ, ସେତେବେଳେ ସ୍କୁଲରେ ବା କଲେଜରେ ଅନେକ ଶିକ୍ଷକ ଥିଲେ, ଯେଉଁମାନେ ଶ୍ରେଣୀଗୃହରେ ପଢ଼େଇଲା ବେଳେ କେବଳ ବହିତ ତଥ୍ୟ ଭିତରେ ନ ରହି ଜୀବନର କେତେକେତେ ଦିଗନ୍ତକୁ ପ୍ରସାରିତ ହୋଇଯାଉଥିଲେ ଏବଂ ତାହା ଛାତ୍ରମାନଙ୍କୁ ଚିନ୍ତନ, ମନନ କରିବାକୁ ପ୍ରେରିତ କରୁଥିଲା।
ଶିକ୍ଷକମାନଙ୍କ ଦ୍ବାରା ଉତ୍ସାହିତ ହୋଇ କେତେ ବହି ପଢ଼ାଯାଉଥିଲା।
ସେଇଠି ପିଲା ଶିଖୁଥିଲା ସମ୍ବେଦନା, ନମ୍ରତା ଏବଂ ଜୀବନକୁ ଗଭୀର ଭାବେ ଦେଖିବାର ଇଚ୍ଛା।
କିନ୍ତୁ ଆମେ ସମସ୍ତେ ବର୍ତ୍ତମାନ ଅନୁଭବ କରୁଛୁ ଯେ ଆଜିର ସ୍କୁଲ, କଲେଜରେ ସେହି ବାତାବରଣର ସାମାନ୍ୟତମ ଚିହ୍ନ ନାହିଁ।
ଇନଷ୍ଟାଗ୍ରାମ, ଫେସବୁକ ପରି ଗଣମାଧ୍ୟମ ପିଲାମାନଙ୍କୁ ଯେପରି ପରିବାର, ଶିକ୍ଷାନୁଷ୍ଠାନମାନଙ୍କ ଠାରୁ ଦୂରେଇ ନେଲା, ସେହିପରି ପରିବାର, ସ୍କୁଲ, କଲେଜର ବିଫଳତା ସେମାନଙ୍କୁ ଇନଷ୍ଟାଗ୍ରାମ ଇତ୍ୟାଦିର କୋଳକୁ ନେଇଗଲା।
ଦୁଇଟିଯାକ କଥା ଏକା ସାଙ୍ଗରେ ହିଁ ଘଟିଲା।
କିନ୍ତୁ ବର୍ତ୍ତମାନ ପ୍ରଶ୍ନ ହେଉଛି, ପିଲା ଏହି ଗଣମାଧ୍ୟମରୁ କ"ଣ ଆହରଣ କରୁଛି?
ପ୍ରଥମ ହେଲା, ଏହା ପିଲା ଭିତରେ ନିଜକୁ ଦେଖେଇ ହେବାର ପ୍ରବୃତ୍ତିକୁ ପ୍ରଚଣ୍ଡ ଭାବେ ଉତ୍ସାହିତ କରୁଛି।
ଏହି ପ୍ରକ୍ରିୟାରେ ସେ ସଂଘାତିକ ଭାବେ ଆତ୍ମକୈନ୍ଦ୍ରିକ ହୋଇଯାଏ।
ନିଜର "ଇମେଜ" ବିଷୟରେ ସେ ଖାଲି ଚିନ୍ତା କରୁଥାଏ।
ତା"ର ଜୀବନର ବାସ୍ତବତାକୁ ଗୁରୁତ୍ବ ଦେବା ବଦଳରେ ସେ ଏକ କଳ୍ପନାର ରାଜ୍ୟରେ ବୁଲୁଥାଏ ଏବଂ ନିଜକୁ ଆକର୍ଷଣୀୟ ଭାବେ ଉପସ୍ଥାପିତ କରିବାରେ ତା"ର ଏକ ପ୍ରମତ୍ତ ପ୍ରବୃତ୍ତି ଆସିଯାଏ।
ଏହି ପ୍ରକ୍ରିୟାରେ ସେ ନିଜ ସହ ଶଠତା କରେ। "ସ୍ମାର୍ଟ", "କୁଲ", "ବୋଲ୍ଡ" ଦେଖେଇ ହେବା ପାଇଁ ତା"ର ଅଦ୍ୟମ ଇଚ୍ଛା ଯୋଗୁଁ ସେ ଯାବତୀୟ ବିକୃତିକୁ ଆପଣେଇ ନେଇପାରେ।
ଅଗଣିତ ସଂଖ୍ୟାରେ ଆସୁଥିବା ହାସ୍ୟ, ବିଦ୍ରୂପ, ଯୌନ ଲାଳସା, ବେଶଭୂଷାର ଆଧୁନିକ ଷ୍ଟାଇଲ, ଆଧୁନିକ ସଂଗୀତ, ନୃତ୍ୟର ମିମ୍, ରିଲ୍ସ, ସର୍ଟସ ଇତ୍ୟାଦିରୁ ସେ ମୁହୁର୍ମୁହୁଃ ଉତ୍ତେଜନା ପାଇଥାଏ ଏବଂ ବାରମ୍ବାର ଜୀବନରେ ସେ ସେହି ଉତ୍ତେଜନାକୁ ଖୋଜୁଥାଏ।
ଅନ୍ୟ ପିଢ଼ିରେ ତରୁଣତରୁଣୀମାନେ ଭାବପ୍ରବଣ ଥିଲେ ଏବଂ ସେଥିପାଇଁ ସେମାନଙ୍କ ପାଖରେ ସମ୍ବେଦନାବୋଧ ଥିଲା।
ସେଥିପାଇଁ ସେମାନେ ଅନ୍ୟ ପ୍ରତି ଉତ୍ସର୍ଗୀକୃତ ହୋଇଯାଇ ପାରୁଥିଲେ।
ଏହି ପିଢ଼ିର ପିଲାମାନଙ୍କ ଠାରେ ତାହା ଦେଖିବାକୁ ମିଳୁନାହିଁ।
ଏହାର କାରଣ, ଏମାନେ ଭାବପ୍ରବଣ ନୁହନ୍ତି; ଏମାନେ ଉତ୍ତେଜନାପ୍ରବଣ।
ଆନନ୍ଦ ଅପେକ୍ଷା ଆଡ୍ରେନାଲିନ ଏମାନଙ୍କର ଅଧିକ ଈପ୍ସିତ।
ଏବେ ଗୋଟିଏ ଧାରଣା ସୃଷ୍ଟି କରାଯାଉଛି ଯେ ଜେନ୍-ଜି ପିଲାଙ୍କର ପ୍ରଶ୍ନ ପଚାରିବା ପାଇଁ ସାହସ ଅଛି, ଏକ ପ୍ରଚଣ୍ଡ ଆତ୍ମବିଶ୍ବାସ ଅଛି।
ଗଣତାନ୍ତ୍ରିକ ଚେତନାର ପ୍ରସାରଣ, ଗଣମାଧ୍ୟମର ବ୍ୟାପକତା ଏବଂ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନମାନଙ୍କ ଦ୍ବାରା ଗଣଜାଗରଣ ସୃଷ୍ଟି କରାଯାଉଥିବାରୁ ନିହାତି ଦରିଦ୍ର, ଅଶିକ୍ଷିତ ଲୋକ ବି ପ୍ରଶ୍ନ ପଚାରି ପାରୁଛନ୍ତି।
ବିଭିନ୍ନ କାରଣରୁ ସେମାନେ ହୁଏତ ସଂଗଠିତ ହୋଇପାରୁ ନାହାନ୍ତି; ରାଜଧାନୀ ଦିଲ୍ଲୀକୁ କବ୍ଜା କରିପାରୁ ନାହାନ୍ତି।
କିନ୍ତୁ ସେମାନଙ୍କର ପ୍ରଶ୍ନଗୁଡ଼ିକ ଜୀବନର ମର୍ମସ୍ଥଳୀରୁ ଆସିଥାଏ।
ମାତ୍ର ଆଜିର ଜେନ୍-ଜି ପିଲାମାନଙ୍କର କ"ଣ ପ୍ରଶ୍ନ?
ତାଙ୍କର ପ୍ରଶ୍ନ ପଛରେ କିଛି ଗଭୀର ଚିନ୍ତନ, ମନନ ଅଛି କି?
ନା, ପ୍ରଶ୍ନର ଉତ୍ତର ଖୋଜିବା ଅପେକ୍ଷା ସେମାନେ ପ୍ରଶ୍ନ ପଚାରି ନିଜକୁ କେବଳ ଜାହିର କରିବାକୁ ଚାହାନ୍ତି?
ଅଶ୍ଳୀଳ ଅଙ୍ଗଭଙ୍ଗୀ, ଭାଷା ପ୍ରୟୋଗ କରି, ଚିତ୍କାର କରି, ଗାଳି ଦେବାକୁ କେତେକ ସମାଜ ସମୀକ୍ଷକ ଜେନ୍-ଜିର ନିଷ୍କପଟତା, ସାହସ ବୋଲି ପ୍ରତିପାଦିତ କରୁଛନ୍ତି।
ଏହି ସାହସ ଯଦି ପିଲାମାନେ ସ୍କୁଲ କଲେଜରେ ଶିକ୍ଷକ, ଅଧ୍ୟାପକ, ଅଧ୍ୟକ୍ଷ ଓ ପରିବାରରେ ବାପା, ମା", ବଡ଼ମାନଙ୍କ ପାଖରେ ଦେଖାଇବେ, ତେବେ କି ପ୍ରକାର ସମାଜ ସୃଷ୍ଟି ହେବ?
ଦ୍ବିତୀୟ ପ୍ରସଙ୍ଗ ହେଉଛି, ଜେନ୍-ଜିର ଭାଷା- ବ୍ୟଙ୍ଗ ଓ ବିଦ୍ରୂପ, ଯାହାକୁ ସେମାନେ ଯଥାର୍ଥ ବୋଲି କହି ଗର୍ବ କରୁଥାଆନ୍ତି।
ବ୍ୟଙ୍ଗ ଓ ବିଦ୍ରୂପର ମଧ୍ୟ ଏକ ବ୍ୟାକରଣ ଥାଏ।
ଆମେ ଶଙ୍କର ପିଲାଇ ଓ ଆର୍.
କେ.
ଲକ୍ଷ୍ମଣଙ୍କର ବ୍ୟଙ୍ଗସ୍ରଷ୍ଟାମାନଙ୍କର କୃତିକୁ ଦେଖିଛୁ।
କୌଣସି ଜନ ଆନ୍ଦୋଳନରେ ଅଶ୍ଳୀଳ ବ୍ୟଙ୍ଗ ଓ ବିଦ୍ରୂପ ମୁଖ୍ୟ ସ୍ବର ହୋଇନାହିଁ।
ବ୍ୟଙ୍ଗ, ବିଦ୍ରୂପ କରିବା ପୂର୍ବରୁ ନିଜର ସାମାଜିକ ପୃଷ୍ଠଭୂମି ବିଷୟରେ ସଚେତନ ରହିବା କଥା।
ଇଂରେଜୀରେ ସାଧାରଣ ଭାବେ କଥାବାର୍ତ୍ତା କଲାବେଳେ ଯେଉଁ କେତେକ ଅଶ୍ଳୀଳ ଶବ୍ଦ କୁହାଯାଇଥାଏ, ଆମ ଭାଷାରେ ଆମେ ସେହି ଶବ୍ଦଗୁଡ଼ିକୁ ଉଚ୍ଚାରଣ କରି କଥାବାର୍ତ୍ତା କରିପାରିବା କି?
ଏହାକୁ ଯଦି ଅଭିବ୍ୟକ୍ତିର ନିଷ୍କପଟ ପରିପ୍ରକାଶ ବୋଲୁ କୁହାଯିବ, ତେବେ ତ ନିଷ୍କପଟ, ସ୍ବତଃସ୍ଫୂର୍ତ୍ତ ହେବା ପାଇଁ ଆମର ପିଲାମାନେ ଅଧିକରୁ ଅଧିକ କୁତ୍ସିତପଣକୁ ଜୀବନର ନିର୍ଯ୍ୟାସ ବୋଲି ଭାବିବେ!
ଆହୁରି ପଢ଼ନ୍ତୁ- Darshan: ବୁଧବାର ଶ୍ରୀବିଗ୍ରହମାନଙ୍କ ଚିତାଲାଗି ନୀତି: ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ଆଉ ଏକ ଯୁକ୍ତ ହେଉଛି ଯେ, ଗଣମାଧ୍ୟମର ବ୍ୟବହାର ଯୋଗୁଁ ଜେନ୍-ଜି ପିଲାମାନଙ୍କର ଏକ ପ୍ରସାରିତ ଦୃଷ୍ଟି, ଅନୁଭବ ଅଛି।
ତେଣୁ ସେମାନେ ଅଧିକ ସଚେତନ।
ଏହି ପ୍ରସାରିତ ଦୃଷ୍ଟି କେଉଁ ଆଡ଼କୁ?
କେତେକ ଉତ୍ତେଜକ ମିମ୍, ରିଲ୍ସ, ପପ୍ ଆଡ଼କୁ?
ଜେନ୍-ଜିର କେତେଜଣ ଜାଣିଛନ୍ତି ଗାଜା, ୟୁକ୍ରେନର ଯୁଦ୍ଧ ଏବଂ ତା"ର କରୁଣ ପରିଣତି ସବୁ ବିଷୟରେ?
କେତେଜଣ ଭାବୁଛନ୍ତି, ବ୍ୟସ୍ତ ହୋଇପଡୁଚନ୍ତି, ଆମର ଏହି ବସ୍ତୁବାଦୀ ସଭ୍ୟତା ପରିବେଶକୁ କିପରି ଧ୍ବଂସ ଆଡ଼କୁ ନେଇଯାଉଛି!
ଆମ ରାଜ୍ୟରେ ବି କେତେଜଣ ଜେନ୍-ଜି ପିଲା ଜାଣିଛନ୍ତି ସୁନ୍ଦରଗଡ଼, କୋରାପୁଟ, ରାୟଗଡ଼ା, କେଉଁଝର ପରି ଜିଲ୍ଲାରେ କିପରି ଆଦିବାସୀମାନଙ୍କ ଭିଟାମାଟିରେ ଖଣି ଖୋଳି, ବିକ୍ରି କରି ସେମାନଙ୍କର ଜୀବନକୁ ଖିନ୍ଭିନ୍ କରିଦିଆଯାଉଛି!
କେତେ ଜେନ୍-ଜି ପିଲାଙ୍କ ମନ ସେଥିପାଇଁ ଆନ୍ଦୋଳିତ ହେଉଛି!
ଏହା ସତ୍ୟ ଏବଂ ଦୁଃଖର ବିଷୟ ଯେ, ସେମାନଙ୍କ ପାଖରେ ସଚେତନତାର ହିଁ ପ୍ରଚଣ୍ଡ ଅଭାବ ଅଛି।
ଏହି ଲେଖାର ଆଦୌ ଉଦ୍ଦେଶ୍ୟ ନୁହେଁ, ଜେନ୍-ଜିକୁ କେବଳ ନିନ୍ଦା କରିବା।
ଏହାର ଉଦ୍ଦେଶ୍ୟ, ଜେନ୍-ଜି ତୁଷ୍ଟୀକରଣ କରିବା ପରିବର୍ତ୍ତେ, ସେମାନେ ଯାହା କହୁଛନ୍ତି ଓ କରୁଛନ୍ତି ତାହା ହିଁ ସବୁଠାରୁ ବଡ଼ ଆଦର୍ଶ ବୋଲି ସେମାନଙ୍କୁ ଏକ ମିଥ୍ୟା ଆତ୍ମସନ୍ତୋଷରେ ଆସକ୍ତ କରାଇବା ପରିବେର୍ତ୍ତ, ବାସ୍ତବତାଟି ସେମାନଙ୍କୁ ଦେଖାଇବା।
ଏହା ସତ୍ୟ ଯେ, ଯେଉଁ ଜେନ୍-ଜି ପିଲାମାନେ ବର୍ତ୍ତମାନ ସମାଜର ସମ୍ମୁଖ ଦୃଷ୍ଟିରେ ଅଛନ୍ତି, ସାଧାରଣତଃ ଦେଖିବାକୁ ଗଲେ, ସେମାନେ ଚିନ୍ତନ, ଆଲୋଚନା କରୁନାହାନ୍ତି, ଭଲ ବହି ପଢୁ ନାହାନ୍ତି, ସେବା ବା ଗଠନମୂଳକ କାର୍ଯ୍ୟରେ ସଂପୃକ୍ତ ନାହାନ୍ତି; ପରିଶ୍ରମ ବିମୁଖୀ ହୋଇ ସଫଳତା ଖୋଜୁଛନ୍ତି; ପ୍ରକୃତ ସମ୍ବେଦନା, ଆନନ୍ଦର ଜୀବନ ଅପେକ୍ଷା ପ୍ରଭୂତ "ମସ୍ତି"ର ଜୀବନ ବଞ୍ଚିବାକୁ ଚାହୁଁଛନ୍ତି।
ଏହି ଦୁଃସ୍ଥିତି ପାଇଁ ଆମର ପରିବାର ଓ ଶିକ୍ଷାନୁଷ୍ଠାନ ହିଁ ଦାୟୀ।
ଏହି ସମ୍ବନ୍ଧରେ ଆତ୍ମସମୀକ୍ଷା ହିଁ ବର୍ତ୍ତମାନ ପ୍ରୟୋଜନୀୟ। (ମତାମତ ଲେଖକଙ୍କ ନିଜସ୍ବ) ଅଧିକ ଦେଖନ୍ତୁ- "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
