Editorial: ଅସ୍ତିତ୍ବ ସଂକଟ
"ରାଷ୍ଟ୍ର ସହିତ ଅଙ୍ଗାଙ୍ଗୀ ହୋଇଥିବାର ଦୃଢ଼ ପ୍ରମାଣ ସ୍ବରୂପ ସେମାନଙ୍କ ପାଖରେ ଥାଏ ଆହାର ଯୋଗାଉଥିବା ରାସନ କାର୍ଡ, କାର୍ଯ୍ୟ ଓ ଉପାର୍ଜନ ଦେଉଥିବା ଜବ୍ କାର୍ଡ, ପରିଚୟ ଦେଉଥିବା ଆଧାର କାର୍ଡ ଇତ୍ୟାଦି!
ଯଦି ସେମାନଙ୍କ ନାଗରିକତ୍ବ ସାବ୍ୟସ୍ତ ଲାଗି ରାଷ୍ଟ୍ର ବା ପ୍ରଶାସନ ସକାଶେ ସେ ସବୁ ଯଥେଷ୍ଟ ନ ହୁଏ, ତେବେ ସେମାନେ ଆଉ କେଉଁ ମୂଳ ନଥିକୁ ଫେରିବେ?
Advertisment Editorial: ଅତଥ୍ୟର ଇତିହାସ: ଦାଶ ବେନହୁରଙ୍କ ସମ୍ପାଦକୀୟ ସନାତନର ସ୍ବଗତୋକ୍ତିରେ ପଢ଼ନ୍ତୁ ଏଥର...
ଗଲା ଗୁରୁବାର ଦିନ ଯେଉଁ ଗୋଟିଏ ପ୍ରସଙ୍ଗ ଲୋକକ୍ଷେତ୍ରରେ ତୁମୂଳ ବିତର୍କର ସୂତ୍ରପାତ ଘଟାଇଛି, ତାହା ହେଲା ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଜଣେ ଶୀର୍ଷ ସ୍ଥାନୀୟ ଅଧିକାରୀଙ୍କ ମନ୍ତବ୍ୟ ଯେ ପାସପୋର୍ଟ ଏକ "ଟ୍ରାଭେଲ ଡକୁମେଣ୍ଟ" ବା ଯାତ୍ରା ନଥି ମାତ୍ର; ଏହା ନାଗରିକତ୍ବର ପ୍ରମାଣପତ୍ର ନୁହେଁ।
ଏହି ମନ୍ତବ୍ୟ ତିନି ପ୍ରକାର ପ୍ରଶ୍ନ ବିଜଡ଼ିତ ପ୍ରତିକ୍ରିୟା ସୃଷ୍ଟି କରିଛି: ପ୍ରଥମଟି ହେଲା, ଜଣେ ଭାରତୀୟ ତା"ର ପରିଚୟ, ଆବାସ ଓ ଆଚରଣ ଇତ୍ୟାଦିକୁ ଟିକିନିଖି ଯାଞ୍ଚର ସମ୍ମୁଖୀନ କରାଇ ଖାଣ୍ଟି ନାଗରିକ ରୂପେ ଲାଭ କରିଥିବା ପାସପୋର୍ଟ ନାଗରିକତ୍ବର ପ୍ରମାଣ ପତ୍ର ହେବ ନାହିଁ କାହିଁକି?
ଦ୍ବିତୀୟରେ, ଜଣେ ଭାରତୀୟଙ୍କ ପରିଚୟ, ବଂଶାନୁକ୍ରମ ଓ ଜାତୀୟତା ଆଦିକୁ ସ୍ବୀକୃତି ପ୍ରଦାନ କରୁଥିବା ଭୋଟର କାର୍ଡ, ଆଧାର ପ୍ରମାଣ ପତ୍ର, ରାସନ କାର୍ଡ ଭଳି ଅନ୍ତତଃ ଛଅ ପ୍ରକାର ଦସ୍ତାବେଜ ମହଜୁଦ ଥିବାବେଳେ ନାଗରିକତ୍ବର ଆଉ କେଉଁ ପ୍ରମାଣ ପତ୍ରର ଆବଶ୍ୟକତା ରହିଥାଏ?
ତୃତୀୟଟି ହେଲା, ସ୍ବାଧୀନତାର ୭୯ ବର୍ଷ ଅତିକ୍ରାନ୍ତ ହୋଇଯିବା ପରେ ମଧ୍ୟ ନାଗରିକତ୍ବର ପ୍ରାମାଣିକତା ଭଳି ସଂଦର୍ଭକୁ ଅଧିକରୁ ଅଧିକ ଜଟିଳ ଓ ଅସ୍ପଷ୍ଟ କରି ଦିଆଯାଉଛି କାହିଁକି?
ଅବଶ୍ୟ, ଏହା ସତ ଯେ ୨୦୧୩ ମସିହାରେ ମୁମ୍ବାଇ ହାଇକୋର୍ଟ ଏବଂ ଅନ୍ୟାନ୍ୟ ବିଭିନ୍ନ ରାୟରେ ସର୍ବୋଚ୍ଚ ଅଦାଲତଙ୍କ ପକ୍ଷରୁ କୁହାଯାଇସାରିଛି ଯେ ଭାରତୀୟମାନେ ବ୍ୟବହାର କରୁଥିବା ପାସପୋର୍ଟ ସମେତ ଅନ୍ୟାନ୍ୟ କାର୍ଡମାନ କେବଳ ସୁନିର୍ଦ୍ଦିଷ୍ଟ ବ୍ୟବହାର ସକାଶେ ଉଦ୍ଦିଷ୍ଟ, ଯେମିତି ଭୋଟ ଦାନ ସକାଶେ ଭୋଟର କାର୍ଡ ବା ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ହେବା ଲାଗି ରାସନ କାର୍ଡ ଇତ୍ୟାଦି; ଏ ସବୁ କିନ୍ତୁ ନାଗରିକତ୍ବର ପ୍ରମାଣ ପତ୍ର ନୁହନ୍ତି।
ପାସପୋର୍ଟ ଆଇନ (୧୯୬୭) ଅନୁସାରେ କେବଳ ଭାରତୀୟ ନାଗରିକମାନଙ୍କୁ ଏହା ପ୍ରଦାନ କରାଯାଉଥିବା ବେଳେ ସ୍ଥଳ ବିଶେଷରେ କଦବା କ୍ବଚିତ୍ ସେଭଳି ବିଦେଶାଗତମାନଙ୍କୁ ମଧ୍ୟ ନିଆଯାଇଥାଏ, ଯେଉଁମାନେ ହୁଏତ ଘଟଣା ଚକ୍ରରେ ଭାରତରେ ଅଟକି ଯାଇଛନ୍ତି ବା ସେହିଭଳି କିଛି ସ୍ପର୍ଶକାତର କାରଣ!
ଅର୍ଥାତ୍, ସରକାରଙ୍କ ଦୃଷ୍ଟିରେ ପାସପୋର୍ଟକୁ ନାଗରିକତ୍ବର ଅବିଭାଜ୍ୟ ପ୍ରମାଣ ସ୍ବରୂପ ଉପସ୍ଥାପନ କରାଯାଇପାରିବ ନାହିଁ।
କିନ୍ତୁ ପ୍ରଶ୍ନ ଉଠିଥାଏ ଯେ କୌଣସି ବ୍ୟକ୍ତିଙ୍କ ଜାତୀୟତା ଯଦି ତାଙ୍କ ପାସପୋର୍ଟରେ "ଭାରତୀୟ" ବୋଲି ଉଲ୍ଲିଖିତ ଥାଏ, ତେବେ ସନ୍ଦେହର କାରଣ କେଉଁଠି?
ଏବଂ ଦ୍ବିତୀୟ ପ୍ରଶ୍ନଟି ହେଲା, ଯେଉଁ ଏକମାତ୍ର ଦସ୍ତାବେଜ ବିଦେଶ ଭୂମିରେ ମଧ୍ୟ ଭାରତୀୟମାନଙ୍କ ଜାତୀୟତା ଓ ନାଗରିକତ୍ବର ପ୍ରମାଣପତ୍ର ହୋଇଥାଏ, ତାହା ସ୍ବଦେଶରେ ଅଯୋଗ୍ୟ ହୋଇଯିବ କେମିତି?
ଏହି ସବୁ ପ୍ରଶ୍ନର ଯଥାର୍ଥତା ସତ୍ତ୍ବେ, ଉଚ୍ଚ ଅଦାଲତଗୁଡ଼ିକର ନିଷ୍କର୍ଷମାନରୁ ଯାହା ହୃଦ୍ବୋଧ କରି ହୁଏ, ତାହା ହେଲା ଭାରତର କୌଣସି ଅଧିବାସୀଙ୍କ ନାଗରିକତ୍ବ ନେଇ ପ୍ରଶ୍ନ ବା ଦ୍ବନ୍ଦ୍ବ ଉପୁଜିଲେ ଅନେକ ସମୟରେ ସେହି ମୂଳ ନଥି ନିକଟରେ ପହଞ୍ଚିବା ଆବଶ୍ୟକ, ଯାହା ୧୯୫୦ ମସିହା ପରେ ସେ ଭାରତରେ ଭୂମିଷ୍ଠ ହୋଇଥିବାର ମୂଳ ପ୍ରମାଣ ହୋଇଥିବ, ଯେମିତି କି ତାଙ୍କ ଜନ୍ମ ପ୍ରମାଣ ପତ୍ର।
ଅପର ପକ୍ଷେ ଭାରତୀୟ ମୂଳୋଦ୍ଭବ ହୋଇ ନ ଥିବା କୌଣସି ବ୍ୟକ୍ତି ବା କୌଣସି ଅଞ୍ଚଳ ଭାରତ ସାଧାରଣତନ୍ତ୍ରରେ ସମ୍ମିଶ୍ରିତ ହୋଇଯିବା କାରଣରୁ ସେହି ଅଞ୍ଚଳର ଅଧିବାସୀଗଣ ଯଦି ନାଗରିକ ଭାବେ ପଞ୍ଜୀକୃତ ହେବା ଲାଗି ଆବେଦନ କରି ସାର୍ଟିଫିକେଟ ଲାଭ କରିଥାଆନ୍ତି, ତେବେ ସେହି ଏକମାତ୍ର ଦସ୍ତାବେଜ ସେମାନଙ୍କ ନାଗରିକତ୍ବର ସ୍ବୀକୃତି ପତ୍ର ହୋଇଥାଏ।
ବିଡ଼ମ୍ବନାଟି ଏଇଠି!
ଏହି ଭୂଖଣ୍ଡରେ ବଂଶାନୁକ୍ରମିକ ଭାବେ ପୁରୁଷ ପୁରୁଷ ଧରି ରହି ଆସିଥିବା ଭାରତୀୟ ମୂଳୋଦ୍ଭବମାନେ ସେମାନଙ୍କ ଜାତି, ଜନ୍ମ, ଆବାସ, ଅଧିକାର (ଭୋଟ ଦାନ), କାର୍ଯ୍ୟ ଆଦିକୁ ସାବ୍ୟସ୍ତ କରିବା ଲାଗି ଦସ୍ତାବେଜର ଜଙ୍ଗଲ ଭିତରେ ରହୁଥିଲେ ହେଁ ସେମାନଙ୍କ ନାଗରିକତ୍ବର ପୁଷ୍ଟି ସକାଶେ ଆହୁରି କିଛି ଦୁର୍ବୋଧ୍ୟ ଦସ୍ତାବେଜର ହୁଏତ ଆବଶ୍ୟକତା ପଡ଼ିପାରେ!ସଂପ୍ରତି, ଅନୁପ୍ରବେଶକାରୀଙ୍କ ବିତାଡ଼ନ ଓ ପ୍ରକୃତ ନାଗରିକଙ୍କ ଚିହ୍ନଟ ନେଇ ସୃଷ୍ଟ ତୀବ୍ର ରାଜନୈତିକ ଉଚ୍ଚାଟ ଓ ତଜ୍ଜନିତ ଉତ୍ତପ୍ତ ବାତାବରଣରେ ନାଗରିକତ୍ବର ପ୍ରାମାଣିକତାକୁ ନେଇ ଅସ୍ପଷ୍ଟତା ସ୍ବାଭାବିକ ଭାବେ ଅତ୍ୟନ୍ତ ବିଚଳିତକର ହୋଇଥାଏ, ତେଣିକି ସେମାନେ ସ୍ବଚ୍ଛଳ ଓ ପ୍ରଭାବଶାଳୀ ଭାରତୀୟ ପାସପୋର୍ଟଧାରୀ (ଜନସଂଖ୍ୟାର ମାତ୍ର ୧୦%) ହୋଇ ଥାଆନ୍ତୁ ନା କାହିଁକି?
ଏବଂ ଦରିଦ୍ର, ଭୂମିହୀନ, ବାସହୀନ, ଉଦ୍ବାସ୍ତୁ, ଅଶିକ୍ଷିତ ବା ସ୍ବଳ୍ପ ଶିକ୍ଷିତ, ଉପାର୍ଜନ ସକାଶେ ଅହରହ ବିଚରଣଶୀଳ ପ୍ରାୟ ୬୦ ଶତାଂଶ ଭାରତୀୟଙ୍କ ସକାଶେ ଏଭଳି ଅସ୍ପଷ୍ଟତା କେବଳ ତୀବ୍ର ଉଦ୍ବେଗ ନୁହେଁ, ଘୋର ଅସ୍ତିତ୍ବ ସଂକଟକୁ ମଧ୍ୟ ଜନ୍ମ ଦେଇଥାଏ!
ଆମ ଦେଶରେ ସପ୍ତମ ଦଶକ ବା ତା" ପୂର୍ବରୁ ଭୂମିଷ୍ଠମାନଙ୍କ ସକାଶେ "ବାର୍ଥ ସାର୍ଟିିଫିକେଟ" ନ ଥାଏ; ଯାହାର ବିକଳ୍ପ ହୁଏତ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବାର ସାର୍ଟିଫିକେଟ, ଯାହା ଜନ୍ମ ତାରିଖର ପ୍ରମାଣ ବହନ କରିଥାଏ।
କିନ୍ତୁ, ଅଗଣିତ ଭାରତୀୟଙ୍କ ଶିକ୍ଷାଗତ ସ୍ତର ଦଶମ ତଳେ!
ସେମିତି ଅକଳନ୍ତି ଭୁମିହୀନ ଓ ବିସ୍ଥାପିତଙ୍କ ପାଖରେ ଜମି ପଟ୍ଟା ବା "ଲିଗାଲ ହେର" ବା "ଆଇନଗତ ଉତ୍ତରାଧିକାରୀ" ସାର୍ଟିଫିକେଟ ନ ଥାଏ; ଯହିଁରେ ସେମାନଙ୍କ ବଂଶ ବୃକ୍ଷର ଆହୁରି ମୂଳକୁ ଯାଇ ସେମାନଙ୍କ "ମୂଳୋଦ୍ଭବତା"କୁ ପ୍ରଶାସନ ଦେଖି ପାରନ୍ତା!
ଅଥଚ, ରାଷ୍ଟ୍ର ସହିତ ଅଙ୍ଗାଙ୍ଗୀ ହୋଇଥିବାର ଦୃଢ଼ ପ୍ରମାଣ ସ୍ବରୂପ ସେମାନଙ୍କ ପାଖରେ ଥାଏ ଆହାର ଯୋଗାଉଥିବା ରାସନ କାର୍ଡ, କାର୍ଯ୍ୟ ଓ ଉପାର୍ଜନ ଦେଉଥିବା ଜବ୍ କାର୍ଡ, ପରିଚୟ ଦେଉଥିବା ଆଧାର କାର୍ଡ ଇତ୍ୟାଦି!
ଯଦି ସେମାନଙ୍କ ନାଗରିକତ୍ବ ସାବ୍ୟସ୍ତ ଲାଗି ରାଷ୍ଟ୍ର ବା ପ୍ରଶାସନ ସକାଶେ ସେ ସବୁ ଯଥେଷ୍ଟ ନ ହୁଏ, ତେବେ ସେମାନେ ଆଉ କେଉଁ ମୂଳ ନଥିକୁ ଫେରିବେ?
କହିବା ବାହୁଲ୍ୟ, ଅନେକ ପ୍ରମାଣ ପତ୍ର ଥିବା ସତ୍ତ୍ବେ ଏଭଳି ଅସଂଖ୍ୟ ଅଶରୀରୀ ନାଗରିକଙ୍କୁ ଅଚିରେ ନାକଚ ବା ନିଶ୍ଚିହ୍ନ ମଧ୍ୟ କରି ଦିଆଯାଇପାରେ!
ଏହା ହେଉଛି ଅସ୍ତିିତ୍ବ ସଂକଟର ମୂଳ କାରଣ!
Editorial: ହରିୟାଣୀ ରହସ୍ୟ ନିକଟରେ ବିହାର ଓ ପଶ୍ଚିମବଙ୍ଗରେ ଆୟୋଜିତ ଏସ.ଆଇ.ଆର.
ପ୍ରକ୍ରିୟାରେ ପ୍ରାୟ ଅଧ କୋଟିରୁ ଅଧିକ ଲୋକ ବାଦ ପଡ଼ିଗଲେ, ଯେଉଁମାନଙ୍କ ଠାରେ ଭୋଟ ପରିଚୟ ପତ୍ର ଥିବା ସତ୍ତ୍ବେ ସେମାନଙ୍କ ନାମ ଦୁର୍ବୋଧ୍ୟ ଭାବେ ଭୋଟର ଲିଷ୍ଟରୁ କଟି ଯାଇଥିଲା; ଯେଉଁ କ୍ରମରେ ନାଗରିକତ୍ବର ଏକ ମୌଳିକ ଅଧିକାର (ଭୋଟ ଦାନ) ସେମାନଙ୍କଠାରୁ ଛିନ୍ନ ହୋଇଗଲା।
ସେମାନଙ୍କ ଆପତ୍ତି ଦୁର୍ଭେଦ୍ୟ ବ୍ୟବସ୍ଥା ସମକ୍ଷରେ ସ୍ବରହୀନ ହୋଇଗଲା।
ଏଭଳି ସ୍ଥିତିରେ ଅସହାୟତା, ଭୟ ଓ ଉଦ୍ବେଗ ସେମାନଙ୍କୁ ଜଡ଼ସଡ଼ କରୁଥିବ ନିଶ୍ଚୟ।
ଏତିକି ବେଳେ ସ୍ମରଣକୁ ଆସେ ଫ୍ରାନ୍ଜ କାଫକାଙ୍କ ସେହି ଅବିସ୍ମରଣୀୟ ଉପନ୍ୟାସ "ଦ ଟ୍ରାଏଲ", ଯେଉଁ ଚିତ୍ତ ଦହନକାରୀ କାହାଣୀରେ ବର୍ଣ୍ଣିତ ଅଛି କିଭଳି ଗଳ୍ପର ନାୟକ ଜୋସେଫ କେ., ସେ ଜାଣି ନ ଥିବା ଏକ ଅପରାଧ ଲାଗି ମକଦ୍ଦମାରେ ଛନ୍ଦି ହୋଇପଡ଼େ; ତା"ର ଅପରାଧ କ"ଣ?, ବିଚାରକ କିଏ?, ବିଚାର କେଉଁ ଦିଗକୁ ଯାଉଛି?
ଇତ୍ୟାଦିକୁ ନେଇ ତା"ର ଅସଂଖ୍ୟ ପ୍ରଶ୍ନ କାହାର ହେଲେ କର୍ଣ୍ଣଗୋଚର ହୁଏ ନାହିଁ।
ତାକୁ ଗିରଫ କରାଯାଇ ନ ଥାଏ ସତ, କିନ୍ତୁ ଅଜ୍ଞାତ ଅପରାଧ ଲାଗି ଚାଲିଥିବା ଦୁର୍ବୋଧ୍ୟ ମକଦ୍ଦମାର ଚାପରେ ଜୋସେଫ କେ.
ଭଳି ଜଣେ ଆକର୍ଷଣୀୟ ବ୍ୟକ୍ତି କ୍ରମେ ସ୍ଥବିର, କ୍ଳୀବ ଓ ସଂପୂର୍ଣ୍ଣ ନିସ୍ଫୃହ ହୋଇଯାଏ।
କାହାଣୀ ଶେଷ ହୁଏ ଯେତେବେଳେ ଅଜଣା ଅଦାଲତର ଆଦେଶରେ କଂସେଇ ଛୁରୀ ସହିତ ଦୁଇ ଘାତକ ତା" ଘରେ ପହଞ୍ଚି ସନ୍ତର୍ପଣରେ ତାକୁ ଏକ ବଧ ଭୂମିକୁ ଘେନି ଯାଇ ମୃତ୍ୟୁ ଦଣ୍ଡ ଦିଅନ୍ତି; ଶେଷ ପର୍ଯ୍ୟନ୍ତ ଜୋସେଫ କେ.
ଲାଗି ତା" ଅପରାଧ ଅଜ୍ଞାତ ହୋଇ ରହିଯାଏ।
କାଫକାଙ୍କ କାହାଣୀ ସଂକେତଧର୍ମୀ।
ଦୁର୍ଭେଦ୍ୟ, ଦୁର୍ବୋଧ୍ୟ ଓ ଅମାପ କ୍ଷମତାଶାଳୀ ବ୍ୟବସ୍ଥା ଆଗରେ ସଂପୂର୍ଣ୍ଣ ନିରୁପାୟ ହୋଇ ପଡୁଥିବା ପ୍ରତ୍ୟେକ ସାଧାରଣ ମନୁଷ୍ୟ ଜଣେ ଜଣେ ଯୋସେଫ କେ.।
ଏହା ହିଁ ଅସ୍ତିତ୍ବ ସଂକଟ ଓ ଭୟର କାରଣ!"