Earthquake: ଧ୍ୱଂସାବଶେଷ ତଳେ ଜୀବନ ଖୋଜୁଛନ୍ତି ଉଦ୍ଧାରକାରୀ ଦଳ
"କାରାକାସ୍: ଭେନେଜୁଏଲାରେ ଗତ ସପ୍ତାହରେ ହୋଇଥିବା ପ୍ରଳୟଙ୍କରୀ ଭୂକମ୍ପ ପରେ ସ୍ଥିତି ଅତି ସଂଗୀନ ହୋଇପଡ଼ିଛି।
ସରକାରୀ ସୂଚନା ଅନୁଯାୟୀ, ମୃତ୍ୟୁସଂଖ୍ୟା ୧,୭୦୦ ଅତିକ୍ରମ କରିଥିବା ବେଳେ ବର୍ତ୍ତମାନ ଧ୍ୱଂସାବଶେଷ ତଳୁ ଲୋକଙ୍କୁ ଜୀବନ୍ତ ଉଦ୍ଧାର କରିବାର ସମୟ ଦ୍ରୁତ ଗତିରେ କମିବାରେ ଲାଗିଛି।
Advertisment ଏହା ମଧ୍ୟରେ ସୋମବାର ଅନୁଭୂତ ହୋଇଥିବା ୪.୬ ରୁ ୫.୧ ତୀବ୍ରତାର ଭୂକମ୍ପ ପରବର୍ତ୍ତୀ ଝଟକା ବିପର୍ଯ୍ୟସ୍ତ ଅଞ୍ଚଳରେ ଭୟର ବାତାବରଣକୁ ଆହୁରି ବଢ଼ାଇ ଦେଇଛି।
ହଜାର ହଜାର ଲୋକ ବାସହରା ହୋଇ ରହିଥିବା ବେଳେ ଏକ ବଡ଼ ଧରଣର ମାନବୀୟ ସଙ୍କଟ ସୃଷ୍ଟି ହୋଇଛି, ଯାହା ବର୍ଷ ବର୍ଷ ଧରି ଲାଗିରହିପାରେ ବୋଲି ସହାୟତା ଗୋଷ୍ଠୀଗୁଡ଼ିକ ଚେତାବନୀ ଦେଇଛନ୍ତି।
ଆମେରିକୀୟ ମହାକାଶ ସଂସ୍ଥା "ନାସା" ଏବଂ ୟୁରୋପୀୟ ସ୍ପେସ୍ ଏଜେନ୍ସିର ସାଟେଲାଇଟ୍ ଚିତ୍ର ଆଧାରରେ ପ୍ରସ୍ତୁତ ଆକଳନ ଅନୁଯାୟୀ, ପ୍ରାୟ ୫୮,୮୭୦ଟି କୋଠା ଭୁଶୁଡ଼ି ଯାଇଛି କିମ୍ବା କ୍ଷତିଗ୍ରସ୍ତ ହୋଇଛି।
ଜାତିସଂଘ ଚେତାବନୀ ଦେଇଛି ଯେ ଦେଶର ପ୍ରାୟ ୬୮ ଲକ୍ଷ ଲୋକ ଏହି ବିପର୍ଯ୍ୟୟ ଯୋଗୁଁ ଜଳ ଓ ବିଦ୍ୟୁତ ସେବାରୁ ବଞ୍ଚିତ ହୋଇଛନ୍ତି।
ଅତି ଜଟିଳ ପରିସ୍ଥିତି ଏବଂ ସରକାରୀ ଉଦ୍ଧାରକାରୀ ଦଳ ପହଞ୍ଚିବାରେ ବିଳମ୍ବ ଯୋଗୁଁ ସ୍ଥାନୀୟ ଲୋକେ ନିଜେ ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି।
ନ୍ୟୁୟର୍କରୁ ନିକଟରେ ସ୍ୱଦେଶ ଫେରିଥିବା ଜିନ୍ ସୋସା ନାମକ ଜଣେ ଶ୍ରମିକ ନିଜର ପୁରୁଣା ଖଣି ଖନନ ଉପକରଣ ସାହାଯ୍ୟରେ ଏକାକୀ ୨୦ ଜଣ ଲୋକଙ୍କୁ ଜୀବନ୍ତ ଉଦ୍ଧାର କରିଛନ୍ତି।
ସେ ଗଣମାଧ୍ୟମକୁ କହିଛନ୍ତି ଯେ ଲୋକେ ବିନା ଗ୍ଲୋଭ୍ସ ଓ ବିନା କୌଣସି ଆଧୁନିକ ସରଞ୍ଜାମରେ ଧ୍ୱଂସାବଶେଷ ହଟାଇବା ପାଇଁ ମାନବିକତା ଆଧାରରେ କାମ କରୁଛନ୍ତି।
ତାଙ୍କ ମତରେ ସଠିକ୍ ସମୟରେ ପ୍ରଶାସନିକ ସହାୟତା ମିଳିଥିଲେ ଅନେକ ଜୀବନ ବଞ୍ଚିପାରିଥାନ୍ତା।
ଏହି ସଙ୍କଟ ସମୟରେ ଆମେରିକା ସରକାର ନିଜର ୩୦୦ ଜଣିଆ ବିଶେଷଜ୍ଞ ଦଳ ସହ ଦୈନିକ ଦୁଇ ଡଜନରୁ ଅଧିକ ସି-୧୭ ସାମରିକ ବିମାନ ଯୋଗେ ରିଲିଫ୍ ସାମଗ୍ରୀ ପଠାଉଛି।
ଆମେରିକା ଏପର୍ଯ୍ୟନ୍ତ ୩୦୦ ମିଲିୟନ ଡଲାରରୁ ଅଧିକ ଆର୍ଥିକ ସହାୟତା ପ୍ରଦାନ କରିଛି ଏବଂ କାରାକାସ୍ ଅନ୍ତର୍ଜାତୀୟ ବିମାନବନ୍ଦରର କ୍ଷତିଗ୍ରସ୍ତ ଏୟାର୍ ଟ୍ରାଫିକ୍ କଣ୍ଟ୍ରୋଲ୍ ଟାୱାର ସଜାଡ଼ିବାରେ ସାହାଯ୍ୟ କରୁଛି।
ତେବେ ଏହା ସତ୍ତ୍ୱେ ଆମେରିକାରେ ଥିବା ଭେନେଜୁଏଲାର ଶରଣାର୍ଥୀମାନଙ୍କୁ ସେଠାକାର ଟ୍ରମ୍ପ ପ୍ରଶାସନ କୌଣସି ପ୍ରକାରର ମାନବୀୟ ସୁରକ୍ଷା କିମ୍ବା ଆଇନଗତ ଆଶ୍ରୟ ଦେବା ସମ୍ଭାବନା କମ୍ ବୋଲି ସୂଚନା ମିଳିଛି।
ଭେନେଜୁଏଲାର ସାମ୍ବାଦିକ ସଂଘ ଅଭିଯୋଗ କରିଛି ଯେ, ଦେଶର ଯୋଗାଯୋଗ ମନ୍ତ୍ରଣାଳୟ ବିଦେଶୀ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ପ୍ରଭାବିତ ଅଞ୍ଚଳକୁ ଯିବାକୁ ବାରଣ କରିଛି।
ଉଦ୍ଧାର କାର୍ଯ୍ୟରେ ବ୍ୟାଘାତ ନେଇ ଏହି କଟକଣା ଲଗାଯାଇଥିବା ସରକାର ସଫେଇ ଦେଇଛନ୍ତି।
ମାତ୍ର ବାସ୍ତବ ସ୍ଥିତି ଲୁଚାଇବା ପାଇଁ ଏହା କରାଯାଉଛି ବୋଲି ଅଭିଯୋଗ ହେଉଛି।
ମୋବାଇଲ୍ ସେବା ବିପର୍ଯ୍ୟସ୍ତ ଥିବାରୁ ଲୋକେ ନିଜର ନିଖୋଜ ସମ୍ପର୍କୀୟଙ୍କୁ ଖୋଜିବା ପାଇଁ ବେସରକାରୀ ଡିଜିଟାଲ୍ ଡାଟାବେସର ସାହାଯ୍ୟ ନେଉଛନ୍ତି, ଯେଉଁଥିରେ ଏବେ ସୁଦ୍ଧା ୫୦, ୦୦୦ରୁ ଅଧିକ ନିଖୋଜଙ୍କ ନାମ ପଞ୍ଜିକୃତ ହୋଇସାରିଛି।
Venezuela Earthquake: ଭୟଙ୍କର ପ୍ରଳୟରେ ଛାରଖାର ଭେନେଜୁଏଲା, ମାଟି ତଳେ ଦବିଗଲା ଅନେକ ଜୀବନ "