30 JUNE 2026

Welcome!

Unlock your personalized experience.
Sign Up

Judgement: ପତ୍ନୀଙ୍କୁ ବାପାମା’ ସହାୟତା କରୁଥିଲେ ବି ଭରଣପୋଷଣ ଦାୟିତ୍ୱରୁ ସ୍ୱାମୀ ମୁକ୍ତ ନୁହେଁ

Jun 30, 2026 - 20:51
Judgement: ପତ୍ନୀଙ୍କୁ ବାପାମା’ ସହାୟତା କରୁଥିଲେ ବି ଭରଣପୋଷଣ ଦାୟିତ୍ୱରୁ ସ୍ୱାମୀ ମୁକ୍ତ ନୁହେଁ

ପ୍ରୟାଗରାଜ: ପତ୍ନୀଙ୍କୁ ତାଙ୍କ ବାପାମା’ ଆର୍ଥିକ ସହାୟତା କରୁଥିଲେ କିମ୍ବା ସେ ସେମାନଙ୍କ ସହ ରହୁଥିଲେ ବି ସ୍ୱାମୀ ନିଜର ଭରଣପୋଷଣ ଦାୟିତ୍ୱରୁ ମୁକ୍ତ ହୋଇପାରିବେ ନାହିଁ ବୋଲି ଆହ୍ଲାବାଦ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ସିଆର୍‌ପିସିର ଧାରା ୧୨୫ ଅନୁଯାୟୀ ସ୍ୱାମୀଙ୍କ ଉପରେ ପତ୍ନୀଙ୍କ ଭରଣପୋଷଣର ଆଇନଗତ ଦାୟିତ୍ୱ ରହିଛି ଏବଂ ଏହାକୁ ଏଡ଼ାଇବା ପାଇଁ ଏଭଳି ଯୁକ୍ତି ଗ୍ରହଣଯୋଗ୍ୟ ନୁହେଁ ବୋଲି ଅଦାଲତ କହିଛନ୍ତି।

ଖଣ୍ଡପୀଠ ସ୍ୱାମୀଙ୍କ ପକ୍ଷରୁ ଦାଖଲ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି। ଅଦାଲତ କହିଛନ୍ତି, ଭରଣପୋଷଣ ବ୍ୟବସ୍ଥାର ମୂଳ ଉଦ୍ଦେଶ୍ୟ ହେଉଛି ପତ୍ନୀଙ୍କୁ ଆର୍ଥିକ ଅନଟନରୁ ରକ୍ଷା କରିବା ଏବଂ ସମ୍ମାନଜନକ ଜୀବନ ବଞ୍ଚିବାର ସୁଯୋଗ ଦେବା। ତେଣୁ କେବଳ ବାପାମା’ ସହାୟତା କରୁଛନ୍ତି ବୋଲି କହି ସ୍ୱାମୀ ଏହି ଆଇନଗତ ଦାୟିତ୍ୱରୁ ନିଜକୁ ମୁକ୍ତ କରିପାରିବେ ନାହିଁ।

ମାମଲା ଅନୁସାରେ, ଦମ୍ପତିଙ୍କ ବିବାହ ୨୦୨୩ ଫେବ୍ରୁଆରି ୨୮ରେ ହୋଇଥିଲା। କିଛି ସମୟ ପରେ ମତଭେଦ ହେବାରୁ ପତ୍ନୀ ନିଜ ବାପାମା’ଙ୍କ ଘରକୁ ଫେରିଯାଇଥିଲେ। ପରେ ସେ ଭରଣପୋଷଣ ଦାବି କରି ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ପରିବାର ଅଦାଲତ ସ୍ୱାମୀଙ୍କୁ ପ୍ରତି ମାସରେ ପତ୍ନୀଙ୍କୁ ୫,୦୦୦ ଟଙ୍କା ଅନ୍ତରୀଣ ଭରଣପୋଷଣ ଏବଂ ମାମଲା ଖର୍ଚ୍ଚ ବାବଦକୁ ୨,୦୦୦ ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସ୍ୱାମୀ ହାଇକୋର୍ଟରେ ଆବେଦନ କରିଥିଲେ। ତାଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ, ପତ୍ନୀ ବର୍ତ୍ତମାନ ନିଜ ବାପାମା’ଙ୍କ ସହ ରହୁଛନ୍ତି ଏବଂ ସେମାନେ ତାଙ୍କର ସମସ୍ତ ଖର୍ଚ୍ଚ ବହନ କରୁଛନ୍ତି। ତେଣୁ ତାଙ୍କୁ ଭରଣପୋଷଣ ଦେବାର ଆବଶ୍ୟକତା ନାହିଁ। ସ୍ୱାମୀ ଆହୁରି ଦାବି କରିଥିଲେ ଯେ, ପତ୍ନୀ ନିଜ ଇଚ୍ଛାରେ ତାଙ୍କୁ ଛାଡ଼ି ଚାଲିଯାଇଥିବାରୁ ସେ ଭରଣପୋଷଣ ପାଇବାକୁ ହକ୍‌ଦାର ନୁହନ୍ତି। ତେବେ ହାଇକୋର୍ଟ ଏହି ସମସ୍ତ ଯୁକ୍ତିକୁ ଅଗ୍ରାହ୍ୟ କରିଛନ୍ତି। ଅଦାଲତ କହିଛନ୍ତି, ପତ୍ନୀଙ୍କୁ ତାଙ୍କ ବାପାମା’ ସହାୟତା କରିବା ଏକ ଅସ୍ଥାୟୀ ବ୍ୟବସ୍ଥା ହୋଇପାରେ, କିନ୍ତୁ ଏଥିପାଇଁ ସ୍ୱାମୀଙ୍କ ଆଇନଗତ ଦାୟିତ୍ୱ କେବେ ବି ସମାପ୍ତ ହୁଏ ନାହିଁ। ପତ୍ନୀ ନିଜକୁ ଚଳାଇବା ପାଇଁ ପର୍ଯ୍ୟାପ୍ତ ଆୟ କରୁଛନ୍ତି ବୋଲି ସ୍ୱାମୀ କୌଣସି ଠୋସ୍‌ ପ୍ରମାଣ ମଧ୍ୟ ଦାଖଲ କରିପାରି ନ ଥିଲେ।

Pakistan supports terror: ପାକିସ୍ତାନ ସରକାରଙ୍କ ଆର୍ଥିକ ସହାୟତାରେ ‘ଆତଙ୍କୀ ଗଡ଼’ର ଚାଲିଛି ପୁନଃନିର୍ମାଣ କାର୍ଯ୍ୟ

ଅଦାଲତ ଶେଷରେ କହିଛନ୍ତି ଯେ, ପରିବାର ଅଦାଲତଙ୍କ ଆଦେଶ ସମ୍ପୂର୍ଣ୍ଣ ଆଇନସମ୍ମତ ଏବଂ ଏଥିରେ ହସ୍ତକ୍ଷେପ କରିବାର କୌଣସି କାରଣ ନାହିଁ। ତେଣୁ ସ୍ୱାମୀଙ୍କ ଆବେଦନକୁ ଖାରଜ କରି ପତ୍ନୀଙ୍କୁ ପ୍ରତିମାସ ୫,୦୦୦ ଟଙ୍କା ଅନ୍ତରୀଣ ଭରଣପୋଷଣ ଓ ୨,୦୦୦ ଟଙ୍କା ମାମଲା ଖର୍ଚ୍ଚ ପ୍ରଦାନ କରିବାକୁ ପରିବାର ଅଦାଲତ ଦେଇଥିବା ନିର୍ଦ୍ଦେଶକୁ ହାଇକୋର୍ଟ ବଜାୟ ରଖିଛନ୍ତି।