Earthquake: ଧ୍ୱଂସସ୍ତୂପରେ ପରିଣତ ହେଲା ରାଜଧାନୀ କାରାକାସ୍; ୧୭୦ ମୃତ, ୧୦୦୦ ଆହତ
"କାରାକାସ୍: ଲାଟିନ୍ ଆମେରିକୀୟ ଦେଶ ଭେନେଜୁଏଲାରେ ଆଜି ପ୍ରକୃତିର ଭୟାନକ ତାଣ୍ଡବ ଦେଖିବାକୁ ମିଳିଛି।
ଭାରତୀୟ ସମୟ ଶୁକ୍ରବାର ଭୋର ୩:୩୦ରେ ମାତ୍ର ୩୯ ସେକେଣ୍ଡ ବ୍ୟବଧାନରେ ଦୁଇଟି ଶକ୍ତିଶାଳୀ ଭୂକମ୍ପ ସମଗ୍ର ଦେଶକୁ ଥରାଇ ଦେଇଛି।
ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ଯଥାକ୍ରମେ ୭.୨ ଏବଂ ୭.୫ ରେକର୍ଡ କରାଯାଇଛି।
ଏହି ପ୍ରଳୟଙ୍କରୀ ଭୂକମ୍ପ ଯୋଗୁଁ ରାଜଧାନୀ କାରାକାସ୍ ସମେତ ଅନେକ ସହର ଧ୍ୱଂସସ୍ତୁପରେ ପରିଣତ ହୋଇଛି ଏବଂ କାରିବିଆନ୍ ଅଞ୍ଚଳରେ ସୁନାମି ସତର୍କ ସୂଚନା ଜାରି କରାଯାଇଛି।
ଏହି ବିପର୍ଯ୍ୟୟରେ ବର୍ତ୍ତମାନ ସୁଦ୍ଧା ୧୭୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି।
ତେବେ ଶହ ଶହ ବିଶାଳ କୋଠା ମାଟିରେ ମିଶିଯାଇଥିବାରୁ ଏହି ଧ୍ବଂସର ବ୍ୟାପକତାକୁ ଦେଖି ଆମେରିକାର ଭୂକମ୍ପ ଗବେଷଣା ସଂସ୍ଥା ଆଶଙ୍କା ପ୍ରକାଶ କରିଛି ଯେ ମୃତ୍ୟୁସଂଖ୍ୟା ୧୦ ହଜାରରୁ ଅଧିକ ହୋଇପାରେ।Advertisment ଭୂକମ୍ପ ପରେ ପ୍ରାୟ ୨୦ ଥର ପରବର୍ତ୍ତୀ କମ୍ପନ ଅନୁଭୂତ ହୋଇଛି, ଯାହାର ତୀବ୍ରତା ୪.୯ ରୁ ୬.୪ ମଧ୍ୟରେ ରହିଥିଲା।
ଏହା ପରେ ସାରା ସହର ଧୂଳିର ବହଳ ଆସ୍ତରଣରେ ଆଚ୍ଛାଦିତ ହୋଇଯାଇଛି ଏବଂ ପରିବେଶ ଅତି ଭୟାବହ ରହିଛି।
ସହରର ସବୁଠାରୁ ସମୃଦ୍ଧ ଅଞ୍ଚଳ "ଆଲଟାମିରା"ର ୫୦ରୁ ଅଧିକ ଆବାସିକ ଭବନ ଭୁଶୁଡ଼ି ପଡ଼ିଛି।
ଧ୍ବଂସସ୍ତୂପ ଭିତରୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଅହରହ ପ୍ରୟାସ ଜାରି ରହିଛି।
ଆମେରିକା ସମେତ ବିଭିନ୍ନ ରାଷ୍ଟ୍ରରୁ ଆସିଥିବା ଉଦ୍ଧାରକାରୀ ଦଳ, ସ୍ବେଚ୍ଛାସେବୀ ଓ ଜନସାଧାରଣ ଲୋକଙ୍କୁ ଉଦ୍ଧାର କରିବାରେ ପ୍ରଶାସନକୁ ସାହାଯ୍ୟ କରୁଛନ୍ତି।
ରାସ୍ତାଘାଟ, ହାଇୱେ ଏବଂ ଅଟ୍ଟାଳିକାଗୁଡ଼ିକରେ ବଡ଼ ବଡ଼ ଫାଟ ସୃଷ୍ଟି ହୋଇଥିବା ରାଜଧାନୀର ସମସ୍ତ ଅଂଚଳ ପାଇଁ ଗମ୍ଭୀର ବିପଦ ରହିଛି।
ଉପକୂଳବର୍ତ୍ତୀ ରାଜ୍ୟ "ଲା ଗୁଆଇରା" ମଧ୍ୟ ଏହି ଭୂକମ୍ପରେ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି।
ସେଠାରେ ଥିବା "ସାଇମନ ବୋଲିଭାର ଅନ୍ତର୍ଜାତୀୟ ବିମାନବନ୍ଦର"କୁ ସୁରକ୍ଷା ଦୃଷ୍ଟିରୁ ବନ୍ଦ କରିଦିଆଯାଇଛି।
ସମୁଦ୍ର କୂଳରେ ଥିବା ଅନେକ ସମ୍ପତ୍ତି ସମେତ ପ୍ରସିଦ୍ଧ "ଏଡୁଆର୍ଡସ୍ ହୋଟେଲ୍ ବୁଟିକ୍" ମାଟିରେ ମିଶିଯାଇଛି।
ପରିସ୍ଥିତିର ଗମ୍ଭୀରତାକୁ ଦେଖି ଭେନେଜୁଏଲାର ଅନ୍ତରୀଣ ରାଷ୍ଟ୍ରପତି ଡେଲସି ରୋଡ୍ରିଗଜ୍ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି।
ଦେଶବାସୀଙ୍କୁ ସମ୍ବୋଧିତ କରି ସେ ସମସ୍ତଙ୍କୁ ଧୈର୍ଯ୍ୟ ଓ ଏକତା ରକ୍ଷା କରିବାକୁ ଆହ୍ୱାନ ଦେଇଛନ୍ତି।
Earthquakes: କିଛି ଘଣ୍ଟା ମଧ୍ୟରେ ୩ଟି ମହାଦେଶକୁ ଦୋହଲାଇ ଦେଇଥିଲା ୩ଟି ଶକ୍ତିଶାଳୀ ଭୂମିକମ୍ପ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ କହିଛନ୍ତି ଯେ ଏହି ଭୟଙ୍କର ଭୂମିକମ୍ପ ପରେ ସହାୟତା ଓ ଉଦ୍ଧାର କାର୍ଯ୍ୟ ପାଇଁ ଆମେରିକା ଏକ ବିଶାଳ, ଦ୍ରୁତ ଏବଂ ପ୍ରଭାବଶାଳୀ ଅଭିଯାନ ଆରମ୍ଭ କରିଛି।
ଉଦ୍ଧାର ତ୍ବରାନ୍ବିତ କରିବା ପାଇଁ ଆମେରିକାର ବିଭିନ୍ନ ପ୍ରଦେଶରୀ ସହାୟକ ଟିମ୍ ଭେନେଜୁଏଲା ପହଞ୍ଚି କାର୍ଯ୍ୟ ଆରମ୍ଭ କରିଛନ୍ତି।
ରୁବିଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ପ୍ରଶଂସା କରିବା ସହ କହିଛନ୍ତି ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେ ବୈଦେଶିକ ବିଭାଗ ତୁରନ୍ତ ସମସ୍ତ ମାନବିକ ସହାୟତା ପଠାଇବା ଆରମ୍ଭ କରିଛି।
ତେବେ ଧ୍ବଂସଲୀଳା ଅତି ବ୍ୟାପକ ଥିବାରୁ ତୁରନ୍ତ ଧନଜୀବନ କ୍ଷୟକ୍ଷତିର ଆକଳନ କରିବା ସମ୍ଭବ ନୁହେଁ ଏବଂ ଏଥିପାଇଁ ଆହୁରି ଦୁଇ ଦିନ ଅପେକ୍ଷା କରିବାକୁ ପଡ଼ିବ ବୋଲି ରୁବିଓ କହିଛନ୍ତି।
"