Discovery research: ଆବିଷ୍କାର ଅନୁସନ୍ଧାନ: ଓଡ଼ିଆ ଶୌର୍ଯ୍ୟର ପ୍ରତୀକ ଆନ୍ଧ୍ରର ଉୟଲ୍‌ୱାଡା ଜୟସ୍ତମ୍ଭ

Jul 19, 2026 - 05:30
Discovery research: ଆବିଷ୍କାର ଅନୁସନ୍ଧାନ: ଓଡ଼ିଆ ଶୌର୍ଯ୍ୟର ପ୍ରତୀକ ଆନ୍ଧ୍ରର ଉୟଲ୍‌ୱାଡା ଜୟସ୍ତମ୍ଭ

"ଦୀପକ କୁମାର ନାୟକ ପଞ୍ଚଦଶ ଶତାବ୍ଦୀର ଚତୁର୍ଥ ଦଶନ୍ଧି ମଧ୍ୟ ଭାଗରେ ବାହ୍ୟ ଶତ୍ରୁମାନଙ୍କ ଦ୍ୱାରା କବଳିତ ଓଡ଼ିଶା ଭୂଖଣ୍ଡର ନିରାପତ୍ତା ଓ ପ୍ରସାର ନିମନ୍ତେ ରାଜକୀୟ ସତ୍ତାରେ ଏକ ବଡ଼ ଧରଣର ପରିବର୍ତ୍ତନ ଘଟିଥିଲା।

ପ୍ରାୟ ଚାରି ଶତାବ୍ଦୀରୁ ଊର୍ଦ୍ଧ୍ୱ କାଳ ଧରି ପ୍ରଚଳିତ ଗଙ୍ଗବଂଶୀମାନଙ୍କର ଗୌରବମୟ ଶାସନର ପରିସମାପ୍ତି ହୋଇଥିଲା।

ଖ୍ରୀଷ୍ଟାବ୍ଦ ୧୪୩୫ ଜୁନ୍‌ ମାସ ୨୯ ତାରିଖରେ କୃତ୍ତିବାସ କଟକରେ (ଅଧୁନା ଭୁବନେଶ୍ୱର) ଗଜପତି କପିଳେନ୍ଦ୍ରଦେବଙ୍କ ସିଂହାସନ ଆରୋହଣ ଓଡ଼ିଶା ଇତିହାସରେ ଏକ ନୂତନ ସୂର୍ଯ୍ୟୋଦୟ ଆଣି ଦେଇଥିଲା।Advertisment Education: ଅଲଚିକି ବଦଳରେ ଦେବନାଗରୀ ଲିପିରେ ବହି ଛପାକୁ ଏଆଇଓଏସୟୁର ବିରୋଧ ଗଙ୍ଗବଂଶୀୟ ସମ୍ରାଟମାନଙ୍କ ଶାସନର ଶେଷ ପାଦରେ ଓଡ଼ିଶା ଦୁର୍ବଳ ହୋଇପଡ଼ିଥିଲା।

ଶତ୍ରୁମାନଙ୍କ ଅବିରତ ଆକ୍ରମଣ ଓଡ଼ିଶାର ଶାସନ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରି ଦେଇଥିଲା।

ତେଣୁ କପିଳେନ୍ଦ୍ରଦେବ କ୍ଷମତାକୁ ଆସିବା ସମୟରେ ତାଙ୍କ ସମ୍ମୁଖରେ ଏକ ଶକ୍ତିଶାଳୀ ଓ ସୁରକ୍ଷିତ ସାମ୍ରାଜ୍ୟ ଗଠନ କରିବା ଥିଲା ସବୁଠାରୁ ବଡ଼ ଆହ୍ବାନ।

ସେ ନିଜର ବୀରତ୍ବ ବଳରେ ଓଡ଼ିଶାର ସୀମାକୁ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତାର କରିଥିଲେ।

ସମସ୍ତ ବାଧାବିଘ୍ନକୁ ଦକ୍ଷତାର ସହ ଅତିକ୍ରମ କରି ସଫଳତା ଅର୍ଜନ କରିଥିଲେ।

ଦକ୍ଷିଣ ଭାରତରେ କଳିଙ୍ଗ ସାମ୍ରାଜ୍ୟ ସହ ସମ୍ପୃକ୍ତ ଐତିହାସିକ ଓ ପ୍ରତ୍ନତାତ୍ତ୍ୱିକ ବିଭବର ସନ୍ଧାନ ନିମନ୍ତେ ଏହି ଲେଖକ ବହୁ ପୁରାତନ ଦସ୍ତାବେଜ୍‌, ପୁସ୍ତକ, ପତ୍ରପତ୍ରିକା ଅନୁଧ୍ୟାନ କରୁଥିଲା ବେଳେ "ଆନୁଆଲ୍‌ ରିପୋର୍ଟ ଅନ୍‌ ଇଣ୍ଡିଆନ୍‌ ଇପିଗ୍ରାଫି, ୧୯୩୮" ପତ୍ରିକାରେ ପ୍ରକାଶିତ ଏକ ତଥ୍ୟ ସାମ୍ନାକୁ ଆସିଲା।

ଏଥିରେ ପ୍ରକାଶିତ ୧୫୭ ନମ୍ବର ଅଭିଲେଖରେ ଲିପିବଦ୍ଧ ଥିଲା ଯେ ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ୍‌ ଜିଲ୍ଲା କୋଇଲାକୁଣ୍ଟଲା ତାଲୁକ ଅନ୍ତର୍ଗତ ଉୟଲୱାଡା ଗ୍ରାମରେ (ବର୍ତ୍ତମାନ ନନ୍ଦିୟାଲ ଜିଲ୍ଲାର ଉୟଲୱାଡା ମଣ୍ଡଳରେ) ଅବସ୍ଥିତ ଚେନ୍ନକେଶବ ସ୍ୱାମୀ ମନ୍ଦିର ପରିସରରେ ଏକ ଶିଳାଲେଖ ରହିଛି।

ଏହି ଖଣ୍ଡିତ ଶିଳାଲେଖରୁ ସୂଚନା ମିଳେ ଯେ ମହାରାଜା କପିଳେଶ୍ୱରଙ୍କ ଶାସନକାଳରେ ଜନୈକ ନରସିଂହ ପାତୃଡୁ (ପାତ୍ର)ଙ୍କ ଦ୍ୱାରା ଭଗବାନ ଅହୋବଳେଶ୍ୱରଙ୍କ ମନ୍ଦିର ପ୍ରତିଷ୍ଠା ହୋଇଥିଲା ଏବଂ ଏକ ଜୟସ୍ତମ୍ଭ (ବିଜୟ ସ୍ତମ୍ଭ) ମଧ୍ୟ ସ୍ଥାପନ କରାଯାଇଥିଲା।

ଏହି ତେଲୁଗୁଭାଷୀ ଶିଳାଲେଖଟିକୁ ଲିପିତତ୍ତ୍ୱ ଦୃଷ୍ଟିରୁ ପଞ୍ଚଦଶ ଶତାବ୍ଦୀ ସମୟର ବୋଲି ବିଶେଷଜ୍ଞ ମତବ୍ୟକ୍ତ କରିଛନ୍ତି।

ଦକ୍ଷିଣ ଭାରତୀୟ ପୁସ୍ତକରେ ପ୍ରକାଶିତ ଏହି ତଥ୍ୟ ଓଡ଼ିଶା ଇତିହାସ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

କିନ୍ତୁ ଏଯାବତ୍‌ ଉୟଲ୍‌ୱାଡାରେ ନରସିଂହ ପାତ୍ରଙ୍କ ଦ୍ୱାରା ପ୍ରତିଷ୍ଠିତ ଜୟସ୍ତମ୍ଭର ପ୍ରକୃତ ଅବସ୍ଥିତି ସମ୍ପର୍କରେ କୌଣସି ଠୋସ୍‌ ସୂଚନା ନଥିଲା।

ଏହି ପ୍ରତ୍ନତାତ୍ତ୍ୱିକ ବିଭବର ସନ୍ଧାନ ପାଇଁ ଏହି ଲେଖକ ଐତିହ୍ୟ ଗବେଷକ ରବୀନ୍ଦ୍ର କୁମାର ରଣା ଏବଂ ଦୁଇ ଯୁବ ଐତିହ୍ୟପ୍ରେମୀ ସୁମନ ପ୍ରକାଶ ସ୍ୱାଇଁ ଓ ବିକ୍ରମ କୁମାର ନାୟକଙ୍କ ସହ ଟ୍ରେନ୍‌ ଯୋଗେ ଆନ୍ଧ୍ରପ୍ରଦେଶର ନନ୍ଦିୟାଲ୍‌ ଯାତ୍ରା କରିଥିଲା।

ନନ୍ଦିୟାଲ୍‌ରୁ ଉୟଲ୍‌ୱାଡାର ଦୂରତା ପ୍ରାୟ ୬୦ କିମି।

ନନ୍ଦିୟାଲ୍‌ରୁ ଉୟଲ୍‌ୱାଡାକୁ ପହଞ୍ଚିବାକୁ ହେଲେ ପ୍ରଥମେ କୋଇଲାକୁଣ୍ଟଲା, ସେଠାରୁ ପୁଣି ମାୟାଲୁରୁକୁ ଦୁଇଟି ଅଲଗା ଅଲଗା ବସ ଧରି ପହଞ୍ଚିବାକୁ ହୋଇଥାଏ।

ମାୟାଲୁରୁଠାରୁ ପୁଣି ଉୟଲୱାଡା ଆଉ ୧୦ କିମି ଦୂର।

ବହୁ ଶ୍ରମ ସ୍ବୀକାର କରି ଉୟଲୱାଡା ପହଞ୍ଚି ଆମେ ସେଠାରେ ଗ୍ରାମବାସୀଙ୍କୁ ଏହି ଜୟସ୍ତମ୍ଭ ବିଷୟରେ ଜିଜ୍ଞାସା କଲୁ।

ସେମାନେ ଆମକୁ ଗାଁର ମଝିରେ ଥିବା ଏକ ମାଟିକୁଦ ନିକଟକୁ ନେଇଯାଇଥିଲେ।

କଣ୍ଟାଝଟା, ବଣବୁଦା ପରିବେଷ୍ଟିତ ଏହି କୁଦ ଉପରେ ଦକ୍ଷିଣ ଦିଗକୁ ସାମାନ୍ୟ ଢଳି ଛିଡା ହୋଇଥିଲା ପ୍ରାୟ ୧୨ଫୁଟ ଉଚ୍ଚତାବିଶିଷ୍ଟ ଏକ ପୁରାତନ ପ୍ରସ୍ତର ସ୍ତମ୍ଭ।

ଗ୍ରାମବାସୀଙ୍କ ନିକଟରୁ ଜାଣିବାକୁ ମିଳିଲା ଯେ ଏହି ଅଞ୍ଚଳରେ କେବେ ଗଜପତି ରାଜୁ (ଓଡ଼ିଶାର ସୂର୍ଯ୍ୟବଂଶୀ ଗଜପତି) ମାନଙ୍କ ଶାସନ ଥିଲା।

ସେହି ସମୟରେ ସ୍ତମ୍ଭଟିକୁ ଏଠାରେ ସ୍ଥାପନ କରାଯାଇଥିଲା।

ନିଜ ରାଜ୍ୟଠାରୁ ଏତେ ଦୂରରେ ଆମ ମହାନ୍‌ ଗଜପତିଙ୍କ ବୀରତ୍ୱ ଓ ଶୋର୍ଯ୍ୟର ପ୍ରତୀକ ଏହି ଜୟସ୍ତମ୍ଭଟିକୁ ଦର୍ଶନ କରି ସେଦିନ ଆମେ ଗୌରବ ବୋଧ କରିଥିଲୁ।

ଗ୍ରାମର ଶେଷଭାଗରେ ରହିଛି ଲକ୍ଷ୍ମୀ ଚେନ୍ନାକେଶବ ସ୍ୱାମୀଙ୍କ ଏକ ପୁରାତନ ଭଗ୍ନ ପ୍ରାୟ ମନ୍ଦିର।

ଏହି ମନ୍ଦିରର ପ୍ରବେଶ ପଥରେ ଅଧା ପୋତି ହୋଇଯାଇଥିବା ଅବସ୍ଥାରେ ମିଳିଥିଲା ନରସିଂହ ପାତ୍ରଙ୍କ ସେହି ଶିଳାଲେଖ, ଯାହା ବର୍ଣ୍ଣନା କରୁଥିଲା ପଞ୍ଚଦଶ ଶତାବ୍ଦୀର ଦ୍ବିତୀୟାର୍ଦ୍ଧରେ ବୀର ଓଡ଼ିଆ ପାଇକଙ୍କ ସେହି ଗୌରବମୟ ବିଜୟର ଗାଥା।

ଅଭିଲେଖ ଓ ଐତିହାସିକ ତଥ୍ୟ ଆଧାରରେ ସେ ସମସ୍ତ ପ୍ରସଙ୍ଗକୁ ନିମ୍ନମତେ ବ୍ୟାଖ୍ୟା କରାଯାଇପାରେ।

ଆନ୍ଧ୍ରପ୍ରଦେଶ ଉଦୟଗିରି ଦୁର୍ଗକୁ ଓଡ଼ିଆ ସେନା ନିଜ ଅଧୀନସ୍ଥ କଲା ପରେ, କୁର୍ଣ୍ଣୁଲ୍‌ ଅଞ୍ଚଳ ଅଧିକାର ନିମନ୍ତେ ଅଗ୍ରସର ହୋଇଥିଲା।

କପିଳେନ୍ଦ୍ରଦେବଙ୍କ ନେତୃତ୍ୱରେ ସମସ୍ତ ବିରୋଧୀ ଶକ୍ତି ପରାଭୂତ ହେବାପରେ ସମ୍ଭବତଃ ଖ୍ରୀଷ୍ଟାବ୍ଦ ୧୪୬୦ ବେଳକୁ ଏହି ଅଞ୍ଚଳ ଗଜପତି ସାମ୍ରାଜ୍ୟରେ ମିଶି ଯାଇଥିଲା।

ସେହିବର୍ଷ ଗଜପତି କପିଳେନ୍ଦ୍ର ଶ୍ରୀଶୈଳମ୍‌ରେ ଅବସ୍ଥାନ କରୁଥିବା ବେଳେ ଚନ୍ଦ୍ରଗ୍ରହଣ ଅବସରରେ ଭଗବାନ ମଲ୍ଲିକାର୍ଜୁନଙ୍କୁ ଦାନ ପ୍ରଦାନ କରିଥିବାର ଉଲ୍ଲେଖ ମିଳେ।

ଉୟଲ୍‌ୱାଡାରେ ନରସିଂହ ପାତ୍ରଙ୍କ ଦ୍ୱାରା ଜୟସ୍ତମ୍ଭର ସ୍ଥାପନା, ଶ୍ରୀଶୈଳମ୍‌ରେ ଗଜପତି କପିଳେନ୍ଦ୍ରଦେବଙ୍କ ଅଭିଲେଖ ଏବଂ ଏହି ସ୍ଥାନର ବୀରଶୈବ ପୀଠାଧୀଶଙ୍କ ଉପରେ ମଦୟଲିଙ୍ଗଙ୍କ ବିଜୟ ଦାବିରୁ ଏହା ସ୍ପଷ୍ଟ ହୁଏ ଯେ କୁର୍ଣ୍ଣୁଲ୍‌ ଅଞ୍ଚଳର ଏକ ବିଶାଳ ଅଂଶ ଗଜପତି କପିଳେନ୍ଦ୍ର ଦେବଙ୍କ ଓଡ଼ିଆ ସେନା ଦ୍ୱାରା ବିଜିତ ହୋଇଥିଲା।

କପିଳେନ୍ଦ୍ର ଦେବଙ୍କ କୁର୍ଣ୍ଣୁଲ୍‌ ଅଭିଯାନ ସମ୍ବନ୍ଧରେ ମାଦଳାପାଞ୍ଜି ଆମକୁ ନିମ୍ନଲିଖିତ ରୋଚକ ବିବରଣୀ ପ୍ରଦାନ କରେ— “ଅ୩୩ଙ୍କେ ଯେ ବତାଶି ପୁଣି କଲା ଅନେକ ଲୋକ ସେ ମହରଗରେ ମଲେ।

ସେହିଲାଗେ ରାଜା କୁଣ୍ଡମେରୁ ମାଇଲେ।

ଚନ୍ଦ୍ରାବତୀ ଦେଈକି ବନ୍ଦୀ କରି ଆଣିଲେ।

ନରସିଂହ ରାଏକୁ ରାଜା ଆଣି କଲେ।” ମାଦଳାପାଞ୍ଜିର ଉପରୋକ୍ତ ପଂକ୍ତିଗୁଡ଼ିକରୁ ଜଣାପଡ଼େ ଯେ, କପିଳେନ୍ଦ୍ରଦେବଙ୍କ ରାଜତ୍ୱର ୩୩ତମ ଅଙ୍କରେ ଏକ ଭୟଙ୍କର ବାତ୍ୟା ହୋଇଥିଲା, ଯେଉଁଥିରେ ଅନେକ ଲୋକ ପ୍ରାଣ ହରାଇଥିଲେ।

ଏହାପରେ ରାଜା କୁଣ୍ଡମେରୁ ବିଜୟ କରି ଚନ୍ଦ୍ରାବତୀ ଦେବୀ ନାମକ ଜଣେ ମହିଳାଙ୍କୁ ବନ୍ଦୀ କରି ଆଣିଥିଲେ।

ପରବର୍ତ୍ତୀ ସମୟରେ ସେ ନରସିଂହ ରାୟଙ୍କୁ କୁଣ୍ଡମେରୁର ଶାସକ ଭାବେ ନିଯୁକ୍ତ କରିଥିଲେ।

ସିଂହାଚଳସ୍ଥିତ ଲକ୍ଷ୍ମୀ ନରସିଂହ ମନ୍ଦିରରେ ଥିବା କପିଳେଶ୍ୱରଙ୍କ ଏକ ଶିଳାଲେଖ ଏହା ସିଦ୍ଧ କରେ, ରାଜାଙ୍କ ୩୩ତମ ରାଜତ୍ୱ ବର୍ଷ ସମାନ ୧୪୬୦ ଖ୍ରୀ.ରେ ପଡ଼ିଥିଲା।

Sonu Nigam: ଇୟୁଜେନିକ୍ସ ହେୟାର ସାଇନ୍ସେସ୍‌ ସହପ୍ରତିଷ୍ଠାତାଙ୍କ ସହଯୋଗରେ ରଥଯାତ୍ରା ଦେଖିଲେ ସୋନୁ ନିଗମ ତେଣୁ ଏହା କୁହାଯାଇପାରେ, ଗଜପତି କପିଳେନ୍ଦ୍ର ଦେବ ୧୪୬୦ଖ୍ରୀ.

ବେଳକୁ କୁର୍ଣ୍ଣୁଲ୍‌ ଅଞ୍ଚଳ ବିଜୟ କରିଥିଲେ ଏବଂ ସେଠାରୁ ଚନ୍ଦ୍ରାବତୀ ଦେବୀଙ୍କୁ ବନ୍ଦୀ କରିଥିଲେ।

ଏହି ଚନ୍ଦ୍ରାବତୀ ଦେବୀଙ୍କ ପରିଚୟ ଏଯାବତ ଜ୍ଞାତ ହୋଇପାରି ନାହିଁ, ତେବେ ସେ ବିଜୟନଗର ସାମ୍ରାଜ୍ୟ ସହ ସମ୍ପୃକ୍ତ କୌଣସି ରାଜକୀୟ ବ୍ୟକ୍ତିତ୍ୱ ହୋଇଥାଇପାରନ୍ତି।

ମାଦଳାପାଞ୍ଜିରେ ଉଲ୍ଲେଖିତ କୁଣ୍ଡମେରୁ ସମ୍ଭବତଃ କପିଳେନ୍ଦ୍ରଦେବଙ୍କ ଦକ୍ଷିଣ ଅଭିଯାନ ସମୟର କୁର୍ଣ୍ଣୁଲ୍‌ ଅଞ୍ଚଳକୁ ସୂଚିତ କରେ।

ମାଦଳାପାଞ୍ଜିର ନରସିଂହ ରାୟ ଓ ଉୟଲ୍‌ୱାଡାସ୍ଥିତ ଚେନ୍ନକେଶବ ସ୍ୱାମୀ ମନ୍ଦିରର ଶିଳାଲେଖରେ ଉଲ୍ଲେଖିତ ନରସିଂହ ପାତ୍ରଙ୍କୁ ସମାନ ବ୍ୟକ୍ତି ଭାବେ ଚିହ୍ନଟ କରାଯାଇପାରେ।

କପିଳେନ୍ଦ୍ରଦେବ ତାଙ୍କୁ ଏହି ଅଞ୍ଚଳର ଶାସନକର୍ତ୍ତା ଭାବେ ନିଯୁକ୍ତ କରିଥିଲେ।

କୁର୍ଣ୍ଣୁଲ୍‌ ଅଞ୍ଚଳର ଶାସନକର୍ତ୍ତା ଭାବେ ନିଯୁକ୍ତ ହେବା ପରେ ନରସିଂହ ପାତ୍ର ଉୟଲ୍‌ୱାଡାରେ ଏକ ଜୟସ୍ତମ୍ଭ ସ୍ଥାପନ କରିଥିଲେ ଏବଂ ଭଗବାନ ଅହୋବଳେଶ୍ୱରଙ୍କ ମନ୍ଦିର ପ୍ରତିଷ୍ଠା କରିଥିଲେ।

ଐତିହାସିକ ଓ ପ୍ରତ୍ନତାତ୍ତ୍ୱିକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏହି ଜୟସ୍ତମ୍ଭଟି ବର୍ତ୍ତମାନ ଦୟନୀୟ ସ୍ଥିତିରେ ଗୋଟିଏ ପଟକୁ ଢଳି ହୋଇ ଛିଡ଼ା ହୋଇଛି ଏବଂ ଏପରି ଅଧିକ କାଳ ରହିଲେ ଏହା ଯେ ଭବିଷ୍ୟତରେ ଭୂପତିତ ନ ହେବ ଏ ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ।

ତେଣୁ, ଓଡ଼ିଶା ଇତିହାସର ଏକ ଗୌରବମୟ ଅଧ୍ୟାୟର ମୂକସାକ୍ଷୀ ଉୟଲ୍‌ୱାଡାସ୍ଥିତ ଜୟସ୍ତମ୍ଭଟିକୁ କିପରି ସୁରକ୍ଷିତ କରାଯାଇପାରିବ ସେ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରାଯାଉ।ସ୍ୱାଧୀନ ଐତିହ୍ୟ ଗବେଷକ,ନୂଆଗଡ଼, ତେଲେଙ୍ଗାପେଣ୍ଠ, କଟକଦୂରଭାଷ - ୯୬୫୮୦୯୩୦୩୫"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।