Dhoti: ଧୋତି ନେଇ କେଇ ଧାଡ଼ି
"ବାବାଜୀଚରଣ ପଟ୍ଟନାୟକ କଲେଜରେ ବିଜ୍ଞାନ ପଢ଼ା (ଦୁଇ ବର୍ଷ) ଓ କଳା ପଢ଼ା (ଚାରି ବର୍ଷ) କାଳରେ ଏ ଲେଖକ ଧୋତି ଓ ଧଳା କିମ୍ବା ଆକାଶୀ ରଙ୍ଗର ଫୁଲ ସାର୍ଟ ପିନ୍ଧୁଥିଲା।
ଓଡ଼ିଆ ଅଧ୍ୟାପକ ହେବା ପରେ ସେ ଫୁଲପ୍ୟାଣ୍ଟ-ସାର୍ଟ ଏବଂ ବେଳେବେଳେ ଧୋତି-ପଞ୍ଜାବି ପିନ୍ଧିଛି, ବିଶେଷ କରି ସଭାସମିତି, ଉତ୍ସବାନୁଷ୍ଠାନ କି ମନ୍ଦିର ଯିବା ବେଳେ।
ଏହି ସଂଦର୍ଭରେ ୨୦୦୯ ମସିହାରେ, ଭବାନୀପାଟଣା ସରକାରୀ କଲେଜରେ ଓଡ଼ିଆ ପ୍ରାଧ୍ୟାପକ ଥିବା ବେଳର ଏକ ଅନୁଭୂତି ମନେ ପଡୁଛି।
ଆଉ ଦୁଇ ଜଣ ଅଧ୍ୟାପକଙ୍କ ସାଥିରେ ଏ ଲେଖକ କଲେଜ ୟୁନିୟନ ଦାୟିତ୍ବରେ ଥାଏ।
ସେ ବର୍ଷ ୟୁନିୟନର ବାର୍ଷିକ ଉତ୍ସବ ଦିନ ୧୧ଟାରେ ହେବା ପାଇଁ ଆୟୋଜନ କରାଯାଇଥାଏ।
ମଞ୍ଚର ସାଜସଜା ଆମେ ତିନି ଜଣ ପରଖୁ ଥାଉ।
ମୁଁ ପିନ୍ଧିଥାଏ ଧୋତି ଓ ଧଳା ରଙ୍ଗର ପଞ୍ଜାବି।
ବି.ଏ.
ଶ୍ରେଣୀର ଛାତ୍ରୀ ପ୍ରତିନିଧି ମୋତେ କହିଲେ, ""ସାର୍, ଏ କଷ୍ଟ୍ୟମ୍ ଭଲ ମାନୁଛି।"" କିଛି ନ କହି ହସି ଦେଲି।
ଭାବିଲି, ସମୟକ୍ରମେ ଧୋତି ପିନ୍ଧା ପୁରୁଷଙ୍କ ସଂଖ୍ୟା କମିଯାଇଛି; ତେଣୁ ଝିଅଟି ମୋ ପରିଧାନରେ ବ୍ୟତିକ୍ରମ ଦେଖି ତା"ର ଉତ୍ସୁକତା ପ୍ରକାଶ କଲା।Advertisment Deras: ଡେରାସ୍ ସିଫୁଡ୍ ପାର୍କରେ ମୁଖ୍ୟ ଶାସନ ସଚିବ ଏ ଲେଖକ ଏକ ନିପଟ ମଫସଲ ଗଁାରେ ଜନ୍ମିଥିବାରୁ ପିଲା ବେଳେ ଫୁଲପ୍ୟାଣ୍ଟ ଓ ସାର୍ଟ ପିନ୍ଧା ଗୌଣ ସଂଖ୍ୟକ ଲୋକ ଦେଖିଛି।
କଲେଜରେ ପଢୁଥିବା ଜଣେ ଦି"ଜଣ ଯୁବକ ଓ କଟକରେ ଚାକିରି କରୁଥିବା ଜଣେ ଗ୍ରାମବାସୀ ପିନ୍ଧୁଥିଲେ ପ୍ୟାଣ୍ଟ-ସାର୍ଟ।
ନ ହେଲେ, ଗଁାର ପୁରୁଷ ଲୋକେ ପିନ୍ଧନ୍ତି ଲୁଙ୍ଗି, ବନ୍ଧୁବାନ୍ଧବ ଘର, ମେଳାମଉଚ୍ଛବ କି ହାଟବାଟକୁ ଗଲେ ପିନ୍ଧନ୍ତି ଧୋତି, କ୍ବଚିତ୍ ସାର୍ଟ, ବହୁଳ ଭାବରେ କାନ୍ଧରେ ଗାମୁଛା କିମ୍ବା ଓତା।
ମାଟ୍ରିକ ପାଠ ଶେଷ କରିବା (୧୯୭୦) ଭିତରେ ଏ ଲେଖକ, ମାତ୍ର ଦୁଇ ଜଣ ପ୍ୟାଣ୍ଟ-ସାର୍ଟ ପିନ୍ଧା ଶିକ୍ଷକଙ୍କୁ ଦେଖିଛି।
ହାଇସ୍କୁଲର ପ୍ରଧାନଶିକ୍ଷକ ଇଂରେଜୀରେ ଏମ୍.ଏ.
ଓ ବି.ଇଡି., ଅଥଚ ସେ ଚପଲ କି ଜୋତା ବ୍ୟବହାର କରନ୍ତି ନାହିଁ, ପିନ୍ଧନ୍ତି ଆଣ୍ଠୁ ନ ଲୁଚୁଥିବା ଧୋତି ଓ ଛାତିରେ ବୋତାମ ଦିଆ ଫୁଲସାର୍ଟ।
ଆମ ଗାଅଁା ଗୁଆଳିପୁରର ମହେଶ୍ବର ହାଇସ୍କୁଲକୁ ସେ ସାଇକେଲରେ ଠିକ୍ ସମୟରେ ଆସନ୍ତି ଦଶ କିଲୋମିଟର ଦୂରର କଲରାବାଙ୍କ ଗଁାରୁ।
ତାଙ୍କ ନାମ ଗିରୀଶଚନ୍ଦ୍ର ହାଜରା।
ସାର୍, ଗତ ବର୍ଷ ଆରପାରିକୁ ଯାଇଛନ୍ତି।
ସତ୍ୟବାଦୀ ବନବିଦ୍ୟାଳୟ ଢାଞ୍ଚାରେ ବିଦ୍ୟାଳୟ ପ୍ରତିଷ୍ଠା କରିଥିବା ଉପେନ୍ଦ୍ରନାଥ ପଟ୍ଟନାୟକ ବି ଧୋତି ଓ ଫୁଲସାର୍ଟ ପିନ୍ଧୁଥିଲେ।
କଲେଜରେ ପଢ଼ିବାକୁ ଭୁବନେଶ୍ବର ଓ କଟକ ଆସି, ଏ ଲେଖକ ବଙ୍ଗାଳୀ, ବିହାରୀ, ରାଜସ୍ଥାନୀ, ଗୁଜରାଟୀ ବ୍ୟବସାୟୀ ଧୋତି ପିନ୍ଧୁଥିବା ଦେଖିଛି।
ପୁଣି, ବର୍ଗୀ (ମରହଟା)ଙ୍କ ଧୋତି ପିନ୍ଧା, ପାଇକଙ୍କ ଧୋତି ପିନ୍ଧା ଏବଂ ସ୍କୁଲରେ ଡ୍ରିଲ ଶିଖାଉଥିବା ଶିକ୍ଷକଙ୍କ ଧୋତି ପିନ୍ଧା ରୀତି ଭିନ୍ନ ଭିନ୍ନ।
ଓଡ଼ିଆ ସଂସ୍କୃତି ଓ ଧର୍ମ ପରମ୍ପରାରେ ଯୋଡ଼ (ଓତା ସହିତ ଧୋତି) କାହିଁ କେଉଁ କାଳରୁ ଚଳିଆସିଛି। "ଧୋତି"ର ବ୍ୟବହାର "ସାରଳା ମହାଭାରତ"ରେ ରହିଛି।
ଜରାସନ୍ଧ ସହିତ ଭୀମ ଲଢ଼େଇ କରୁଥିବା କାଳରେ କୃଷ୍ଣ ଭୀମଙ୍କୁ ଦେଖାଇଲେ- ""ଧୋତି ଗୋଟିୟେକ ଦେବ ଧଇଲେ ଶ୍ରୀଭୁଜେ / ଲେଉଟାଇ ବେନି ଫାଳେ ଚିରିଲେ ଦେବରାଜେ।"" (ସଭାପର୍ବ) ଅର୍ଥାତ୍ ଜରାସନ୍ଧକୁ ଏହିଭଳି ଫାଡ଼ି ମାରିବାକୁ ହେବ ବୋଲି କୃଷ୍ଣ ଭୀମଙ୍କୁ ସୂଚାଇଲେ।
ସାରଳା ମହାଭାରତ ପଞ୍ଚଦଶ ଶତାବ୍ଦୀର ରଚନା।
ବ୍ୟାସଦେବଙ୍କ ମହାଭାରତରେ, କିନ୍ତୁ, ଭୀମ-ଜରାସନ୍ଧ ଲଢ଼େଇ ବେଳେ କୃଷ୍ଣଙ୍କ ସଂକେତ ଦେଖାଇବା କଥା ନାହିଁ, ତେଣୁ "ଧୋତି" ନାହିଁ।
Deras: ଡେରାସ୍ ସିଫୁଡ୍ ପାର୍କରେ ମୁଖ୍ୟ ଶାସନ ସଚିବ ବସ୍ତୁତଃ, ଏହି ପୁରୁଷ ପିନ୍ଧା ବସ୍ତ୍ର "ଧୋତି" ଓଡ଼ିଶାରେ ବହୁ କାଳରୁ ପ୍ରଚଳିତ।
ଏ ଲେଖକ, ୧୯୬୦ ମସିହା ବେଳେ ଦେଖିଛି, ଗଁାର ବିଧବା ନାରୀଏ ଏହାକୁ ଶାଢ଼ି ଭଳି ପିନ୍ଧିବା।
ପୁଣି, ଏହା ପୁରୁଣା ହେଲେ, ନିର୍ଦ୍ଦିଷ୍ଟ ଜାତିର ଲୋକଙ୍କ ଦ୍ବାରା ସଫା ହେଇ, ଏଥିରୁ ଗୃହିଣୀଏ ସଳିତା ବଳି ବୃନ୍ଦାବତୀଙ୍କ ପାଖରେ କି ଆବଶ୍ୟକ ସ୍ଥଳେ ସଞ୍ଜ କିମ୍ବା ଦୀପର ବଳିତା କରୁଥିଲେ।
ଧୋତି ପୁରୁଣା ହୋଇ ମଇଳା କୋଚଟ ହେଲେ ମାଟିକାନ୍ଥ ଓ ପିଣ୍ଡାରେ ଗୋବର ପାଣିର ଲିପାପୋଛା ପାଇଁ "କବଟା" ପରିଚୟରେ ବ୍ୟବହୃତ ହେଉଥିଲା।
ଏବେ, ଏହାର ବ୍ୟବହାର ସଂକୁଚିତ।
ଆଉ କିଛି ବର୍ଷ ପରେ ଏଥିର ସାମାଜିକ ବ୍ୟବହାର ବିଲୋପ ହୋଇଯାଇପାରେ।
କିନ୍ତୁ, ଜଗନ୍ନାଥ ଧର୍ମ ଓ ସଂସ୍କୃତି ଅନୁସୃତ ହେଉଥିବା ଯାକେ ଏହା ଓଡ଼ିଶାରେ ପରିଚୟ ହଜେଇବ ନାହିଁ।
ତେଣୁ, ଓଡ଼ିଆ ଅସ୍ମିତାର ବସ୍ତ୍ର ସଂକେତ "ଧୋତି" ସମୟ ପ୍ରବାହରେ କାଳୋତ୍ତୀର୍ଣ୍ଣ ହୋଇ ରହିବ- ଏହା ଏ ଲେଖକର ବିଶ୍ବାସ।ଗାଅଁାରେ ତନ୍ତୀ ଯେଉଁ ଅଣ-ଚଉଡ଼ା ଓ ଅଳ୍ପ ଲମ୍ବା ପୁରୁଷ ପିନ୍ଧା ଲୁଗା ତିଆରୁଥିଲେ, ତାକୁ, ବୋଉ-ଖୁଡ଼ୀ "ଧୋବ କରିଆ" କି "ପଖାଳ କରିଆ" କହୁଥିଲେ।
କିନ୍ତୁ ମିଲ୍ ବୁଣା ଲୁଗା, ଯାହାକୁ ବାପା-ଦାଦା ପିନ୍ଧୁଥିଲେ ତାହା ଧୋତି ନାମରେ ଜଣାଶୁଣା ଥିଲା।
ଓଡ଼ିଶାରେ କୋଉଠି କେମିତି ଏହାକୁ "ଧୁତି" କହନ୍ତି।
ଶେଷରେ ମନେପଡୁଛି ରମାକାନ୍ତ ରଥଙ୍କ "ଲଣ୍ଠନ" କବିତାରୁ ଦୁଇ ଧାଡ଼ି- ""ମୁଁ ଜଳୁଛି ଓ ଜଳୁଛି ତୀବ୍ର ଦରଜରେ / ମିଡିୟମ ଧୋତି ଆଉ ଇସ୍ତ୍ରୀକରା ଅଧା କାମିଜରେ।"" ମନେପଡୁଛି ବି, ରେଭେନ୍ସା କଲେଜର କନିକା ଲାଇବ୍ରେରିରରେ ପଢ଼ିଥିବା ଉଦୟନାଥ ମହାରଥା ଲିଖିତ "ପ୍ରାଚୀନ ବୟନ କଳା" ବହି କଥା।ଉପସଂହାରରେ ଏତିକି କୁହାଯାଇପାରେ ଯେ ପୂଜାପାର୍ବଣ, ଉତ୍ସବ-ଅନୁଷ୍ଠାନ, ଦିଅଁଦର୍ଶନ ଓ ସଭାସମିତିରେ ଯୋଗଦାନ କାଳରେ ଓଡ଼ିଆ ପୁରୁଷେ ଓଡ଼ିଆ-ଅସ୍ମିତାର ପରିଧାନ "ଧୋତି" ଲାଗି ହେଲେ କେମିତି ହୁଅନ୍ତା!(ମତାମତ ଲେଖକଙ୍କ ନିଜସ୍ବ)ମୋ: ୯୪୩୭୩୧୯୯୧୪"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
