Sea of Hope Becomes Sea of Grief: ସମୁଦ୍ରରେ ହଜିଗଲା ଜୀବନର ସବୁ ସ୍ବପ୍ନ, ଦିନେ ଗଭୀର ସମୁଦ୍ର ମାଛ ଦେଇଥିଲା ରୋଜଗାର

Jul 14, 2026 - 19:53
Sea of Hope Becomes Sea of Grief: ସମୁଦ୍ରରେ ହଜିଗଲା ଜୀବନର ସବୁ ସ୍ବପ୍ନ, ଦିନେ ଗଭୀର ସମୁଦ୍ର ମାଛ ଦେଇଥିଲା ରୋଜଗାର

ସମୁଦ୍ରର ନୀଳ ପାଣିରେ ହଜିଗଲା ଜୀବନର ସବୁ ସ୍ବପ୍ନ। ଘରେ ଘରେ ଶୂନ୍ୟତା, ଆଖିରେ ଅସରନ୍ତି ଅପେକ୍ଷା। ଅନାଇ ବସିଛି ପରିବାର, ଦୁଆର ମୁହଁରେ ବସି ଲୁହ ଗଡ଼ାଉଛନ୍ତି ସମ୍ପର୍କୀୟ। ପିଲା ଛୁଆ ପଚାରୁଛନ୍ତି ବାପା ଫେରିବେ କେବେ। କିନ୍ତୁ ଉତ୍ତର କାହା ପାଖରେ ନାହିଁ। କାକଦ୍ୱୀପ ବୋଟ୍ ଟ୍ରାଜେଡିରେ ମୃତ ଓ ନିଖୋଜ ମତ୍ସ୍ୟଜୀବୀଙ୍କ ପରିବାରରେ ଏବେ ଆଶାଠାରୁ ଅଧିକ ବଢ଼ିଛି ଅନିଶ୍ଚିତତା। ଉଦ୍ଧାର ୯ ମୃତଦେହର ପରିଚୟ ଜାଣିବାକୁ ଆରମ୍ଭ ହୋଇଛି DNA ଟେଷ୍ଟ। ବାଲେଶ୍ୱର ଜିଲ୍ଲା ଉଲୁଡ଼ା ଗାଁର ନିଖୋଜ ମତ୍ସ୍ୟଜୀବୀ ଜଗନ୍ନାଥ ମାଝୀ ଓ ରବୀନ୍ଦ୍ର ମାଝୀଙ୍କ ପରିବାର ସମେତ ୫ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଛି। ପୂର୍ବରୁ ୧୦ଟି ପରିବାରର ସାମ୍ପୁଲ ନିଆଯାଇଥିଲା। ରିପୋର୍ଟ ଆସିବାକୁ ସପ୍ତାହେ ସମୟ ଲାଗିବ ସତ, ହେଲେ ପ୍ରତିଟି ସେକେଣ୍ଡ ଯେମିତି ଏହି ପରିବାର ପାଇଁ ଗୋଟିଏ ଗୋଟିଏ ଯୁଗ ଭଳି। 

ଗଭୀର ସମୁଦ୍ରକୁ ରୋଜଗାରର ଭାତ ହାଣ୍ଡି କରି ଜୀବନ ଜିଉଁଛନ୍ତି ହଜାର ହଜାର ମତ୍ସ୍ୟଜୀବୀ। କାରଣ ଗଭୀର ସମୁଦ୍ରରେ ଅଛି ଅଧିକ ମାଛ, ଆଉ ସେହି ମାଛ ଦେଉଛି ରୋଜଗାର। ସେହି ଆଶାରେ ଶହ ଶହ କିଲୋମିଟର ଦୂରକୁ ବାହାରିଯାଆନ୍ତି ମତ୍ସ୍ୟଜୀବୀ। ବିଶେଷ କରି ଇଲିଶି, ଗୋଲ୍ଟ, ପମ୍ପଫ୍ରେଟ୍, ଟୁନା, ଭେକଟି ଭଳି ଦାମୀ ମାଛ ଲୋଭରେ ଗଭୀର ସମୁଦ୍ରକୁ ଟ୍ରଲର ନହେଲେ ବୋଟ୍ ଧରି ବାହାରି ଯାଉଛନ୍ତି। କାରଣ ସମୁଦ୍ର ଉପକୂଳରେ ଆଉ ଆଗ ଭଳି ମିଳୁନାହାନ୍ତି ମାଛ। ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଦାମୀ ମାଛ ଏବେ ଗଭୀର ସମୁଦ୍ରକୁ ନିଜର ଆଶ୍ରୟସ୍ଥଳୀ ବାଛି ନେଇଛନ୍ତି। ସେଠି ବିପଦ ଥିବା ଜାଣି ବି ବାଧ୍ୟବାଧକତାର ଚାପ ହିଁ ମତ୍ସ୍ୟଜୀବୀଙ୍କୁ ବିପଦଜନକ ଗଭୀର ସମୁଦ୍ରକୁ ଟାଣି ନିଏ। କିନ୍ତୁ ପ୍ରଶ୍ନ ହେଉଛି, ଦାମୀ ଇଲିଶିର ଲୋଭ, ବଜାରର ଚାହିଦା ଓ ପେଟର ଭୋକ ସେମାନଙ୍କୁ ମୃତ୍ୟୁ ମୁହଁକୁ ଠେଲି ଦେଉଛି କି ? ପ୍ରତ୍ୟେକ ଟ୍ରଲରରେ ଲାଇଫ୍ ଜ୍ୟାକେଟ୍ ଥାଏ କି ? ଜରୁରୀକାଳୀନ ସିଗନାଲ୍ ପଠାଇବା ବ୍ୟବସ୍ଥା ଅଛି କି ନାହିଁ ? ପାଣିପାଗ ସତର୍କବାଣୀ ସମସ୍ତଙ୍କ ପାଖକୁ ଠିକ୍ ସମୟରେ ପହଞ୍ଚିଥାଏ ତ ? କାକଦ୍ୱୀପ ଦୁର୍ଘଟଣା କେବଳ ଗୋଟିଏ ଦୁର୍ଘଟଣା ନୁହେଁ, ଏହା ସମୁଦ୍ରରେ ମାଛଧରା ସୁରକ୍ଷା ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନଚିହ୍ନ ଠିଆ କରିଛି।

ଏପଟେ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ପ୍ରଶାସନ ସତର୍କ କରାଇଛି। ବାଲେଶ୍ୱର ଜିଲ୍ଲାର ତାଳସାରୀ, ଉଦୟପୁର, କୀର୍ତ୍ତନିଆ ସମେତ ଉପକୂଳ ଅଞ୍ଚଳରେ ଡାକବାଜି ଯନ୍ତ୍ର ମାଧ୍ୟମରେ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଉଛି। ପ୍ରବଳ ବର୍ଷା ଓ ପବନ ଆଶଙ୍କାରେ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନଯିବା ପାଇଁ ବାରଣ କରାଯାଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।