Welcome!

Unlock your personalized experience.
Sign Up

Cyclonic circulation: ଆଣ୍ଡାମାନ ସାଗରକୁ ପ୍ରବେଶ କଲା ଘୂର୍ଣ୍ଣିବଳୟ: ୨୩ରେ ଲଘୁଚାପ

Oct 22, 2026 - 04:28
Cyclonic circulation: ଆଣ୍ଡାମାନ ସାଗରକୁ ପ୍ରବେଶ କଲା ଘୂର୍ଣ୍ଣିବଳୟ: ୨୩ରେ ଲଘୁଚାପ

ଭୁବନେଶ୍ବର: ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ନେଇ ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି। ଥାଇଲ୍ୟାଣ୍ଡ ଓ ମିଆଁମାର ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ଆଜି ସନ୍ଧ୍ୟା ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ମଧ୍ୟକୁ ପ୍ରବେଶ କରିଛି। ପରବର୍ତ୍ତୀ ସମୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବ। ପ୍ରଭାବରେ ଆସନ୍ତା ୨୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସହ ୨୬ ତାରିଖ ବେଳକୁ ଆହୁରି ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଥିବା ନେଇ ଆଜି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ସ୍ପଷ୍ଟ କରିଛି।

ତେବେ ଘୂର୍ଣ୍ଣିବଳୟ କେତେ ଶକ୍ତିଶାଳୀ ହେବ ଏବଂ କେଉଁ ରୂପ ନେବ, ସେ ସଂପର୍କରେ ଆଇଏମ୍‌ଡି ଏପର୍ଯ୍ୟନ୍ତ କୌଣସି ସଙ୍କେତ ଦେଇ ନାହିଁ। ଯେତେବେଳେ କି ବିଦେଶର ସଂସ୍ଥାଗୁଡ଼ିକ ବାତ୍ୟା ହେବା ନେଇ ପୂର୍ବାନୁମାନ ଜାରି ରଖିଛନ୍ତି। ବାତ୍ୟା ପାଇଁ ପାଗ ଅନୁକୂଳ ରହିବା ସହ ଏହା ଆନ୍ଧ୍ର ଓ ଓଡ଼ିଶା ଉପକୂଳ ନିକଟରେ ସ୍ଥଳଭାଗ ଛୁଇଁବା ନେଇ କେତେକ ସଂସ୍ଥା ଆକଳନ କରିଛନ୍ତି। ଆଇଏମ୍‌ଡି କୌଣସି ସ୍ପଷ୍ଟ ଚିତ୍ର ଦେଇ ନ ଥିଲେ ମଧ୍ୟ ୨୬ ତାରିଖଠାରୁ ଓଡ଼ିଶାରେ ବର୍ଷାର ପ୍ରକୋପ ଦେଖିବାକୁ ମିଳିବ ବୋଲି ପୂର୍ବାନୁମାନ କରିଛି। ୨୬ ଓ ୨୭ ତାରିଖରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ୩୦ରୁ ୪୦ କିମି ବେଗରେ ପବନ ହେବାର ସମ୍ଭାବନା ରହିଛି। ତାହାକୁ ନଜରରେ ରଖି ସମ୍ପୃକ୍ତ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ସ୍ପଷ୍ଟ କଲା ଆଇଏମ୍‌ଡି
ଅଧିକ ଘନୀଭୂତ ହେବା ଆକଳନ
୨୬ରୁ ଉପକୂଳ ଓଡ଼ିଶାରେ ବର୍ଷା
୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ବଙ୍ଗୋପସାଗର ଉପରେ ଘୂର୍ଣ୍ଣିବାତ୍ୟା ଗଠନର ସଙ୍କେତ ଶକ୍ତିଶାଳୀ ହୋଇଛି। ଏନ୍‌ଓଏଏର ଗ୍ଲୋବାଲ୍‌ ଟ୍ରପିକ୍ସ ହାଜାର୍ଡସ୍ ଆଉଟଲୁକ୍‌ ଅନୁସାରେ, ଜେଟିଡବ୍ଲୁସିର ତଥ୍ୟ ଆଧାରରେ ଆସନ୍ତା ସପ୍ତାହରେ ଏକ ଉଷ୍ଣମଣ୍ଡଳୀୟ ଘୂର୍ଣ୍ଣିବାତ୍ୟା ଗଠନର ସମ୍ଭାବନା ୬୦% ରହିଛି। ଭାରତ ମହାସାଗର ଉପରେ ସକ୍ରିୟ ମ୍ୟାଡେନ୍‌-ଜୁଲିଆନ୍‌ ଅସିଲେସନ୍‌ (ଏମ୍‌ଜେଓ) ଏହାର ଗଠନ ପାଇଁ ଅନୁକୂଳ ପରିବେଶ ଦେଉଛି। ୟୁରୋପୀୟ ମଡେଲ୍‌ଗୁଡ଼ିକ ମଧ୍ୟ ଘୂର୍ଣ୍ଣିବାତ୍ୟା ଗଠନର ସମ୍ଭାବନା ଦେଖାଉଛନ୍ତି, କିନ୍ତୁ ଏହାର ଶକ୍ତି ଓ ଗତିପଥ ଏପର୍ଯ୍ୟନ୍ତ ନିଶ୍ଚିତ ନୁହେଁ। ଅକ୍ଟୋବର ୨୩ରେ ଦକ୍ଷିଣ-ପୂର୍ବ ଓ ସଂଲଗ୍ନ ପୂର୍ବ-ମଧ୍ୟ ବଙ୍ଗୋପସାଗର ଉପରେ ଏକ ନିମ୍ନଚାପ କ୍ଷେତ୍ର ହୋଇପାରେ। ୨୪ ତାରିଖରେ ନିମ୍ନଚାପ କ୍ଷେତ୍ରଟି ସ୍ପଷ୍ଟ ଏବଂ ୨୫ ତାରିଖରେ ଅବପାତରେ ପରିଣତ ହୋଇପାରେ। ୨୬ ଓ ୨୭ରେ ଆହୁରି ଶକ୍ତିଶାଳୀ ହୋଇ ଗଭୀର ଅବପାତ ଏବଂ ୨୬ରୁ ୨୮ ମଧ୍ୟରେ ଏହା ଘୂର୍ଣ୍ଣିବାତ୍ୟାରେ ପରିଣତ ହେବାକୁ ଅସ୍ୱୀକାର କରାଯାଇପାରିବ ନାହିଁ।

ଆରମ୍ଭରୁ ଏହା ପଶ୍ଚିମ-ଉତ୍ତରପଶ୍ଚିମ କିମ୍ବା ଉତ୍ତରପଶ୍ଚିମ ଦିଗକୁ ଗତି କରିବ। ପରେ ଆନ୍ଧ୍ରପ୍ରଦେଶ–ଓଡ଼ିଶା ଉପକୂଳ ଦିଗକୁ ଆସିପାରେ। ତେବେ ଏହା କେଉଁ ଅଞ୍ଚଳରେ ସ୍ଥଳଭାଗ ଛୁଇଁବ ଓ କେଉଁ ଦିନ ଛୁଇଁବ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ। ଉପ-ଉଷ୍ଣମଣ୍ଡଳୀୟ ରିଜ୍ ଓ ଆସୁଥିବା ଟ୍ରଫ୍‌ର ପରିବର୍ତ୍ତନ ଏହାର ଶେଷ ଗତିପଥକୁ ପ୍ରଭାବିତ କରିବ। ଏହା ଆହୁରି ଉତ୍ତର ଦିଗକୁ ଯାଇପାରେ ବୋଲି ମଧ୍ୟ ଅସ୍ୱୀକାର କରାଯାଇପାରେ ନାହିଁ। ତେବେ ୨୬ରୁ ୨୯ ତାରିଖ ମଧ୍ୟରେ ଉପକୂଳ ଓଡ଼ିଶାରେ ବର୍ଷାର ସମ୍ଭାବନା ବଢ଼ିପାରେ। ଯଦି ଏହି ପ୍ରଣାଳୀ ପଶ୍ଚିମ-ମଧ୍ୟ କିମ୍ବା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଦିଗକୁ ଯାଏ, ତେବେ ପ୍ରଭାବିତ ଅଞ୍ଚଳରେ ପ୍ରବଳ ବର୍ଷା, ଜୋର ପବନ ଓ ପାଣି ଜମିବା ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)