Supreme Court: ପୁଣି ସୁପ୍ରିମ୍କୋର୍ଟ ଯିବ ଓଡ଼ିଶା: ଦୁଇ ଅଧିକାରୀ କୋଟିଆରେ ଡେରା ପକାଇବେ
କୋରାପୁଟ/ସମ୍ବଲପୁର/ଭୁବନେଶ୍ୱର: କୋଟିଆରେ ଆନ୍ଧ୍ର ପକ୍ଷରୁ ପଞ୍ଚାୟତ ନିର୍ବାଚନ କରାଇବାକୁ ଜୋରଦାର ପ୍ରସ୍ତୁତି ଚାଲିଛି। ଏହାକୁ ନେଇ ଓଡ଼ିଶାରେ ପ୍ରତିବାଦର ସ୍ବର ତୀବ୍ର ହେବାରେ ଲାଗିଛି। ବିଭିନ୍ନ ମହଲରୁ ଏହାକୁ କଡ଼ା ସମାଲୋଚନା ହେଲା ପରେ ଆଇନଗତ ଲଢ଼େଇ ସହ ପ୍ରଶାସନିକ ସ୍ତରରେ ନିର୍ବାଚନକୁ ରୋକିବା ପାଇଁ ଓଡ଼ିଶା ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ପୁଲିସ ଓ ଜିଲ୍ଲା ପ୍ରଶାସନର ଦୁଇ ଜଣ ବରିଷ୍ଠ ଅଧିକାରୀ କୋଟିଆରେ ରହିବେ। ଆନ୍ଧ୍ରର ଗତିବିଧି ଉପରେ ନିୟମିତ ନଜର ରଖିବା ସହ ପ୍ରତିଦିନ ରିପୋର୍ଟ ଦେବାକୁ କୋରାପୁଟ ଜିଲ୍ଲାପାଳ ଓ ଏସ୍ପିଙ୍କୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ଦଣ୍ଡକାରଣ୍ୟ ବିକାଶ ମହାମଞ୍ଚ ପକ୍ଷରୁ ଆସନ୍ତା ୪ ତାରିଖରେ ଭୁବନେଶ୍ବରରେ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ ପାଇଁ ଡାକରା ଦିଆଯାଇଛି।
କୋଟିଆ: ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା
ଆନ୍ଧ୍ର ପକ୍ଷରୁ କୋଟିଆ ପଞ୍ଚାୟତକୁ ବିଭକ୍ତ କରି ଗଞ୍ଜେଇପଦର, ଫାଟୁସିନେରି ଏବଂ ଧୂଳିପଦର ପଞ୍ଚାୟତ ଗଠନ କରାଯାଇଛି। ସାଲୁର ମଣ୍ଡଳରେ ଏହି ତିନିଟି ପଞ୍ଚାୟତ ରହିଛି। ଏହି ପଞ୍ଚାୟତ ଗୁଡ଼ିକରେ ଜେଡ୍ପିଟିସି (ଜିଲ୍ଲା ପରିଷଦ ସଭ୍ୟ) ଏବଂ ଏମ୍ପିଟିସି (ସମିତି ସଭ୍ୟ) ନିର୍ବାଚନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ସହ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ସମିତିସଭ୍ୟ ପଦ ପାଇଁ ଆଜି ନେରେଡିବାଲସା ଓ ଉପରସେମ୍ବୀ ଗାଁର ଜଣେ ଜଣେ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବାକୁ ସମର୍ଥକଙ୍କ ସହ ସାଲୁର ଯାଇଥିଲେ। ୨୩ ତାରିଖରେ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହେବ ଏବଂ ୩ ତାରିଖରେ ନିର୍ବାଚନ ହେବ।
ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଆଭାସୀ ମାଧ୍ୟମରେ ଏହି ପ୍ରସଙ୍ଗର ବିସ୍ତୃତ ସମୀକ୍ଷା କରିଛନ୍ତି। ଏହି ପ୍ରସଙ୍ଗରେ ରାଜ୍ୟର ସ୍ୱାର୍ଥ ରକ୍ଷା ଉଦ୍ଦେଶ୍ୟରେ ଆଇନଗତ ଦୃଷ୍ଟିକୋଣରୁ ଉଚିତ ପଦକ୍ଷେପ ନେବା ଦିଗରେ ଓଡ଼ିଶାର ଆଡ୍ଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟଙ୍କ ସହ ସବିଶେଷ ଆଲୋଚନା କରିବା ସହ ପରାମର୍ଶ ଲୋଡ଼ିଛନ୍ତି l ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ମନ୍ତ୍ରୀ ଶ୍ରୀ ପୂଜାରୀ କରିଥିବା ଏହି ଆଭାସୀ ବୈଠକରେ ଆଡ୍ଭୋକେଟ୍ ଜେନେରାଲଙ୍କ ସମେତ ଦକ୍ଷିଣାଞ୍ଚଳ ଆର୍ଡିସି ସଂଗ୍ରାମ କେଶରୀ ମହାପାତ୍ର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅରବିନ୍ଦ ପାଢ଼ୀ, କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଓ ଏସ୍ପି ରୋହିତ ବର୍ମା ଆଭାସୀ ମାଧ୍ୟମରେ ସାମିଲ ହୋଇଥିଲେ।
ଦୁଇ ଅଧିକାରୀ କୋଟିଆରେ ଡେରା ପକାଇବେ
ଜିଲ୍ଲାପାଳ, ଏସ୍ପି ପ୍ରତିଦିନ ସରକାରଙ୍କୁ ରିପୋର୍ଟ ଦେବେ
ଜିଲ୍ଲାପାଳ, ଏସ୍ପି ପ୍ରତିଦିନ ସରକାରଙ୍କୁ ରିପୋର୍ଟ ଦେବେ
ମନ୍ତ୍ରୀ କହିଛନ୍ତି, କୋରାପୁଟ ଜିଲ୍ଲାର କୋଟିଆ ଅଞ୍ଚଳର ଗ୍ରାମଗୁଡ଼ିକୁ ନେଇ ରହିଥିବା ଏହି ବିବାଦ ଦୀର୍ଘବର୍ଷ ଧରି ଉଭୟ ରାଜ୍ୟ ମଧ୍ୟରେ ଆଲୋଚନା ଓ ଆଇନଗତ ପ୍ରକ୍ରିୟାର ବିଷୟ ହୋଇରହିଛି। ୨୦୦୬ ମସିହାରେ ଆନ୍ତଃରାଜ୍ୟ ସୀମା ବିବାଦରେ ତତ୍କାଳୀନ ଓଡ଼ିଶା ସରକାରଙ୍କ ଦ୍ୱାରା ଦାୟର କେସ୍ ସର୍ବୋଚ୍ଚ ନ୍ୟାୟାଳୟରେ ଖାରଜ ହେବା ପରେ ଏହା ଉପରେ ଦାଖଲ ହୋଇଥିବା ରିଭ୍ୟୁ ପିଟିସନ ଓ କ୍ୟୁରେଟିଭ୍ (ସଂଶୋଧନ) ପିଟିସନ୍ ମଧ୍ୟ ଖାରଜ ହୋଇଥିଲା। ମାତ୍ର ତୁରନ୍ତ କୌଣସି ପଦକ୍ଷେପ ନେବା ପରିବର୍ତ୍ତେ ଦୀର୍ଘ ଷୋହଳ ବର୍ଷ ବ୍ୟବଧାନରେ ୨୦୨୨ ମସିହାରେ ତତ୍କାଳୀନ ସରକାର ପୁନଶ୍ଚ ଆଉ ଏକ କେସ୍ ଦାଖଲ କରିଥିଲେ; ଯାହା ଏବେ ବିଚାରାଧୀନ ରହିଛି। ୨୦୨୧ ମସିହା ଫେବ୍ରୁଆରିରେ ବିବାଦୀୟ ଗ୍ରାମଗୁଡ଼ିକରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ପଞ୍ଚାୟତ ନିର୍ବାଚନ କରାଯିବାରୁ ଏହି ପ୍ରସଙ୍ଗ ଅଧିକ ଜଟିଳ ହୋଇଥିଲା। ଏହାକୁ ନେଇ ଓଡ଼ିଶା ପକ୍ଷରୁ ସୁପ୍ରିମ୍କୋର୍ଟରେ ଅଦାଲତ ଅବମାନନା ସମ୍ପର୍କିତ ଆବେଦନ ଦାଖଲ କରାଯାଇଥିଲା।
ଏହି କେସ୍ ସବୁ ଅଦାଲତରେ ବିଚାରାଧୀନ ଥିବା କାରଣରୁ ଆଇନଗତ ଦିଗରୁ ସମସ୍ତ ଜରୁରୀ ପଦକ୍ଷେପ ନେବାକୁ ଆଡ୍ଭୋକେଟ୍ ଜେନେରାଲଙ୍କୁ ଦାୟିତ୍ୱ ଦିଆଯିବା ସହ ତାଙ୍କୁ ସମସ୍ତ ଆବଶ୍ୟକ ଦଲିଲପତ୍ର ଯୋଗାଇ ଦିଆଯିବ। ଏହା ଏକ ସମ୍ବେଦନଶୀଳ ଓ ଆଇନଗତ ପ୍ରସଙ୍ଗ ହୋଇଥିବାରୁ ଏହାର ସମାଧାନ ପାଇଁ ଆଇନଗତ ତଥ୍ୟ, ଐତିହାସିକ ଦଲିଲ, ଜନଗଣନା ତଥ୍ୟ ଓ ପ୍ରଶାସନିକ ରେକର୍ଡ ଆଧାରରେ ସମନ୍ୱିତ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି। ଆନ୍ଧ୍ରପ୍ରଦେଶ ସରକାର କୋଟିଆ ଅଞ୍ଚଳର ଲୋକଙ୍କୁ ବେଆଇନ ଭାବେ ଅତିରିକ୍ତ ଆଧାରକାର୍ଡ ଓ ଭୋଟର ପରିଚୟପତ୍ର ପ୍ରଦାନ କରି ନିର୍ବାଚନରେ ତାହାର ବ୍ୟବହାର ମାଧ୍ୟମରେ ନିଜ ଦାବିକୁ ମଜଭୁତ କରିବାକୁ ଚକ୍ରାନ୍ତ କରୁଥିବା ମନ୍ତ୍ରୀ ଶ୍ରୀ ପୂଜାରୀ ଅଭିଯୋଗ କରିଛନ୍ତି। ଆସନ୍ତା ନଭେମ୍ବର ମାସରେ ହେବାକୁ ଥିବା ନିର୍ବାଚନରେ ଏଭଳି ଉଦ୍ୟମକୁ ପ୍ରତିହତ କରିବା ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ ହୋଇଛି। ବିବାଦର ଶୀଘ୍ର, ସ୍ଥାୟୀ ଓ ସାମ୍ବିଧାନିକ ସମାଧାନ ପାଇଁ ଆଇନଗତ ପ୍ରକ୍ରିୟାକୁ ଅଧିକ ଫଳପ୍ରଦ କରିବା ସହ କୋଟିଆ ଅଞ୍ଚଳର ଲୋକଙ୍କ ନିକଟରେ ସରକାରୀ ସେବା, ଉନ୍ନୟନମୂଳକ କାର୍ଯ୍ୟକ୍ରମ ଓ ମୌଳିକ ସୁବିଧା ନିରବଚ୍ଛିନ୍ନ ଭାବେ ପହଞ୍ଚାଇବାକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି। ସାମ୍ପ୍ରତିକ ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିବା ସହ ଆବଶ୍ୟକ ପଦକ୍ଷେପ ନେବା ପାଇଁ ମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।
ରାଜନୀତି ତେଜିଲା: ଡବଲ ଇଞ୍ଜିନ ସରକାର ପଛଘୁଞ୍ଚା ଦେଉଛି କାହିଁକି: ନବୀନ
ପଟାଙ୍ଗି/ଭୁବନେଶ୍ୱର: କୋଟିଆରେ ଆନ୍ଧ୍ରପ୍ରଦେଶ ସରକାର ପଞ୍ଚାୟତ ନିର୍ବାଚନ କରିବାକୁ ନେଇ ଓଡ଼ିଶାରେ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି ହୋଇଛି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ପ୍ରସଙ୍ଗରେ ଗଭୀର ଉଦ୍ବେଗ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି କୋଟିଆ ସମ୍ପର୍କରେ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଦାବି କରିଛନ୍ତି। ଦଳମତ ନିର୍ବିଶେଷରେ ଓଡ଼ିଶାର ସ୍ୱାର୍ଥ ପାଇଁ ସମସ୍ତେ ଏକାଠି ହୋଇ ମିଳିତ ଭାବେ
ଏହାର ସମାଧାନ କରିବାର ଆବଶ୍ୟକତା ରହିଛି ବୋଲି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ବିରୋଧୀ ଦଳ ନେତା ଉଲ୍ଲେଖ କରିଛନ୍ତି, ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଓଡ଼ିଶା ସରକାର ରାଜ୍ୟର ଆଞ୍ଚଳିକ ଅଖଣ୍ଡତା ସୁରକ୍ଷା ପାଇଁ ସଂଗ୍ରାମ କରୁଥିଲେ। ଅତୀତରେ ମଧ୍ୟ ବିଜେପିର ନେତାମାନେ କୋଟିଆ ଓଡ଼ିଶାର ବୋଲି ଦାବି କରି ଆସୁଥିଲେ ଏବଂ ଗୋ ବ୍ୟାକ୍ ଆନ୍ଧ୍ର ସ୍ଲୋଗାନ୍ ଦେଉଥିଲେ। ୨୦୨୪ ନିର୍ବାଚନ ଇସ୍ତାହାରରେ ବିଜେପି ପ୍ରତିଶ୍ରୁତି ଦେଇଥିଲା ଯେ ଡବଲ ଇଞ୍ଜିନ ସରକାର କ୍ଷମତାକୁ ଆସିଲେ ସବୁଦିନ ପାଇଁ କୋଟିଆ ସମସ୍ୟାର ସମାଧାନ କରାଯିବ। ରାଜ୍ୟର ଆଞ୍ଚଳିକ ଅଖଣ୍ଡତା ସୁରକ୍ଷିତ ରଖାଯିବ ଏବଂ ଓଡିଆ ସ୍ୱାଭିମାନ ଫେରାଇ ଅଣାଯିବ। କିନ୍ତୁ ଏବେ ସେ ପ୍ରତିଶ୍ରୁତି କୁଆଡ଼େ ଗଲା? ଆଜି ରାଜ୍ୟରେ ତଥାକଥିତ ଡବଲ ଇଞ୍ଜିନ ସରକାର ଶାସନ ଦାୟିତ୍ୱରେ ରହିଛି। କିନ୍ତୁ ଉଦ୍ବେଗର ବିଷୟ ଏହି ଯେ ଆନ୍ଧ୍ର ସରକାର କୋଟିଆରେ ନିର୍ବାଚନ କରିବାକୁ ଘୋଷଣା କରିଛନ୍ତି। ବର୍ତ୍ତମାନ ଆନ୍ଧ୍ରରେ ତେଲୁଗୁ ଦେଶମ୍ ସରକାର ଶାସନ କରୁଛି ଏବଂ ଏହା କେନ୍ଦ୍ରରେ ଶାସନ କରୁଥିବା ଏନ୍ଡିଏ ସରକାରର ପ୍ରମୁଖ ଅଂଶୀଦାର। କେନ୍ଦ୍ର ସରକାରଙ୍କ ସ୍ଥାୟିତ୍ୱ ବଜାୟ ରଖିବାରେ ତେଲୁଗୁ ଦେଶମ୍ ଦଳର ବିଶେଷ ଭୂମିକା ରହିଛି। ତେଣୁ ଓଡ଼ିଶାର ବିଜେପି ସରକାରର ନିରବତା କ’ଣ କେନ୍ଦ୍ରରେ ଏନ୍ଡିଏ ସରକାରର ରାଜନୈତିକ ନିର୍ଭରଶୀଳତାଜନିତ ବାଧ୍ୟବାଧ୍ୟକତା କି? ଏଥିପାଇଁ କ’ଣ ଓଡ଼ିଶାର ସ୍ୱାର୍ଥ ଓ ଆଞ୍ଚଳିକ ଅଖଣ୍ଡତା ସହିତ ବିଜେପି ସରକାର ବୁଝାମଣା କରିଦେଇଛି କି? କୋଟିଆ ଉପରେ ଓଡ଼ିଶାର ସାର୍ବଭୌମତ୍ୱ ବଜାୟ ରଖିବା ସହିତ ଓଡ଼ିଶାର ଆଞ୍ଚଳିକ ଅଖଣ୍ଡତାର ସୁରକ୍ଷା ପାଇଁ ରାଜ୍ୟ ସରକାର ନିର୍ଣ୍ଣୟାତ୍ମକ ପଦକ୍ଷେପ ନେବା ପାଇଁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି।
ଡବଲ ଇଞ୍ଜିନ ସରକାର ପଛଘୁଞ୍ଚା ଦେଉଛି କାହିଁକି: ନବୀନ
ସମାଧାନ ପାଇଁ ମିଳିତ ଉଦ୍ୟମ ଆବଶ୍ୟକ: ଧର୍ମେନ୍ଦ୍ର
ପଟାଙ୍ଗିରେ ବସିଲା ସର୍ବଦଳୀୟ ବୈଠକ
ସମାଧାନ ପାଇଁ ମିଳିତ ଉଦ୍ୟମ ଆବଶ୍ୟକ: ଧର୍ମେନ୍ଦ୍ର
ପଟାଙ୍ଗିରେ ବସିଲା ସର୍ବଦଳୀୟ ବୈଠକ
ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ପ୍ରସଙ୍ଗରେ କହିଛନ୍ତି, କୋଟିଆ ହେଉଛି ଓଡ଼ିଶାର ଅସ୍ମିତା, ସାର୍ବଭୌମତ୍ୱ ଓ ଅଖଣ୍ଡତାର ପରିଚୟ। ଓଡ଼ିଆ ଭାବେ କୋଟିଆକୁ ନେଇ ଦୀର୍ଘ ସମୟ ଧରି ଦେଖାଯାଇଥିବା ସୀମା ବିବାଦ ନିଶ୍ଚୟ ଭାବେ ଚିନ୍ତାଜନକ। ଦଳମତ ନିର୍ବିଶେଷରେ ଓଡ଼ିଶାର ସ୍ୱାର୍ଥ ପାଇଁ ସମସ୍ତେ ଏକାଠି ହୋଇ ମିଳିତ ଭାବେ ଏହାର ସମାଧାନ କରିବାର ଆବଶ୍ୟକତା ରହିଛି। ସେ ନିଜେ ପୂର୍ବରୁ ତିନି ଥର କୋଟିଆ ଗ୍ରାମକୁ ଗସ୍ତ କରି ସେଠାକାର ପରିସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ଅଞ୍ଚଳରେ ଆନ୍ଧ୍ରପ୍ରଦେଶର ବାରମ୍ବାର ହସ୍ତକ୍ଷେପ ତଥା ସୀମା ବିବାଦକୁ ନେଇ ଲାଗି ରହିଥିବା ସମସ୍ୟାର ସମାଧାନ ପାଇଁ ସେ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆନ୍ଧ୍ରପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କୁ ପତ୍ର ଲେଖି ଅନୁରୋଧ କରିଥିଲେ। ଏହି ଗୁରୁତ୍ୱପୂର୍ଣ୍ଣ ସୀମାନ୍ତ ଅଞ୍ଚଳର ସମସ୍ୟାର ସମାଧାନ କରିବା ପାଇଁ ରାଜନୈତିକ ବ୍ୟକ୍ତିବିଶେଷଙ୍କ ଦାୟିତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଉଚ୍ଚସ୍ତରରେ ସୌହାର୍ଦ୍ଦ୍ୟପୂର୍ଣ୍ଣ କଥାବାର୍ତ୍ତା ମାଧ୍ୟମରେ ଏକ ଅନୁକୂଳ ବାତାବରଣ ତିଆରି କରି ସମାଧାନର ସ୍ଥାୟୀ ବାଟ କାଢ଼ିବା ଆବଶ୍ୟକ। ଓଡ଼ିଶାର ଏକତା, ସାର୍ବଭୌମତ୍ୱ ଓ ଅଖଣ୍ଡତାକୁ ରକ୍ଷା କରିବା ଆମ ସମସ୍ତଙ୍କର ସାମୂହିକ ଦାୟିତ୍ୱ। ସେହିପରି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କଟାକ୍ଷ କରିଛନ୍ତି, କୋଟିଆ ପ୍ରସଙ୍ଗରେ ବିରୋଧୀ ଦଳର ନେତା ଲେଖିଥିବା ଚିଠିର ଦସ୍ତଖତ ତାଙ୍କର ନା ଅନ୍ୟ କାହାର, ତାହା ସନ୍ଦେହଜନକ। କୋଟିଆବାସୀଙ୍କ ସ୍ୱାର୍ଥ ପାଇଁ ଯଦି ପ୍ରକୃତରେ ବିରୋଧୀ ନେତାମାନେ ଚିନ୍ତିତ ତେବେ ଏହି ପ୍ରସଙ୍ଗରେ ସରକାରଙ୍କ ସହ ମିଶି ଲଢ଼େଇ କରିବାକୁ ସେ ଆହ୍ୱାନ ଦେଇଛନ୍ତି।
ଅପରପକ୍ଷରେ ରାଜନୈତିକ ବିଚାରଧାରା ଅଲଗା ସତ୍ତ୍ବେ କୋଟିଆ ପାଇଁ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ରାଜନୈତିକ ଦଳର ନେତା ଏକାଠି ହୋଇଛନ୍ତି। ଏଥି ନିମନ୍ତେ ପଟାଙ୍ଗି ବ୍ଲକ ସଭାଗୃହରେ ସର୍ବଦଳୀୟ ନେତା ଓ ସମସ୍ତ ସରକାରୀ ପଦାଧିକାରୀଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିଲା। ପଟାଙ୍ଗି ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ସାଂସଦଙ୍କ ପ୍ରତିନିଧି ଶୁକ୍ରା ଖରା, ବିଜେପି ବ୍ଲକ ସଭାପତି ନରସିଂହ ବାଙ୍କା, କଂଗ୍ରେସ ବ୍ଲକ ସଭାପତି ଅର୍ଜୁନ ବାଙ୍କା, ବିଡିଓ ରାମକୃଷ୍ଣ ନାୟକ, ତହସିଲଦାର ଦେବେନ୍ଦ୍ର ଧାରୁଆ, କୋଟିଆର ସ୍ୱତନ୍ତ୍ର ଅଧିକାରୀ (ଓଏସ୍ଡି) ସୌରଭ ଦାସ, ଜିଲ୍ଲାପରିଷଦ ସଦସ୍ୟ ଲଇଛନ ଖରା, ଜିଲ୍ଲାପରିଷଦ ସଦସ୍ୟା ଟିକାଇ ଗେମେଲଙ୍କ ସମେତ ବିଭିନ୍ନ ଦଳର ନେତୃବୃନ୍ଦ ଉପସ୍ଥିତ ଥିଲେ। ଶ୍ରୀ କାଡ଼ାମ କହିଥିଲେ, ଓଡ଼ିଶାର ଭୂସମ୍ପତ୍ତି ଏବଂ ଖଣିଜ ସମ୍ପଦ ଉପରେ ଆନ୍ଧ୍ର ସରକାର ଲୋଲୁପ ଦୃଷ୍ଟି ରଖି ସୀମାନ୍ତ ଅଞ୍ଚଳରେ ବେଆଇନ ନିର୍ବାଚନ କରିବାକୁ ଅପଚେଷ୍ଟା କରୁଛି। ଦଳମତ ନିର୍ବିଶେଷରେ ସର୍ବଦଳୀୟ ନେତୃବୃନ୍ଦ ଏକଜୁଟ ହୋଇ ଆନ୍ଧ୍ରର ଏହି ଚକ୍ରାନ୍ତକୁ ସମ୍ପୂର୍ଣ୍ଣ ଭଣ୍ଡୁର କରିବାକୁ ସେ ଆହ୍ୱାନ ଦେଇଥିଲେ। ନିର୍ବାଚନ ରୋକିବା ପାଇଁ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦିଆଯାଇଥିବା ବେଳେ ଉପସ୍ଥିତ ସରକାରୀ ଅଧିକାରୀ ଓ ଦଳୀୟ ନେତାମାନେ ଏଥିରେ ସମ୍ପୂର୍ଣ୍ଣ ସହମତି ପ୍ରକାଶ କରିଛନ୍ତି। ଗାଁ ଗାଁରେ ସମସ୍ତ ବିଭାଗୀୟ ଅଧିକାରୀ ବୁଲି ବିଭିନ୍ନ ଶିବିର ମାଧ୍ୟମରେ ଲୋକଙ୍କୁ ସଚେତନ କରିବେ। ସେହିପରି କୋଟିଆ ରାଜସ୍ବ ନିରୀକ୍ଷକଙ୍କୁ ଡେପୁଟେସନ୍ରେ ଅନ୍ୟତ୍ର ଅବସ୍ଥାପିତ କରାଯିବାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
