Cyclone: ଭଂଜନଗରରେ ୧୦୫୭ ଜଣଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର
ଭଞ୍ଜନଗର (ବିଶ୍ବମ୍ବର ଜେନା): ବାତ୍ୟା ଓ ପରବର୍ତ୍ତି ବର୍ଷା ସମୟରେ ଜନସାଧାରଣଙ୍କ ଧନଜୀବନର ସୁରକ୍ଷାକୁ ଗୁରୁତ୍ୱ ଦେଇ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
ବିଶେଷ କରି କଚ୍ଚା ଘରେ ରହୁଥିବା ପରିବାର, ଗର୍ଭବତୀ ମହିଳା, ବରିଷ୍ଠ ନାଗରିକ, ଶିଶୁଙ୍କୁ ଗୁରୁତ୍ବ ଦିଆଯାଉଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।
ଗତମାସ ଲଗାଣ ବର୍ଷା ସମୟରେ ଭଞ୍ଜନଗର ବ୍ଳକ ତଡମାରେ ଜଙ୍ଗଲି ନାଳରେ ପ୍ରବଳ ପାଣି ଆସିବାରୁ ସେହି ଗ୍ରାମରେ ରହିଥିବା ଜଣେ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରାଯାଇ ପାରିନଥିଲା।
ସେ ଗ୍ରାମରେ ଏକ କନ୍ୟାକୁ ଜନ୍ମ ଦେଇଥିବା ବେଳେ ପାଣିର ସ୍ତର ହ୍ରାସ ପାଇବା ପରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା।
ଉଭୟ ମାଆ ଓ ଶିଶୁ ସୁରକ୍ଷିତ ରହିଥିବା ଜଣାପଡିଥିଲା।
ବର୍ତ୍ତମାନ ବାତ୍ୟା ଓ ବର୍ଷାର ପରିମାଣ ଅଧିକ ରହିଥିବାରୁ ଗ୍ରାମ ନିକଟ ଜଙ୍ଗଲି ନାଳରେ ପ୍ରବଳ ସ୍ରୋତରେ ପାଣି ଆସିବାର ଆଶଙ୍କା କରି ସମସ୍ତ ଗ୍ରାମବାସୀଙ୍କୁ ଆଜି ପ୍ରଶାସନ ପକ୍ଷରୁ ଆଶ୍ରୟସ୍ଥଳୀକୁ ଆଣାଯାଇଛି।
ପ୍ରାୟ ୬୦ ଜଣ ଗ୍ରାମବାସୀଙ୍କୁ ସେଠାରେ ରନ୍ଧାଖାଦ୍ୟ ପ୍ରଦାନ କରାଯାଉଥିବା ବେଳେ ଉପଜିଲ୍ଲାପାଳ ଉମା ଶଙ୍କର ବେହେରା ନିଜେ ରନ୍ଧାଖାଦ୍ୟ ସେମାନଙ୍କୁ ପରସି ଥିଲେ।
ଏହି ସମୟରେ ଡେପୁଟି ସବ୍କଲେକ୍ଟର ପ୍ରଧାନ ଟୁଲିଆମ୍ମା,ବିଡିଓ ଭାରତୀ ଦେବୀ,ତହସିଲଦାର ଅଭିପ୍ସା ପଟ୍ଟନାୟକ,ଏବିଡିଓ ପୂର୍ଣ୍ଣଚନ୍ଦ୍ର ପାଢୀ ପ୍ରମୁଖ ଉପସ୍ଥିତ ରହିଥିଲେ।
Advertisment ଉପଜିଲ୍ଲାପାଳ ଶ୍ରୀ ବେହେରା ଆଜି ବେଲଗୁଣ୍ଠା ବ୍ଲକ୍, ଜଗନ୍ନାଥପ୍ରସାଦ ବ୍ଲକ୍ ଓ ଏନ୍ଏସିର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବାତ୍ୟା ମୁକାବିଲା ପ୍ରସ୍ତୁତି, ଜନସାଧାରଣଙ୍କ ସ୍ଥାନାନ୍ତରଣ ପ୍ରକ୍ରିୟା ଓ ଆଶ୍ରୟସ୍ଥଳୀରେ ବ୍ୟବସ୍ଥା ସଂପର୍କରେ ଅନୁଧ୍ୟାନ କରିଥିଲେ।
ଏହି ସମୟରେ ସମ୍ପୃକ୍ତ ବ୍ଲକ୍ର ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ବେଲଗୁଣ୍ଠା ବ୍ଲକ୍ର ଉଡରା ଓ ବାଣତୁମ୍ବ ଗ୍ରାମ ପରିଦର୍ଶନ କରିଥିଲେ।
ବିପଦ ସଙ୍କୁଳ ସ୍ଥାନରେ ରହୁଥିବା ଲୋକଙ୍କୁ ଚିହ୍ନଟ କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ସହ ଆଶ୍ରୟସ୍ଥଳୀରେ ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ମୌଳିକ ସୁବିଧା କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
ସନ୍ଧ୍ୟା ସୁଦ୍ଧା ଉପଖଣ୍ଡର ୧୦୫୭ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।
ସେଥିରେ ଧରାକୋଟ ବ୍ଳକର ସର୍ବାଧିକ ୪୮୩ ଜଣ, ସୋରଡ଼ା ବ୍ଳକର ୧୭୩ ଜଣ, ବେଲଗୁଣ୍ଠା ବ୍ଳକର ୧୬୬ ଜଣ, ଭଞ୍ଜନଗର ବ୍ଳକର ୧୦୦ ଜଣ, ବୁଗୁଡା ବ୍ଳକର ୫୩ ଜଣ, ଶେରଗଡ ବ୍ଳକର ୩୮ ଜଣ, ଆସିକା ବ୍ଳକର ୨୫ ଜଣ ଓ ଜଗନ୍ନାଥପ୍ରସାଦ ବ୍ଳକର ୧୯ ଜଣଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
