Cyclone Arnab: ମାଲକାନଗିରିରେ ୨୬ରୁ ୨୮ ପ୍ରବଳ ବର୍ଷା ଆଶଙ୍କା, ସମ୍ଭାବ୍ୟ ବାତ୍ୟାକୁ ନେଇ ଚିନ୍ତାରେ ଚାଷୀ
ମାଲକାନଗିରି : ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷା କୁ ନେଇ ମାଲକାନଗିରି ଜିଲ୍ଲାରେ ହଇଚଇ ସୃଷ୍ଟି ହୋଇଛି।
ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି।
ବର୍ଷକର ପରିଶ୍ରମରେ ଅମଳ ହେବାକୁ ଥିବା ଧାନ ଫସଲକୁ ସୁରକ୍ଷିତ ରଖିବା ପାଇଁ ଏବେ ଚାଷୀମାନେ ତରବରିଆ ଭାବେ ଧାନ କାଟି ଘରକୁ ଆଣିବାରେ ଲାଗିପଡ଼ିଛନ୍ତି।
ଅନ୍ୟପକ୍ଷରେ, ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ମଧ୍ୟ ବ୍ୟାପକ ପ୍ରସ୍ତୁତି ଚଳାଇଛି।
Advertisment ବର୍ଷା ଆଶଙ୍କା ଦେଖାଦେବା ପରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଧାନ ଅମଳ କାର୍ଯ୍ୟ ଜୋରସୋରରେ ଚାଲିଛି।
ପାଚିଲା ଧାନକୁ ଶୀଘ୍ର କାଟି ଘରକୁ ଆଣିବା ପାଇଁ ଚାଷୀମାନେ ଦିନରାତି ଏକ କରିଦେଇଛନ୍ତି।
କେତେକ ଚାଷୀ ଧାନ କାଟିବା ପାଇଁ ହାର୍ଭେଷ୍ଟର ମେସିନ୍ର ସହାୟତା ନେଉଥିବା ବେଳେ ମେସିନ୍ ଯାଇପାରୁ ନଥିବା ଜମିରେ ଶ୍ରମିକଙ୍କୁ ନିୟୋଜିତ କରି ଧାନ କାଟୁଛନ୍ତି।
ଏପରିକି କେତେକ ସ୍ଥାନରେ ଧାନ ପୂର୍ଣ୍ଣ ଭାବେ ପାଚି ନଥିଲେ ମଧ୍ୟ ବର୍ଷା ଭୟରେ ଚାଷୀମାନେ ଅମଳ କରିବାକୁ ବାଧ୍ୟ ହେଉଛନ୍ତି।
ଚାଷୀଙ୍କ କହିବା ଅନୁଯାୟୀ, ଧାନ ଅମଳ ସମୟରେ ଯଦି ଲଗାତାର ବର୍ଷା ହୁଏ, ତେବେ ଧାନ ଫସଲ ନଷ୍ଟ ହେବା ସହ ଅମଳ ହୋଇଥିବା ଧାନ ମଧ୍ୟ ଓଦା ହୋଇଯିବାର ଆଶଙ୍କା ରହିଛି।
ଏହାଦ୍ୱାରା ବର୍ଷକର ପରିଶ୍ରମ ଓ ଖର୍ଚ୍ଚ ପାଣିରେ ପଡ଼ିବା ସହ ଆର୍ଥିକ କ୍ଷତି ସହିବାକୁ ପଡ଼ିପାରେ।
ତେଣୁ ବର୍ଷା ପୂର୍ବରୁ ଯେତେ ସମ୍ଭବ ଧାନ କାଟି ଘରକୁ ନେବା ପାଇଁ ଚାଷୀମାନେ ଚେଷ୍ଟା ଚଳାଇଛନ୍ତି।
ଅନ୍ୟପକ୍ଷରେ, ଚାଷୀଙ୍କୁ ପାଚିଲା ଧାନ ଶୀଘ୍ର ଅମଳ କରିବା ସହ କଞ୍ଚା ଧାନ ଅନାବଶ୍ୟକ ଭାବେ ନକାଟିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଉଛି।
ଅମଳ ହୋଇଥିବା ଧାନକୁ କିପରି ସୁରକ୍ଷିତ ଭାବେ ରଖାଯାଇପାରିବ, ସେଥିପାଇଁ ମଧ୍ୟ ଚାଷୀଙ୍କୁ ସଚେତନ କରାଯାଉଛି।
ତଥାପି ବାତ୍ୟା ଓ ବର୍ଷାର ଆଶଙ୍କା ଚାଷୀଙ୍କ ମନରୁ ଭୟ ଦୂର କରିପାରୁନାହିଁ।
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।
ସମସ୍ତ ବ୍ଲକର ଅଧିକାରୀ ଓ କର୍ମଚାରୀଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍କୁ ମଧ୍ୟ ପ୍ରସ୍ତୁତ ରହିବାକୁ କୁହାଯାଇଛି।
ଏଥିସହ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ର ସମ୍ପର୍କରେ ଛୁଟି ଘୋଷଣା କରାଯାଇଥିବା ଏବଂ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଥିବା ସୂଚନା ମିଳିଛି।
ସମସ୍ତ କ୍ରୀଡ଼ା କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ବନ୍ଦ ତେବେ ଗୋଟିଏ ପଟେ ବାତ୍ୟାର ମୁକାବିଲା ପାଇଁ ପ୍ରଶାସନର ପ୍ରସ୍ତୁତି ଚାଲିଥିବା ବେଳେ ଅନ୍ୟପଟେ ନିଜର ଫସଲକୁ ସୁରକ୍ଷିତ ରଖିବା ପାଇଁ ଚାଷୀଙ୍କ ସଂଘର୍ଷ ଜାରି ରହିଛି।
ବର୍ଷାର ପ୍ରକୋପ କମ୍ ରହିଲେ ଫସଲ ବଞ୍ଚିଯିବ ବୋଲି ଚାଷୀମାନେ ଆଶା ରଖିଛନ୍ତି।
ଏବେ ସମସ୍ତଙ୍କ ନଜର ଆକାଶ ଉପରେ।
ସମ୍ଭାବ୍ୟ ବାତ୍ୟା ମାଲକାନଗିରି ଜିଲ୍ଲାର ଚାଷୀଙ୍କ ଭାଗ୍ୟକୁ କିପରି ପ୍ରଭାବିତ କରିବ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।
ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବର ମୁକାବିଲା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ଓ ପ୍ରସ୍ତୁତିମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।
ସ୍ଥିତିର ମୁକାବିଲା ପାଇଁ କଟକରୁ ୩୦ ଜଣିଆ ଏକ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ୍) ଦଳ ଜଣେ କମାଣ୍ଡାଣ୍ଟ ଓ ୨ ଜଣ ଉପ-ଅଧିକାରୀଙ୍କ ନେତୃତ୍ୱରେ ଆଜି ରାତି ସୁଦ୍ଧା କାଲିମେଳାଠାରେ ମୁତୟନ ହେବେ ।
ଏଥିସହିତ ୩୬ ଜଣିଆ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଓଡ୍ରାଫ୍) ଦଳ ମଧ୍ୟ ଆସି ମାଥିଲି ଠାରେ ପହଞ୍ଚି ସଜାଗ ଅଛନ୍ତି।
ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ ଏବଂ ସତୀଗୁଡ଼ାଠାରେ ଚାଲିଥିବା ସମସ୍ତ କ୍ରୀଡ଼ା କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି।
ଏହାସହ ତଳିଆ ଅଞ୍ଚଳ ଓ କଚା ଘରେ ରହୁଥିବା ଲୋକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନାନ୍ତର ପାଇଁ ତହସିଲଦାରମାନଙ୍କୁ ସଜାଗ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ଜିଲ୍ଲାରେ ଥିବା ୪ଟି ସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ସମେତ ସମସ୍ତ ଅସ୍ଥାୟୀ ଆଶ୍ରୟସ୍ଥଳୀଗୁଡ଼ିକୁ ମଧ୍ୟ ତୁରନ୍ତ ପ୍ରସ୍ତୁତ ରଖିବା ପାଇଁ ପ୍ରଶାସନିକ ସ୍ତରରେ ନିର୍ଦ୍ଦେଶ ଜାରି ହୋଇଛି।
Winter: କୋଇଡ଼ା ଖଣି ଅଞ୍ଚଳରେ ଶୀତର ଆଗମନ: ପାରଦ ୧୫ ଡିଗ୍ରୀ ତଳକୁ, ପ୍ରାତଃ ଭ୍ରମଣ ସାଙ୍ଗକୁ ବ୍ୟାୟାମରେ ମାତିଲେଣି ଲୋକେ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
