Cyclone Akwan Devastates Odisha Farmers: ଅର୍ଣ୍ଣବ କଷ୍ଟ ଯାଇନଥିଲା, ଅକୱାନ୍ ଭାଙ୍ଗିଦେଲା ଚାଷୀଙ୍କ ଅଣ୍ଟା
ବାତ୍ୟା ଉଜୁଡ଼ିଦେଲା ଚାଷବାସ।
କ୍ଷେତରେ ଆଣ୍ଠୁଏ ଲେଖାଏଁ ପାଣି, ଆଉ ତା' ଭିତରେ ବୁଡିଛି ପନିପରିବା ପୁଣି ଧାନ।
ଯେଉଁ ବିଲରେ ଦିନେ ସବୁଜିମା ଭରି ରହିଥିଲା...
ଆଜି ସେଠି ଖାଲି ବନ୍ୟା ପାଣି ଆଉ ନଷ୍ଟ ହୋଇଥିବା ଫସଲ।
ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ପୋଡ଼ାପଲ୍ଲୀ ଗାଁ।
ପନିପରିବା ଚାଷ ପାଇଁ ବେଶ୍ ପରିଚିତ ଏହି ଅଞ୍ଚଳ।
ଶହ ଶହ ଚାଷୀ ବାଇଗଣ, ଝୁଡ଼ୁଙ୍ଗ, ବିନ୍ସ, ଭେଣ୍ଡି, ଫୁଲକୋବି ଓ ବନ୍ଧାକୋବି ଚାଷ କରିଥିଲେ।
ଫସଲ ଭଲ ହୋଇଥିଲା, ଅମଳକୁ ନେଇ ଆଶା ବି ଥିଲା।
ହେଲେ ଅକୱାନ୍ ଆଉ ଲଗାଣ ବର୍ଷା ସବୁକିଛି ଧୋଇ ନେଲା।
ପାଣିରେ ବୁଡ଼ି ପଚିଲାଣି ପନିପରିବା ଗଛ।
ନଷ୍ଟ ହୋଇଗଲା ଚାଷରେ ଲାଗିଥିବା ଟଙ୍କା ଆଉ ମାସ ମାସର ପରିଶ୍ରମ।
Advertisment ସମାନ ଦୁର୍ଦ୍ଦଶା ବାଲେଶ୍ୱର ଜିଲ୍ଲାର ଚାଷୀଙ୍କର।
ଧାନ ସହ ପନିପରିବା ଚାଷରେ ବ୍ୟାପକ କ୍ଷତି ହୋଇଛି।
ବାଙ୍କୀ ବ୍ଲକ୍ କେନ୍ଦୁପଲ୍ଲୀ ଅଞ୍ଚଳରେ କଣ୍ଟା ବାଇଗଣ ଚାଷୀଙ୍କ ଅବସ୍ଥା ବି ସଙ୍ଗୀନ।
ଶୀତଦିନେ ବାଇଗଣ ବିକି ଭଲ ଦି' ପଇସା ରୋଜଗାର କରିବାର ଆଶା ରଖିଥିଲେ।
ହେଲେ ତିନି ଫୁଟ୍ ପାଣିରେ ବୁଡ଼ି ରହିଛି ବାଇଗଣ କ୍ଷେତ।
ପୁରୀ ଜିଲ୍ଲାରେ ବି ଧାନ ଚାଷୀଙ୍କୁ ଶକ୍ତ ଝଟକା ଦେଇଛି ବାତ୍ୟା।
ଅମଳ ଅପେକ୍ଷାରେ ଥିବା ପାଚିଲା ଧାନ ବର୍ଷା ପାଣିରେ ବୁଡ଼ି ନଷ୍ଟ ହୋଇଛି।
ଫସଲ ତ ଗଲା...ଆଗକୁ କେମିତି ପରିବାର ଚଳିବ, ସେହି ଚିନ୍ତାରେ ଚାଷୀ।
ଖାଲି ଧାନ କି ପରିବା ନୁହେଁ, ବାତ୍ୟା ମାଡ଼ରେ ଉଜୁଡ଼ି ଯାଇଛି କୁକୁଡ଼ା ଚାଷ।
ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ କଳମ୍ବ ଗାଁରେ ବନ୍ୟା ପାଣିରେ ବୁଡ଼ି ମରିଛନ୍ତି ଶହ ଶହ କୁକୁଡ଼ା।
ଫାର୍ମ ମାଲିକଙ୍କର ଲକ୍ଷାଧିକ ଟଙ୍କାର ଘାଟା।
ଏହି ଫାର୍ମ ହିଁ ଥିଲା ପରିବାରର ରୋଜଗାରର ମାଧ୍ୟମ।
ଏବେ କୁକୁଡ଼ା ମରିଗଲେ, ବ୍ୟବସାୟ ଠପ୍।
ହେଲେ ଗୋଟିଏ ବାତ୍ୟା ସବୁକିଛି ଓଲଟପାଲଟ କରିଦେଲା।
କ୍ଷତି ଭରଣା କରିବେ କେମିତି, ମାଲିକଙ୍କ ଚିନ୍ତା ବଢ଼ିଛି।
Advertisment ଚାଷୀଙ୍କ କ୍ଷତି ଆକଳନ ପାଇଁ ଆଜିଠାରୁ ଗ୍ରାଣ୍ଡକୁ ଓହ୍ଲାଇଛନ୍ତି ପ୍ରଶାସନିକ ଅଧିକାରୀ।
ଗଞ୍ଜାମ ଜିଲ୍ଲାପାଳ ନିଜେ ବିଭିନ୍ନ ଅଞ୍ଚଳ ବୁଲି କ୍ଷୟକ୍ଷତିର ସମୀକ୍ଷା କରୁଛନ୍ତି।
ପୁରୁଷୋତ୍ତମପୁର ବ୍ଲକର ହାଣ୍ଡିଘର ଓ ଆଛୁଲି ଅଞ୍ଚଳରେ ମଧ୍ୟ ସ୍ଥିତି ଅନୁଧ୍ୟାନ କରିଛି ଟିମ୍।
...
ସେପଟେ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକରେ କ୍ଷତି ଅନୁଧ୍ୟାନ ପାଇଁ ଗଠନ ହୋଇଛି ସ୍ୱତନ୍ତ୍ର ଟିମ୍।
ଗାଁ ଗାଁ ବୁଲି ଚାଷ ଜମିର ଫଟୋ ଉଠାଇବା ସହ ସଠିକ୍ ତଥ୍ୟ ସଂଗ୍ରହ କରୁଛନ୍ତି।
୩୩ ପ୍ରତିଶତରୁ ଅଧିକ କ୍ଷତି ହୋଇଥିଲେ ଜିଲ୍ଲାପାଳଙ୍କୁ ରିପୋର୍ଟ ପଠାଯିବ।
ରାଜସ୍ବ ମନ୍ତ୍ରୀ କହିଛନ୍ତି, କ୍ଷତିର ସଠିକ୍ ଆକଳନ ପରେ ଚାଷୀଙ୍କୁ ଯଥାଶୀଘ୍ର ସହାୟତା ଦିଆଯିବ।
ଯେଉଁ ଜମିରୁ ପରିବାର ପାଇଁ ଦାନା ଯୋଗାଡ଼ ହେବାର ଥିଲା, ଆଜି ସେହି ଜମିକୁ ଚାହିଁ ଚାଷୀ ଖୋଜୁଛି ବଞ୍ଚିବାର ବାଟ।
ଉଜୁଡ଼ିଥିବା ଫସଲ ଆଉ ଭାଙ୍ଗି ପଡ଼ିଥିବା ଆର୍ଥିକ ମେରୁଦଣ୍ଡକୁ ସଜାଡ଼ିବାକୁ ଏବେ ସରକାରୀ ସହାୟତାକୁ ଅପେକ୍ଷା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
