Cuttack BJD: କଟକ ବିଜେଡିରେ ଇସ୍ତଫା ପର୍ବ: ଗୋଟିଏ ଦିନରେ ଇସ୍ତଫା ଦେଲେ ୩ ନେତା

Jun 04, 2026 - 08:19
Cuttack BJD: କଟକ ବିଜେଡିରେ ଇସ୍ତଫା ପର୍ବ: ଗୋଟିଏ ଦିନରେ ଇସ୍ତଫା ଦେଲେ ୩ ନେତା

କଟକ: କଟକ ବିଜେଡିର ୩ ବରିଷ୍ଠ ଓ ସାଙ୍ଗଠନିକ ଦକ୍ଷତା ଥିବା ଯୁବ ନେତା ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ଡେପୁଟି ମେୟର ତଥା କଟକ ନଗର ବିଜେଡିର ସବୁଠୁ ଅଧିକ ସମୟ ସଭାପତି ଥିବା ବରିଷ୍ଠ ନେତା ମଧୁସୂଦନ ସାହୁ, ପୂର୍ବତନ କର୍ପୋରେଟର, ‘ଜୀବନ ବିନ୍ଦୁ’ର ସଂଯୋଜକ ତଥା ଦକ୍ଷ ସଂଗଠକ ରଞ୍ଜନ କୁମାର ବିଶ୍ବାଳ ଓ ବିଜେଡିର ରାଜ୍ୟ ସଂପାଦକ ଜ୍ଞାନେନ୍ଦ୍ର ଗିରି ଗୋସ୍ବାମୀ। ଆଜି ସକାଳେ ପ୍ରଥମେ ରଂଜନ ବିଶ୍ବାଳ ତାଙ୍କର ଇସ୍ତଫାପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଥିବା ବେଳେ କିଛି ଘଣ୍ଟା ମଧ୍ୟରେ ମଧୁସୂଦନ ସାହୁ ଏବଂ ଅପରାହ୍‌ଣରେ ଜ୍ଞାନେନ୍ଦ୍ର ଗିରି ଗୋସ୍ବାମୀ ଦଳରୁ ଇସ୍ତଫା ବିଷୟ ଘୋଷଣା କରିଥିଲେ। ରଞ୍ଜନ ତାଙ୍କ ଇସ୍ତଫାପତ୍ରରେ ଦର୍ଶାଇଛନ୍ତି ଯେ ଦଳର ସାଙ୍ଗଠନିକ କାର୍ଯ୍ୟରେ ଯେତେବେଳେ ତାଙ୍କୁ ଯେଉଁ ଦାୟିତ୍ବ ଦିଆଯାଇଥିଲା, ତାହାକୁ ସେ ସୂଚାରୁ ରୂପେ ତୁଲାଇ ଆସିଥିଲେ। ଦେବାଶିଷ ସାମନ୍ତରାୟଙ୍କ ନେତୃତ୍ବରେ କଟକ ପୌର ନିଗମ ନିର୍ବାଚନ ସମୟରେ ବିଭିନ୍ନ ୱାର୍ଡରେ ବିଜେଡିର ସଂଖ୍ୟାଧିକ କର୍ପୋରେଟରଙ୍କୁ ଜିତାଇବାରେ ଯଥା ସମ୍ଭବ ଯୋଗଦାନ ଦେଇ ଆସିଥିଲେ। କିନ୍ତୁ ୨୦୨୨ ପୌର ନିର୍ବାଚନ ପରଠାରୁ ତାଙ୍କୁ ଲଗାତାର ଭାବେ ଦଳରେ ଅବହେଳା କରାଗଲା। ସାଧାରଣ ନିର୍ବାଚନରେ ବିଜେଡି ବାରବାଟୀ-କଟକରେ ତୃତୀୟ ସ୍ଥାନରେ ରହିଲା। ପରବର୍ତ୍ତୀ ସମୟରେ ବି ଏହାକୁ ସୁଧାରିବା ବଳରେ ଦଳର ପ୍ରକୃତ କର୍ମୀ ଓ ସଂଗଠକମାନଙ୍କୁ ଅବହେଳା କରାଗଲା। ତେଣୁ ଏଭଳି ସ୍ଥିତିରେ ସେ ଦଳରେ ରହିବା ଆଉ ଉଚିତ ମନେ କରୁ ନାହାନ୍ତି।

Meeting: ଉପକୃତ ହେବେ ଦୀର୍ଘ ଦିନ ଧରି ବସତି ସ୍ଥାପନ କରୁଥିବା ସେବାୟତ, ନିଯୋଗ ଓ ମଠ

ଗୋଟିଏ ଦିନରେ ଇସ୍ତଫା ଦେଲେ ୩ ନେତା
ମେୟର, ପାଣ୍ଡିଆନ ଓ ଅବହେଳାକୁ ଦାୟୀ କଲେ

ଅନ୍ୟପଟେ ମଧୁସୂଦନ ସାହୁ ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକଙ୍କୁ ପଠାଇଥିବା ଇସ୍ତଫାପତ୍ରରେ ସିଧାସଳଖ ମେୟର ସୁବାସ ସିଂହଙ୍କୁ ଦାୟୀ କରିଛନ୍ତି। ଶ୍ରୀ ସାହୁ ଉଲ୍ଲେଖ କରିଛନ୍ତି ଯେ ଯେଉଁ ସୁବାସ ସିଂହଙ୍କୁ କମ୍ୟୁନିଷ୍ଟ ଦଳରୁ ଆଣି ବିଜେଡିରେ ମିଶାଇଥିଲୁ, ସେ ମେୟର ହେବା ପରେ ପ୍ରଥମେ ତାଙ୍କ ପିଠିରେ ଛୁରା ଭୁସିଲେ। ତାଙ୍କୁ ଓ ଅନ୍ୟ ବରିଷ୍ଠ ନେତା, କର୍ମୀଙ୍କୁ କୋଣଠେସା କରି ପାଣ୍ଡିଆନ ଥିବା ଯାଏଁ ତାଙ୍କର କେହି କିଛି କରି ପାରିବେ ନାହିଁ ବୋଲି କହି ବୁଲିଲେ। ଯାହାର ପରିଣାମ ସ୍ବରୂପ ଦଳ ୨୦୨୪ ନିର୍ବାଚନରେ ବାରବାଟୀ-କଟକରେ ଦଳ ତୃତୀୟ ସ୍ଥାନରେ ତ ରହିଲା, ପରେ ପରେ ଦଳରୁ ବରିଷ୍ଠ ନେତାମାନେ ଦୂରେଇବାରେ ଲାଗିଲେ। ଏ ସଂପର୍କରେ ଦଳର ନେତୃବୃନ୍ଦଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ ସ‌ତ୍ତ୍ବେ କୌଣସି ସୁଫଳ ମିଳିଲା ନାହିଁ। ଏଭଳି ସ୍ଥିତିରେ ଅତ୍ୟନ୍ତ ଭାରାକ୍ରାନ୍ତ ହୃଦୟରେ ଦଳରୁ ଇସ୍ତଫା ଦେଉଛି ବୋଲି ଶ୍ରୀ ସାହୁ ଉଲ୍ଲେଖ କରିଛନ୍ତି।

Nepal: ବାଲେନ, ଇସ୍ତଫା ଦିଅ: ଭାରତ ବିରୋଧୀ ମନ୍ତବ୍ୟକୁ ନେପାଳ ଛାତ୍ରଛାତ୍ରୀଙ୍କ ଜୋର୍‌ଦାର ବିରୋଧ

ଅନ୍ୟପଟେ ଜ୍ଞାନେନ୍ଦ୍ର ଗିରି ଗୋସ୍ବାମୀ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିଜେଡିର ରାଜ୍ୟ ସମ୍ପାଦକ, ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ଓ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା କଥା ଘୋଷଣା କରିଛନ୍ତି। ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଦଳରେ ଭି. କେ. ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ଦଳ ପରିଚାଳିତ ହେଉଛି। ବିଜେଡିର ବହୁ ବରିଷ୍ଠ ନେତାଙ୍କ ସହ ଅନେକ ଯୁବଛାତ୍ର ନେତାଙ୍କୁ କୋଣଠେସା କରାଯାଇଛି। ଏଭଳି ସ୍ଥିତିରେ ଦଳରେ ସ୍ବାଭିମାନର ସହ କାର୍ଯ୍ୟ କରିବା ଅସମ୍ଭବ ବୋଲି ସେ ତାଙ୍କ ଇସ୍ତଫାପତ୍ରରେ ଦର୍ଶାଇଛନ୍ତି। ସୂଚନାଯୋଗ୍ୟ ଯେ ଦେବାଶିଷ ସାମନ୍ତରାୟ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହେବା ପରେ କଟକ ବିଜେଡିର ଅନେକ ନେତା ଦଳ ଛାଡ଼ିବା ନେଇ ଯାହା ଆଶଙ୍କା କରାଯାଉଥିଲା, ସେ ପ୍ରକ୍ରିୟା ଆରମ୍ଭ ହୋଇଥିବା କୁହାଯାଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।