Coastal highway: ରାମେଶ୍ୱରରୁ ପାରାଦୀପ ଉପକୂଳ ରାଜପଥ: ୧୬୦ କିମି ଲମ୍ବ, ୮୩୦୦ କୋଟି ନିବେଶ, ଯାତ୍ରା ସମୟ ଅଢ଼େଇ ଘଣ୍ଟା କମିବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଆଜି ଓଡ଼ିଶାରେ ହାଇବ୍ରିଡ୍ ଆନୁଇଟି ମଡେଲ୍ ଆଧାରରେ ଖୋର୍ଦ୍ଧାର ରାମେଶ୍ୱରରୁ ପାରାଦୀପ ପର୍ଯ୍ୟନ୍ତ ନୂଆ ଉପକୂଳ ରାଜପଥ ନିର୍ମାଣକୁ ଅନୁମୋଦନ କରିଛି। ଦୁଇଟି ପ୍ୟାକେଜ୍ରେ ନିର୍ମାଣ ହେବାକୁ ଥିବା ଏହି ରାଜପଥର ମୋଟ ଦୈର୍ଘ୍ୟ ୧୬୩.୧୮୦ କିଲୋମିଟର ରହିବ। ଏଥିରେ ମୋଟ ୮୩୦୦.୭୯ କୋଟି ଟଙ୍କା ବ୍ୟୟ ହେବ। ରାମେଶ୍ବରରୁ କୋଣାର୍କ ପର୍ଯ୍ୟନ୍ତ ୭୯.୪୦ କିମିର ଚାରିଥାକିଆ ରାସ୍ତା ପାଇଁ ୫୩୦୪.୮୦ କୋଟି ଟଙ୍କା ଏବଂ କୋଣାର୍କରୁ ପାରାଦୀପ ପର୍ଯ୍ୟନ୍ତ ୮୦.୭୮ କିମି ବିଶିଷ୍ଟ ୨ ଥାକିଆ ରାସ୍ତା ପାଇଁ ୨୯୯୫.୯୯ କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ରାମେଶ୍ୱର ଓ ପାରାଦୀପ ମଧ୍ୟରେ ଯାତ୍ରା ସମୟ ପ୍ରାୟ ୨ଘଣ୍ଟା ୩୦ ମିନିଟ୍ ହ୍ରାସ ପାଇବ ବୋଲି ଆଶା କରାଯାଉଛି। ଏହି ପ୍ରକଳ୍ପକୁ ଓଡ଼ିଶା ଭିତ୍ତିଭୂମି ବିକାଶରେ ନୂଆ ଅଧ୍ୟାୟର ଆରମ୍ଭ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଏହି ମହତ୍ବପୂର୍ଣ୍ଣ ପ୍ରକଳ୍ପ ରାଜ୍ୟରେ ସଡ଼କ ସଂଯୋଗକୁୁ ସୁଦୃଢ଼ କରିବ, ଯାତ୍ରା ସମୟ ପ୍ରାୟ ଅଢ଼େଇ ଘଣ୍ଟା ହ୍ରାସ କରିବ ଏବଂ ପର୍ଯ୍ୟଟନ, ବାଣିଜ୍ୟ, ଲଜିଷ୍ଟିକ୍ସ ଓ ଅର୍ଥନୈତିକ ପ୍ରଗତି ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ ବୋଲି ସେ କହିଛନ୍ତି। ସେ ଓଡ଼ିଶାବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀ ମୋଦୀ ଓ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।
Neglect: ସ୍ବାଧୀନତାର ୭୮ବର୍ଷ ପରେ ଜିଲ୍ଲାପାଳଙ୍କୁ ଦେଖିଲେ ଦୁର୍ଗମ ଗାଁର ଲୋକେ
୧୬୦ କିମି ଲମ୍ବ, ୮୩୦୦ କୋଟି ନିବେଶ
ଯାତ୍ରା ସମୟ ଅଢ଼େଇ ଘଣ୍ଟା କମିବ
ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସୂଚନା ଅନୁସାରେ ଏହି ପ୍ରକଳ୍ପ ଓଡ଼ିଶାର ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଓ ଜଗତସିଂପୁର ଜିଲ୍ଲା ଦେଇ ଗତି କରିବ। ଏନ୍ଏଚ୍-୧୬ର ଅଂଶ ଭାବେ ଖୋର୍ଦ୍ଧା, ଭୁବନେଶ୍ବର ଓ କଟକ ଦେଇ ପୂର୍ବରୁ ୬-ଲେନ୍ ବିଶିଷ୍ଟ ରାଜପଥ ଯାଇଛି। ଭୁବନେଶ୍ବରକୁ ପୁରୀ ସହ ଯୋଡ଼ୁଥିବା ଏନ୍ଏଚ୍-୩୧୬ ସାତପଡ଼ା ଓ କୋଣାର୍କ ପର୍ଯ୍ୟନ୍ତ ସମ୍ପ୍ରସାରିତ ହେବ। ପୂର୍ବରୁ ପୁରୀରୁ କୋଣାର୍କ ଏବଂ ପୁରୀରୁ ସାତପଡ଼ାକୁ ଥିବା ରାସ୍ତାର ଜ୍ୟାମିତିକ ଡିଜାଇନ୍ ଅତ୍ୟନ୍ତ ଦୁର୍ବଳ ରହିଛି। ନୂଆ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାପରେ ସେଥିରେ ବ୍ୟାପକ ସୁଧାର ଘଟିବ। ଏହି ପ୍ରକଳ୍ପର ପ୍ରଥମ ପ୍ୟାକେଜ୍ରେ ରାମେଶ୍ୱରରୁ କୋଣାର୍କ ପର୍ଯ୍ୟନ୍ତ ୪ ଥାକିଆ ଏବଂ ଦ୍ବିତୀୟ ପ୍ୟାକେଜ୍ରେ କୋଣାର୍କରୁ ପାରାଦୀପ ପର୍ଯ୍ୟନ୍ତ ପେଭ୍ଡ ସୋଲଡର୍ ସହ ୨ ଥାକିଆ ରାସ୍ତା ତିଆରି ହେବ। ଏହାଦ୍ୱାରା ଗାଡ଼ିର ଗତି ଘଣ୍ଟାପ୍ରତି ୧୦୦ କିଲୋମିଟର ସୁନିଶ୍ଚିତ ହେବ ଏବଂ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଓ ଜଗତସିଂପୁର ଜିଲ୍ଲାରେ ଗମନାଗମନ ଦକ୍ଷତା ବୃଦ୍ଧି ପାଇବ। ଏହି ପ୍ରକଳ୍ପ ଆଞ୍ଚଳିକ ଗମାନଗମନକୁ ସୁଦୃଢ଼ କରିବ ଏବଂ ସାମାଜିକ ଓ ଆର୍ଥିକ ବିକାଶକୁ ପ୍ରୋତ୍ସାହିତ କରିବ। ଏହି ପ୍ରକଳ୍ପ ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନା ସହ ସହିତ ସମନ୍ୱିତ ଏବଂ ୯ଟି ଅର୍ଥନୈତିକ ନୋଡ୍ ଓ ୫ଟି ଲଜିଷ୍ଟିକ୍ ନୋଡ୍ ସହିତ ଯୋଡ଼ିହେବ। ଏହା ଦେଶର ଲଜିଷ୍ଟିକ୍ ପ୍ରଦର୍ଶନ ସୂଚକାଙ୍କ ଉପରେ ଏକ ସକାରାତ୍ମକ ପ୍ରଭାବ ପକାଇବ। ଏହା ସହିତ ଯାତ୍ରୀ ଏବଂ ମାଲ ପରିବହନ ଉଭୟ ପାଇଁ ନିରାପଦ, ଦ୍ରୁତ ଓ ନିରବଚ୍ଛିନ୍ନ ସଂଯୋଗୀକରଣ ପ୍ରଦାନ କରିବ। ଏହା ସହିତ ଏହି ପ୍ରକଳ୍ପ ଇନ୍ଧନ ବ୍ୟବହାର, କାର୍ବନ୍ ନିର୍ଗମନ ଓ ଯାନବାହନ ପରିଚାଳନା ଖର୍ଚ୍ଚରେ ଯଥେଷ୍ଟ ହ୍ରାସ ଆଣିବ।
Nepal: ବାଲେନ, ଇସ୍ତଫା ଦିଅ: ଭାରତ ବିରୋଧୀ ମନ୍ତବ୍ୟକୁ ନେପାଳ ଛାତ୍ରଛାତ୍ରୀଙ୍କ ଜୋର୍ଦାର ବିରୋଧ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।