Crime : ରାଜଧାନୀରେ ବିଭତ୍ସ ହତ୍ୟା : ବାପା-ଭଉଣୀ ଆଗରେ ଯୁବକଙ୍କୁ ଲୁହାରଡରେ ପିଟି ପିଟି ହତ୍ୟା, କୋମାରେ ବାପା
ଭୁବନେଶ୍ୱର, ୨୯।୬ : ରାଜଧାନୀ ଖଣ୍ଡଗିରି ଥାନା ଅଞ୍ଚଳରେ ଅପରାଧୀମାନେ ବିଭତ୍ସ କାଣ୍ଡ ଘଟାଇଛନ୍ତି। ଖଣ୍ଡଗିରି ଥାନା ଠାରୁ ମାତ୍ର କିଛି ଦୂର କୋଳଥିଆ ଅଞ୍ଚଳରେ ଜଣେ ଯୁବକଙ୍କୁ ଲୁହାରଡରେ ପିଟି ପିଟି ହତ୍ୟା କରାଯାଇଛି। ଏପରିକି ବାପା ଓ ଭଉଣୀଙ୍କ ଆଗରେ ଦୁର୍ବୃତ୍ତମାନେ ମରଣାନ୍ତକ ଆକ୍ରମଣ କରିବାକୁ ପଛାଇନାହାନ୍ତି। ଆକ୍ରମଣରେ ବାପା ଓ ଭଉଣୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକ ହେଲେ କୃଷ୍ଣଚନ୍ଦ୍ର ପାଢ଼ୀ ଓରଫ ବୁଦ୍ଧି (୨୦)। ସେ ଯୁକ୍ତ-୩ ଦ୍ବିତୀୟ ବର୍ଷର ଛାତ୍ର ଥିଲେ। ରବିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ସୋମବାର ଲୋକଲୋଚନକୁ ଆସିଛି। କୃଷ୍ଣଙ୍କ ମୁଣ୍ଡ ସମେତ ଅନ୍ୟାନ୍ୟ ଅଙ୍ଗରେ ଗଭୀର ଆଘାତ ଲାଗିଛି। ଅଭିଯୁକ୍ତମାନେ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟାଇ ଫେରାର ହୋଇଯାଇଛନ୍ତି। ପୋଲିସ ସେମାନଙ୍କୁ ଧରିବାକୁ ପ୍ରୟାସ ଚଳାଇଛି। ପୂର୍ବଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ଅନୁମାନ କରୁଛି। ପୋଲିସ ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଛି।
କୋମାରେ ବାପା, ଭଉଣୀ ଆହତ
ଅନ୍ୟପକ୍ଷରେ ମୃତ କୃଷ୍ଣଙ୍କ ବାପା ହିମାଂଶୁ ପାଢ଼ୀ ଆକ୍ରମଣରେ ଶିକାର ହୋଇ କୋମା ସ୍ଥିତିକୁ ଚାଳିଯାଇଛନ୍ତି। ଭଉଣୀ ତାପସୀ ପାଢ଼ୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ହିମାଂଶୁଙ୍କୁ ଏମ୍ସ ଭେଣ୍ଟିଲେଟରରେ ଚିକିତ୍ସା କରାଯାଉଛି। ତାପସୀଙ୍କୁ ମଧ୍ୟ ଏମ୍ସରେ ଚିକିତ୍ସା କରାଯାଉଛି। ଅନ୍ୟପକ୍ଷରେ ମୃତଦେହକୁ ପୋଲିସ ଜବତ କରିଥିବା ବେଳେ ଏମ୍ସରେ ବ୍ୟବଚ୍ଛେଦ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।
୨୦ରୁ ଊର୍ଦ୍ଧ୍ଵ ବର୍ଷ ହେବ ଭୁବନେଶ୍ୱରରେ ରହୁଛନ୍ତି ପରିବାର
ସମ୍ପର୍କୀୟଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ହିମାଂଶୁଙ୍କ ନିଜ ଘର ଗଞ୍ଜାମ ଜିଲ୍ଲା ଶୋରଡ଼ା ବ୍ଲକରେ ହୋଇଥିବା ବେଳେ ସେ ୨୦ ବର୍ଷରୁ ଊର୍ଦ୍ଧ୍ଵ ହେବ ଭୁବନେଶ୍ୱରେ ପରିବାର ସହ ରହୁଛନ୍ତି। ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ କୋଳଥିଆ ଅଞ୍ଚଳରେ ଥିବା ଭିଣୋଇ ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ଜମିରେ ସେ ଏକ ଆଜବେଷ୍ଟ ଘର କରି ରହୁଛନ୍ତି। ବର୍ଷେ ତଳେ ହିମାଂଶୁଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା। ପରିବାରରେ ଏବେ ୩ ଜଣ ସଦସ୍ୟ। ହିମାଂଶୁ ପୁରୋହିତ କାର୍ଯ୍ୟ କରି ରୋଜଗାର କରନ୍ତି ବୋଲି ସୂଚନା ମିଳିଛି।
ବିଳମ୍ବିତ ରାତିରେ ମୁଖାପିନ୍ଧି ଆସି ଭିଆଇଲେ କାଣ୍ଡ
ପୋଲିସ ରେକର୍ଡ କରିଥିବା ବୟାନ ଅନୁଯାୟୀ, ରବିବାର ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ପାଚେରୀ ଡେଇଁ ଦୁଇରୁ ତିନି ଜଣ ଦୁର୍ବୃତ୍ତ ମୁଖାପିନ୍ଧି ଆସିଥିଲେ। କୃଷ୍ଣଙ୍କ ସହ ତାଙ୍କ ବାପା, ଭଉଣୀ ମଧ୍ୟ ଶୋଇଥିଲେ। ଅଭିଯୁକ୍ତମାନେ କବାଟ ଖୋଲି ଭିତରକୁ ପଶିଥିଲେ। ଏହାପରେ କୃଷ୍ଣଙ୍କୁ ସେମାନେ ଘରୁ ଡାକିଆଣି ନିକଟରେ ଲୁହାରଡରେ ଆକ୍ରମଣ କରିଥିଲେ। ବାପା ଓ ଭଉଣୀ ସେଠାକୁ ଆସି ବିରୋଧ କରିବା ସହ ଛଡାଛଡି କରିଥିଲେ। ହେଲେ ସେମାନଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ।
ନମୁନା ସଂଗ୍ରହ କଲା ସାଇଣ୍ଟିଫିକ୍ ଟିମ
ଘଟଣାସ୍ଥଳକୁ ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଅନ୍ୟ ପୋଲିସ କର୍ମଚାରୀଙ୍କ ଯାଇ ତଦନ୍ତ କରିଥିଲେ। ପୋଲିସ ଟିମ୍ ସ୍ଥାନୀୟ ଅଞ୍ଚଳରେ ଲୋକମାନଙ୍କୁ ପଚରାଉଚରା କରି ତଥ୍ୟ ହାସଲ କରିଥିଲା। ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳକୁ ଯାଇ ବିଭିନ୍ନ ନମୁନା ସଂଗ୍ରହ କରିଥିଲା। ଥାନାଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି, ଏନେଇ ଏକ ହତ୍ୟା ମାମଲା ରୁଜୁ କରି ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯାଉଛି। ଅଭିଯୁକ୍ତମାନଙ୍କୁ ଚିହ୍ନଟ ସହ ଗିରଫ ପାଇଁ ପ୍ରୟାସ ଚାଲିଛି ବୋଲି ସେ କହିଛନ୍ତି।