Congress Workers Damage Meta's Hyderabad Office: ମେଟା ଅଫିସ୍ରେ ଭଙ୍ଗାରୁଜା କଲେ ଯୁବ କଂଗ୍ରେସ କର୍ମୀ; ୭ ଦିନର ମହଲତ, ପୁଣି ଆନ୍ଦୋଳନ ଚେତାବନୀ!
ସୋସିଆଲ ମିଡିଆ ଆକାଉଣ୍ଟ ଉପରେ କଟକଣାକୁ ନେଇ ତେଜିଲା ବିବାଦ।
ଏହାର ପ୍ରତିବାଦରେ ତେଲେଙ୍ଗାନା ଯୁବ କଂଗ୍ରେସ କର୍ମୀମାନେ ହାଇଦ୍ରାବାଦସ୍ଥିତ ମେଟା କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା କରିଛନ୍ତି।
କାର୍ଯ୍ୟାଳୟ ପରିସରରେ ଥିବା ଫୁଲକୁଣ୍ଡ ଭାଙ୍ଗିବା ସହ ଅଫିସ୍ ଭିତରେ ହୋହଲ୍ଲା କରିଥିଲେ ଆନ୍ଦୋଳନକାରୀ।
ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି।
Advertisment ରାଜ୍ୟ ଯୁବ କଂଗ୍ରେସ ସଭାପତି ଜକ୍କିଡି ଶିବଚରଣ ରେଡ୍ଡୀଙ୍କ ନେତୃତ୍ୱରେ କର୍ମୀମାନେ ମେଟା ଏବଂ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ।
ସୋସିଆଲ ମିଡିଆ ପ୍ଲାଟଫର୍ମରେ ରାଜନୈତିକ ହସ୍ତକ୍ଷେପ ହେଉଥିବା ଅଭିଯୋଗ କରିବା ସହ କଟକଣା ଲାଗିଥିବା କିଛି ପୋଷ୍ଟକୁ ପୁନଃ ଜାରି କରିବାକୁ ଦାବି କରିଥିଲେ।
ଭାଇରାଲ୍ ଭିଡିଓରେ ଆନ୍ଦୋଳନକାରୀମାନେ ମେଟା ଅଫିସ୍ର କରିଡର୍ ଓ କ୍ୟାଫେଟେରିଆ ନିକଟରେ ଦୌଡ଼ାଦୌଡ଼ି କରୁଥିବା ଦେଖାଯାଇଛି।
କିଛି କର୍ମୀ ଫୁଲକୁଣ୍ଡ ଭାଙ୍ଗୁଥିବା ମଧ୍ୟ ନଜରକୁ ଆସିଛି।
Advertisment ଭାରତୀୟ ଯୁବ କଂଗ୍ରେସ (IYC) ଏକ୍ସରେ ପୋଷ୍ଟ କରି ମେଟାକୁ କଡ଼ା ଭାଷାରେ ସମାଲୋଚନା କରିଛି।
ସଂଗଠନ ପକ୍ଷରୁ କଟକଣା ଲାଗିଥିବା ଆକାଉଣ୍ଟ ଓ ପୋଷ୍ଟଗୁଡ଼ିକୁ ୭ ଦିନ ମଧ୍ୟରେ ପୁନଃ ସଚଳ କରିବାକୁ ଅଲ୍ଟିମେଟମ୍ ଦିଆଯାଇଛି।
ଦାବି ପୂରଣ ନହେଲେ କୋର୍ଟ, ରାସ୍ତା ଓ ମେଟା କାର୍ଯ୍ୟାଳୟରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି।
ସୂଚନା ଅନୁସାରେ, ଯୁବ କଂଗ୍ରେସର ଜାତୀୟ ସଭାପତି ଉଦୟ ଭାନୁ ଚିବ୍ ଏବଂ ଜାତୀୟ ପ୍ରଭାରୀ ମନୀଷ ଶର୍ମାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଉପରେ ମେଟା କଟକଣା ଲଗାଇଥିଲା।
ଏହାର ପ୍ରତିବାଦରେ ହାଇଦ୍ରାବାଦ ସହ ମୁମ୍ବାଇରେ ମଧ୍ୟ ମେଟା ବିରୋଧରେ ଯୁବ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଥିଲା।
ମୁମ୍ବାଇ ଯୁବ କଂଗ୍ରେସ ସଭାପତି ଜିନତ୍ ଶାବ୍ରିନଙ୍କ ନେତୃତ୍ୱରେ ୱାର୍ଲ୍ଡ ୱାନ୍ ପରିସରରେ ଏହି ଆନ୍ଦୋଳନ ହୋଇଥିଲା।
ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପୋଷ୍ଟର ମଧ୍ୟ ଜଳାଯାଇଥିଲା।
ବିଜେପି ଓ ଆର୍ଏସ୍ଏସ୍ ବିରୋଧରେ ସମାଲୋଚନା କରୁଥିବା ସ୍ୱରକୁ ଚପାଇବା ପାଇଁ ମେଟା ଏଭଳି ପଦକ୍ଷେପ ନେଇଥିବା ଯୁବ କଂଗ୍ରେସ ଅଭିଯୋଗ କରିଛି।
ଏହି ବିବାଦରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ମେଟାକୁ ସମାଲୋଚନା କରିଛନ୍ତି।
ଏକ୍ସରେ ସେ ଲେଖିଛନ୍ତି ଯେ, ବିଦେଶୀ କମ୍ପାନୀଗୁଡ଼ିକ ଭାରତରେ ବ୍ୟବସାୟ କରନ୍ତୁ, ରାଜନୀତି ନୁହେଁ।
ସମସ୍ତଙ୍କୁ ସମାନ ବ୍ୟବହାର କରିବା ଏକ ଭଲ କମ୍ପାନୀର ପରିଚୟ।
ସରକାର ମଧ୍ୟ ବିଦେଶୀ କମ୍ପାନୀଙ୍କ ବ୍ୟବସାୟରେ ଅଯଥା ଚାପ ପକାଇ ରାଜନୀତି କରିବା ଉଚିତ୍ ନୁହେଁ।
ମେଟା ଅଫିସ୍ରେ ଭଙ୍ଗାରୁଜା ଘଟଣାକୁ ନେଇ ବିଜେପି କଂଗ୍ରେସକୁ ତୀବ୍ର ସମାଲୋଚନା କରିଛି।
ବିଜେପି ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ଯୁବ କଂଗ୍ରେସ କର୍ମୀଙ୍କୁ ଗୁଣ୍ଡା କହିବା ସହ କଂଗ୍ରେସକୁ 'ଗୁଣ୍ଡାଙ୍କ ଦଳ' ବୋଲି ଆକ୍ଷେପ କରିଛନ୍ତି।
ସେ କହିଛନ୍ତି ଯେ, ହାଇଦ୍ରାବାଦରେ ମେଟା କାର୍ଯ୍ୟାଳୟକୁ ଭଙ୍ଗାରୁଜା କରିବା ପରେ କଂଗ୍ରେସ କର୍ମୀମାନେ ସୋସିଆଲ ମିଡିଆରେ ଏହାକୁ ନେଇ ଗର୍ବ କରୁଛନ୍ତି।
ଏହା କଂଗ୍ରେସର ରାଜନୈତିକ ସଂସ୍କୃତିକୁ ଦର୍ଶାଉଛି ବୋଲି ସେ ଅଭିଯୋଗ କରିଛନ୍ତି।
ଏହି ଘଟଣାକୁ ନେଇ BRS ନେତା କେଟି ରାମା ରାଓ ମଧ୍ୟ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି।
ସେ ଯୁବ କଂଗ୍ରେସ କର୍ମୀଙ୍କୁ ଗୁଣ୍ଡା ବୋଲି କହିବା ସହ ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ କରିଛନ୍ତି ଯେ, ଦେଶକୁ କମ୍ପାନୀ ଆଣିବାର ଏହା କ'ଣ ତାଙ୍କ ଉପାୟ?
କେଟିଆର୍ କହିଛନ୍ତି, 'ବ୍ରାଣ୍ଡ୍ ହାଇଦ୍ରାବାଦ' ଦୀର୍ଘ ବର୍ଷର ପରିଶ୍ରମ ଓ ବ୍ୟବସାୟ ଅନୁକୂଳ ନୀତି ଯୋଗୁଁ ଗଢ଼ି ଉଠିଛି।
ମେଟାର ଭାରତର ସବୁଠାରୁ ବଡ଼ କ୍ୟାମ୍ପସ୍ ହାଇଦ୍ରାବାଦରେ ରହିଛି।
ସୁରକ୍ଷିତ କାର୍ଯ୍ୟ ପରିବେଶର ପ୍ରତିଶ୍ରୁତି ଯୋଗୁଁ କମ୍ପାନୀ ଏହି ସହରକୁ ବାଛିଥିଲା।
କିନ୍ତୁ ଏଭଳି ଭଙ୍ଗାରୁଜା କେବଳ କାଚ ଭାଙ୍ଗିନାହିଁ, ବରଂ 'ବ୍ରାଣ୍ଡ୍ ହାଇଦ୍ରାବାଦ' ଉପରେ ଥିବା ବିଶ୍ୱାସକୁ ମଧ୍ୟ ଆଘାତ ଦେଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
