29 JUNE 2026

Welcome!

Unlock your personalized experience.
Sign Up

Congress: ‘ଭିବିଜି-ରାମ୍‌ଜି’ ଯୋଜନା କେବଳ କେନ୍ଦ୍ରୀକରଣକୁ ବଢ଼ାଇବ: କଂଗ୍ରେସର ଅଭିଯୋଗ

Jun 28, 2026 - 20:38
Congress: ‘ଭିବିଜି-ରାମ୍‌ଜି’ ଯୋଜନା କେବଳ କେନ୍ଦ୍ରୀକରଣକୁ ବଢ଼ାଇବ: କଂଗ୍ରେସର ଅଭିଯୋଗ

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ରୋଜଗାର ଆଇନ (ମନରେଗା)ର ବିକଳ୍ପ ଭାବେ କେନ୍ଦ୍ର ସରକାର ଆଣିଥିବା ‘ବିକଶିତ ଭାରତ–ଗ୍ୟାରେଣ୍ଟି ଫର୍ ରୋଜଗାର ଆଣ୍ଡ୍ ଆଜୀବିକା ମିସନ (ଗ୍ରାମୀଣ)’ (ଭିବିଜି-ରାମ୍‌ଜି) ଆଇନକୁ ନେଇ କଂଗ୍ରେସ ତୀବ୍ର ସମାଲୋଚନା କରିଛି। ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ ରବିବାର କହିଛନ୍ତି, ଏହି ନୂଆ ଆଇନ ଗ୍ରାମୀଣ ଲୋକଙ୍କ ପାଇଁ ରୋଜଗାରର ନିଶ୍ଚିତତା ଦେବା ପରିବର୍ତ୍ତେ କେନ୍ଦ୍ରୀକରଣ ବଢ଼ାଇବ ଏବଂ ରାଜ୍ୟ ସରକାରଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡ଼ିବ।

ରମେଶ ଅଭିଯୋଗ କରିଛନ୍ତି ଯେ, ମୋଦୀ ସରକାର ମନରେଗାକୁ ବିଲୋପ କରିବା ପୂର୍ବରୁ ସଂସଦୀୟ ଗ୍ରାମୀଣ ବିକାଶ ସ୍ଥାୟୀ କମିଟି, ରାଜ୍ୟ ସରକାର କିମ୍ବା ଅନ୍ୟ ସମ୍ପୃକ୍ତ ପକ୍ଷଙ୍କ ସହ କୌଣସି ବ୍ୟାପକ ଆଲୋଚନା କରି ନ ଥିଲେ। ସରକାର ତରବରିଆ ଭାବେ ସଂସଦରେ ଏହାକୁ ପାରିତ କରିଥିବା ସେ କହିଛନ୍ତି। ତାଙ୍କ କହିବା ଅନୁସାରେ, ଜୁଲାଇ ୧ରୁ ଦେଶବ୍ୟାପୀ ଲାଗୁ ହେବାକୁ ଥିବା ଏହି ନୂଆ ଯୋଜନାକୁ ନେଇ ଅନେକ ରାଜ୍ୟ ସରକାର ଗୁରୁତର ଆପତ୍ତି ଉଠାଇଛନ୍ତି। ବିଜେପି ଶାସିତ ମଧ୍ୟପ୍ରଦେଶ, ବିହାର ଓ ଉତ୍ତରାଖଣ୍ଡ ରାଜ୍ୟ ସରକାର ମଧ୍ୟ ଏହି ଆଇନ ଫଳରେ ରାଜ୍ୟଗୁଡ଼ିକ ଉପରେ ବହୁତ ଅଧିକ ଆର୍ଥିକ ବ୍ୟୟର ବୋଝ ପଡ଼ିବ ବୋଲି ଚିନ୍ତା ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: Climate Panchayar: ‘ସନ୍ତୁଳିତ ପରିବେଶ ପାଇଁ ସମ୍ମିଳିତ ଉଦ୍ୟମ ଅପରିହାର୍ଯ୍ୟ’

ଏହାଛଡ଼ା ଆଉ ଚାରିଟି ରାଜ୍ୟ ସରକାର କୃଷିର ବ୍ୟସ୍ତ ସମୟରେ ଯୋଜନାରେ ରଖାଯାଇଥିବା ‘ବ୍ଲାକ୍‌ଆଉଟ୍ ପିରିଅଡ୍’କୁ ବିରୋଧ କରିଛନ୍ତି। ସେହିପରି ଅତି କମ୍‌ରେ ପାଞ୍ଚଟି ରାଜ୍ୟ ଗ୍ରାମୀଣ ଶ୍ରମିକଙ୍କ ଦୈନିକ ମଜୁରି ବଢ଼ାଇବାକୁ ଦାବି କରିଛି। ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ନିଜ ରାଜ୍ୟ ମଧ୍ୟପ୍ରଦେଶ ମଧ୍ୟ ଏହି ନୂଆ ଆଇନକୁ ନେଇ ପ୍ରଶ୍ନ ଉଠାଇଥିବା ଜୟରାମ ରମେଶ କହିଛନ୍ତି।

କଂଗ୍ରେସର ମତରେ, ମନରେଗା ଗ୍ରାମୀଣ ପରିବାରଙ୍କୁ କାମ କରିବାର ଅଧିକାର ସୁନିଶ୍ଚିତ କରୁଥିଲା। କିନ୍ତୁ ନୂଆ ଆଇନ କେବଳ କେନ୍ଦ୍ରୀକରଣକୁ ବଢ଼ାଇବ ଏବଂ ରାଜ୍ୟଗୁଡ଼ିକୁ ଆର୍ଥିକ ଭାବେ ଅଧିକ ଚାପରେ ପକାଇବ। ଏହା ସହ ଗ୍ରାମୀଣ ଶ୍ରମିକଙ୍କ ମୂଲଚାଲ କ୍ଷମତାକୁ ମଧ୍ୟ ଦୁର୍ବଳ କରିଦେବ ବୋଲି ଦଳ ଅଭିଯୋଗ କରିଛି।

ଆହୁରି ପଢ଼ନ୍ତୁ: Umerkote accident ମିନି ଟ୍ରକ୍‌ ଧକ୍କାରେ ୪ ବର୍ଷର ଶିଶୁକନ୍ୟାଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ବିକ୍ଷୋଭ
ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଯେ, ଜୁଲାଇ ୧ରୁ ଦେଶବ୍ୟାପୀ ନୂଆ ଭିବିଜି-ରାମ୍‌ଜି ଆଇନ ଲାଗୁ ହେବ। ପ୍ରାୟ ଦୁଇ ଦଶନ୍ଧି ଧରି ଚାଲୁଥିବା ମନରେଗା ସ୍ଥାନରେ ଏହି ନୂଆ ଆଇନ କାର୍ଯ୍ୟକାରୀ ହେବ। ଏଥିରେ ଗ୍ରାମୀଣ ପରିବାରମାନଙ୍କୁ ବର୍ଷକୁ ୧୨୫ ଦିନର ବୈଧ ମଜୁରିଭିତ୍ତିକ ରୋଜଗାର ଯୋଗାଇବାର ବ୍ୟବସ୍ଥା ରହିଛି।