ପଶ୍ଚିମବଙ୍ଗରେ ରାଜନୈତିକ ହଟଚମଟ: ମମତାଙ୍କ ଦଳ ଦୁଇ ଫାଳ, ଋତବ୍ରତ ବାନାର୍ଜୀ ବିରୋଧୀ ଦଳ ନେତା ନିଯୁକ୍ତ

କୋଲକାତା: ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ ହୋଇଥିବା ତୃଣମୂଳ କଂଗ୍ରେସ ବିଧାୟକ ଋତବ୍ରତ ବାନାର୍ଜୀଙ୍କୁ ଆଜି ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତି ରଥୀନ୍ଦ୍ରନାଥ ବୋଷ୍ ବିରୋଧୀ ଦଳ ନେତା ନିଯୁକ୍ତ କରିଛନ୍ତି। ଏପରିକି ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ନେତାଙ୍କ ପାଇଁ ଉଦ୍ଦିଷ୍ଟ କକ୍ଷର ଚାବି ମଧ୍ୟ ବାଚସ୍ପତି ତାଙ୍କୁ ହସ୍ତାନ୍ତର କରିଛନ୍ତି। ଋତବ୍ରତଙ୍କୁ ୬୦ ଜଣ ବିଧାୟକ ସମର୍ଥନ କରୁଥିବା ନେଇ ଏକ ଚିଠି ପାଇବାପରେ ବାଚସ୍ପତି ତାଙ୍କୁୁ ବିରୋଧୀ ଦଳ ନେତା ନିଯୁକ୍ତ କରିଛନ୍ତି। ଆଜିର ଘଟଣାକ୍ରମ ଟିଏମ୍ସି ସୁପ୍ରିମୋ ମମତା ବାନାର୍ଜୀଙ୍କ ପାଇଁ ଏକ ରାଜନୈତିକ ଭୂକମ୍ପ ଆଣିଛି। ଋତବ୍ରତଙ୍କ ସହ ଆଜି ୫୮ ବିଧାୟକଙ୍କୁ ଦେଖିବାକୁ ମିଳିଥିବା ବେଳେ ଅନ୍ୟ ୨ ବିଧାୟକ ଏବେ ରାଜ୍ୟ ବାହାରେ ଅଛନ୍ତି। ଟିଏମ୍ସିରେ ଏହି ବଡ଼ ବିଭାଜନ ମମତାଙ୍କ ରାଜନୈତିକ ପ୍ରଭାବକୁ ସଙ୍କୁଚିତ କରିଦେବା ସହ ଏବେ ଦଳ ଉପରେ ତାଙ୍କର ନିୟନ୍ତ୍ରଣକୁ ନେଇ ପ୍ରଶ୍ନଚିହ୍ନ ଲଗାଇଦେଇଛି।
Westbengal: ଋତବ୍ରତ ବାନାର୍ଜୀ ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ନିଯୁକ୍ତ
ମମତାଙ୍କୁ ‘ମାର୍ଗଦର୍ଶକ’ ଭାବେ ରହିବାକୁ କହିଲେ
ଆଜି ଜାଭେଦ ଖାନ, ସନ୍ଦୀପନ ସାହା, ସବିନା ଜସ୍ମିନ, ଶିଉଳି ସାହାଙ୍କୁ ଟିଏମ୍ସି ବିଧାୟକ ଦଳର ଉପନେତା ନିଯୁକ୍ତ କରାଯାଇଛି। ବିରୋଧୀ ଦଳ ନେତା ନିଯୁକ୍ତ ହେବାପରେ ଋତବ୍ରତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଦଳ ଏବେ ବି ଟିଏମ୍ସି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏହାର ନେତା ବିବେଚନା କରୁଛି ଏବଂ ମାର୍ଗଦର୍ଶକ ହେବାକୁ ଆମେ ମମତାଙ୍କୁ ଅନୁରୋଧ କରିବୁ ବୋଲି ଋତବ୍ରତ କହିଛନ୍ତି। ଋତବ୍ରତ ସ୍ପଷ୍ଟ କରିଛନ୍ତି ଯେ ବିଦ୍ରୋହୀ ବିଧାୟକମାନେ ମମତାଙ୍କ ନେତୃତ୍ବକୁ ଚ୍ୟାଲେଞ୍ଜ କରିବେ ନାହିଁ, କିନ୍ତୁ ସାଂସଦ ଅଭିଷେକ ବାନାର୍ଜୀଙ୍କ ଟିଏମ୍ସି ବିଧାୟକ ଦଳ ଉପରେ କୌଣସି ନିୟନ୍ତ୍ରଣ ରହିବ ନାହିଁ।
ଆଜି ୫୮ ଜଣ ଟିଏମ୍ସି ବିଧାୟକ ଋତବ୍ରତଙ୍କୁ ବିରୋଧୀ ଦଳ ନେତା ନିଯୁକ୍ତ କରିବାପାଇଁ ବାଚସ୍ପତିଙ୍କ ନିକଟରେ ଏକ ପ୍ରସ୍ତାବ ଦାଖଲ କରିଥିଲେ। ବିଦ୍ରୋହୀ ବିଧାୟକମାନେ ଦାବି କରିଥିଲେ ଯେ ଏହି ଗୋଷ୍ଠୀକୁ ଟିଏମ୍ସିର ‘ବାସ୍ତବ’ ଗୋଷ୍ଠୀ ଭାବେ ବିବେଚନା କରାଯିବା ଉଚିତ। ବାଚସ୍ପତି ଏହି ପ୍ରସ୍ତାବକୁ ଗ୍ରହଣ କରିବା ସହ ଋତବ୍ରତଙ୍କୁ ବିରୋଧୀ ଦଳ ନେତା ନିଯୁକ୍ତ କରିଛନ୍ତି। ଉଲ୍ଲେଖଯୋଗ୍ୟ, ସପ୍ତାହରେ ଟିଏମ୍ସି ସାଂସଦ ଅଭିଷେକ ବାନାର୍ଜୀ ଦଳର ସାଧାରଣ ସମ୍ପାଦକ ଭାବେ ତାଙ୍କ ଭୂମିକା ସହ ଶୋଭନଦେବ ଚଟ୍ଟୋପାଧ୍ୟାୟଙ୍କୁ ବିରୋଧୀ ଦଳ ନେତା ନିଯୁକ୍ତ କରିବାପାଇଁ ବାଚସ୍ପତିଙ୍କ ନିକଟରେ ଏକ ପ୍ରସ୍ତାବ ଉପସ୍ଥାପନ କରିଥିଲେ। କିନ୍ତୁ ଏହି ପ୍ରସ୍ତାବରେ ଅନେକ ଦସ୍ତଖତ ନକଲି ବୋଲି ଋତବ୍ରତ ଓ ସନ୍ଦୀପନ ଅଭିଯୋଗ କରିବାପରେ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିନଥିଲେ। ଏହି ନକଲି ଦସ୍ତଖତ ମାମଲାରେ ସିଆଇଡି ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।