Choudwar Jail Break Controversy: ଖୋଲୁଛି ଚୌଦ୍ବାର ଜେଲ କଏଦୀ ଚମ୍ପଟ ଚଞ୍ଚକତା, ଖସି ନଥିଲେ ବରଂ ଖସାଇଦେଇଥିବା ଅଭିଯୋଗ
ପୁଣି ବିବାଦରେ ଚୌଦ୍ବାର ଜେଲ ସୁପରିଟେଣ୍ଡେଣ୍ଟ ସୁଜିତ ରାଉଳ
ସୁଜିତଙ୍କ ବିରୋଧରେ ଆସିଲା ସଙ୍ଗୀନ ଅଭିଯୋଗ
୨ ବିହାରୀ କଏଦୀ ଫେରାର ଘଟଣାରେ ରହିଛି ସୁଜିତଙ୍କ ହାତ
ପଦର ଅପବ୍ୟବହାର କରି ଜେଲ ଭିତରେ ବେନିୟମ କାମ କରୁଛନ୍ତି ଅଧକ୍ଷୀକ ସୁଜିତ ରାଉଳ । ସତ ଚାପିବାକୁ ଜାଲ ଦସ୍ତଖତ କରିବା ସହିତ ସରକାରୀ ଦସ୍ତାବିଜ୍ ହେରଫେର କରୁଛନ୍ତି । ଏପରକି ଗତ ବର୍ଷ ଦଶହରାରେ ୨ ଦୁର୍ଦ୍ଦାନ୍ତ ବିହାରୀ କଏଦୀ ଫେରାର୍ ଘଟଣାରେ ମଧ୍ୟ ସୁଜିତ ରାଉଳଙ୍କ ବଡ଼ ଭୂମିକା ରହିଛି ।ଏସବୁ ସଙ୍ଗୀନ ଅଭିଯୋଗ ଆଣି ସୁଜିତଙ୍କ ବିରୋଧରେ ଏଫଆଇଆର ରୁଜୁ ପାଇଁ ଚୌଦ୍ବାର ଥାନା ଆଇଆଇସିଙ୍କୁ ଚିଠି ଲେଖିଛନ୍ତି ରାଜ୍ୟସଭା ସାଂସଦ ସୁଜିତ କୁମାର । କେବଳ ସୁଜିତ ରାଉଳ ନୁହଁନ୍ତି ଜେଲ ଡିଜି ସୁଶାନ୍ତ ନାଥଙ୍କ ଆଡକୁ ମଧ୍ୟ ଅଙ୍ଗୁଳି ଉଠାଇ ତାଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି ସୁଜିତ କୁମାର । ସେପଟେ ପୁରା ଘଟଣାର ତଦନ୍ତ ହେବା ଜରୁରୀ ବୋଲି କହିଛନ୍ତି ପୂର୍ବତନ ପୋଲିସ ଡିଜି ।
ଇତିମଧ୍ୟରେ ସୁଜିତ ରାଉଳଙ୍କ କାରନାମାର କିଛି ଦସ୍ତାବିଜ୍ ଓଟିଭି ହାତରେ ଲାଗିଛି । ଚୌଦ୍ବାର ଜେଲର ଇନ୍ ଆଣ୍ଡ ଆଉଟ ରେଜିଷ୍ଟର । ଦୁଇ ବିହାରୀ କଏଦୀ ଜେଲ଼ରୁ ଫେରାର୍ ହୋଇଯିବା ପରେ ନିଜର ଦୋଷ ଘୋଡାଇବା ପାଇଁ କିଭଳି ତରବରିଆ ଭାବେ ରେଜିଷ୍ଟରରେ ଖାଲି ଥିବା ସ୍ଥାନରେ ନିଜର ଉପସ୍ଥାନ ପକାଇ ଦେଇଛନ୍ତି । ଯେଉଁଠି ପାରିଛନ୍ତି ସେଇଠି ଇନ୍ ଆଉଟ ଟାଇମ୍ ପକାଇ ସାଇନ୍ ମାରି ଦେଇଛନ୍ତି । ଇନ୍ ଆଉଟ ରେଜିଷ୍ଟର ଅନୁସାରେ ଗତ ଅକ୍ଟୋବର ୧ ଓ ୨ ତାରିଖରେ ସୁଜିତ୍ ଏକାଧିକ ଥର ଜେଲ ଆସିଛନ୍ତି ଆଉ ଯାଇଛନ୍ତି ।
ହେଲେ CCTV କହୁଛି ବାବୁଙ୍କ ଇନ୍ ଆଉଟ ଦସ୍ତଖତ ମିଛ । ଏଭଳିକି କଏଦୀ ଖସିଯିବା ମାମଲାରେ କାଳେ ବାବୁ ଫସିଯିବେ ସେଥିପାଇଁ ତତ୍କାଳୀନ ଜେଲର ସନ୍ତୋଷିନୀ ଦାଶଙ୍କ ଦସ୍ତଖତକୁ ଜାଲ କରି ଏକ ରିପୋର୍ଟ ଲେଖି ବିଭାଗକୁ ଧରାଇ ଦେଇଥିଲେ ।
ଆଉ ଏ କଥା ଜଣା ପଡିବା ପରେ ଜେଲର ସନ୍ତୋଷୀନି ଚୌଦ୍ବାର ଥାନାରେ ଏକ ମାମଲା ରୁଜୁ କରିଥିଲେ । ଏ ମାମଲାରେ ଗିରଫଦାରି ଭୟରେ ସୁଜିତ୍ କୋର୍ଟଙ୍କ ନିକଟରେ ଆଗୁଆ ଜାମିନ ଆବେଦନ କରିଥିଲେ । କୋର୍ଟ ମଧ୍ୟ ଆସନ୍ତା ଜୁଲାଇ ୧୩ ତାରିଖ ପର୍ଯ୍ୟନ୍ତ ତାଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ହେଲେ ଏହା ମଧ୍ୟରେ ପୋଲିସ ଦାଖଲ କରିଛି ସାଂଘାତିକ କେଶ୍ ଡାଏରୀ । ଯେଉଁଥିରେ ପୋଲିସ କୋର୍ଟଙ୍କ ନିକଟରେ ପ୍ରାର୍ଥନା କରିଛି କି ସୁଜିତ୍ ରାଉଳଙ୍କୁ ଆଗୁଆ ଜାମିନ ନ ଦିଆଯାଇ ଜେରାର ସମ୍ମୁଖୀନ ହେବାକୁ ଦିଆଯାଉ । ଏପରିକି ସୁଜିତ୍ କିଭଳି ଚଞ୍ଚକତା କରିଛନ୍ତି, ସାକ୍ଷୀ ମାନଙ୍କୁ ପ୍ରଭାବିତ କରୁଛନ୍ତି ଏଥିସହ ଏକାଧିକ ସ୍ଥାନରେ ଫର୍ଜରି କରିବା ନେଇ ପୋଲିସ ତଥ୍ୟ ପାଇଛି ।
ପୂରା ଘଟଣାକୁ ନେଇ ଜେଲ DG ସୁଶାନ୍ତ ନାଥ ଓ ଅଧୀକ୍ଷକ ସୁଜିତ ରାଉଳଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ପ୍ରତିକ୍ରିୟା ମିଳି ପାରିନାହିଁ ।.....