ଟିମ୍ ଇଣ୍ଡିଆର ନୂଆ ଫିଲ୍ଡିଂ କୋଚ୍, ଜାଣନ୍ତୁ ଶୁଭଦୀପ ଘୋଷ କିଏ ?
ନୂଆଦିଲ୍ଲୀ, ୪/୮ : ଭାରତୀୟ ପୁରୁଷ କ୍ରିକେଟ ଟିମର ସପୋର୍ଟ ଷ୍ଟାଫରେ ବଡ଼ ପରିବର୍ତ୍ତନ । ଇଂଲଣ୍ଡ ବିପକ୍ଷ ହ୍ବାଇଟ-ବଲ୍ ସିରିଜ ପରେ ସହାୟକ କୋଚ ରୟାନ ଟେନ ଡେଶୋଟେଙ୍କ ପଦ ଛାଡ଼ିବା ଏବଂ ଫିଲ୍ଡିଂ କୋଚ୍ ଟି ଦିଲ୍ଲୀପଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ବିସିସିଆଇ ଶୁଭଦୀପ ଘୋଷଙ୍କୁ ଟିମ୍ ଇଣ୍ଡିଆର ନୂଆ ଫିଲ୍ଡିଂ କୋଚ୍ ନିଯୁକ୍ତ କରିଛି । ତାଙ୍କର ପ୍ରଥମ ଆସାଇନମେଣ୍ଟ ୧୫ଅଗଷ୍ଟରୁ ଶ୍ରୀଲଙ୍କା ବିପକ୍ଷରେ ଆରମ୍ଭ ହେବାକୁ ଥିବା ଦୁଇ ମ୍ୟାଚର ଟେଷ୍ଟ ସିରିଜ ହେବ ।
ଶୁଭଦୀପ ଘୋଷ ଭାରତୀୟ ଘରୋଇ କ୍ରିକେଟର ଜଣାଶୁଣା ନାଁ । ସେ ନିଜ କ୍ୟାରିୟରରେ ଆସାମ ଏବଂ ରେଲଓ୍ବେର ପ୍ରତିନିଧିତ୍ବ କରିଛନ୍ତି । ୧୯୯୪ରୁ ୨୦୦୫ ମଧ୍ୟରେ ସେ ୧୭ଫାଷ୍ଟ କ୍ଲାସ ଏବଂ ୧୭ ଲିଷ୍ଟ ଏ ମ୍ୟାଚ୍ ଖେଳିଛନ୍ତି । ପ୍ରାୟ ୩୪ମ୍ୟାଚରେ ତାଙ୍କ ନାଁରେ ୬୨୩ରନ୍ ରହିଛି । ଯେଉଁଥିରେ ୪ଅର୍ଦ୍ଧଶତକ ସାମିଲ ଅଛି । ସେ ବହୁତ ଭଲ ଫିଲ୍ଡର ବି ରହିଛନ୍ତି ଏବଂ ନିଜ କ୍ୟାରିୟରରେ ୧୬କ୍ୟାଚ୍ ନେଇଛନ୍ତି । ଘୋଷଙ୍କ ନିକଟରେ ଇଣ୍ଡିଆନ ପ୍ରିମିୟର ଲିଗର ବି ଭଲ ଅନୁଭବ ରହିଛି । ସେ ୨୦୧୪ରେ କୋଲକାତା ନାଇଟ୍ ରାଇଡର୍ସର ସପୋର୍ଟ ଷ୍ଟାଫର ଭାଗିଦାରୀ ଥିଲେ । ଯେତେବେଳେ ଗୌତମ ଗମ୍ଭୀରଙ୍କ ଅଧିନାୟକତ୍ବରେ ଟିମ୍ ତାଜ୍ ଜିତିଥିଲା । ଏହାବ୍ୟତୀତ ସେ ଦିଲ୍ଲୀ କ୍ୟାପିଟାଲ୍ସର ଫିଲ୍ଡିଂ କୋଚର ଦାୟିତ୍ବ ବି ସମ୍ଭାଳି ସାରିଛନ୍ତି । ଶୁଭଦୀପ ଘୋଷ ଆସାମ ଟିମକୁ କୋଚିଂ ଦେବା ବ୍ୟତୀତ ବେଙ୍ଗାଲୁରୁ ସ୍ଥିତ ନେଶନାଲ କ୍ରିକେଟ ଏକାଡେମୀରେ ବି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିଭାଇଛନ୍ତି । ସେଠାରେ ସେ ରାହୁଲ ଦ୍ରାବିଡ଼ ଏବଂ ଭିଭିଏସ ଲକ୍ଷ୍ମଣଙ୍କ ସହ ମିଶି ଭାରତର କେତେକ ଯୁବ ଖେଳାଳୀଙ୍କୁ ପ୍ରସ୍ତୁତ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଛନ୍ତି ।
ସେହିଭଳି ୨୦୨୧ରେ ଶୁଭଦୀପ ଘୋଷ ଭାରତୀୟ ମହିଳା କ୍ରିକେଟ ଟିମର ଫିଲ୍ଡିଂ କୋଚ୍ ହୋଇଥିଲେ । ସେ ଅଭୟ ଶର୍ମାଙ୍କ ସ୍ଥାନରେ ଏହି ଦାୟିତ୍ବ ସମ୍ଭାଳିଥିଲେ । ଏହି ସମୟରେ ସେ ହରମନପ୍ରୀତ କୌର, ସ୍ମୃତି ମନ୍ଧାନାଙ୍କ ସମେତ କେତେକ ଖେଳାଳୀଙ୍କ ସହ କାମ କରିଛନ୍ତି ଏବଂ ଟିମର ଫିଲ୍ଡିଂକୁ ଭଲ କରିବା ଲାଗି କେତେକ ନୂଆ ଅଭ୍ୟାସ ଆରମ୍ଭ କରିଥିଲେ । ସେ ୨୦୨୩ ଏସିଆନ ଗେମ୍ସରେ ବି ଭାରତୀୟ ମହିଳା ଟିମର ଫିଲ୍ଡିଂ କୋଚ୍ ରହିଥିଲେ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।