Century-Old House: ୧୦୦ ବର୍ଷ ପୁରୁଣା ଘରକୁ ଖୁବ ସୁନ୍ଦରଭାବେ ସଂରକ୍ଷିତ କରି ରଖିଛନ୍ତି ଦିଲ୍ଲୀର ପରିବାର
"ନୂଆଦିଲ୍ଲୀ: ଲୋକପ୍ରିୟ ସାହିତ୍ୟିକ ରସ୍କିନ୍ ବଣ୍ଡଙ୍କ କାହାଣୀରେ ବର୍ଣ୍ଣିତ ଶାନ୍ତ, ସବୁଜ ଓ ପ୍ରକୃତିରେ ଘେରା ଉତ୍ତରାଖଣ୍ଡର ଲ୍ୟାଣ୍ଡୋର ଆଜି ମଧ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରେ।
ଏହି ସୁନ୍ଦର ପାହାଡ଼ିଆ ସହରରେ ପ୍ରାୟ ୧୦୦ ବର୍ଷ ପୁରୁଣା ଏକ ଭିକ୍ଟୋରିଆନ୍ ଶୈଳୀର ଘରକୁ ସଂରକ୍ଷଣ କରି ଦିଲ୍ଲୀର କରମ ପୁରୀ ଓ ତାଙ୍କ ପରିବାର ଏକ ଆକର୍ଷଣୀୟ ଏବଂ ପରିବେଶବନ୍ଧବ ହୋମ୍ଷ୍ଟେରେ ପରିଣତ କରିଛନ୍ତି।Advertisment କରମ ପୁରୀଙ୍କ ପରିବାରର ଦେହରାଦୁନ ଓ ଲ୍ୟାଣ୍ଡୋର ସହ ବହୁ ପୁରୁଣା ସମ୍ପର୍କ ରହିଛି।
୨୦୧୫ରେ ଅବସର ନେବା ପରେ କରମଙ୍କ ବାପା ରତିନ୍ଦ୍ର ପୁରୀ ପାହାଡ଼ରେ ସ୍ଥାୟୀ ଭାବେ ବସବାସ କରିବାର ସ୍ୱପ୍ନ ଦେଖିଥିଲେ।
ବହୁ ଖୋଜାଖୋଜି ପରେ ୨୦୧୮ରେ ସେମାନେ ୧୯୨୪ ମସିହାରେ ନିର୍ମିତ ଏକ ଐତିହାସିକ ଭିକ୍ଟୋରିଆନ୍ ଘର କିଣିଥିଲେ, ଯାହା ପୂର୍ବରୁ ପ୍ରସିଦ୍ଧ ପକ୍ଷୀବିଜ୍ଞାନୀ ରବର୍ଟ ଫ୍ଲେମିଙ୍ଗଙ୍କ ବାସସ୍ଥାନ ଥିଲା।ଦେଢ଼ ଏକର ଜମି ଉପରେ ନିର୍ମିତ ଏହି ଘର ଲ୍ୟାଣ୍ଡୋରର ଅତ୍ୟନ୍ତ ଦୁର୍ଲଭ ସମ୍ପତ୍ତି ମଧ୍ୟରୁ ଗୋଟିଏ।
ସମଗ୍ର ସହରରେ ମାତ୍ର ୫୨ଟି ଐତିହାସିକ ଘର ଥିବାରୁ ଏହାର ମୂଲ୍ୟ ଓ ଐତିହ୍ୟ ବହୁ ଗୁରୁତ୍ବ ବହନ କରୁଛି।
ପୁରୀ ପରିବାର ଘରର ବାହ୍ୟ ଗଠନକୁ ଅକ୍ଷୁର୍ଣ୍ଣ ରଖି କେବଳ ଭିତର ଭାଗରେ ଆଧୁନିକ ସୁବିଧା ଯୋଡ଼ିଥିଲେ।
ପୁରୁଣା ପ୍ଲମ୍ବିଂ ବଦଳାଯାଇଥିଲା, ରୋଷେଇ ଘରର ସମ୍ପୂର୍ଣ୍ଣ ନବୀକରଣ କରାଯାଇଥିଲା ଏବଂ ବଗିଚାକୁ ମଧ୍ୟ ନୂଆ ରୂପ ଦିଆଯାଇଥିଲା।
ରାମ ମନ୍ଦିର ଦାନ ଚୋରି ମାମଲାରେ ଅଭିଯୁକ୍ତଙ୍କ ପକ୍ଷରେ ଲଢ଼ିଲେ ୫ ଲକ୍ଷ ଟଙ୍କା ଜରିମାନା ୨୦୧୯ରେ ପରିବାର ଏହି ଘରେ ରହିବା ଆରମ୍ଭ କରିଥିଲେ।
ସେତେବେଳେ ଏହାକୁ ହୋମ୍ଷ୍ଟେ କରିବାର କୌଣସି ଯୋଜନା ନଥିଲା।
କିନ୍ତୁ ୨୦୨୧ରେ ଏକ ପ୍ରବଳ ତୁଷାର ଝଡ଼ରେ ଆଉଟ୍ହାଉସ୍ କ୍ଷତିଗ୍ରସ୍ତ ହେବା ପରେ କରମ ଏହାକୁ ସୁଯୋଗ ଭାବେ ନେଇ ଦୁଇଟି ଶୟନକକ୍ଷ ବିଶିଷ୍ଟ ଏକ ହୋମ୍ଷ୍ଟେରେ ପରିଣତ କରିଥିଲେ।
ମୂଳ ଘରର ନାମ 'ଫର୍ଣ୍ଣ ଓକ୍ସ ଏଷ୍ଟେଟ୍' ଏବଂ ଅତିଥିଙ୍କ ପାଇଁ ପ୍ରସ୍ତୁତ କଟେଜ୍ର ନାମ 'ଦ ଫର୍ଣ୍ଣ କଟେଜ୍' ରଖାଯାଇଥିଲା।
ବର୍ଷା ଋତୁରେ ଓକ୍ ଗଛରେ ଫର୍ଣ୍ଣ ଗଛ ବଢ଼ୁଥିବାରୁ ଏଭଳି ନାମକରଣ କରାଯାଇଛି।
ଘରର ସାଜସଜ୍ଜାରେ ପୁରୁଣା ବ୍ରିଟିଶ୍ ପାହାଡ଼ିଆ କଟେଜ୍ର ଶୈଳୀକୁ ଅନୁସରଣ କରାଯାଇଛି।
ପୁରୁଣା ଘରର ପଥର ଓ କାଠକୁ ପୁନଃ ବ୍ୟବହାର କରାଯାଇଛି।
ଦେବଦାରୁ ଓ ଶାଳ କାଠର ବିମ୍, ପୁରାତନ ଆସବାବପତ୍ର, ମୂଳ ଡାଇନିଂ ଟେବୁଲ୍ ଓ ଚେୟାର ଆଜି ମଧ୍ୟ ସଂରକ୍ଷିତ ରହିଛି।
ପରିବାରର ବିଶ୍ୱ ଭ୍ରମଣର ସ୍ମାରକ, ଇରାନ, କାଶ୍ମୀର ଓ ପାକିସ୍ତାନରୁ ଆଣିଥିବା କାର୍ପେଟ୍, ଚିକାଗୋରୁ ଆଣିଥିବା ଲାଇଟ୍ ଫିଟିଂ ଏବଂ ୨୦୦ରୁ ଅଧିକ ପୁସ୍ତକ ଘରକୁ ଏକ ନିଆରା ପରିଚୟ ଦେଇଛି।
ପ୍ରକୃତି ସୁରକ୍ଷା ଏହି ହୋମ୍ଷ୍ଟେର ସବୁଠାରୁ ବଡ଼ ବିଶେଷତ୍ୱ।
ଏଠାରେ ୧୦,୦୦୦ ଲିଟର କ୍ଷମତାର ବର୍ଷାଜଳ ସଂରକ୍ଷଣ ବ୍ୟବସ୍ଥା ରହିଛି।
ଘର ଚାରିପାଖରେ ୨୩୮ରୁ ଅଧିକ ଓକ୍, ଦେବଦାରୁ ଓ ରୋଡୋଡେଣ୍ଡ୍ରନ୍ ଗଛ ରହିଛି।
ଏହି ଅଞ୍ଚଳ ଅଲ୍ଟ୍ରାମାରିନ୍ ଫ୍ଲାଇକ୍ୟାଚର୍, ଏସିଆନ୍ ବାର୍ନ ଆଉଲ୍, ଲାଫିଂ ଥ୍ରସ୍, ବ୍ଲାକ୍ ଇଗଲ୍ ଓ ହିମାଳୟନ୍ ଗ୍ରିଫନ୍ ପରି ବିରଳ ପକ୍ଷୀଙ୍କ ଆବାସସ୍ଥଳୀ ହୋଇଥିବାରୁ ପକ୍ଷୀପ୍ରେମୀଙ୍କ ପାଇଁ ଏହା ସ୍ୱର୍ଗ ସଦୃଶ।
ଏଠାକୁ ଆସୁଥିବା ଅତିଥିମାନେ ପକ୍ଷୀ ଦେଖିବା, ଟ୍ରେକିଂ, ପ୍ରକୃତି ମଝିରେ ପୁସ୍ତକ ପଢ଼ିବା ଓ ଶାନ୍ତ ପରିବେଶରେ ସମୟ ବିତାଇବାର ସୁଯୋଗ ପାଆନ୍ତି।
ଶୀତ ଦିନରେ ଫାୟାରପ୍ଲେସ୍ର ଉଷ୍ମତା ସହ ସକାଳର ତାଜା ଜଳଖିଆ ଅତିଥିଙ୍କୁ ଘରୋଇ ଅନୁଭୂତି ଦେଇଥାଏ।
ଭବିଷ୍ୟତରେ ବାଜରା ଓ ସ୍ଥାନୀୟ ପାହାଡ଼ିଆ ବ୍ୟଞ୍ଜନକୁ ନେଇ ପାରମ୍ପରିକ 'ପାହାଡ଼ି ଥାଳି' ଆରମ୍ଭ କରିବାର ଯୋଜନା ମଧ୍ୟ ରହିଛି।ଯେଉଁ ଅତିଥିମାନେ ନିଜେ ରୋଷେଇ କରିବାକୁ ଭଲପାଆନ୍ତି, ସେମାନଙ୍କ ପାଇଁ ରୋଷେଇ ଘର ସମ୍ପୂର୍ଣ୍ଣ ଖୋଲା ରହିଥାଏ।
ନିକଟସ୍ଥ ବଜାର ମାତ୍ର ପାଞ୍ଚ ମିନିଟ୍ ଦୂରରେ ଥିବାରୁ ଆବଶ୍ୟକ ସାମଗ୍ରୀ ସହଜରେ ମିଳିଯାଏ।
ପରିବେଶ ସୁରକ୍ଷା, ଐତିହ୍ୟର ସଂରକ୍ଷଣ ଓ ଆଧୁନିକ ସୁବିଧାର ସୁନ୍ଦର ସମନ୍ୱୟ ଯୋଗୁଁ ଏହି ହୋମ୍ଷ୍ଟେ ବର୍ତ୍ତମାନ ବହୁତ ଲୋକପ୍ରିୟ ହୋଇପାରିଛି।
ପ୍ରତିରାତି ପ୍ରାୟ ୨୫,୦୦୦ ଟଙ୍କାର ପ୍ୟାକେଜରେ ଅତିଥିମାନେ କେବଳ ଏକ ସୁନ୍ଦର କଟେଜ୍ରେ ରହିବାର ସୁଯୋଗ ପାଉନାହାନ୍ତି, ବରଂ ପ୍ରକୃତି, ଐତିହ୍ୟ, ପୁସ୍ତକ, ଶାନ୍ତି ଓ ଘରୋଇ ଆତିଥ୍ୟର ଏକ ଅଭୁଲା ଅନୁଭୂତି ମଧ୍ୟ ଲାଭ କରୁଛନ୍ତି।
ଏହି କାରଣରୁ ହୋମ୍ଷ୍ଟେର ସମସ୍ତ ବୁକିଂ ମାସକ ପୂର୍ବରୁ ପୂରଣ ହୋଇଯାଏ।
"