Capital city stuck in traffic jams all day: ଦିନସାରା ଜାମ୍ରେ ଫସିଲା ରାଜଧାନୀ: ଦିନ ୧୧ରୁ ଅସମ୍ଭାଳ ସ୍ଥିତି
ଭୁବନେଶ୍ୱର: ରାଜ୍ୟର ରାଜଧାନୀ।
ଦେଶର କିଛି ହାତଗଣତି ସ୍ମାର୍ଟ ସହର ଭିତରେ ଅନ୍ୟତମ ଓ ଓଡ଼ିଶାର ପ୍ରଥମ ସ୍ମାର୍ଟ ସହରର ମାନ୍ୟତା ବି ପାଇଛି।
ପ୍ରତିଦିନ ନେତା, ମନ୍ତ୍ରୀମାନେ ଏଇଠି ବସି ରାଜ୍ୟର ହାଲ୍ଚାଲ୍ ବୁଝୁଛନ୍ତି।
ତଥାପି ଭିଡ଼ ଯନ୍ତ୍ରଣାରୁ ମୁକୁଳି ପାରିନି ରାଜଧାନୀ ଭୁବନେଶ୍ବର।
ଟ୍ରାଫିକ୍ ଯନ୍ତ୍ରଣାରେ ପ୍ରତିଦିନ ଛଟପଟ ହେଉଛନ୍ତି ରାଜଧାନୀବାସୀ ଓ ଆଗନ୍ତୁକ।
ପାର୍ବଣ ଆସିଲେ, ଏହା ଅସହ୍ୟ ହୋଇପଡ଼ୁଛି।
ଟ୍ରାଫିକ୍ ଯନ୍ତ୍ରଣା ଲୋକଙ୍କୁ କନ୍ଦେଇ ସାରିଲାଣି।
ସ୍ଥିତି ଏପରି ଯେ ଘରୁ ବାହାରିଲେ ଟ୍ରାଫିକ୍ ସମସ୍ୟା ଲୋକଙ୍କୁ ପାହାଡ଼ ଭଳି ବୋଝ ହେଉଛି।
Advertisment ଦିନ ୧୧ରୁ ଅସମ୍ଭାଳ ସ୍ଥିତି ବାଣିବିହାରରୁ ପାହାଳ, କଳ୍ପନାରୁ ରସୁଲଗଡ଼ ଗଡ଼ିଲାନି ଚକ ରବିବାର କାଳୀପୂଜା ଥିବାବେଳେ ଆଜି ବି ଜଟିଳ ସ୍ଥିତି ଦେଖିବାକୁ ମିଳିଛି।
ପୂର୍ବାହ୍ଣ ୧୧ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖଣ୍ଡିଗିରିରୁ ରସୁଲଗଡ଼, ପଳାଶୁଣୀ ଦେଇ ପାହାଳ ପର୍ଯ୍ୟନ୍ତ ୧୬ ନମ୍ବର ଜାତୀୟ ରାଜପଥରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି।
ହଜାର ହଜାର ବସ୍, ଟ୍ରକ୍, ଚାରିଚକିଆ, ଦୁଇଚକିଆ ଏହି ଭିଡ଼ରେ ଫସିଛନ୍ତି।
ଅଧିକ ଯନ୍ତ୍ରଣା ବାଣୀବିହାରରୁ ହାଇଟେକ୍ ଛକ ଓ ରସୁଲଗଡ଼ରୁ କଳ୍ପନା ରାସ୍ତାରେ ଦେଖିବାକୁ ମିଳିଛି।
ଅଧଘଣ୍ଟା ରାସ୍ତାକୁ ଲୋକେ ୨ ଘଣ୍ଟାରେ ପାର ହୋଇଛନ୍ତି।
ଆଜି ଦିନତମାମ ଏହି ଯନ୍ତ୍ରଣାରେ ଲୋକେ ଝଟପଟ ହୋଇଛନ୍ତି।
ପୂଜା ପାଇଁ ଘର ବାହୁଡ଼ା ଲୋକେ ବି କଲକଲ ହୋଇଛନ୍ତି।
ଟ୍ରାଫିକ୍ ସମସ୍ୟା ଓ ଭିଡ଼ ଯନ୍ତ୍ରଣା ରାଜଧାନୀର ସବୁଠୁ ବଡ଼ ସମସ୍ୟା ହୋଇଥିବାବେଳେ ଏହାର ପ୍ରତିକାର ପ୍ରତି କାହାରି ନିଘା ନାହିଁ।
ଏଣୁ ଦିନକୁ ଦିନ ଟ୍ରାଫିକ୍ ସ୍ଥିତି ଜଟିଳ ରୂପ ନେଉଛି ଓ ଦିଲ୍ଲୀ ଭଳି ପରିସ୍ଥିତି ଆଡ଼କୁ ଭୁବନେଶ୍ବର ଟାଣି ହେବାରେ ଲାଗିଛି।
କିଛି ଛୋଟମୋଟ ଦୁର୍ଘଟଣା ହେଲେ ପୂରା ସହର ଅଟକିଯାଉଛି।
ସବୁଠୁ ଅଧିକ ଯନ୍ତ୍ରଣା ଦେଉଛି ରସୁଲଗଡ଼ ଛକ।
ଦିନ ହେଉ କି ରାତି, ଏଠାରେ ନିୟମିତ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି ଓ ସାଧାରଣ ଲୋକେ କଲବଲ ହେଉଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
