Call Records Reveal Truth: ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା, ପୋଲ୍ ଖୋଲିଦେଲା ୩୯ଟି ଫୋନ୍ କଲ୍

Jul 05, 2026 - 14:58
Call Records Reveal Truth: ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା, ପୋଲ୍ ଖୋଲିଦେଲା ୩୯ଟି ଫୋନ୍ କଲ୍

ହରିୟାଣାର ରେୱାଡୀରେ ଅଭାବନୀୟ ଘଟଣା। ଜଣେ ୨୧ ବର୍ଷିୟ ଯୁବକଙ୍କ ହତ୍ୟା ମାମଲାର ପର୍ଦ୍ଦାଫାଶ କରିଛି ପୋଲିସ। କସୌଲା ଥାନା ପୋଲିସ ଏହି ମାମଲାରେ ମୃତକଙ୍କ ସ୍ତ୍ରୀ ଏବଂ ତାଙ୍କର ଜଣେ ସହଯୋଗୀଙ୍କୁ ଗିରଫ କରିଛି। ପୋଲିସର ସୂଚନା ଅନୁସାରେ, ପ୍ରେମ ସମ୍ପର୍କକୁ ନେଇ ସ୍ୱାମୀଙ୍କୁ ମାରିବା ପାଇଁ ଷଡ଼ଯନ୍ତ୍ର କରାଯାଇଥିଲା। ଅଭିଯୁକ୍ତମାନେ ଏହି ହତ୍ୟାକୁ ସାଧାରଣ ଦୁର୍ଘଟଣା ବୋଲି ଦର୍ଶାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ, ପୋଲିସର ତଦନ୍ତରୁ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା।

ଡିଏସପି ସୁରେନ୍ଦ୍ର ଶ୍ୟୋରାଣଙ୍କ ସୂଚନା ଅନୁସାରେ, ଜଡ଼ଥଲ ଗାଁର ରତନଲାଲ ଥାନାରେ ଅଭିଯୋଗ ଆଣିଥିଲେ, ତାଙ୍କର ୨୧ ବର୍ଷୀୟ ପୁଅ ମୋନୁ ଜୁନ୍ ୮ ତାରିଖ ରାତି ପ୍ରାୟ ୧୦ଟା ବେଳେ ଔଷଧ ଆଣିବାକୁ ଘରୁ ବାହାରିଥିଲେ। କିନ୍ତୁ ସେ ଆଉ ଘରକୁ ଫେରି ନଥିଲେ। 

ଏହାପରେ ପୋଲିସ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଜୁନ୍ ୧୦ ତାରିଖରେ ଆସଲୱାସ ଗାଁ ନିକଟସ୍ଥ କେନାଲରୁ ମୋନୁଙ୍କ ମୃତଦେହ ମିଳିଥିଲା। ପ୍ରାଥମିକ ତଦନ୍ତ ଓ ଫରେନସିକ୍ ଟିମର ଯାଞ୍ଚରେ ମୋନୁଙ୍କ ଶରୀରରେ କୌଣସି ଆଘାତ ହୋଇ ନଥିବା ଜଣାପଡିଥିଲା। 

ତାଙ୍କ ସ୍କୁଟି କେନାଲ ନିକଟରୁ ମିଳିଥିଲା। ପାଣିରେ ବୁଡ଼ି ମୃତ୍ୟୁ ହୋଇଥିବା ଘଟଣା ପ୍ରଥମେ ସନ୍ଦେହ ହେଉଥିଲା। କିନ୍ତୁ ପରିବାର ଲୋକେ ହତ୍ୟା ନେଇ ସନ୍ଦେହ କରିଥିଲେ। ଏହା ପରେ ପୋଲିସ ହତ୍ୟା ମାମଲା ରୁଜୁ ତଦନ୍ତ ଆରମ୍ଭ କରିଥିଲା।

ପୋଲିସ ମୃତକଙ୍କ ସ୍ତ୍ରୀ ତନ୍ନୁ ଏବଂ ତାଙ୍କର ଜଣେ ସହଯୋଗୀ ହରିଓମକୁ ଗିରଫ କରିଥିଲା। ପଚରା ଉଚରା ବେଳେ ଜଣାପଡ଼ିଥିଲା ଯେ, ତନ୍ନୁଙ୍କର ସୋନୁ ନାମକ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା। ତନ୍ନୁ ନିଜ ପ୍ରେମିକ ସୋନୁ ସହ ମିଶି ମୋନୁଙ୍କୁ ମାରିବା ପାଇଁ ଷଡ଼ଯନ୍ତ୍ର କରିଥିଲା। ଏହି ଯୋଜନାରେ ସୋନୁଙ୍କ ଦୁଇ ସାଙ୍ଗ ହରିଓମ୍ ଓ ଅମନଙ୍କୁ ମଧ୍ୟ ସାମିଲ କରାଯାଇଥିଲା। ଯୋଜନା ଅନୁସାରେ ତନ୍ନୁ ଫୋନ୍ କରି ମୋନୁଙ୍କୁ କସୋଲି ଗାଁକୁ ଡାକିଥିଲେ। ସେଠାରେ ପୂର୍ବରୁ ଥିବା ହରିଓମ୍ ଓ ଅମନ ମୋନୁଙ୍କ ମୁହଁ ଓ ନାକ ଚାପି ଅଚେତ କରିଥିଲେ। ପ୍ରମାଣ ନଷ୍ଟ କରିବା ଓ ହତ୍ୟାକୁ ଦୁର୍ଘଟଣାର ରୂପ ଦେବା ପାଇଁ ଆସଲୱାସ କେନାଲରେ ଫିଙ୍ଗି ଦେଇଥିଲେ।  

ମୋନୁଙ୍କ ମୃତଦେହ ଉଦ୍ଧାର ଦିନ ତନ୍ନୁ ସମସ୍ତଙ୍କ ସାମ୍ନାରେ ଜୋରରେ କାନ୍ଦି ନିଜକୁ ନିର୍ଦ୍ଦୋଷ ଦେଖାଇବାକୁ ଚେଷ୍ଟା କରିଥିଲେ। ଯାହା ଫଳରେ କାହାରି ସନ୍ଦେହ ସୃଷ୍ଟି ହେବ ନାହିଁ। କିନ୍ତୁ ପୋଲିସ ତନ୍ନୁଙ୍କର କଲ୍ ଡିଟେଲ୍ ରେକର୍ଡ ଯାଞ୍ଚ କରିବା ପରେ ସମ୍ପୂର୍ଣ୍ଣ ଘଟଣାର ପର୍ଦ୍ଦାଫାଶ ହୋଇଥିଲା। ତଦନ୍ତରେ ଜଣାପଡ଼ିଲା ଯେ, ଘଟଣା ସମୟରେ ଆଖପାଖରେ ତନ୍ନୁ ତାଙ୍କ ପ୍ରେମିକ ସୋନୁଙ୍କ ସହ ୩୯ ଥର ଫୋନରେ କଥା ହୋଇଥିଲେ। ଏହି ଫୋନ କଲ୍ ହିଁ ହତ୍ୟା ଷଡ଼ଯନ୍ତ୍ରର ସବୁଠାରୁ ବଡ଼ ପ୍ରମାଣ ପାଲଟିଥିଲା।