Man Dance With Weapons on Wedding: ବାହାଘରରେ ମାରଣାସ୍ତ୍ର ଧରି ଖୁବ ନାଚିଲେ ବର, ଭିଡିଓ ଭାଇରାଲ ପରେ ଥାନାରେ କଟିଲା ଚତୁର୍ଥୀ
ବିବାହ ପ୍ରୋସେସନରେ ମାରଣାସ୍ତ୍ର ଦେଖାଇବା ପଡ଼ିଲା ମହଙ୍ଗା। ଖୁସିର ମୁହୂର୍ତ୍ତ ବେଳେ ପହଞ୍ଚିଲା ପୋଲିସ। ଆଉ ଥାନା ହାଜତରେ କଟିଲା ବରର ରାତି। ମଜା ମସ୍ତି ପାଇଁ ନିଜ ବାହାଘରରେ ବର ମାରଣାସ୍ତ୍ର ଧରି ନାଚିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ହେଲେ ଭିଡିଓ ଭାଇରାଲ ପରେ ଏହି ମଜା ସଜ୍ଜାରେ ପରିଣତ ହୋଇଛି। ଏପରି ଏକ ଘଟଣା ବିହାରର ହାଜିପୁରରେ ଦେଖିବାକୁ ମିଳିଛି। ଭିଡିଓରେ ବର ହାତରେ ମାରଣାସ୍ତ୍ର ଧରି ଭୋଜପୁରୀ ଗୀତରେ ଠୁମକା ଲଗାଉଛନ୍ତି। ସେହି ଭିଡିଓରେ ବରଙ୍କ ଭାଇ ମଧ୍ୟ ମାରଣାସ୍ତ୍ର ଧରି ନାଚୁଛନ୍ତି।
କେହି ଜଣେ ଏହି ଭିଡିଓକୁ ସୋସିଆଲ୍ ମିଡିଆରେ ଭାଇରାଲ କରିଦେଇଥିଲେ। ଭାଇରାଲ୍ ଭିଡିଓ ଆଧାରରେ ପୋଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚତୁର୍ଥୀ ରାତିରେ ହିଁ ବର ଏବଂ ତାଙ୍କ ଭାଇଙ୍କୁ ଗିରଫ କରିନେଇଥିଲା। ବରଙ୍କୁ ନିଜ ଚତୁର୍ଥୀ ରାତି ହାଜତରେ କାଟିବାକୁ ପଡ଼ିଥିଲା। ପୋଲିସ ପରଦିନ ୫ଲକ୍ଷ ଟଙ୍କାର ବଣ୍ଡରେ ବର ଏବଂ ତାଙ୍କ ଭାଇଙ୍କୁ ଛାଡ଼ିଥିଲା।
ଘଟଣା କ’ଣ ଥିଲା?
ଜୁଲାଇ ୧ ତାରିଖରେ ଜୟରାମ ରାୟଙ୍କ ପୁଅ ଗୁଡ୍ଡୁ କୁମାରଙ୍କର ବାହାଘର ଥିଲା। ବାହାଘରରେ ଡିଜେ ବାଜୁଥିଲା ଏବଂ ଏହି ସମୟରେ ବର ଗୁଡ୍ଡୁଙ୍କ ଭାଇ ସିଣ୍ଟୁ କୁମାର ହାତରେ ମାରଣାସ୍ତ୍ର ଧରି ନାଚି ନାଚି ପହଞ୍ଚିଥିଲେ। ସେହି ମାରଣାସ୍ତ୍ରକୁ ସେ ବର ଗୁଡ୍ଡୁଙ୍କ ହାତକୁ ବଢ଼ାଇ ଦେଇଥିଲେ। ଏହାପରେ ଗୁଡ୍ଡୁ ମଧ୍ୟ ମାରଣାସ୍ତ୍ର ଦେଖାଇ ନାଚିବାକୁ ଲାଗିଥିଲେ। ଏହି ସମୟରେ 'ମାରମ୍ ସିକ୍ସର୍ କେ ୬ ଗୋଲି ଛାତୀ ମେ ରେ, ପାୱାର୍ ହୋଲା ଖାଲି ଅହିର୍ ଜାତି ମେ ରେ...' ଗୀତ ବାଜୁଥିଲା।"
ନକଲି ମାରଣାସ୍ତ୍ର ଦେଖାଇଥିଲେ ବର
ଗୁଡ୍ଡୁ କୁମାର ବାହାଘର ସାରି କନ୍ୟା ସହିତ ଘରକୁ ଫେରିବା ବେଳକୁ ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇସାରିଥିଲା। ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜୁଲାଇ ୨ ତାରିଖ ରାତିରେ ହିଁ ବର ଗୁଡ୍ଡୁ କୁମାର ଏବଂ ତାଙ୍କ ଭାଇ ସିଣ୍ଟୁଙ୍କୁ ଗିରଫ କରିନେଇଥିଲା। ଦୁହିଁଙ୍କୁ ଥାନାକୁ ଅଣାଯାଇ ହାଜତରେ ବନ୍ଦ କରିଦିଆଯାଇଥିଲା। ଆଶ୍ଚର୍ଯ୍ୟର କଥା ଏହା ଯେ, ଯେଉଁ ମାରଣାସ୍ତ୍ର ଦେଖାଯାଉଥିଲା ତାହା ନକଲି ବୋଲି ଜଣାପଡ଼ିଥିଲା; କିନ୍ତୁ ମାରଣାସ୍ତ୍ର ପ୍ରଦର୍ଶନ କରିବା, ଜାତିଭିତ୍ତିକ ଗୀତ ବଜାଇବା ଏବଂ ଦାଦାଗିରି ଦେଖାଇବା ବର ଓ ତାଙ୍କ ଭାଇଙ୍କୁ ବହୁତ ମହଙ୍ଗା ପଡ଼ିଥିଲା।