19 AUGUST 2026

Welcome!

Unlock your personalized experience.
Sign Up
block-728

Cabinet: କ୍ୟାବିନେଟ୍‌ରେ ୧୦ ପ୍ରସ୍ତାବ ପାରିତ: ଯଶୋଦା, ଆଶୀର୍ବାଦ ପାଇଁ ୨୯୭ କୋଟି

Aug 13, 2026 - 01:01
Cabinet: କ୍ୟାବିନେଟ୍‌ରେ ୧୦ ପ୍ରସ୍ତାବ ପାରିତ: ଯଶୋଦା, ଆଶୀର୍ବାଦ ପାଇଁ ୨୯୭ କୋଟି

ଭୁବନେଶ୍ବର: ‌ମହିଳା ଓ ଶିଶୁବିକାଶ ବିଭାଗ ଅଧୀନରେ ‘ଯଶୋଦା’ ଯୋଜନା ଏବଂ ଏହାର ଉପଯୋଜନା ‘ଆଶୀର୍ବାଦ’ ଚାଲୁ ରହିବ। ଏଥି ପାଇଁ ଚଳିତ ଆର୍ଥିକ ବର୍ଷରୁ ୨୦୩୦-୩୧ ଆର୍ଥିକ ବର୍ଷ ଯାଏଁ ୨୯୬.୯୯ କୋଟି ଟଙ୍କା ଖର୍ଚ୍ଚ ହେବ। ଏ ସଂକ୍ରାନ୍ତୀୟ ପ୍ରସ୍ତାବ‌ରେ ଆଜି କ୍ୟାବିନେଟ୍‌ ମୋହର ବାଜିଛି। ବାପା-ମା’ ଛେଉଣ୍ଡ ପିଲାଙ୍କୁ ମାର୍ଚ୍ଚ ମାସରୁ ସହାୟତା ରାଶି ମିଳୁ ନଥିବାରୁ ସରକାର ସମାଲୋଚିତ ହୋଇଥିଲେ। ଆଜିର ନିଷ୍ପତ୍ତି ପରେ ଏହି ଅଚଳାବସ୍ଥା ଦୂର ହେବ ବୋଲି ଆଶା ସଞ୍ଚାର ହୋଇଛି।

ଆଜି ସନ୍ଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍‌ ବୈଠକ ବସିଥିଲା। ଏଥିରେ ୧୦ଟି ପ୍ରସ୍ତାବ ପାରିତ ହୋଇଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମରେ ସୂଚନା ଦେଇଥିଲେ। ‘ଯଶୋଦା’ ‌ଯୋଜନା ଅଧୀନରେ କଠିନ ପରିସ୍ଥିତିରେ ଥିବା ଶିଶୁମାନଙ୍କ ସୁରକ୍ଷା, ଯତ୍ନ, ପୁନର୍ବାସ, ସର୍ବାଙ୍ଗୀନ ବିକାଶ ପାଇଁ ବୈଷୟିକ ଶିକ୍ଷା, ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ କୋଚିଂ, ବୃତ୍ତି, ସୁକନ୍ୟା ସମୃଦ୍ଧି ସହାୟତା, ବିବାହ ପାଇଁ ସହାୟତା, ଅନାଥ ଶିଶୁମାନଙ୍କ ସାମୟିକ ସର୍ଭେ ଏବଂ ଅନାଥ ପ୍ରମାଣପତ୍ର ପ୍ରଦାନର ବ୍ୟବସ୍ଥା କରାଯାଇଛି। ଆଶୀର୍ବାଦ ଯୋଜନା ଯଶୋଦା ଅଧୀନ‌ରେ ଥିବା ଉପଯୋଜନା ଭାବେ କାର୍ଯ୍ୟକାରୀ ହେଉଛି। କୋଭିଡ ମହାମାରୀ ସମୟରେ ଉଭୟ କିମ୍ବା ପରିବାରର ଏକମାତ୍ର ରୋଜଗାରିଆ ପିତାମାତାଙ୍କୁ ହରାଇଥିବା ଶିଶୁମାନଙ୍କୁ ଡିବିଟି ମାଧ୍ୟମରେ ମାସିକ ଆର୍ଥିକ ସହାୟତା ଓ ଅନ୍ୟାନ୍ୟ ସମନ୍ବିତ ସହାୟତା ପ୍ରଦାନର ବ୍ୟବସ୍ଥା କରାଯାଇଥିଲା। ମହିଳା ଓ ଶିଶୁବିକାଶ ବିଭାଗ ଏହାକୁ କାର୍ଯ୍ୟକାରୀ କରୁଛି।

ବାପା-ମା’ ଛେଉଣ୍ଡ ପିଲାଙ୍କୁ ସହାୟତା ବାଟ ଫିଟିଲା
ପ୍ରାକ୍‌-ବିଦ୍ୟାଳୟ ପୋଷାକ, ଜୋତା, ମୋଜା ଦର ବଢ଼ିଲା, ମିଳିବ ଅଧିକ ୧ ହଳ ମୋଜା
ଚାଷୀଙ୍କୁ ଆଶ୍ବାସନା- ଏଗ୍ରିଷ୍ଟାକ୍‌ ନେଇ ଚିନ୍ତା କରନି

‘ମାଳତୀ ଦେବୀ ପ୍ରାକ୍‌ ବିଦ୍ୟାଳୟ ପରିଧାନ’ ଯୋଜନାକୁ ୨୦୩୦-୩୧ ପର୍ଯ୍ୟନ୍ତ ଜାରି ରଖିବା ପ୍ରସ୍ତାବ କ୍ୟାବିନେଟ୍‌ରେ ପାରିତ ହୋଇଛି। ଏହାସହିତ ଅଙ୍ଗନବାଡ଼ି କେନ୍ଦ୍ରରେ ନାମ ଲେଖାଇଥିବା ପ୍ରାକ୍-ସ୍କୁଲ୍‌ ପିଲାମାନଙ୍କ ପାଇଁ ପୋଷାକ, ଜୋତା, ମୋଜା ଓ ସ୍ବେଟରର ୟୁନିଟ୍‌ ମୂଲ୍ୟରେ ସଂଶୋଧନ କରାଯାଇଛି। ପିଲାମାନଙ୍କ ପାଇଁ ଅତିରିକ୍ତ ଗୋଟିଏ ହଳ ମୋଜା ବ୍ୟବସ୍ଥା କରାଯାଇଛି। ସଂଶୋଧିତ ମୂଲ୍ୟ ଅନୁଯାୟୀ ପ୍ରାକ୍‌ ବିଦ୍ୟାଳୟ ବାଳକଙ୍କୁ ହଳ ପିଛା ୧୭୫ ଟଙ୍କା ମୂଲ୍ୟରେ ଦୁଇହଳ ପୋଷାକ, ବାଳିକାଙ୍କୁ ହଳ ପିଛା ୨୨୫ ଟଙ୍କା ହିସାବରେ ଦୁଇହଳ ପୋଷାକ ଯୋଗାଇ ଦିଆଯିବ। ପ୍ରତ୍ୟେକ ପିଲାଙ୍କୁ ୧୮୦ ଟଙ୍କାରେ ଗୋଟିଏ ହଳ ଜୋତା ଓ ଦୁଇହଳ ମୋଜା, ୨୦୦ ଟଙ୍କା ମୂଲ୍ୟରେ ସ୍ବେଟର ଯୋଗାଇ ଦିଆଯିବ। ଏହି ଯୋଜନାରେ ରାଜ୍ୟରେ ପ୍ରତି ବର୍ଷ ପ୍ରାୟ ୧୪.୭୬ ଲକ୍ଷ ପ୍ରାକ୍‌ ବିଦ୍ୟାଳୟ ପିଲା (୩ରୁ ୬ ବର୍ଷ) ଉପକୃତ ହେବେ। ପାଞ୍ଚ ବର୍ଷରେ ସରକାର ୫୮୬ କୋଟି ୫୦ ଲକ୍ଷ ୭୫ ହଜାର ୪୮୦ ଟଙ୍କା ଖର୍ଚ୍ଚ କରିବେ। ଏହା ଦ୍ବାରା ଅଙ୍ଗନବାଡ଼ି କେନ୍ଦ୍ରରେ ଶୈଶବ ଯତ୍ନ ଓ ଶିକ୍ଷା ବ୍ୟବସ୍ଥା ଦୃଢ଼ ହେବା ସହ ନାମଲେଖା ଏବଂ ନିୟମିତ ଉପସ୍ଥାନକୁ ଉନ୍ନତ କରିବ। 

ଏଗ୍ରିଷ୍ଟାକ୍ ଓ ଧାନକ୍ରୟ ପଞ୍ଜୀକରଣ ସମ୍ପର୍କରେ ମୁଖ୍ୟ ଶାସନ ସଚିବ କହିଥିଲେ, କୃଷକମାନେ ଏଗ୍ରିଷ୍ଟାକ୍‌ରେ ପଞ୍ଜୀକରଣ କରିବା ସମୟରେ ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଏହି ପ୍ରସଙ୍ଗରେ କ୍ୟାବିନେଟ୍‌ ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇଛି। ଏଗ୍ରିଷ୍ଟାକ୍‌ରେ ପଞ୍ଜୀକରଣ ଏବଂ ପି-ପାସ୍‌ରେ ଧାନ କ୍ରୟ ପାଇଁ ପଞ୍ଜୀକରଣ ପରସ୍ପର ସଂଯୁକ୍ତ ନୁହେଁ। ତେଣୁ ଏଗ୍ରିଷ୍ଟାକ୍‌ରେ ପଞ୍ଜୀକରଣ ସ୍ଥିତିକୁ ନେଇ କୃଷକମାନେ ଚିନ୍ତିତ ହେବାର ଆବଶ୍ୟକତା ନାହିଁ। ଏଗ୍ରିଷ୍ଟାକ୍‌ରେ ପଞ୍ଜୀକରଣ ହୋଇ ନଥିବା କାରଣରୁ କୃଷକମାନଙ୍କର ଧାନ କ୍ରୟ ପ୍ରଭାବିତ ହେବ ନାହିଁ। ଚଳିତବର୍ଷ ମଧ୍ୟ ପୂର୍ବ ବର୍ଷ ଭଳି ପି-ପାସ୍ ବ୍ୟବସ୍ଥାରେ ଧାନକ୍ରୟ ପାଇଁ କୃଷକମାନଙ୍କର ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media