Bus Run on Mobile Flashlight: ବିନା ହେଡ୍ ଲାଇଟ୍‌ରେ ୮୪ କି.ମି. ଗଲା ବସ, ମୋବାଇଲ ଲାଇଟ୍‌ ଦେଖାଇ ବାଟ କଢାଇଲେ କଣ୍ଡକ୍ଟର

Jul 08, 2026 - 14:04
Bus Run on Mobile Flashlight: ବିନା ହେଡ୍ ଲାଇଟ୍‌ରେ ୮୪ କି.ମି. ଗଲା ବସ, ମୋବାଇଲ ଲାଇଟ୍‌ ଦେଖାଇ ବାଟ କଢାଇଲେ କଣ୍ଡକ୍ଟର

ବାଜିରେ ଲାଗୁଛି ଯାତ୍ରୀଙ୍କ ଜୀବନ। ଟର୍ଚ୍ଚ ଲଗାଇ ଚାଲୁଛି ଗାଡି। କର୍ଣ୍ଣାଟକର (Karnataka)କଲବୁରାଗି ଜିଲ୍ଲାରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ରାତିରେ ସରକାରୀ ଯାତ୍ରୀବାହୀ ବସ୍‌ର ହେଡ୍‌ଲାଇଟ୍ ହଠାତ୍ ଅଚଳ ହୋଇଯିବା ପରେ ମୋବାଇଲ୍ ଫୋନରେ ଟର୍ଚ୍ଚ ଲାଇଟ୍ ଲଗାଇ ବସ୍‌ଟିକୁ ଚଳାଇଥିଲେ ଡ୍ରାଇଭର। ଆଉ ଏଥିରେ ତାଙ୍କୁ ସହଯୋଗ କରିଥିଲେ କଣ୍ଡକ୍ଟର। ଏହି ଘଟଣାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ (Viral Video) ହେବା ପରେ ବ୍ୟାପକ ସମାଲୋଚନା ହୋଇଛି। ଘଟଣାକୁ ଗୁରୁତ୍ୱର ସହ ନେଇ କଲ୍ୟାଣ କର୍ଣ୍ଣାଟକ ରୋଡ୍ ଟ୍ରାନ୍ସପୋର୍ଟ କର୍ପୋରେସନ୍ (KKRTC) ବସ୍‌ର ଚାଳକଙ୍କ ସମେତ ତିନିଜଣ କର୍ମଚାରୀଙ୍କୁ ନିଲମ୍ବନ କରିଛି।

କ'ଣ ଘଟିଥିଲା?

ସୂଚନା ଅନୁସାରେ, ଜୁଲାଇ ୪ ତାରିଖ ରାତିରେ କଲବୁରାଗିରୁ ଚିଞ୍ଚୋଳି ଅଭିମୁଖେ ଯାଉଥିବା ଏକ KKRTC ବସ୍‌ର ହେଡ୍‌ଲାଇଟ୍ ଅଧା ରାସ୍ତାରେ ଅଚଳ ହୋଇଯାଇଥିଲା। ନିୟମ ଅନୁସାରେ ବସ୍‌ଟିକୁ ଅଟକାଇ ବିକଳ୍ପ ବ୍ୟବସ୍ଥା କରାଯିବା କଥା, କିନ୍ତୁ ଡ୍ରାଇଭର ତାହା ଯାତ୍ରା ଜାରି ରଖିଥିଲେ। ଏହି ସମୟରେ କଣ୍ଡକ୍ଟର ମୋବାଇଲ୍ ଫୋନର ଟର୍ଚ୍ଚ ଜଳାଇ ରାସ୍ତା ଦେଖାଇ ଡ୍ରାଇଭରଙ୍କୁ ସହଯୋଗ କରୁଥିଲେ। ଏଭଳି ବିପଦପୂର୍ଣ୍ଣ ପରିସ୍ଥିତିରେ ବସ୍‌ଟି ପ୍ରାୟ ୮୪ କିଲୋମିଟର ରାସ୍ତା ଅତିକ୍ରମ କରିଥିବା କୁହାଯାଇଛି।

ଘଟଣାର ଭିଡିଓ ଭାଇରାଲ୍ ହେବା ପରେ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଗୁରୁତର ପ୍ରଶ୍ନ ଉଠିଥିଲା। ତଦନ୍ତ ପରେ KKRTC ଦ୍ବାରା ବସ୍ ଡ୍ରାଇଭର ଆକାଶ, ଟେକ୍ନିସିଆନ୍ ଶିବାନନ୍ଦ ଏବଂ ମେଣ୍ଟେନାନ୍ସ ସୁପରଭାଇଜର ବାସବରାଜଙ୍କୁ ନିଲମ୍ବନ କରାଯାଇଛି। ଡ୍ରାଇଭର ତ୍ରୁଟି ଜାଣିଥିଲେ ମଧ୍ୟ ବସ୍ ଚଳାଇଥିବା, ଟେକ୍ନିସିଆନ୍ ତ୍ରୁଟି ଠିକ୍ ନ କରି ବସ୍‌କୁ ଚଲାଇବା ପାଇଁ ଛାଡ଼ିଦେଇଥିବା ଏବଂ ସୁପରଭାଇଜର ରକ୍ଷଣାବେକ୍ଷଣର ଠିକ୍ ତଦାରଖ କରିନଥିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। 

KKRTC ପକ୍ଷରୁ କୁହାଯାଇଛି ଯେ, ଯାତ୍ରୀଙ୍କ ସୁରକ୍ଷା ସହ କୌଣସି ପ୍ରକାରର ଅବହେଳାକୁ ବରଦାସ୍ତ କରାଯିବ ନାହିଁ। ଘଟଣାର ବିଭାଗୀୟ ତଦନ୍ତ ଜାରି ରହିଛି ଏବଂ ଭବିଷ୍ୟତରେ ଏଭଳି ଘଟଣା ନ ଘଟିବା ପାଇଁ ବସ୍‌ଗୁଡ଼ିକର ରକ୍ଷଣାବେକ୍ଷଣ ଓ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ା କରାଯିବ ବୋଲି କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।