Welcome!

Unlock your personalized experience.
Sign Up

Bird: ହ୍ରାସ ପାଉଛନ୍ତି ବିଦେଶଗାମୀ ବିହଙ୍ଗ ପ୍ରଜାତି

Jul 28, 2026 - 08:33
Bird: ହ୍ରାସ ପାଉଛନ୍ତି ବିଦେଶଗାମୀ ବିହଙ୍ଗ ପ୍ରଜାତି

ସମଗ୍ର ବିଶ୍ବରେ ଅର୍ଦ୍ଧାଧିକ ବିଦେଶଗାମୀ ବିହଙ୍ଗ ପ୍ରଜାତିଙ୍କ ସଂଖ୍ୟା ହ୍ରାସ ପାଉଛି। ମହାଦେଶ ଓ ସାଗର ଅତିକ୍ରମକାରୀ ପକ୍ଷୀସଂଖ୍ୟା ହ୍ରାସ ଯୋଗୁଁ ଜୈବବିବିଧତା ସଙ୍କଟ ଉତ୍କଟ ହେବ ବୋଲି ଗୋଟାଏ ଗବେଷଣା ସତର୍କ କରାଇଦେଇଛି। କାରଣ, କୀଟପତଙ୍ଗ ସଂଖ୍ୟା ନିୟନ୍ତ୍ରଣ, ବୀଜବିକ୍ଷେପ, ଉଦ୍ଭିଦ ପରାଗସଙ୍ଗମ ଓ ଖାଦ୍ୟ ଶୃଙ୍ଖଳ ସୁବ୍ୟବସ୍ଥିତ ରଖି ପରିସଂସ୍ଥା କ୍ଷେତ୍ରରେ ସେମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି। ଅନ୍ୟ ସ୍ଥାନ କଥା ଛାଡ଼ନ୍ତୁ, ଏ ଗବେଷଣାର ପ୍ରାସଙ୍ଗିକତା ଜାତୀୟ ରାଜଧାନୀ ଦିଲ୍ଲୀରେ ବି ଜଣାପଡ଼ିଲାଣି। ପ୍ରତିବର୍ଷ ସେଠାକୁ କେନ୍ଦ୍ରୀୟ ଏସିଆ ଓ ବିଶ୍ବର ଅନ୍ୟାନ୍ୟ ପ୍ରାନ୍ତରୁ ୧୦୦ ପ୍ରଜାତି ବିଦେଶାଗତ ବିହଙ୍ଗ ଆସନ୍ତି। ‘ନେଚର୍‌ ରିଭ୍ୟୁ ବାୟୋଡାଇଭର୍ସିଟି’ରେ ପ୍ରକାଶିତ ଏହି ଗବେଷଣା ଆକଳନ କରିଛି ଯେ ବିଶ୍ବର ପ୍ରମୁଖ ପକ୍ଷୀ ଉଡ଼ାଣ ପଥରେ ପ୍ରାୟ ୫୧ ପ୍ରତିଶତ ବିଦେଶାଗତ ପକ୍ଷୀ ପ୍ରଜାତିଙ୍କ ସଂଖ୍ୟା ହ୍ରାସ ପାଇଛି। ପ୍ରାୟ ୩୦୦ ବିଦେଶଗାମୀ ପକ୍ଷୀ ପ୍ରଜାତି ବିଶ୍ବବ୍ୟାପୀ ବିଲୟମୁଖୀ ଅବସ୍ଥାରେ ପହଞ୍ଚିଲେଣି। ଏକଦା ଅତି ସାଧାରଣ ବୋଲି ମନେ କରାଯାଉଥିବା ଅନେକ ପକ୍ଷୀଙ୍କର ଏବେ ଦର୍ଶନ ମିଳିବା କଷ୍ଟକର ହେଲାଣି।

Niladri Bije 2026: ନୀଳକନ୍ଦରକୁ ବାହୁଡ଼ିବେ ମହାପ୍ରଭୁ; ଗୋଟି ପହଣ୍ଡି ଜାରି

ଷ୍ଟେଟ୍‌ ଅଫ୍‌ ଇଣ୍ଡିଆଜ୍‌ ବାର୍ଡସ୍‌ ସମେତ ଅନେକ ଆନ୍ତର୍ଜାତିକ ପକ୍ଷୀ ବିଶାରଦଙ୍କ ମିଳିତ ଉଦ୍ୟମ ଏବଂ ଜର୍ଜଟାଉନ୍‌ ୟୁନିଭର୍ସିଟି ନେତୃତ୍ବରେ ସମାହିତ ଏହି ଗବେଷଣା ଓ ସମୀକ୍ଷା ବିଦେଶଗାମୀ ପକ୍ଷୀ ପ୍ରଜାତିଙ୍କର ଅବସ୍ଥା, ବିପଦ ଓ ସଂରକ୍ଷଣ ସମ୍ବନ୍ଧରେ ସବିଶେଷ ମୂଲ୍ୟାୟନ କରିଛି। ତା’ସହିତ ଗବେଷକମାନେ ପ୍ରସ୍ତାବ ଦେଇଛନ୍ତି ଯେ ବିଦେଶାଗତ ଅଥବା ବିଦେଶଗାମୀ ପକ୍ଷୀ ପ୍ରଜାତିଙ୍କ ଉପରେ ବୈଶ୍ବିକ ସ୍ତରରେ ଏକ ଯୋଜନା କରାଯିବା ଉଚିତ। ଏହି ଯୋଜନା ବା ଫ୍ରେମ୍‌ୱାର୍କ ପକ୍ଷୀ ପ୍ରଜାତି ଅନୁଧ୍ୟାନ, ସେମାନଙ୍କ ଗୁରୁତ୍ବପୂର୍ଣ୍ଣ ଆବାସସ୍ଥଳୀ ସୁରକ୍ଷା, ପରିସଂସ୍ଥା ଓ ସାମାଜିକ ବିଜ୍ଞାନ ଉପରେ କେନ୍ଦ୍ରୀଭୂତ କରାଯାଇ ପକ୍ଷୀସଂଖ୍ୟା ହ୍ରାସ ରୋକିବା ସହିତ ପୁନଶ୍ଚ ସେମାନଙ୍କ ସଂଖ୍ୟାବୃଦ୍ଧି ନିମନ୍ତେ ଆନ୍ତର୍ଜାତିକ ସହଯୋଗ ବିକାଶ କରାଯିବା ଆବଶ୍ୟକ।

ଆବାସସ୍ଥାନ କ୍ଷୟ, ଜଳବାୟୁ ପରିବର୍ତ୍ତନ, କୀଟନାଶକ ପ୍ରୟୋଗ, ସର୍ବଗ୍ରାସୀ ପକ୍ଷୀ ଓ ଊଦ୍ଭିଦ ପ୍ରଜାତି, ବ୍ୟାଧି ଏବଂ ନଭଶ୍ଚୁମ୍ଭୀ ଅଟ୍ଟାଳିକା ଓ ସେ ଧରଣର ଅନ୍ୟାନ୍ୟ ଭିତ୍ତିଭୂମି ସହ ଧକ୍କା ଖାଇବା ଆଦି ଘଟଣା ଯୋଗୁଁ ବିଦେଶାଗତ ପକ୍ଷୀ ପ୍ରଜାତିଙ୍କ ଆଗମନ ହ୍ରାସ ପାଉଛି ବୋଲି ବୈଜ୍ଞାନିକମାନେ କହୁଛନ୍ତି।

ବିଶେଷକରି, ଭାରତ ନିମନ୍ତେ ଏ ଗବେଷଣାପ୍ରସୂତ ଫଳ ଖୁବ୍‌ ତାତ୍ପର୍ଯ୍ୟପୂର୍ଣ୍ଣ। ଏଥିରେ ଗୁରୁତ୍ବାରୋପ କରାଯାଇଛି ଯେ ସ୍ବଳ୍ପ ଦୂରରୁ ଆସୁଥିବା ପକ୍ଷୀ ପ୍ରଜାତିଙ୍କ ଅପେକ୍ଷା ଆର୍ଟିକ୍‌ ପ୍ରଜନନ‌ କ୍ଷେତ୍ରରୁ ଭାରତକୁ ଆସୁଥିବା ସୁଦୂର ବିଦେଶାଗତ ପକ୍ଷୀମାନଙ୍କ ସଂଖ୍ୟା ଦ୍ରୁତ ହ୍ରାସ ପାଉଛି। ଶୀତକାଳରେ ଏ ଧରଣର ପକ୍ଷୀ ପ୍ରଜାତି ସାଧାରଣତଃ ଭାରତର ଜଳାଭୂମି, ତୃଣଭୂମି ଓ ଉପକୂଳ ଅଞ୍ଚଳ ଉପରେ ଭରସା କରି ବିଦେଶରୁ ଆସୁଥିଲେ। ଭବିଷ୍ୟତରେ ଏ ପ୍ରଜାତି ପକ୍ଷୀ ଆଉ ଭାରତକୁ ନ ଆସି ପାରନ୍ତି। ଆବାସସ୍ଥାନ କ୍ଷୟ, ଜଳବାୟୁ ପରିବର୍ତ୍ତନ, କୀଟନାଶକ ପ୍ରୟୋଗ, ସର୍ବଗ୍ରାସୀ ପକ୍ଷୀ ଓ ଉଦ୍ଭିଦ ପ୍ରଜାତି, ବ୍ୟାଧି ଏବଂ ନଭଶ୍ଚୁମ୍ଭୀ ଅଟ୍ଟାଳିକା ଓ ସେ ଧରଣର ଅନ୍ୟାନ୍ୟ ଭିତ୍ତିଭୂମି ସହ ଧକ୍କା ଖାଇବା ଆଦି ଘଟଣା ଯୋଗୁଁ ବିଦେଶାଗତ ପକ୍ଷୀ ପ୍ରଜାତିଙ୍କ ଆଗମନ ହ୍ରାସ ପାଉଛି ବୋଲି ବୈଜ୍ଞାନିକମାନେ କହୁଛନ୍ତି। ବିଭିନ୍ନ ଦେଶରେ ଥିବା ପ୍ରଜନନ ଉପଯୋଗୀ କ୍ଷେତ୍ର, ଯାତ୍ରା ରହଣିସ୍ଥଳ ଓ ଶୀତକାଳୀନ ବାସସ୍ଥାନ ଉପରେ ବିଦେଶାଗତ ପକ୍ଷୀମାନେ ଭରସା କରନ୍ତି। ଅବଶ୍ୟ ଅଳ୍ପ କେତେକ ଅଞ୍ଚଳରେ ଏସବୁ ସୁବିଧା ନିମନ୍ତେ ସଂରକ୍ଷଣ କରାଯାଉଛି। ମାତ୍ର, ଏହା ବିଦେଶାଗତ ପକ୍ଷୀଙ୍କ ପାଇଁ ଯଥେଷ୍ଟ ନୁହେଁ। ତେଣୁ, ବିଶ୍ବର ସର୍ବତ୍ର ଏତାଦୃଶ ସଂରକ୍ଷଣ ବ୍ୟବସ୍ଥା ବ୍ୟାପକ କରାଯିବା ଉଚିତ।

Baisinga-Rupsa road: ନୂଆ ରାସ୍ତା ଆଳରେ ପୁରୁଣାକୁ ଅବହେଳା: ମୃତ୍ୟୁଫାନ୍ଦ ପାଲଟିଛି ବୈଶିଙ୍ଗା–ରୁପ୍ସା ରାସ୍ତା

ଏ ସଂକ୍ରାନ୍ତରେ ସମୀକ୍ଷକମାନେ କହିଛନ୍ତି- ବିଦେଶାଗତ ପକ୍ଷୀମାନେ ମହାଦେଶ, ମହାସାଗର ଓ ରାଜନୈତିକ ସୀମାରେଖା ଅତିକ୍ରମ କରି ଆସନ୍ତି। ସେମାନଙ୍କ ସଂରକ୍ଷଣ ଅତୀବ କଷ୍ଟସାଧ୍ୟ। ତେଣୁ, ନିର୍ଦ୍ଦିଷ୍ଟ ବା ଏକକ ସ୍ଥାନ ସଂରକ୍ଷଣ ଉପରେ ଧ୍ୟାନ ନିବେଶ ନ କରି ପକ୍ଷୀମାନଙ୍କ ଯାତ୍ରା ପଥରେ ଅବସ୍ଥିତ ଦେଶ-ଦେଶ ମଧ୍ୟରେ ସଂଯୁକ୍ତ ଥିବା ପକ୍ଷୀ ଆବାସ କ୍ଷେତ୍ର ସଂରକ୍ଷଣ ନିମନ୍ତେ ସୁବ୍ୟବସ୍ଥା କରାଯିବା ଉଚିତ। ଏସବୁ ସଂରକ୍ଷଣ ନିମନ୍ତେ ଟ୍ରାକିଙ୍ଗ୍‌ ଟେକ୍ନୋଲୋଜି, ଏଆଇ-ସମର୍ଥ ଶବ୍ଦ ସନ୍ଧାନଗତ ଅନୁଧ୍ୟାନ, ଇବାର୍ଡ ଭଳି ଗୋଷ୍ଠୀଗତ ବିଜ୍ଞାନ ପ୍ଲାଟ୍‌ଫର୍ମ ମାଧ୍ୟମରେ ପକ୍ଷୀମାନଙ୍କର ବିଦେଶ ଗମନପଥ ଅକ୍ଳେଶରେ ଚିହ୍ନଟ କରିହେବ। ଠିକ୍‌ କେଉଁଥିପାଇଁ ସେମାନଙ୍କ ସଂଖ୍ୟା ହ୍ରାସ ପାଉଛି ତାହା ମଧ୍ୟ ଏହି ବୈଜ୍ଞାନିକ ପଦ୍ଧତି ଉପଯୋଗ କରି ଜାଣିହେବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।