Bihar dowry dispute: ଯୌତୁକ ଟଙ୍କା ନମିଳିବାରୁ ମଣ୍ଡପରୁ ବରକୁ ଧରି ଫେରୁଥିଲେ ବରପକ୍ଷ; ପୋଲିସ କରାଇଲା ବିବାହ
ବାଜୁଥିଲା ବାଜା, ରୋଷଣୀରେ ଝଲସୁଥିଲା ବିବାହ ମଣ୍ଡପ।
ବେଦୀରେ ବସିବାକୁ ସବୁ ପ୍ରସ୍ତୁତି ସରିଥିଲା।
ହେଲେ ହଠାତ୍ ଯୌତୁକ ଟଙ୍କାକୁ ନେଇ ଆରମ୍ଭ ହେଲା ହାଇଡ୍ରାମା।
ବାକି ୧ ଲକ୍ଷ ଟଙ୍କା ନମିଳିବାରୁ ବିବାହ ନକରି ବରଯାତ୍ରୀ ଫେରାଇ ନେବାକୁ ବସିଲେ ବରପକ୍ଷ।
ଏପରିକି ବରକୁ ଧରି ଫେରିଯିବାକୁ ଉଦ୍ୟମ କରିଥିଲେ ପରିବାର ଲୋକେ।
ଶେଷରେ ପୋଲିସର ହସ୍ତକ୍ଷେପ ପରେ ରାତିରେ ଅଧରେ ଅଟକିଥିବା ବାହାଘର ସକାଳେ ସମ୍ପନ୍ନ ହୋଇଛି।
ବିହାରର ମୁଜାଫରପୁର ଜିଲ୍ଲାରୁ ଆସିଛି ଏଭଳି ଏକ ଅଜବ ଘଟଣା।
Advertisment ୧ ଲକ୍ଷ ଟଙ୍କା ପାଇଁ ବିବାହ ମଣ୍ଡପରେ ହଙ୍ଗାମା ସୂଚନା ଅନୁସାରେ, ମୁଜାଫରପୁର ଜିଲ୍ଲା ସକରା ଥାନା ଅନ୍ତର୍ଗତ ହରପୁର କୃଷ୍ଣା ଗାଁର ବିନୋଦ ପାସୱାନଙ୍କ ଝିଅ ରୂପା କୁମାରୀଙ୍କ ବିବାହ ରାମପୁର ଦୟାଲ ଗାଁର ରାମଦାସ ପାସୱାନଙ୍କ ପୁଅ ଅନନ୍ତ କୁମାରଙ୍କ ସହ ସ୍ଥିର ହୋଇଥିଲା।
ରବିବାର ରାତିରେ ଧୁମଧାମରେ ବରଯାତ୍ରୀ କନ୍ୟା ଘରେ ପହଞ୍ଚିଥିଲେ।
ହସଖୁସିରେ ବରଯାତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା।
ବିବାହର ସମସ୍ତ ରୀତିନୀତି ପାଇଁ ଚାଲିଥିଲା ପ୍ରସ୍ତୁତି।
କିନ୍ତୁ ବିବାହ ରୀତିନୀତି ଆରମ୍ଭ ହେବା ପୂର୍ବରୁ ଯୌତୁକର ବାକି ଟଙ୍କାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଆରମ୍ଭ ହୋଇଗଲା ବିବାଦ।
ଫଳରେ ଖୁସିର ମାହୋଲ ହଠାତ୍ ଉତ୍ତେଜନାରେ ପରିଣତ ହୋଇଥିଲା।
Advertisment ୪ ଲକ୍ଷ ଟଙ୍କାର ଡିଲ୍, ୩ ଲକ୍ଷ ଦେଇଥିଲେ କନ୍ୟାପକ୍ଷ କନ୍ୟାପକ୍ଷଙ୍କ ଅଭିଯୋଗ ଅନୁସାରେ, ବିବାହ ପାଇଁ ମୋଟ ୪ ଲକ୍ଷ ଟଙ୍କା ଦେବାକୁ ସ୍ଥିର ହୋଇଥିଲା।
ଏଥିମଧ୍ୟରୁ ୩ ଲକ୍ଷ ଟଙ୍କା ପୂର୍ବରୁ ଦିଆଯାଇଥିବା ବେଳେ ବାକି ୧ ଲକ୍ଷ ଟଙ୍କା ପରେ ଦେବାକୁ କଥା ହୋଇଥିଲା।
ହେଲେ ବିବାହ ଦିନ ବରପକ୍ଷ ତୁରନ୍ତ ବାକି ଟଙ୍କା ଦେବାକୁ ଜିଦ୍ ଧରିଥିଲେ।
ଅନ୍ୟପଟେ ଆର୍ଥିକ ସମସ୍ୟା ଯୋଗୁଁ କନ୍ୟାପକ୍ଷ ତୁରନ୍ତ ୧ ଲକ୍ଷ ଟଙ୍କା ଦେବାକୁ ଅସମର୍ଥତା ପ୍ରକାଶ କରିଥିଲେ।
ତେବେ ୫୦ ହଜାର ଟଙ୍କା ଦେବାକୁ ପ୍ରସ୍ତାବ ଦେଇଥିଲେ।
କିନ୍ତୁ ଏଥିରେ ବରପକ୍ଷ ରାଜି ହୋଇନଥିଲେ।
ଏପରିକି ବାକି ଟଙ୍କା ନମିଳିଲେ ବିବାହ ହେବ ନାହିଁ ବୋଲି କହିଥିବା ଅଭିଯୋଗ ହୋଇଛି।
ବରକୁ ଧରି ଫେରିବାକୁ ବସିଲେ ପରିବାର ଲୋକେ ବିବାଦ ଏତେ ବଢ଼ିଯାଇଥିଲା ଯେ ବରଙ୍କ ବାପା, ଭିଣୋଇ ଓ ଭାଇ ତାଙ୍କୁ ଧରି ବରଯାତ୍ରୀ ଫେରାଇ ନେବାକୁ ଉଦ୍ୟମ କରିଥିଲେ।
ଏପଟେ ବିବାହ ଭାଙ୍ଗିଯିବା ଆଶଙ୍କାରେ କନ୍ୟାପକ୍ଷ ଚିନ୍ତାରେ ପଡ଼ିଯାଇଥିଲେ।
ଏହାପରେ କନ୍ୟାପକ୍ଷର ପରିବାର ଲୋକେ ଓ ଗ୍ରାମବାସୀ ବର ଏବଂ ତାଙ୍କ ଭିଣୋଇଙ୍କୁ ଅଟକାଇ ରଖିଥିଲେ।
ଘଟଣା ସମ୍ପର୍କରେ ସକରା ଥାନା ପୋଲିସକୁ ଖବର ଦିଆଯାଇଥିଲା।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କ ସହ ଆଲୋଚନା କରିଥିଲା।
ଦୀର୍ଘ ସମୟ ଧରି ବୁଝାସୁଝା କରିବା ପରେ ବିବାହ ସମ୍ପନ୍ନ କରିବାକୁ ଉଭୟ ପକ୍ଷ ରାଜି ହୋଇଥିଲେ ଏବଂ ମଣ୍ଡପରେ ବିବାହର ସମସ୍ତ ରୀତିନୀତି ଶେଷ ହୋଇଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
