Bank of Baroda Data Leaked: ବ୍ୟାଙ୍କ ଅଫ୍ ବରୋଦାରେ ବଡ଼ ସାଇବର ଆକ୍ରମଣ! ଡାର୍କୱେବ୍ରେ ଆଧାର ଓ ଆକାଉଣ୍ଟ ତଥ୍ୟ ଲିକ୍
ଦେଶର ଅଗ୍ରଣୀ ସରକାରୀ ବ୍ୟାଙ୍କ ବ୍ୟାଙ୍କ ଅଫ୍ ବରୋଦା ଉପରେ ବଡ଼ ସାଇବର ଆକ୍ରମଣ। ପ୍ରାୟ ୧ ଟେରାବାଇଟ୍ ସମ୍ବେଦନଶୀଳ ଡାଟା ଲିକ୍ ହୋଇଥିବା ଦାବି କରିଛନ୍ତି ହ୍ୟାକର୍। ଖବର ପ୍ରକାଶ ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ବ୍ୟାଙ୍କ।
ଲିକ୍ ହୋଇଥିବା ତଥ୍ୟରେ ଗ୍ରାହକଙ୍କ ଆଧାର ନମ୍ବର, ନାମ, ଆକାଉଣ୍ଟ ବିବରଣୀ, ଋଣ ସମ୍ପର୍କିତ ତଥ୍ୟ, ନେଟ୍ ବ୍ୟାଙ୍କିଂ ଡାଟା, ଏନ୍ଆର୍ଆଇ ଓ କର୍ପୋରେଟ୍ ବ୍ୟାଙ୍କିଂ ରେକର୍ଡ ଥିବା ଦାବି କରାଯାଇଛି।
ସାଇବର ସୁରକ୍ଷା ବିଶେଷଜ୍ଞ କହିଛନ୍ତି, ଅନଲାଇନରେ ଥିବା କିଛି ନମୁନା ଡକ୍ୟୁମେଣ୍ଟ ଯାଞ୍ଚ କରିବା ପରେ ସେଥିରେ ବ୍ୟାଙ୍କର ଆଭ୍ୟନ୍ତରୀଣ ଦସ୍ତାବିଜ ଓ ଗ୍ରାହକଙ୍କ ତଥ୍ୟ ଥିବା ଦେଖିବାକୁ ମିଳିଛି। ସେ ଏହାକୁ "ସାଇବର ବିପର୍ଯ୍ୟୟ" ବୋଲି ବର୍ଣ୍ଣନା କରିଛନ୍ତି।
ତେବେ ବ୍ୟାଙ୍କ ଅଫ୍ ବରୋଦା ଏହି ଡାଟା ଲିକ୍ ଦାବିର ସତ୍ୟତାକୁ ନେଇ ଆଭ୍ୟନ୍ତରୀଣ ତଦନ୍ତ ଆରମ୍ଭ କରିଛି। ଏପର୍ଯ୍ୟନ୍ତ ବ୍ୟାଙ୍କ, CERT-In କିମ୍ବା ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୌଣସି ଆଧିକାରିକ ପୁଷ୍ଟି କରାଯାଇନାହିଁ।
ପ୍ରାରମ୍ଭିକ ସୂଚନା ଅନୁସାରେ TripleX ନାମକ ଏକ ହ୍ୟାକିଂ ଗ୍ରୁପ୍ ଏହି ସାଇବର ଆକ୍ରମଣ ପଛରେ ଥାଇପାରେ ବୋଲି ସନ୍ଦେହ କରାଯାଉଛି। ଏହି ଘଟଣା ପରେ ଦେଶର ବ୍ୟାଙ୍କିଂ କ୍ଷେତ୍ରର ସାଇବର ସୁରକ୍ଷାକୁ ନେଇ ଚିନ୍ତା ଆହୁରି ବଢ଼ିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।