Badapokhari: ବଦଳିବ ବଡ଼ପୋଖରୀ ରୂପରେଖ: ୧କୋଟି ୬ଲକ୍ଷ ଟଙ୍କା ମଞ୍ଜୁର
ନିରାକାରପୁର: ଅସ୍ତିତ୍ୱ ସଂକଟରେ ଥିବା ଡିଆ ବଡ଼ପୋଖରୀର ଖୁବ୍ଶୀଘ୍ର ପୁନରୁଦ୍ଧାର ହେବ।
ବିଳମ୍ବରେ ହେଉ ପଛେ ସ୍ଥାନୀୟବାସିନ୍ଦାଙ୍କ ବାରମ୍ବାର ଅଭିଯୋଗ ସହ 'ସମ୍ବାଦ'ରେ ଖବର ପ୍ରକାଶିତ ହେବା ଫଳରେ ଏହାର ରୂପରେଖ ବଦଳିବାକୁ ଯାଉଛି।
ଏହାର ନବୀକରଣ ନେଇ ଖୋରଧା କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ୧କୋଟି ୬ଲକ୍ଷଟଙ୍କା ମଞ୍ଜୁର ହୋଇଥିବା ବିଭାଗ ସୂତ୍ରରୁ ଜଣା ଯାଇଛି।
ବିଭାଗ ପକ୍ଷରୁ ଏହି ସୂଚନା ମିଳିବା ପରେ ଜରାଜୀର୍ଣ୍ଣ ପୋଖରୀ ପୁନଉଦ୍ଧାର ହେବାକୁ ଯାଉଥିବା ଶୁଣି ବିଭାଗୀୟ ଯନ୍ତ୍ରୀ ପରମିତା ପଣ୍ଡାଙ୍କୁ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି।
ସୂଚନାଯୋଗ୍ୟ, ସ୍ଥାନୀୟ ଡିଆ ପଞ୍ଚାୟତର ଉକ୍ତ ମୌଜାର ଖାତା ନମ୍ୱର ୮୭୯ ଓ ପ୍ଲଟ୍ ନମ୍ବର ୧୨୦୦ରେ ରହିଛି ୮ଏକର ୨୯୫ଡିସିମିଲି ଆୟତ କ୍ଷେତ୍ର ବିଶିଷ୍ଟ ବଡ଼ପୋଖରୀ।
ନିତ୍ୟବ୍ୟବହାର୍ଯ୍ୟ ନିମନ୍ତେ ଏହି ପୋଖରୀ ଉପରେ ନିର୍ଭର କରନ୍ତି ଡିଆ ବ୍ରାହ୍ମଣ ସାହି, ଓଡ଼ିଆ ସାହି, ଭୋଇସାହି, କୋଲସାହି, ଭଟସାହି, ଦଳିତସାହି ସମେତ ପଡୋଶୀ ପଞ୍ଚାୟତର ଶତାଧିକ ଜନସାଧାରଣ।
ଯଜ୍ଞ, ହୋମଠାରୁ ଆରମ୍ଭ ଆରମ୍ଭ କରି ଶୁଦ୍ଧିକ୍ରିୟା ପର୍ଯ୍ୟନ୍ତ ଏହା ଉପରେ ସମସ୍ତେ ନିର୍ଭର କରିଥାନ୍ତି।
Advertisment କେବଳ ନିତ୍ୟବ୍ୟବହାର୍ଯ୍ୟ ନୁହେଁ ସ୍ଥାନୀୟ ଚାଷୀକୁଳ ନିମନ୍ତେ ଏହା ମଧ୍ୟ ବେଶ ସହାୟକ ହେଉଥିଲା।
ହେଲେ ପଞ୍ଚାୟତ ସ୍ତରରେ ଛକାପଞ୍ଝା ରାଜନୀତି ସାଙ୍ଗକୁ ଜିଲ୍ଲା ପ୍ରଶାସନର ଅଣଦେଖା ଯୋଗୁଁ ପୋଖରୀଟି ଗଲା ୫ବର୍ଷ ହେବ ପୁନରୁଦ୍ଧାର ଅଭାବରୁ ଅସ୍ତିତ୍ୱ ହରାଇବସିଛି।
ପୋଖରୀରେ ପାଣି ଭର୍ତ୍ତି ଥିଲେ ସୁଦ୍ଧା ଏହା ଲୋକଙ୍କ କାର୍ଯ୍ୟରେ ଆସୁନାହିଁ।
କଲିକତି ଦଳ ଓ ଚିଙ୍ଗୁଡ଼ିଆ ଦଳ ସହ ଅନ୍ୟାନ୍ୟ ଦଳରେ ଏହା ଭର୍ତ୍ତି ହୋଇ ପାଣିର ରଙ୍ଗ ବଦଳି ବ୍ୟବହାର ଅନୁପଯୋଗୀ ହୋଇପଡିବା ସହ ପୂତ୍ତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି।
ଉପାୟ ନଥିବାରୁ ସେହି ଦୂଷିତ ପାଣିରେ ଗାଧୋଇବାକୁ ବାଧ୍ୟ ହେଉଥିବା କହନ୍ତି ସ୍ଥାନୀୟ ମହିଳା ପଞ୍ଚେଇ ଦେଇ, ଉର୍ମିଳା ମହାନ୍ତି ପ୍ରମୁଖ।
ସେହିପରି ଗାଧୋଇବା ପରେ ଦେହ ମୁଣ୍ଡ କୁଣ୍ଡାଇ ହୋଇ ଫଳି ଯାଉଥିଲେ ସୁଦ୍ଧା ବାଧ୍ୟବାଧକରେ ଏହା ବ୍ୟବହାର କରୁଛୁ ବୋଲି କହନ୍ତି ସ୍ଥାନୀୟ ଗ୍ରାମବାସୀ ଅଶୋକ ପଟ୍ଟନାୟକ।
ଅନୁରୂପଭାବେ ଧଳା ପ୍ୟାଣ୍ଟ କିମ୍ବା ସାର୍ଟ ସଫା କଲେ ରଙ୍ଗ ବଦଳିଯାଉଥିବା ଆଉ କେତେକ ଅଭିଯୋଗ କରିଛନ୍ତି।ଏଭଳି ସ୍ଥିତିରେ ପୋଖରୀର ଦକ୍ଷିଣ ପାର୍ଶ୍ୱକୁ ଛାଡିଦେଲେ ଅନ୍ୟ ପାର୍ଶ୍ୱରେ ଗାର୍ଡୱାଲ ନଥିବା କାରଣରୁ ବନ୍ଧରୁ ମାଟି ଧସି କ୍ରମଶଃ ପୋଖରୀଟି ପୋତି ହୋଇ ଚତୁଃପାର୍ଶ୍ୱ ପାହାଚ ମଧ୍ୟ ଦୃଷ୍ଟିଗୋଚର ହେଉନାହିଁ।
ସବୁଠାରୁ ସମ୍ବେଦନଶୀଳ ହେଉଛି, ସ୍ଥାନୀୟ ଅଞ୍ଚଳରେ ଏତେବଡ଼ ପୋଖରୀ ଥିଲେ ସୁଦ୍ଧା ଲୋକେ ଉପକାର ପାଉନାହାନ୍ତି।
ଏହି ପୋଖରୀ ଉପରେ ନିର୍ଭରକରି ସ୍ଥାନୀୟ ଚାଷୀକୁଳ ଋତୁକାଳୀନ ଫସଲ କରୁଥିଲେ।
ହେଲେ ସମୟକ୍ରମେ ଏହା ସମ୍ଭବ ହେଉନଥିରୁ ଚାଷୀକୁଳ ଏବେ ଦାଦନ ଶ୍ରମିକ।
ବିଭାଗ ପକ୍ଷରୁ ଏହାର ପୁନରୁଦ୍ଧାର ନେଇ ମଞ୍ଜୁରୀ ମିଳିସାରିଛି।
ତୁରନ୍ତ କାର୍ଯ୍ୟାରମ୍ଭ କରିବାକୁ ଦାବି ହେଉଛି।
ଏନେଇ ଦାୟିତ୍ୱରେ ଥିବା ଖୋରଧା କ୍ଷୁଦ୍ର ଜଳସେଚନ ବିଭାଗ ଯନ୍ତ୍ରୀ ପରମିତା ପଣ୍ଡାଙ୍କୁ ପଚାରିବାରେ ପୋଖରୀ ପୁନରୁଦ୍ଧାର ନେଇ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି।
ଖୁବଶୀଘ୍ର ଏହା କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ଦେଇଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
