Attack Allegation: ଅଭିଷେକ ବାନାର୍ଜୀଙ୍କ ବାସଭବନ ଉପରେ ଆକ୍ରମଣ ଅଭିଯୋଗ; ବିଜେପିକୁ ଦାୟୀ କଲେ ଟିଏମ୍ସି ସାଂସଦ
କୋଲକାତା: ପଶ୍ଚିମବଙ୍ଗରେ ରାଜନୈତିକ ହିଂସାକୁ ନେଇ ପୁଣି ଆରମ୍ଭ ହୋଇଛି ଆରୋପ-ପ୍ରତ୍ୟାରୋପ। ତୃଣମୂଳ କଂଗ୍ରେସ (ଟିଏମ୍ସି)ର ସାଂସଦ ଅଭିଷେକ ବାନାର୍ଜୀ ଶନିବାର (ନଭେମ୍ବର ୭) ଭୋର ପ୍ରାୟ ୨ଟାରେ ଦକ୍ଷିଣ କୋଲକାତାର କାଳୀଘାଟସ୍ଥିତ ତାଙ୍କ ବାସଭବନ ଉପରେ ବିଜେପି ସମର୍ଥିତ ଦୁର୍ବୃତ୍ତମାନେ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି। ତେବେ ପଶ୍ଚିମବଙ୍ଗ ସରକାରଙ୍କ ପଞ୍ଚାୟତ ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ଦିଲୀପ ଘୋଷ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।
ଅଭିଷେକ ବାନାର୍ଜୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ଭିଡିଓ ପୋଷ୍ଟ କରି ଘଟଣା ସମ୍ପର୍କରେ ଜଣାଇଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ଆକ୍ରମଣ ପୂର୍ବରୁ ଲଗାତାର ଦୁଇ ଦିନ ଧରି ତାଙ୍କ କାର୍ଯ୍ୟାଳୟ ଓ ବାସଭବନ ଉପରେ ନଜର ରଖାଯାଇଥିଲା। ଏହାପରେ ରାତି ୨ଟାରେ ଆକ୍ରମଣ କରାଯାଇଥିଲା। ଜଣେ ନିର୍ବାଚିତ ସାଂସଦଙ୍କ ଘର ଯଦି ସୁରକ୍ଷିତ ନୁହେଁ, ତେବେ ସାଧାରଣ ଲୋକଙ୍କ ସୁରକ୍ଷା କେତେ ଦୂର ସମ୍ଭବ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ତେବେ ଭିଡିଓର ସତ୍ୟତାକୁ ସ୍ୱାଧୀନ ଭାବେ ଯାଞ୍ଚ କରିପାରିନାହିଁ ପିଟିଆଇ।
‘ଚୋର’ ସ୍ଲୋଗାନରୁ ଉତ୍ତେଜନା ଆରମ୍ଭ
ସ୍ଥାନୀୟ ସୂଚନା ଅନୁଯାୟୀ, ଅଭିଷେକଙ୍କ କାଳୀଘାଟସ୍ଥିତ ଘର ବାହାରେ ବିଜେପି ସମର୍ଥକମାନେ ‘ଚୋର’ ସ୍ଲୋଗାନ ଦେବାରୁ ଉତ୍ତେଜନା ଆରମ୍ଭ ହୋଇଥିଲା। ଏହାର ଜବାବରେ ସେଠାରେ ଉପସ୍ଥିତ ଟିଏମ୍ସି ସମର୍ଥକମାନେ ମଧ୍ୟ ପାଲଟା ସ୍ଲୋଗାନ ଦେଇଥିଲେ। ପରେ ଉଭୟ ଗୋଷ୍ଠୀ ମଧ୍ୟରେ ମାରପିଟ୍ ଓ ପଥରମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏଥିରେ କିଛି ଟିଏମ୍ସି କର୍ମୀ ଗୁରୁତର ଆହତ ହୋଇଥିବା ଅଭିଷେକ କହିଛନ୍ତି। ଜଣେ ଆହତଙ୍କ ପ୍ଲାଷ୍ଟିକ୍ ସର୍ଜରି କରିବାକୁ ପଡ଼ିଥିବା ବେଳେ ଅନ୍ୟ ଜଣଙ୍କ ଆଖି ପାଖରେ ହାଡ଼ ଭାଙ୍ଗିଥିବା ସେ ଦାବି କରିଛନ୍ତି।
ଗତ ଛଅ ମାସ ମଧ୍ୟରେ ତାଙ୍କ ଜୀବନ ନେବାକୁ ସପ୍ତମ ଉଦ୍ୟମ ବୋଲି ଅଭିଷେକ ଅଭିଯୋଗ କରିବା ସହ ପୁଲିସ ଓ ନ୍ୟାୟପାଳିକାର ନିଷ୍କ୍ରିୟତାକୁ ସମାଲୋଚନା କରିଛନ୍ତି। ଅନ୍ୟପକ୍ଷରେ ମନ୍ତ୍ରୀ ଦିଲୀପ ଘୋଷ ଏହି ଅଭିଯୋଗକୁ ଅଗ୍ରାହ୍ୟ କରି କହିଛନ୍ତି, କ୍ଷମତା ହାତରୁ ଖସିବାକୁ ଲାଗିଲେ ଏଭଳି ଅଭିଯୋଗ ଆସିଥାଏ। କୋଲକାତା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ଗଣ୍ଡଗୋଳକୁ ନିୟନ୍ତ୍ରଣ କରିଥିଲା। ଘଟଣାର ତଦନ୍ତ ଚାଲିଥିବା ପୁଲିସ ପକ୍ଷରୁ କୁହାଯାଇଛି।
Air Force: ଆକାଶର ଉଚ୍ଚତାକୁ ଚ୍ୟାଲେଞ୍ଜ କଲା ଭାରତୀୟ ବାୟୁସେନା: ୧୩,୬୨୯ ଫୁଟ ଉଚ୍ଚତାରେ ରଚିଲା ଇତିହାସ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
