Assam Flood Situation Worsens: ବନ୍ୟାର ଭୟଙ୍କର ରୂପ, ଚାରିଆଡେ ଧ୍ୱଂସଲୀଳା; ଗଲାଣି ୯୫ ଜୀବନ

Aug 06, 2026 - 14:27
Assam Flood Situation Worsens: ବନ୍ୟାର ଭୟଙ୍କର ରୂପ, ଚାରିଆଡେ ଧ୍ୱଂସଲୀଳା; ଗଲାଣି ୯୫ ଜୀବନ

ବନ୍ୟା ବିଭୀଷିକାରେ ପୂରା ଆସାମ। ବର୍ଷା ଛାଡିବା ପରେ ବନ୍ୟା ଯେମିତି ଲୋକଙ୍କ ଉପରେ ଦାଉ ସାଧୁଛି। ରାଜ୍ୟରେ ଯୁଆଡେ ଦେଖିବ ଖାଲି ପାଣି ଆଉ ପାଣି। ବନ୍ୟାରେ ଏ ଯାଏଁ ୧୪ ଟି ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ୧.୬ ଲକ୍ଷ ଲୋକ ବନ୍ୟାରେ ଫସିଛନ୍ତି। ଏଯାଏଁ ବନ୍ୟାରେ ୯୫ ଜଣଙ୍କର ଜୀବନ ଗଲାଣି। 

ଗତ ବୁଧବାର ଶିବସାଗର ଓ ବିଶ୍ୱନାଥରେ ଦୁଇ ଜଣ ଲେଖାଏଁ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଗୋଳାଘାଟ ଏବଂ ମୋରିଗାଁରେ ଜଣେ ଲେଖାଏଁ ଲୋକଙ୍କର ମୃତ୍ୟୁ ଘଟିଛି। ଶିବସାଗର ସବୁଠୁ ଅଧିକ ପ୍ରଭାବିତ ହୋଇଛି। କେବଳ ଏହି ଜିଲ୍ଲାରେ ହିଁ ୫୦ ଜଣଙ୍କର ମୃତ୍ୟୁ ହେଲାଣି ଏବଂ ପଡୋଶୀ ଚରାଇଦେଓ ଜିଲ୍ଲାରେ ୨୧ ଜଣଙ୍କର ମୃତ୍ୟୁ ହୋଇଛି।

ଅଫିସିଆଲ ସୂତ୍ର ଅନୁସାରେ, ଜୋରହାଟରେ ୯ ଜଣ, ଗୋଲାଘାଟରେ ୫, ଧେମାଜିରେ ୩ ଜଣ ଏବଂ କାର୍ବି ଆଙ୍ଗଲଙ୍ଗ ଓ ବିଶ୍ୱନାଥରେ ଦୁଇଟି ଲେଖାଏଁ ଲୋକଙ୍କ ମୃତ୍ୟୁ ହୋଇଛି। ସେହିପରି ସୋନିତପୁର, କାମରୁପ ମେଟ୍ରୋପଲିଟାନ ଓ ମୋରିଗାଁରେ ଜଣେ ଲେଖାଏଁ ଲୋକଙ୍କ ଜୀବନ ଯାଇଛି। 

ବିଶ୍ୱନାଥ, ଚରାଇଦେଓ, ଦରାଙ୍ଗ, ଧେମାଜି, ଗୋଲାଘାଟ, ଜୋରହାଟ, କାମରୁପ ମେଟ୍ରୋପଲିଟାନ, କାର୍ବି ଆଙ୍ଗଲଙ୍ଗ, ଲକ୍ଷୀମପୁର, ନଗାଓଁ, ଶିବସାଗର, ସୋନିତପୁର, ତିନସୁକିଆ ଏବଂ ଉଦଲଗୁରି ଜିଲ୍ଲାର ୧ ଲକ୍ଷ ୬୦ ହଜାର ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ସେଥିମଧ୍ୟରୁ ଶିବସାଗରରେ ୫୭ ହଜାର, ଗୋଲାଘାଟରେ ୩୪ ହଜାର, ଜୋରହାଟରେ ୨୫ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ୬ଟି ଜିଲ୍ଲାରେ ୧୦୦ରୁ ଅଧିକ ରିଲିଫ୍ ଶିବିର ଏବଂ ରିଲିଫ୍ ବଣ୍ଟନ କେନ୍ଦ୍ର କାର୍ଯ୍ୟ କରୁଛି ଏବଂ ବର୍ତ୍ତମାନ ୪୪,୫୨୩ ପ୍ରଭାବିତ ଲୋକଙ୍କୁ ସେବା ଯୋଗାଇ ଦିଆଯାଉଛି। 

ବନ୍ୟାରେ ୧୬,୯୫୧.୭୬ ହେକ୍ଟର ଚାଷଜମି ନଷ୍ଟ ହୋଇଛି। ରାଜ୍ୟର ବିଭିନ୍ନ ପୋଲ, ବଡ଼ ବଡ଼ ବ୍ରିଜ ଓ ଅନେକ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି।

କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଜିଲ୍ଲା ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓ ଅନ୍ୟ ପଦାଧିକାରୀଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ଏବଂ କେନ୍ଦ୍ର ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।