Arjuna's Revenge Story: ପୁଅର ମୃତ୍ୟୁ ଖବର ଶୁଣି ରାଗିଗଲେ ଅର୍ଜୁନ! ଜୟଦ୍ରଥଙ୍କୁ ଦେଲେ ମୃତ୍ୟୁର ଚେତାବନୀ
ସନ୍ଧ୍ୟା ହେଇ ସାରିଥିଲା ।
ଯୁଦ୍ଧଭୂମିରେ ଅଭିମନ୍ୟୁଙ୍କ ଦେହାନ୍ତ ଖବର ସେଯାଏଁ ଅର୍ଜୁନଙ୍କ ପାଖରେ ପହଞ୍ଚି ନଥାଏ ।
ଏପଟେ ପାଣ୍ଡବ ଶିବିରରେ ଶୋକାକୁଳ ପରିବେଶ ।
ଦୁଃଖରେ ମ୍ରିୟମାଣ ଯୁଧିଷ୍ଠିରଙ୍କୁ ବ୍ୟାସଦେବ ଆସି ବୁଝାଇ ଅଶ୍ୱାସନା ଦେଇସାରି ନିଜ ଆଶ୍ରମକୁ ଫେରିସାରିଥାନ୍ତି ।
Advertisment ଅର୍ଜୁନ ସଂଶପ୍ତକମାନଙ୍କୁ ନିହତ କରିସାରି ନିଜ କପିଧ୍ୱଜ ରଥରେ ବସି ଶିବିରକୁ ଫେରିବାର ଉପକ୍ରମ କରୁଥାନ୍ତି ।
ହଠାତ୍ ତାଙ୍କୁ କିଛି ଭଲ ଲାଗୁନଥାଏ ।
ସେଉଠୁ ଅର୍ଜୁନ ତାଙ୍କ ସାଙ୍ଗରେ ଥିବା କେଶବଙ୍କୁ କହିଲେ 'ହେ ସଖା!
କ'ଣ ପାଇଁ ମୋର ମନ ଭଲ ଲାଗୁନି ?
ମନ ବ୍ୟାକୁଳିତ ହେଉଛି ।
ଚିତ୍ତ ବିଚଳିତ ଲାଗୁଛି ।
ଶରୀର ଅବସନ୍ନ ଲାଗୁଛି ।
ଚାରି ପାଖରେ ଅଶୁଭ ଶକୁନ ସବୁ ଦେଖିବାକୁ ମିଳୁଛି ।
ମୋର ଭାଇମାନେ ଭଲରେ ଅଛନ୍ତି ତ?
କାହାର କିଛି ଅନିଷ୍ଠ ହେଇନି ତ?' ଅର୍ଜୁନଙ୍କ ଆଶଙ୍କା ଶୁଣି ଶ୍ରୀକୃଷ୍ଣ କହିଲେ, ନା ନା ସେମିତି କିଛି ହେଇନଥିବ ।
ତୁମ ଭାଇମାନେ ନିଶ୍ଚୟ କୁଶଳ ମଙ୍ଗଳରେ ଥିବେ ।
ତାପରେ କୃଷ୍ଣ ଓ ଅର୍ଜୁନ ସେମାନଙ୍କ ସନ୍ଧ୍ୟା ପ୍ରାର୍ଥନା ଶେଷ କଲେ ।
କୃଷ୍ଣ ରଥକୁ ଶିବିର ଦିଗରେ ଶୀଘ୍ର ଶୀଘ୍ର ଚଳାଇବାକୁ ଲାଗିଲେ ।
Advertisment କିଛି ସମୟ ପରେ ଅର୍ଜୁନ ପାଣ୍ଡବଙ୍କ ଶିବିରରେ ପହଞ୍ଚି ଦେଖିଲେ ସବୁକିଛି ଶ୍ରୀହୀନ ଲାଗୁଛି ।
ଅନ୍ୟଦିନ ପରି ପାଣ୍ଡବ ଶିବିରରେ କିଛି ବି କୋଳାହଳ ନାହିଁ ।
ସବୁକିଛି ନୀରବ ନିଶ୍ଚଳ ।
କେହି ତୂର୍ଯ୍ୟନାଦ କାରୁନାହାଁନ୍ତି କି କେହି ଶଙ୍ଖଧ୍ୱନି ବି କରୁନାହାଁନ୍ତି ।
ଯୋଦ୍ଧାମାନେ ତାଙ୍କୁ ଦେଖି ନଦେଖିଲା ପରି ତଳକୁ ମୁହଁ ପୋତି ଚାଲିଯାଉଛନ୍ତି ।
ଅର୍ଜୁନ ଏପରି ପରିବେଶ ଦେଖି କୃଷ୍ଣଙ୍କୁ କହିଲେ, 'ହେ କେଶବ!
ଏ ସବୁ କି କଥା?
ସବୁ ଠିକ ଠାକ ଅଛି ତ?
ମୋ ଭାଇମାନେ ଭଲରେ ଅଛନ୍ତି ତ?
ଅନ୍ୟ ଦିନ ପରି ଆଜି କାହିଁକି କେହି ମୋତେ ପାଛୋଟି ନେବାକୁ ଆସୁନାହାଁନ୍ତି?
ଅଭିମନ୍ୟୁ କୁଆଡ଼େ ଗଲା ।
ସେ କାହିଁ କେଉଁଠି ଦେଖାଯାଉନି?' ଅର୍ଜୁନ ଜାଣିଥିଲେ ଆଚାର୍ଯ୍ୟ ଦ୍ରୋଣ ଅଭେଦ୍ୟ ବ୍ୟୁହ ରଚନା କରିଥିଲେ ।
ସେ ବ୍ୟୁହ ଭିତରକୁ ପ୍ରବେଶ କରିବାର ସାଧ୍ୟ କାହା ପାଖରେ ନଥିଲା ।
ଅଭିମନ୍ୟୁ ତାଙ୍କ ପାଖରୁ ସେପରି ବ୍ୟୁହ ଭେଦର କୌଶଳ ଜାଣିଥିଲେ ।
ଅର୍ଜୁନ ତାଙ୍କୁ କେବଳ ବ୍ୟୁହ ଭିତରେ ପ୍ରବେଶ କରିବାର କୌଶଳ ଶିଖାଇଥିଲେ ।
କିନ୍ତୁ ସେଠୁ ବାହାରିବାର ବିଦ୍ୟା ଅଭିମନ୍ୟୁ ଜାଣିନଥିଲେ ।
ହଠାତ୍ ଏ କଥା ଭାବି ଅର୍ଜୁନଙ୍କ ମନ ପାପ ଛୁଇଁଲା ।
ସେ ପଚାରିଲେ, ପାଣ୍ଡବ ଶିବିରରେ ଏତେ ଏତେ ବୀର ଥାଇ ବି ବାଳକ ଅଭିମନ୍ୟୁକୁ କେହି ଦ୍ରୋଣଙ୍କ ବ୍ୟୁହ ଭିତରକୁ ପଠେଇ ନାହିଁ ତ?
ଅଳ୍ପ ସମୟ ପରେ ଅର୍ଜୁନ ଜାଣିଗଲେ ଯେ ତାଙ୍କ ପ୍ରାଣପ୍ରିୟ ପୁଅ ଆଉ ନାହିଁ ।
ହଠାତ୍ ଡଙ୍ଗା ଭାଙ୍ଗିଗଲା ପରେ ବଣିକ ଯେମିତି ବିଳାପ କରିବାକୁ ଲାଗେ ଅର୍ଜୁନ ସେମିତି ବିଳାପ କରିବାକୁ ଲାଗିଲେ ।
ଅଭିମନ୍ୟୁଙ୍କ ବିନା ସେ କେମିତି ଧୈର୍ଯ୍ୟ ଧରି ରହିବେ ଓ କେମିତି ସୁଭଦ୍ରାଙ୍କୁ ସାମ୍ନା କରିବେ ଭାବି ଭାବି ଅର୍ଜୁନ ସାନ ପିଲାଙ୍କ ପରି କାନ୍ଦିବାକୁ ଲାଗିଲେ ।
ଅର୍ଜୁନଙ୍କ ଦୁଃଖ ଓ ଶୋକ ଦେଖି ପାଣ୍ଡବ ଶିବିରର କେହି ତାଙ୍କ ପାଖକୁ ଆସିବାକୁ ସାହାସ କରୁନଥାନ୍ତି ।
ଯୁଧିଷ୍ଠିରଙ୍କ ସହ ଅନ୍ୟମାନେ ବି ତଳକୁ ମୁହଁ ପୋତି ନୀରବରେ କାନ୍ଦୁଥାନ୍ତି ।
କୃଷ୍ଣ ଆସି ଅର୍ଜୁନଙ୍କୁ କହିଲେ, 'ହେ ପାର୍ଥ ଶୋକ କରନାହିଁ ।
ତୁମ ପରି ବୀର ପାଖରେ ଏପରି ଶୋକ ଶୋଭା ଦେଉନି ।
ତୁମେ ଭଲରେ ଜାଣିଛ ଯୁଦ୍ଧରେ ଜୟ ପରାଜୟ ରହିଛି ।
ଜଣେ ଶ୍ରେଷ୍ଠ କ୍ଷତ୍ରୀୟ ଭାବରେ ତୁମେ କ'ଣ ଏ କଥା ଜାଣିନ କି ?
ପ୍ରତିଟି କ୍ଷତ୍ରୀୟ ଆଶା କରେ ସେ ଯୁଦ୍ଧରେ ବିଜୟୀ ହେବ ନହେଲେ ବୀର ଭାବରେ ଯୁଦ୍ଧ କରୁ କରୁ ବୀରଗତି ପ୍ରାପ୍ତ କରିବ ।
ତୁମ ପୁଅ ଅଭିମନ୍ୟୁ ଜଣେ ବୀର କ୍ଷତ୍ରୀୟ ଭାବରେ କୌରବ ପକ୍ଷର ଅନେକ ଯୋଦ୍ଧାକୁ ହତ୍ୟା କରି କ୍ଷତ୍ରୀୟ ଭାବରେ ମୃତ୍ୟୁ ଲାଭ କରିଛି ।
ତୁମେ ଭରତକୁଳର ଶ୍ରେଷ୍ଠ ବୀର ହୋଇ ଯଦି ଏପରି ସାନ ପିଲାପରି ଶୋକ କରିବ ତେବେ ଅନ୍ୟମାନଙ୍କ କଥା କିଏ ବୁଝିବ?' କୃଷ୍ଣଙ୍କ ଅଶ୍ୱାସନା ଓ ବୁଝା ବୁଝି ପରେ ଧିରେ ଧିରେ ଅର୍ଜୁନ ପ୍ରକୃତିସ୍ଥ ହେଲେ ।
ତାପରେ ଅର୍ଜୁନ ତାଙ୍କ ପୁଅ ଅଭିମନ୍ୟୁ ଯୁଦ୍ଧରେ କେମିତି ନିହତ ହେଲେ ସେନେଇ ଯୁଧିଷ୍ଠିରଙ୍କୁ ପ୍ରଶ୍ନ କଲେ ।
ଯୁଧିଷ୍ଠିର କହିଲେ ଅଭିମନ୍ୟୁର ଅକାଳ ମରଣ ପାଇଁ ସେ ନିଜେ ହିଁ ନିଜକୁ ଦାୟୀ କରୁଛନ୍ତି ।
ହେ ଅର୍ଜୁନ, ତୁମେ ସଂଶପ୍ତକମାନଙ୍କ ସହ ଯୁଦ୍ଧ କରିବାକୁ ଯିବା ପରେ ଆଚାର୍ଯ୍ୟ ଦ୍ରୋଣ ଚକ୍ରବ୍ୟୁହ ରଚନା କଲେ ।
ମୁଁ ହିଁ ବାଳକ ଅଭିମନ୍ୟୁକୁ ଚକ୍ରବ୍ୟୁହ ଭେଦ କରିବାକୁ କହିଥିଲି ।
କାରଣ ଆମ ଭିତରୁ କେହି ବି ସେ ବ୍ୟୁହଭେଦର କୌଶଳ ଜାଣିନଥିଲୁ ।
ଆମେ ଭାବିଥିଲୁ ଅଭିମନ୍ୟୁ ଥରେ ବ୍ୟୁହ ଭେଦକରି ଭିତରକୁ ପଶିଗଲେ ତେଣିକି ଭୀମସେନ, ସାତ୍ୟକି, ଧୃଷ୍ଟଦ୍ୟୁମ୍ନ ଓ ମୁଁ ନିଜେ ତାଙ୍କ ପଛେ ପଛେ ବ୍ୟୁହ ଭିତରକୁ ସହଜରେ ପ୍ରବେଶ କରିଯିବୁ ।
କିନ୍ତୁ ଆମ ଯୋଜନା କାମକୁ ଆସିଲାନି ।
ବ୍ୟୁହର ପ୍ରବେଶ ଦ୍ୱାରରେ ସିନ୍ଧୁରାଜ ଜୟଦ୍ରଥ ଆମ ସମସ୍ତଙ୍କୁ ଅଟକାଇଲେ ।
ଆମେ କେହି ଆଉ ଶତ ଚେଷ୍ଟା ପରେ ବି ଭିତରକୁ ପଶିପାରିଲୁନି ।
ସେପଟେ ବ୍ୟୁହ ଭିତରେ କୌରବ ବୀରମାନଙ୍କୁ ଅଭିମନ୍ୟୁ ଏକା ଏକା ଯୁଦ୍ଧରେ ପରାସ୍ତ କରିବାକୁ ଲାଗିଲା ।
ଅଭିମନ୍ୟୁର ଶରାଘାତରେ କୌରବ ସେନାର ହାତୀ ଘୋଡ଼ା ଓ ସୈନ୍ୟମାନେ ମରି ଯୁଦ୍ଧ ଭୂଇଁରେ ପଡ଼ିରହିଲେ ।
ସେତିକିବେଳେ ଅପରାଜେୟ ଅଭିମନ୍ୟୁକୁ ହତ୍ୟା କରିବାକୁ ଅନ୍ୟାୟ ଭାବରେ ଛଅ ରଥି ଏକାଠି ହେଲେ ।
ଦ୍ରୋଣ, କର୍ଣ୍ଣ, କୃପ, ଅଶ୍ୱଥାମା, କୋଶଳ ରାଜା ବୃହଦବଳ ଓ କୃତବର୍ମା ଏହି ଛଅ ଜଣ ଚାରିପାଖରୁ ଘେରି ଅଭିମନ୍ୟୁକୁ ହତ୍ୟା କଲେ ।
ଯୁଧିଷ୍ଠିରଙ୍କ କଥା ସରୁ ସରୁ ମୋ ପୁଅ ମୋ ପୁଅ କହି ଅର୍ଜୁନ ମୂର୍ଚ୍ଛା ଗଲେ ।
କୃଷ୍ଣ ଅର୍ଜୁନଙ୍କୁ ହାତରେ ଧରି ସାଷ୍ଟାଙ୍ଗ କରିବାକୁ ଲାଗିଲେ ।
ନିଜକୁ ସମ୍ଭାଳି ନେଲାପରେ ଅର୍ଜୁନ ଭୀଷଣ ରାଗରେ ବଡ଼ ପାଟି କରି ପ୍ରତିଜ୍ଞା କରି କହିଲେ ଯେ, କାଲି ସୂର୍ଯ୍ୟାସ୍ତ ପୂର୍ବରୁ ମୁଁ ମୋ ପୁଅ ଅଭିମନ୍ୟୁର ମରଣ ପାଇଁ ଦାୟୀ ଜୟଦ୍ରଥକୁ ନିଶ୍ଚୟ ହତ୍ୟା କରି ପୁତ୍ର ହତ୍ୟାର ପ୍ରତିଶୋଧ ନେବି ।
ସେ ଯଦି ରାଜା ଯୁଧିଷ୍ଠିର ଅବା ଦେବକୀ ନନ୍ଦନ କୃଷ୍ଣଙ୍କ ଶରଣ ନପଶେ ତେବେ ମୋ ହାତରେ ତା'ର କାଲି ନିଶ୍ଚୟ ମରଣ ହେବ ।
ମୋ ହାତରୁ ତାକୁ ରକ୍ଷା କରିବାକୁ କାଲି ଆଚାର୍ଯ୍ୟ ଦ୍ରୋଣ କି ଆଚାର୍ଯ୍ୟ କୃପ ଯଦି ଚେଷ୍ଟା କରନ୍ତି ତେବେ ସେମାନଙ୍କୁ ବି ଛାଡିବିନି ।
ସୁର, ନର, ନାଗ, ପଶୁ, ପକ୍ଷୀ କି ଅସୁର କେହି ବି ତାକୁ କାଲି ମୋ ହାତରୁ ରକ୍ଷା କରିପାରିବେନି ।
ସେଠାରେ ଉପସ୍ଥିତ ଥିବା ବୀର ଯୋଦ୍ଧାମାନଙ୍କୁ ସାକ୍ଷୀ ରଖି ଅର୍ଜୁନ ଆହୁରି କହିଲେ ଯେ, କାଲି ଯଦି ମୁଁ ମୋ ଶପଥ ରକ୍ଷା କରିପାରିଲିନି ତେବେ ମୁଁ ପିତୃ-ମାତୃ ହତ୍ୟା, ବ୍ରହ୍ମହତ୍ୟା, ଗୋ ହତ୍ୟା, ବିଶ୍ୱାସଘାତ ଆଦି ପରି ଆହୁରି ଯେତେ ପାପ ଅଛି ସବୁ ପାପର ଭାଗି ହେବି ଓ ଜଳନ୍ତା ନିଆଁରେ ନିଜକୁ ଝାସ ଦେବି ।
ଏହିପରି ଭୟଙ୍କର ପ୍ରତିଜ୍ଞା କରିସାରି ଅର୍ଜୁନ ତାଙ୍କ ଦୁଇ ହାତରେ ଗାଣ୍ଡିବ ଧନୁର ଗୁଣରୁ ଟଙ୍କାର ଶବ୍ଦ ବାହାର କଲେ ।
ସେ ଶବ୍ଦ ଏତେ ତୀବ୍ର ଥିଲା ଯେ ଚାରିଦିଗକୁ ବ୍ୟାପିଗଲା ।
ଅର୍ଜୁନଙ୍କ ଧନୁର ଟଙ୍କାର ଓ ଶପଥକୁ ସମର୍ଥନ କରି ଶ୍ରୀକୃଷ୍ଣ ତାଙ୍କ ପଞ୍ଚଜନ୍ୟ ଶଙ୍ଖକୁ ଫୁଙ୍କିବାକୁ ଲାଗିଲେ ।
କୃଷ୍ଣଙ୍କର ପଞ୍ଚଜନ୍ୟ ଶଙ୍ଖ ଫୁଙ୍କିବା ଦେଖି ଅର୍ଜୁନ ମଧ୍ୟ ତାଙ୍କ ଦେବଦତ୍ତ ଶଙ୍ଖକୁ ଫୁଙ୍କିଲେ ।
ଦୁହିଁଙ୍କ ଶଙ୍ଖ ଧ୍ୱନି ପାଣ୍ଡବ ଶିବିରରେ ଉତ୍ସାହ ଆଣିଦେଲା ।
ସୈନ୍ୟ ସାମନ୍ତମାନେ ସିଂହନାଦ କରିବାକୁ ଲାଗିଲେ ।
ଅର୍ଜୁନଙ୍କ କଠୋର ଶପଥ ଖବର ଖୁବ ଶୀଘ୍ର ଗୁପ୍ତଚରଙ୍କ ହାତରେ କୌରବ ଶିବିରରେ ପହଞ୍ଚିଗଲା ।
ଅର୍ଜୁନ କାଲି ସୂର୍ଯ୍ୟାସ୍ତ ପୂର୍ବରୁ ତାଙ୍କୁ ନିଶ୍ଚୟ ହତ୍ୟା କରିବେ ଅବା ନିଜେ ନିଆଁରେ ଝାସ ଦେବେ କଥା ଶୁଣିଲା ପରେ ସିନ୍ଧୁରାଜ ଜୟଦ୍ରଥ ଅତିଶୟ କାତର ହୋଇ ପୃଡ଼ିଲେ ।
ସେ ଅର୍ଜୁନଙ୍କ ବୀରତ୍ୱ କଥା ଭଲରେ ଜାଣିଥିଲେ ।
ତେଣୁ କାଲିର ଯୁଦ୍ଧରେ ଅର୍ଜୁନଙ୍କ ଗାଣ୍ଡିବ ଆଗରେ ତାଙ୍କୁ କେହି ସହଜରେ ରକ୍ଷା କରିବେ ସେ ବିଶ୍ୱାସ ତାଙ୍କର ନଥିଲା ।
ଅତିଶୟ ଭୟରେ ଜୟଦ୍ରଥ ସେଉଠୁ ରାତିର ଅନ୍ଧାରରେ ନିଜ ଶିବିରରୁ ବାହାରି ଦୁର୍ଯ୍ୟୋଧନଙ୍କ ପାଖରେ ଯାଇଁ ପହଞ୍ଚି କହିଲେ, ହେ କୁରୁରାଜ!
ତୁମେ ତ ଏହା ଭିତରେ ଅର୍ଜୁନଙ୍କ ପ୍ରତିଜ୍ଞା ଖବର ନିଶ୍ଚୟ ପାଇସାରିଥିବ ।
ଅର୍ଜୁନଙ୍କ ପରି ଯୋଦ୍ଧା ପାଖରୁ ମୋତେ କାଲି କିଏ ରକ୍ଷା କରିପାରିବ ମୁଁ ବୁଝିପାରୁନି ।
ଦ୍ରୋଣ, କର୍ଣ୍ଣ, ଶଲ୍ୟ, ବାହ୍ଳୀକ, ଦୁଃଶାସନ ଓ ସ୍ୱୟଂ ତୁମେ ହୁଏତ ସାକ୍ଷାତ ଯମ ହାତରୁ ମୋତେ ରକ୍ଷା କରିପାର, କିନ୍ତୁ ଅର୍ଜୁନ ହାତରୁ ରକ୍ଷା କରିବା କଥା ମୋର ବିଶ୍ୱାସ ଆସୁନି ।
ତାପରେ ଅର୍ଜୁନଙ୍କ ପ୍ରତିଜ୍ଞା ଆଗରେ ଦେବ, ଗନ୍ଧର୍ବ, ଅସୁର ବି କିଛି କରିପାରିବେନି ।
ଆମେ ସବୁ ତ ସାଧାରଣ ମଣିଷ ମାତ୍ର ।
ଆଜିର ଏଇ ରାତିରେ ପାଣ୍ଡବ ଶିବିରରେ ଶୋକ ପାଳନ ନହେଇ ଯେମିତି ସିଂହନାଦ, ଧନୁର ଟଙ୍କାର ଓ ଶଙ୍ଖ ଧ୍ୱନୀ ଶୁଭୁଥିଲା ସେଥିରେ ଯେ କେହି ବି ଭୟ କରିବ ।
ଖବର ମିଳିବା ଠାରୁ ମୁଁ ତ ଭୀଷଣ ଭାବରେ ଭୟଭୀତ ।
ମୁଁ ଭାବୁଛି ମୋତେ ଅନୁମତି ଦେଲେ କାଲି ସକାଳର ସୂର୍ଯ୍ୟ ଉଦୟ ଆଗରୁ ରାତିର ଏହି ଅନ୍ଧାର ଭିତରେ ମୁଁ ଯୁଦ୍ଧ କ୍ଷେତ୍ର ଛାଡ଼ି ଅଦୃଶ୍ୟ ହେଇ ନିଜ ରାଜ୍ୟକୁ ଫେରିଯିବି ।
କେହି କିଛି ଜାଣି ପାରିବେନି ।
କାହା ପାଖରେ କିଛି ଖବର ବି ରହିବନି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
