Sambad: ନଗଡ଼ାରେ ‘ସମ୍ବାଦ’ର ପରିବେଶ ପଞ୍ଚାୟତ: ଆଦିବାସୀଙ୍କ ଜୀବନଜୀବିକା ଓ ପରିବେଶ ସୁରକ୍ଷାକୁ ନେଇ ଗଭୀର ଆଲୋଚନା
"କାଳିଆପାଣି: ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଘନ ଜଙ୍ଗଲରେ ପରିବେଷ୍ଟିତ ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନମଣ୍ଡଳୀ ନଗଡ଼ାରେ ଆଜି "ସମ୍ବାଦ" ପକ୍ଷରୁ ଏକ ସ୍ୱତନ୍ତ୍ର "ପରିବେଶ ପଞ୍ଚାୟତ" କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ପରିବେଶ ସୁରକ୍ଷା, ଜୈବ ବିବିଧତାର ସଂରକ୍ଷଣ ଏବଂ ସ୍ଥାନୀୟ ଜନଜାତିଙ୍କ ପାରମ୍ପରିକ ଜୀବନଶୈଳୀକୁ କେନ୍ଦ୍ର କରି ଆୟୋଜିତ ଏହି ନିଆରା କାର୍ଯ୍ୟକ୍ରମରେ ସ୍ଥାନୀୟ ନେତା, ବୁଦ୍ଧିଜୀବୀ, ପରିବେଶବିତ୍, ସାମାଜିକ କର୍ମୀ, ବନ ସଂରକ୍ଷଣ ଅଧିକାରୀ ଓ ସ୍ଥାନୀୟ ଜନଜାତି ସମ୍ପ୍ରଦାୟର ଜନସାଧାରଣ ଯୋଗଦେଇଥିଲେ।
Advertisment ଅତିଥି ପରିଚୟ ପ୍ରଦାନ କରିଥିଲେ ନାଲିଆଡାବସ୍ଥିତ ଫରେଷ୍ଟ୍ ବିଟ୍ ହାଉସ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମବାୟ, ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ମନ୍ତ୍ରୀ ଡ.
ପ୍ରଦୀପ ବଳସାମନ୍ତ, ସମ୍ମାନିତ ଅତିଥି ଭାବେ କଟକ ବନଖଣ୍ଡ ସହକାରୀ ବନ ସଂରକ୍ଷକ(ଏସିଏଫ୍) ପ୍ରମୋଦ କୁମାର ସେଠୀ, ବରିଷ୍ଠ ଶ୍ରମିକ ନେତା ଅମଳେନ୍ଦୁ ବେହୁରା, ସୁକିନ୍ଦା ବନାଞ୍ଚଳ ଅଧିକାରୀ ସତ୍ୟବ୍ରତ ପ୍ରଧାନ ଓ ଚିଙ୍ଗୁଡ଼ିପାଳ ସରପଞ୍ଚ ଅଞ୍ଜଳି ଦେହୁରୀ ପ୍ରମୁଖ ଯୋଗଦେଇ ନଗଡ଼ାରେ ବସବାସ କରୁଥିବା ଜୁଆଙ୍ଗ ଆଦିବାସୀ ସମ୍ପ୍ରଦାୟର ଜୀବନଶୈଳୀ, ସେମାନଙ୍କର ପାରମ୍ପରିକ ଜ୍ଞାନ, ଜଙ୍ଗଲ ଉପରେ ନିର୍ଭରଶୀଳ ଜୀବନଜୀବିକା ଏବଂ ପ୍ରକୃତି ସହ ସେମାନଙ୍କର ନିବିଡ଼ ସମ୍ପର୍କ ଉପରେ ବିସ୍ତୃତ ଆଲୋଚନା କରିଥିଲେ।
ଏହି ଅବସରରେ ଜଳବାୟୁ ପରିବର୍ତ୍ତନ, ଜଙ୍ଗଲ ଧ୍ୱଂସ ଓ ପ୍ରାକୃତିକ ସମ୍ପଦର ଅତ୍ୟଧିକ ଦୋହନ ଯୋଗୁଁ ସୃଷ୍ଟି ହେଉଥିବା ବିଭିନ୍ନ ସମସ୍ୟା ଉପରେ ମଧ୍ୟ ଚର୍ଚ୍ଚା କରାଯାଇଥିଲା।
ବର୍ତ୍ତମାନ ସମୟରେ ପରିବେଶ ସୁରକ୍ଷା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ବରଂ ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କର ସାମୂହିକ ଦାୟିତ୍ୱ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।
ସ୍ଥାନୀୟ ଅଧିବାସୀମାନଙ୍କୁ ପରିବେଶ ସୁରକ୍ଷା ପ୍ରତି ଅଧିକ ସଚେତନ ଓ ଶିକ୍ଷିତ କରିବା, ବନ ସଂରକ୍ଷଣ, ଜଳ ଓ ମୃତ୍ତିକାର ସୁରକ୍ଷା, ବୃକ୍ଷରୋପଣକୁ ପ୍ରୋତ୍ସାହନ ଏବଂ ପାରମ୍ପରିକ ଜ୍ଞାନକୁ ଆଧୁନିକ ବିଜ୍ଞାନ ସହ ସମନ୍ୱୟ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
କାର୍ଯ୍ୟକ୍ରମରେ ଉପସ୍ଥିତ ଜୁଆଙ୍ଗ ସମ୍ପ୍ରଦାୟର ସଦସ୍ୟମାନେ ମଧ୍ୟ ନିଜ ଅନୁଭୂତି ବାଣ୍ଟିବା ସହ ଜଙ୍ଗଲ ଓ ପ୍ରକୃତି ସହ ସେମାନଙ୍କର ଅବିଚ୍ଛିନ୍ନ ସମ୍ପର୍କ ବିଷୟରେ ମତ ରଖିଥିଲେ।
ସେମାନେ କହିଥିଲେ ଯେ, ଜଙ୍ଗଲ ସେମାନଙ୍କ ପାଇଁ କେବଳ ଜୀବିକାର ମାଧ୍ୟମ ନୁହେଁ, ବରଂ ସେମାନଙ୍କ ସଂସ୍କୃତି, ପରମ୍ପରା ଓ ଜୀବନର ଅବିଚ୍ଛିନ୍ନ ଅଂଶ।
ପରିବେଶ ସୁରକ୍ଷାକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ଏବଂ ପ୍ରକୃତି ସହ ମଣିଷର ସନ୍ତୁଳିତ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ଏଭଳି "ପରିବେଶ ପଞ୍ଚାୟତ" କାର୍ଯ୍ୟକ୍ରମ ଏକ ସକାରାତ୍ମକ ପଦକ୍ଷେପ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମ ଶେଷରେ ପରିବେଶ ସୁରକ୍ଷା ଓ ବିକଶିତ ନଗଡ଼ା ଗଠନ ପାଇଁ ସମସ୍ତେ ମିଳିତ ଭାବେ କାମ କରିବାକୁ ସଂକଳ୍ପ ନେଇଥିଲେ। "ସମ୍ବାଦ" ଯାଜପୁର ସଂସ୍କରଣ ମୁଖ୍ୟ ଗଦାଧର ପଣ୍ଡା ଏହି କାର୍ଯ୍ୟକ୍ରମର ସଂଯୋଜନା ଓ ଜିଲ୍ଲା ପ୍ରତିନିଧି ମନୋଜ କୁମାର ରାଉଳ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।
ସ୍ଥାନୀୟ ପ୍ରତିନିଧି ରବି ନାରାୟଣ କର ଧନ୍ୟବାଦ ଦେଇଥିବା ବେଳେ କୁହିକା ପ୍ରତିନିଧି ମନୋଜ କୁମାର ନାୟକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ବନପାଳ ରାମ ତିରିଆ, ମାନସ ମହାନ୍ତି, ବେଣୁଧର ମହାନ୍ତ, ଗିରୀଶ ବେହେରା, ଦୀପକ କୁମାର ପାତ୍ର, ବିଶ୍ବଜିତ ମହାନ୍ତି, ବୈକୁଣ୍ଠ ମହାନ୍ତ, ଅଶୋକ ପ୍ରଧାନ, ଦୀନେଶ ବେହୁରା, ଜୟଦେବ ମହାନ୍ତ, କୃତିବାସ ଭଞ୍ଜ, କୁନା ମହାନ୍ତ, ଶିବ ପାତ୍ର, ବେଣୁଧର ମହାକୁଡ଼, ସଚ୍ଚିଦାନନ୍ଦ ମୁର୍ମୁ, ଗୌରୀ ମହାନ୍ତ, ସାବିତ୍ରୀ ମହାନ୍ତ, ଗୁହିଆଶାଳ ମୁଖିଆ ଠେଙ୍ଗେଣିଆ ପ୍ରଧାନ, ଉପର ନଗଡ଼ା ମୁଖିଆ ମଣିଆ ପ୍ରଧାନ, ମଝି ନଗଡ଼ା ମୁଖିଆ ଶିକର ପ୍ରଧାନ, ତଳନଗଡ଼ାର ଉତ୍ସାହୀ ଯୁବକ ଅଷାଢ଼ୁ ପ୍ରଧାନ, ଜାଇନ ପ୍ରଧାନ, ଜାମ୍ପ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
Badminton: ୟୁଏସ୍ ଓପନ ବ୍ୟାଡମିଣ୍ଟନ: ଶ୍ରୀକାନ୍ତ ଉପବିଜେତା "