01 NOVEMBER 2026

Welcome!

Unlock your personalized experience.
Sign Up

Andhra Elections: ଆନ୍ଧ୍ର ନିର୍ବାଚନ: ଆନ୍ଧ୍ରରେ ଭୋଟ ଦେବେ ତଳଗୋଲୁରୁ ପଞ୍ଚାୟତର ୫ ଗାଁ

Nov 01, 2026 - 05:01
Andhra Elections: ଆନ୍ଧ୍ର ନିର୍ବାଚନ: ଆନ୍ଧ୍ରରେ ଭୋଟ ଦେବେ ତଳଗୋଲୁରୁ ପଞ୍ଚାୟତର ୫ ଗାଁ

କୋରାପୁଟ: କୋଟିଆ ପରେ ଓଡ଼ିଶା ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛନ୍ତି କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍‌ ତଳଗୋଲୁରୁ ପଞ୍ଚାୟତର ୫ ଖଣ୍ଡ ଗ୍ରାମର ଭୋଟର୍‌। ବାଙ୍ଗାରିଗୁଡ଼ି, ମୌଲାଗୁଡି, ବାଣିକିମେଟା, ‌ପେଦାଗୁଡି ଓ ଅଲାପାରୁ ଗ୍ରାମବାସୀ ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ଭୋଟ ଦେବେ ବୋଲି ସ୍ପଷ୍ଟ କରିଛନ୍ତି। ୫ ଖଣ୍ଡ ଗ୍ରାମବାସୀ ଉଭୟ ଓଡ଼ିଶା ଓ ଆନ୍ଧ୍ରର ସମସ୍ତ ସୁବିଧା ସୁଯୋଗ ପାଉଥିବା ବେଳେ ମତଦାନ ନିଷ୍ପତ୍ତି ଆନ୍ଧ୍ର-ଓଡ଼ିଶା ସୀମା ବିବାଦକୁ ଅଧିକ ଜଟିଳ କରିଛି। ବାଙ୍ଗାରିଗୁଡି ଗାଁରେ ୩୦ ପରିବାର ରହୁଥିବା ବେଳେ ଭୋଟରଙ୍କ ସଂଖ୍ୟା ୭୨। ସେହିପରି ମୌଲାଗୁଡି ଗାଁର ୧୮ ପରିବାରରେ  ୩୨ ଭୋଟର, ବାଣିକିମେଟା ଗାଁର ୬ ପରିବାରରେ ୧୫ ଭୋଟର, ପେଦାଗୁଡିର ୨୫ଟି ପରିବାର ମଧ୍ୟରୁ ଅଧା ପରିବାର ଆନ୍ଧ୍ର ସହିତ ଜଡ଼ିତ ହୋଇ ରହିଛନ୍ତି।

ଅଲାପାରୁର ୩୦ ପରିବାର ମଧ୍ୟରୁ ୧୫ ପରିବାର ଉଭୟ ରାଜ୍ୟର ସରକାରୀ ସୁବିଧା ପାଉଛନ୍ତି। ଏପରି ଭାବେ ୫ଟି ଗାଁରେ ୨୦୦ରୁ ଊର୍ଦ୍ଧ୍ବ ଭୋଟର ଆଗାମୀ ନିର୍ବାଚନରେ ଆନ୍ଧ୍ରରେ ଭୋଟ ଦେବେ ବୋଲି ଜଣାପଡ଼ିଛି। ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ବାଙ୍ଗାରିଗୁଡି ଓ ମୌଲାଗୁଡି ଗାଁ ଭୋଟର ଆନ୍ଧ୍ରର ମଣ୍ଡୁକୁ ବୁଥ୍ ଏବଂ ଅନ୍ୟ ୩ ଖଣ୍ଡ ଗାଁର ଭୋଟର ମାନ୍ଦାଲା ବୁଥ୍‌ରେ ଭୋଟ ଦେବେ। 

ବାଙ୍ଗାରିଗୁଡି ଗାଁରେ ଓଡ଼ିଶାର ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ରହିଛି। କିନ୍ତୁ ଗାଁର ପିଲା ଆନ୍ଧ୍ରର ପାସକେଣ୍ଟା ଓ ସାଲୁରୁ ଛାତ୍ରାବାସରେ ରହି ତେଲୁଗୁ ପଢ଼ୁଛନ୍ତି। ଗାଁକୁ ଆନ୍ଧ୍ର ବିଦ୍ୟୁତ୍‌ ସେବା ଦେଇଥିବା ବେଳେ ଓଡ଼ିଶା ସୌର ଚାଳିତ ପାନୀୟ ଜଳ ପ୍ରକଳ୍ପ ‌ଯୋଗାଇଛି। ଗାଁର ୯ ହିତାଧିକାରୀ ଉଭୟ ରାଜ୍ୟରୁ ଭତ୍ତା ପାଉଛନ୍ତି। ମୌଲାଗୁଡି ଗାଁରେ ଆନ୍ଧ୍ରର ବିଦ୍ୟୁତ୍‌ ସେବା ରହିଛି। ଗାଁରେ ଓଡ଼ିଶାର ସ୍କୁଲ ନଥିବାରୁ ପିଲା ପଢ଼ିବା ପାଇଁ ଆନ୍ଧ୍ର ସ୍କୁଲ୍‌ ଉପରେ ନିର୍ଭର କରୁଛନ୍ତି। ପେଦାଗୁଡି ଗାଁରେ ଓଡ଼ିଶା ସରକାର ସମସ୍ତ ସୁବିଧା ଦେଇଥିଲେ ବି ଆନ୍ଧ୍ର ମାଗଣା ଯୋଜନାରେ ପ୍ରଲୋଭିତ କରୁଛି। ଅଲାପାରୁରେ ଓଡ଼ିଶା ପକ୍ଷରୁ ପିଇବା ପାଣି, ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ର ରହିଛି। କିନ୍ତୁ ଆନ୍ଧ୍ର ମାଗଣା ଯୋଜନା ଯୋଗାଉଥିବାରୁ ଭୋଟ ସମୟରେ ଗ୍ରାମବାସୀ ଭୋଟ ଦେବା ପାଇଁ ଆନ୍ଧ୍ର  ଯାଉଛନ୍ତି। ଭୌଗୋଳିକ ସ୍ଥିତି ଦୃଷ୍ଟିରୁ ଗ୍ରାମବାସୀ ପୂର୍ବରୁ ଓଡ଼ିଶା ଅପେକ୍ଷା ଆନ୍ଧ୍ର ସହିତ ଅଧିକ ଜଡ଼ିତ ରହି ଆସିଛନ୍ତି। ସମସ୍ତ ଗ୍ରାମବାସୀ ତେଲୁଗୁ କହୁଥିବା ବେଳେ ଦୈନନ୍ଦିନ ଜୀବିକା ପାଇଁ ଆନ୍ଧ୍ରର ସାଲୁରୁ ଉପରେ ନିର୍ଭର କରୁଛନ୍ତି। ସୂଚନା ପାଇବା ପରେ କଂଗ୍ରେସ ବିଧାୟକ ଦଳ ନେତା ତଥା ପଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ ଓ ପଟାଙ୍ଗି ବ୍ଲକ୍‌ ପ୍ରଶାସନ ଗାଁରେ ପହଞ୍ଚି ଲୋକଙ୍କୁ ଆନ୍ଧ୍ର ମତଦାନରୁ ବିରତ ରହିବା ପାଇଁ ବୁଝାଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)