‘Akvan’ takes a turn: ମୋଡ଼ ନେଲା ‘ଅକ୍ଭାନ୍’: ନରସାପୁର-ପୁରୀ ମଧ୍ୟରେ ମାଡ଼ ହୋଇପାରେ
ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟ ଭୀଷଣ ବାତ୍ୟା 'ଅକ୍ଭାନ୍' ଏବେ ଓଡ଼ିଶା ମୁହାଁ।
ତିନି ଦିନ ମଧ୍ୟରେ ବାରମ୍ବାର ମୋଡ଼ ବଦଳାଇବା ସହ ଆଜି ସନ୍ଧ୍ୟା ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗରର ପଶ୍ଚିମକେନ୍ଦ୍ରୀୟ ଓ ସଂଲଗ୍ନ କେନ୍ଦ୍ରୀୟ ଅଞ୍ଚଳରେ କେନ୍ଦ୍ରୀଭୂତ ରହିଛି, ଯାହାକି ଆନ୍ଧ୍ରର ନରସାପୁରଠାରୁ ୪୮୦ କିମି ଦକ୍ଷିଣପୂର୍ବ, କଳିଙ୍ଗପଟ୍ଟନମ୍ଠାରୁ ୫୨୦ କିମି, ଓଡ଼ିଶାର ଗୋପାଳପୁରଠାରୁ ୬୧୦ କିମି ଓ ପୁରୀଠାରୁ ୬୭୦ କିମି ଦକ୍ଷିଣରେ ଅବସ୍ଥିତ।
ଘଣ୍ଟା ପ୍ରତି ୧୦ କିମି ବେଗରେ ଆଗକୁ ବଢ଼ୁଥିବା 'ଅକ୍ଭାନ୍' ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଅଗ୍ରସର ହୋଇ ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ଆନ୍ଧ୍ରପ୍ରଦେଶର ନରସାପୁର ଓ ଓଡ଼ିଶାର ପୁରୀ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପୂର୍ବାନୁମାନ କରିଛି।
ପ୍ରକୃତ ସ୍ଥାନ ସ୍ପଷ୍ଟ ହୋଇ ନ ଥିଲେ ସୁଦ୍ଧା ଗୋପାଳପୁରରୁ କଳିଙ୍ଗପଟ୍ଟନମ୍ ମଧ୍ୟରେ ହିଁ ଉପକୂଳ ଅତିକ୍ରମ କରିପାରେ।
ସେହି ସମୟରେ ବାତ୍ୟା ଭୀଷଣ ରୂପ ସହ ପବନର ଘଣ୍ଟାପ୍ରତି ବେଗ ୯୦ରୁ ୧୦୦ କିଲୋମିଟର (କିମି) ରହିଥିବ ଏବଂ ଝଟକା ପବନର ବେଗ ୧୧୦ କିମି ପର୍ଯ୍ୟନ୍ତ ପହଞ୍ଚିପାରେ।
Advertisment Humanitarian Help: ସମ୍ବାଦ ଡିଜିଟାଲ ପ୍ରଭାବ; ଅସହାୟ ଆଦିବାସୀ ରୋଗୀଙ୍କୁ ମିଳିଲା ସହାୟତା 'ଅକ୍ଭାନ୍' ଉପକୂଳର ନିକଟତର ହୋଇଥିବାରୁ ଆଜିଠାରୁ ଓଡ଼ିଶାରେ ପାଗ ବଦଳିଛି।
ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ କୋହଲା ପାଗ ସାଙ୍ଗକୁ ଗଞ୍ଜାମ , ଗଜପତି , ପୁରୀ, ଖୋରଧା, ବାଲେଶ୍ବର, ଭଦ୍ରକ , ଯାଜପୁର , କେନ୍ଦ୍ରାପଡ଼ା, ଜଗତସିଂହପୁର , କଟକ , କେନ୍ଦୁଝର , ମୟୂରଭଞ୍ଜ ଓ ନୟାଗଡ଼ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ବର୍ଷା ଆରମ୍ଭ ହୋଇଯାଇଛି।
ଗୁରୁବାର ସକାଳଠାରୁ ବର୍ଷା ପରିମାଣ ବଢ଼ିବ।
ଗଞ୍ଜାମ, କେନ୍ଦ୍ରାପଡ଼ା, କନ୍ଧମାଳ , ଜଗତସିଂହପୁର, ଗଜପତି ଓ ପୁରୀ ଜିଲ୍ଲାରେ ଶୁକ୍ରବାର ସକାଳ ମଧ୍ୟରେ ଅତିପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ହେବାକୁ ଥିବାରୁ ରେଡ୍ ଆଲର୍ଟ ଏବଂ ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ମାଲକାନଗିରି , ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ଅରେଞ୍ଜ ଆଲର୍ଟ ଦିଆଯାଇଛି।
'ଅକ୍ଭାନ୍' ସ୍ଥଳଭାଗ ଛୁଇଁବା ସମୟରେ ବାଲେଶ୍ବର ଓ ମୟୂରଭଞ୍ଜରେ ଅତିପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ହେବାକୁ ଥିବାରୁ ରେଡ୍ ଆଲର୍ଟ ଏବଂ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢେଙ୍କାନାଳ , କେନ୍ଦୁଝର, କନ୍ଧମାଳ, ଗଜପତି, ଗଞ୍ଜାମ, ପୁରୀ, ଖୋରଧା ଓ ନୟାଗଡ଼ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି।
ଓଡ଼ିଶାକୁ ବଢ଼ିଲା ବିପଦ, ରେଡ୍ ଆଲର୍ଟ ଜାରି ୧୦ ଜିଲ୍ଲାରେ ପବନ ବେଗ ୮୦ କିମି ଛୁଇଁବ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ଢାଳିବ ୨୧ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା ଓଡ଼ିଶା ଉପକୂଳରେ ମାଡ଼ ହେବାର ସମ୍ଭାବନା ଅଧିକ ରହିଥିବାରୁ ୨୦ ତାରିଖ ପାଇଁ ୧୦ ଜିଲ୍ଲାକୁ ରେର୍ଡ ଆଲର୍ଟ ଦିଆଯାଇଛି।
ପୁରୀ, ଗଞ୍ଜାମ, ଖୋରଧା, ଗଜପତି, ନୟାଗଡ଼, କନ୍ଧମାଳ, କଳାହାଣ୍ଡି , ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଘଣ୍ଟାପ୍ରତି ୬୦ରୁ ୭୦ କିମି ବେଗରେ ପବନ ହେବ।
ଝଟକା ପବନ ୮୦ କିମି ପର୍ଯ୍ୟନ୍ତ ହୋଇପାରେ।
ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, କଟକ, ଢେଙ୍କାନାଳ, ଅନୁଗୋଳ, ଦେବଗଡ଼, ସମ୍ବଲପୁର , ସୁବର୍ଣ୍ଣପୁର , ବଲାଙ୍ଗୀର , ନୂଆପଡ଼ା ଓ ନବରଙ୍ଗପୁରରେ ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ ପବନ ସହ ଝଟକା ପବନର ବେଗ ୭୦ କିମି ପହଞ୍ଚିବା ନେଇ ଆକଳନ କରାଯାଇଛି।
ତେବେ ରାତିଠାରୁ ସମୁଦ୍ର ଅଶାନ୍ତ ହୋଇଉଠିଛି।
ଉପକୂଳ ଓ ସମୁଦ୍ର ଅଞ୍ଚଳରେ ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ ପବନ ହେଉଛି।
ପରବର୍ତ୍ତୀ ସମୟରେ ଏହା ଆହୁରି ତୀବ୍ର ହୋଇ ୧୯ ତାରିଖ ସକାଳଠାରୁ ୨୦ ତାରିଖ ମଧ୍ୟାହ୍ନ ପର୍ଯ୍ୟନ୍ତ ଘଣ୍ଟାପ୍ରତି ୭୦ରୁ ୮୦ କିମି ଓ ଝଟକା ପବନର ବେଗ ୯୦ କିମି ଛୁଇଁପାରେ।
୨୧ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବା ଲାଗି ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ନଭେମ୍ବର ୨୦ ତାରିଖ ସକାଳେ ବାତ୍ୟା ଓଡ଼ିଶା ସୀମା ନିକଟବର୍ତ୍ତୀ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି।
ସ୍ଥଳଭାଗ ଅତିକ୍ରମ ସମୟରେ ବାତ୍ୟା ସାମାନ୍ୟ ଦୁର୍ବଳ ହୋଇ ପବନ ବେଗ ଘଣ୍ଟାପ୍ରତି ପ୍ରାୟ ୬୫ରୁ ୭୫ କିମି ଓ ଝଟକା ପବନର ବେଗ ୮୩ କିମି ରହିପାରେ।
ସ୍ଥଳଭାଗ ଅତିକ୍ରମ ପରେ ବାତ୍ୟା ଉତ୍ତର ଦିଗକୁ ଅଗ୍ରସର ହେବା ସହ କ୍ରମଶଃ ଦୁର୍ବଳ ହେବ।
ସମ୍ଭାବ୍ୟ ଗତିପଥ ଓ ବର୍ଷା ବଳୟର ବିସ୍ତାର ଯୋଗୁଁ ୧୯ ତାରିଖରୁ ଓଡ଼ିଶାରେ ବର୍ଷା ପରିମାଣ ବୃଦ୍ଧି ପାଇବ।
ମୁକାବିଲା ପାଇଁ ସରକାର ପ୍ରସ୍ତୁତ: ମୁଖ୍ୟମନ୍ତ୍ରୀ ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା 'ଅକ୍ଭାନ୍'ର ମୁକାବିଲା ଏବଂ ଏହାର ପ୍ରସ୍ତୁତିକୁ ନେଇ ଆଜି ରାତିରେ ରାଜ୍ୟ ଏସ୍ଆର୍ସି କଣ୍ଟ୍ରୋଲ ରୁମ୍ଠାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବୈଠକରେ ଅଧ୍ୟକ୍ଷତା କରି ସମଗ୍ର ସ୍ଥିତିର ସମୀକ୍ଷା କରିଥିବା ବେଳେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଉପସ୍ଥିତ ଥିଲେ।
ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟ ସରକାର ଏହାର ମୁକାବିଲା କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।
ପ୍ରତିଥର ଭଳି ଏଥର ମଧ୍ୟ ଆମର ଲକ୍ଷ୍ୟ ହେଉଛି 'ଜିରୋ କାଜୁଆଲଟି'।
Cyclone: ସମ୍ଭାବ୍ୟ ବାତ୍ୟା-ବର୍ଷା ଭୟ, ଧାନ କାଟିବାକୁ ଚାଷୀ ତରତର; ମିଳୁନାହାନ୍ତି କୃଷି ଶ୍ରମିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପହଞ୍ଚାଇବା ପାଇଁ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀଗୁଡ଼ିକ ପ୍ରସ୍ତୁତ କରାଯାଇଛି।
ବିଶେଷକରି ପାହାଡ଼ ତଳି ଅଞ୍ଚଳରେ ଥିବା ସବୁ ଲୋକଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ରେଡ ୱାର୍ଣ୍ଣିଂ ଥିବା ଜିଲ୍ଲାଗୁଡ଼ିକରୁ ୪୭ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇସାରିଛି।
ଗଞ୍ଜାମରେ ସର୍ବାଧିକ ୨୫ ହଜାର ଲୋକ ସ୍ଥାନାନ୍ତରିତ ହୋଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଥିଲେ, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପରିଚାଳନା ପାଇଁ ଆଗୁଆ ପାଣ୍ଠି ଯୋଗାଇ ଦିଆଯାଇଛି।
ସାତଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ସାତଟି ଜିଲ୍ଲାରେ ପ୍ରସ୍ତୁତି, ରିଲିଫ୍ ଓ ଥଇଥାନ କାର୍ଯ୍ୟ ତଦାରଖ କରିବା ପାଇଁ ଦାୟିତ୍ୱ ଦିଆଯାଇଛି।
ବାତ୍ୟା ପରିସ୍ଥିତିରେ ତତକ୍ଷଣାତ୍ ମରାମତି କାର୍ଯ୍ୟ ପାଇଁ ସମସ୍ତ ଇଞ୍ଜିନିୟରିଂ ବିଭାଗ ପ୍ରସ୍ତୁତ ଅଛନ୍ତି।
ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିସନର ଡି.
କେ.
ସିଂହ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
୨୦ଟି ଜିଲ୍ଲାର ଜିଲ୍ଲାପାଳ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
