A Reflection of Tradition: ପରମ୍ପରାର ପ୍ରତିଛବି: ଦଶହରାରେ ସଜବସା
"ଭାରତୀୟ ସଂସ୍କୃତିରେ ଦଶହରା କେବଳ ଏକ ପର୍ବ ନୁହେଁ, ଏହା ଧର୍ମ, ଜ୍ଞାନ, ଶକ୍ତି ଓ କର୍ମର ପୂଜା।
ଦଶହରା ଦିନ ଦେବୀ ଦୁର୍ଗାଙ୍କ ଆରାଧନା ସହିତ ଅନେକ ସ୍ଥାନରେ ବହି, ଖାତା, କଲମ, ଲୁହା ସାମଗ୍ରୀ, ଅସ୍ତ୍ରଶସ୍ତ୍ର, ଯନ୍ତ୍ରପାତି ଓ ବିଭିନ୍ନ କାର୍ଯ୍ୟରେ ବ୍ୟବହୃତ ଉପକରଣଗୁଡ଼ିକ ପୂଜା କରାଯାଏ।
ଏହା ଓଡ଼ିଶାରେ "ସଜବସା" ପରମ୍ପରା ଭାବେ ବେଶ୍ ଖ୍ୟାତ।
ବିଶେଷତଃ ଏହା କୌଳିକ ବୃତ୍ତି ସହ ଜଡ଼ିତ।
ବୃତ୍ତିରେ ବ୍ୟବହୃତ ଉପକରଣକୁ ପରିଷ୍କାରପରିଚ୍ଛନ୍ନ କରି ଦଶହରାରେ ଠାକୁରଙ୍କ ପାଖେ ଫୁଲ, ଚନ୍ଦନ ଓ ସିନ୍ଦୂର ଲଗାଯାଇ ପୂଜାର୍ଚ୍ଚନା କରାଯାଏ ଏବଂ ପୂଜା ପରେ ସଜ ଉଠାଯାଏ।
ଆଗରୁ ମହାସପ୍ତମୀଠାରୁ ଦଶହରା ପର୍ଯ୍ୟନ୍ତ ସଜ ବସୁଥିଲା।
କିନ୍ତୁ ଆଜିକାଲି ନବମୀ ଦିନ ସଜ ବସାଇ ଦଶହରା ଦିନ ଉଠାଉଛନ୍ତି।
ଏବେ ଅନେକ ଦଶହରା ସକାଳେ ସଜ ବସି ସଂଧ୍ୟାରେ ଉଠାଇ ଦେଉଛନ୍ତି।
ଅବଧି କ୍ରମଶଃ ସଂକ୍ଷିପ୍ତ ହେଉଥିଲେ ହେଁ ପରମ୍ପରାଟି ବଞ୍ଚିରହିଛି।
Advertisment ଏହି ପରମ୍ପରା ଅନ୍ୟତ୍ର ଆୟୁଧ ପୂଜା ଓ ଶସ୍ତ୍ର ପୂଜା ଭାବେ ଅନୁସୃତ।
ଏହା ମୁଖ୍ୟତଃ ଦକ୍ଷିଣ ଭାରତ ସହିତ ପଶ୍ଚିମ ଓ ପୂର୍ବ ଭାରତରେ ବେଶ୍ ପ୍ରସିଦ୍ଧ।
ହିନ୍ଦୁ ସଂସ୍କୃତିରେ ଯେଉଁ ସାଧନ କିମ୍ବା ଯନ୍ତ୍ରପାତି ଆମକୁ ରୋଜଗାର କରିବାରେ, ଜ୍ଞାନ ଅର୍ଜନ କରିବାରେ କିମ୍ବା ନିଜକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରେ, ତାହାକୁ ଈଶ୍ବରଙ୍କ ଏକ ପ୍ରତିରୂପ ଭାବେ ବିବେଚନା କରାଯାଏ।
ସଂସ୍କୃତି ଗବେଷକ ତଥା ପ୍ରାବନ୍ଧିକ ବୈଷ୍ଣବଚରଣ ମହାନ୍ତି କହନ୍ତି, ଓଡ଼ିଶାରେ ଘରେ ଘରେ ସପ୍ତମୀ ସକାଳୁ ବିଭିନ୍ନ ପ୍ରକାରର ସଜ ବସିଥାଏ।
ଏହାର ରୀତିନୀତି ମଧ୍ୟ ଖୁବ୍ ସୁନ୍ଦର।
ସକାଳୁ ସମସ୍ତେ କଳସ ବୁଡ଼ ପରେ ପରେ ଘଣ୍ଟ, ହୁଳହୁଳି ପକାଇ ସଜ ବସାଯାଏ।
ଦଶହରା ଦିନ ସକାଳୁ ସଜ ଉଠିବାର ପରମ୍ପରା ରହିଛି।
ଓଡ଼ିଶାର ପାରମ୍ପରିକ ବୃତ୍ତିଗତ ସମାଜରେ ଏହି ପ୍ରଥା ପ୍ରଚଳିତ ଥିଲା।
ଏହା ଅତ୍ୟନ୍ତ ପ୍ରାଚୀନ ଓ ପ୍ରତ୍ୟେକ ବର୍ଗ ନିଜର ସାଧନ/ଉପକରଣକୁ ପୂଜା କରିଥାନ୍ତି।
ଯେପରି ଖଣ୍ଡାୟତ ବା କ୍ଷତ୍ରୀୟମାନେ ପାରମ୍ପରିକ ଯୁଦ୍ଧାସ୍ତ୍ର ଯଥା ଖଣ୍ଡା, ଢାଲ ଓ ଐତିହାସିକ ଶସ୍ତ୍ରଗୁଡ଼ିକୁ ପୂଜା କରନ୍ତି।
ମହାରଣାମାନେ ଯେପରି କମାର, ବଢ଼େଇ ଓ ଶିଳ୍ପୀମାନେ ଲୁହା ଉପକରଣ, ହାତୁଡ଼ି ଆଦି ପୂଜା କରନ୍ତି।
କରଣ ଓ ବ୍ରାହ୍ମଣମାନେ ତାଳପତ୍ର ପୋଥି, ଧର୍ମଗ୍ରନ୍ଥ, ଶିକ୍ଷାଗତ ବହି ଓ ପୁରାକାଳର ଲେଖନୀ ପୂଜା କରିଥା"ନ୍ତି।
ଚଷାମାନେ ନିଜର ଲଙ୍ଗଳ, ଦାଆ, କୋଦାଳ ଓ ଅନ୍ୟାନ୍ୟ କୃଷି ଉପକରଣଗୁଡ଼ିକୁ ଶ୍ରଦ୍ଧାରେ ପୂଜା କରନ୍ତି।
ଆଜିର ଆଧୁନିକ ଯୁଗରେ ଏହି ପରମ୍ପରାର ପରିସର ଆହୁରି ବ୍ୟାପକ ହୋଇଛି।
ଡ୍ରାଇଭର, ମେକାନିକ୍, ଇଞ୍ଜିନିୟର୍ ଓ ଛାତ୍ରଛାତ୍ରୀମାନେ ନିଜର ଗାଡ଼ି, କମ୍ପ୍ୟୁଟର୍, ଲାପଟପ୍ ଓ କଲମକୁ ପୂଜା କରିଥାଆନ୍ତି।"" ନବରାତ୍ରିରେ ସରସ୍ବତୀ ପୂଜା ଓ ବହି ସଜଭାରତୀୟ ସଂସ୍କୃତିର ବୈଚିତ୍ର୍ୟ ହେଉଛି ବିଭିନ୍ନତା ଭିତରେ ଏକତ୍ବ।
ସେଇ ଦୃଷ୍ଟିରୁ ଦେଖିଲେ, ଦଶହରା ପ୍ରାୟ ସବୁଠି ପାଳନ ହୁଏ, କିନ୍ତୁ ପରମ୍ପରାରେ ପ୍ରତୀୟମାନ ହୁଏ ଭିନ୍ନତା।
ସାରା ଦେଶରେ ନବରାତ୍ରି ପର୍ବ ପାଳନ କରାଯାଉଥିବା ବେଳେ ଦକ୍ଷିଣ ଭାରତରେ ଆୟୁଧ ପୂଜା ଅନୁଷ୍ଠିତ ହୋଇଥାଏ।
ଏହାର ଏକ ବିଶେଷ ଦିଗ ହେଉଛି, ଏହି ପୂଜା ମୁଖ୍ୟତଃ ଦେବୀ ସରସ୍ବତୀଙ୍କୁ ସମର୍ପିତ।
ଆୟୁଧ ପୂଜା ସମୟରେ ବିଦ୍ୟାର ଦେବୀ ସରସ୍ୱତୀ, ଧନ ଓ ସମୃଦ୍ଧିର ଦେବୀ ଲକ୍ଷ୍ମୀ ଏବଂ ଶକ୍ତିର ଦେବୀ ପାର୍ବତୀଙ୍କୁ ଆରାଧନା କରାଯାଏ।
ଏହି ଅବସରରେ ବିଭିନ୍ନ ବୃତ୍ତିର ଉପକରଣଗୁଡ଼ିକୁ ପାରମ୍ପରିକ ଭାବେ ପୂଜା କରାଯାଏ।
ଯେପରି ଜଣେ ଯୋଦ୍ଧାର ଅସ୍ତ୍ରଶସ୍ତ୍ର, ଜଣେ ଶିଳ୍ପୀର ଉପକରଣ ଏବଂ ଜଣେ ଛାତ୍ରର ପୁସ୍ତକ।
ଗବେଷକ ରୀନା କାମାଥଙ୍କ ପ୍ରଦତ୍ତ ତଥ୍ୟ ଅନୁସାରେ ଦକ୍ଷିଣ ଭାରତରେ ନବରାତ୍ରି ଓ ଦଶହରା ପର୍ବ ମୁଖ୍ୟତଃ ସରସ୍ୱତୀଙ୍କୁ ସମର୍ପିତ।
ଅଜ୍ଞାନ ଉପରେ ଜ୍ଞାନର ବିଜୟକୁ ସୂଚିତ କରିବା ପାଇଁ ପୁସ୍ତକ, କଲମ, ବାଦ୍ୟଯନ୍ତ୍ର ଏବଂ ଅନ୍ୟାନ୍ୟ ସାମଗ୍ରୀ ଭଳି ଶିକ୍ଷାଗତ ସାମଗ୍ରୀକୁ ପୂଜା କରିବାର ପରମ୍ପରା ରହିଛି।
ମହାନବମୀ ଦିନ ବହି ଓ ପାଠ୍ୟ ଉପକରଣ ପୂଜାରେ ବସାଯାଏ ଏବଂ ବିଜୟାଦଶମୀରେ ପୁନର୍ବାର ପାଠପଢ଼ା ଆରମ୍ଭ କରାଯାଏ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
