Life and Livelihood: ଜୀବନ ଜୀବିକା: ପାର୍ବଣର ଖୁସିଠାରୁ କର୍ତ୍ତବ୍ୟ ବଡ଼
ଶୁଚିସ୍ମିତା ବାରିକ
ଏବେ ଚାରିଆଡ଼େ ଉତ୍ସବର ବାତାବରଣ। ଘରେ ପୂଜାପାଠ, ପିଠାପଣା ଓ ସୁସ୍ବାଦୁ ବ୍ୟଞ୍ଜନର ଆସର, ବାହାରେ ସୁସଜ୍ଜିତ ପୂଜାମଣ୍ଡପରେ ରଙ୍ଗିନ ଆଲୋକମାଳା, ଦୋକାନବଜାର, ମନୋରଞ୍ଜନ କାର୍ଯ୍ୟକ୍ରମ, ଏମିତି କେତେ କ’ଣ। ପାର୍ବଣର ଆନନ୍ଦକୁ ମନଭରି ଉପଭୋଗ କରିବାକୁ ସଭିଁଙ୍କ ଭିତରେ ନାହିଁ ନଥିବା ଉତ୍ସାହ। କିନ୍ତୁ ଏହି ଉତ୍ସବମୁଖର ପରିବେଶରେ ଅନ୍ୟମାନଙ୍କ ସ୍ବାଚ୍ଛନ୍ଦ୍ୟ ଓ ଆବଶ୍ୟକତା ଲାଗି ଆମ ଭିତରୁ ଅନେକ ନିତିଦିନିଆ କର୍ତ୍ତବ୍ୟ ନିର୍ବାହ କରିଚାଲନ୍ତି। ସେମାନେ ଏପରି ବୃତ୍ତିରେ ନିୟୋଜିତ କି ପୂଜାପାର୍ବଣ ସମୟରେ ସେମାନଙ୍କ କାର୍ଯ୍ୟ ଆହୁରି ଗୁରୁତ୍ବପୂର୍ଣ୍ଣ ହୋଇଯାଏ। ଏମିତି ତିନି ଜଣ କର୍ତ୍ତବ୍ୟନିଷ୍ଠ ମହିଳା ହେଉଛନ୍ତି ପୁଲିସ୍ କନେଷ୍ଟବଳ ସୁପ୍ରଭା ସାହୁ, କ୍ୟାପିଟାଲ୍ ହସ୍ପିଟାଲର ଡାକ୍ତର ଇପ୍ସିତା ମହାନ୍ତି ଓ ନର୍ସିଂ ଅଫିସର୍ ମମତା ସାହୁ। ଆସନ୍ତୁ ଜାଣିବା କେମିତି ପୂଜା କଟାନ୍ତି ସେମାନେ...
ରୋଗୀଙ୍କ ମୁହଁରେ ହସ ଦେଖି ଇପ୍ସିତା ଖୁସି
କ୍ୟାପିଟାଲ୍ ହସ୍ପିଟାଲ୍ର ଡାକ୍ତର ଇପ୍ସିତା ମହାନ୍ତିଙ୍କ ପାଇଁ ଦଶହରାର ପ୍ରକୃତ ଅର୍ଥ ହେଉଛି ରୋଗୀଙ୍କ ସେବା। ରୋଗୀଙ୍କ ଯନ୍ତ୍ରଣା କମାଇବା ଓ ଚିକିତ୍ସା ମାଧ୍ୟମରେ ସାହାଯ୍ୟ କରିବା ତାଙ୍କୁ ଆତ୍ମସନ୍ତୋଷ ଦିଏ। ଦଶହରା, ଦୀପାବଳି ଭଳି ପର୍ବପର୍ବାଣିରେ ମଧ୍ୟ ଡାକ୍ତରଙ୍କ ଦାୟିତ୍ୱରେ ପରିବର୍ତ୍ତନ ହୁଏ ନାହିଁ। ପୂଜା ଭିଡ଼ରେ ଥଣ୍ଡା, କାଶ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ନେଇ ରୋଗୀ ହସ୍ପିଟାଲ୍ ଆସୁଥିବାରୁ ସେମାନଙ୍କ ଚିକିତ୍ସା ଓ ସେବା ନିରନ୍ତର ଜାରି ରହେ। ତେଣୁ ଉତ୍ସବ ଅପେକ୍ଷା ରୋଗୀଙ୍କ ସେବାକୁ ଡାକ୍ତର ଇପ୍ସିତା ପ୍ରାଥମିକତା ଦିଅନ୍ତି।
ସେ କହନ୍ତି, ‘‘ଡ୍ୟୁଟି ସମୟ ଓ ରୋଗୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଜ ସମୟର ଯୋଜନା କରିବାକୁ ପଡ଼େ। ପର୍ବପର୍ବାଣିରେ ପରିବାର ସହ ସମୟ ବିତାଇବାକୁ ସମସ୍ତଙ୍କ ଇଚ୍ଛା ଥାଏ, ଡାକ୍ତରମାନେ ମଧ୍ୟ ଏଥିରୁ ବାଦ୍ ନୁହନ୍ତି। ତଥାପି ବୃତ୍ତିର ଅଂଶ ବୋଲି ବୁଝି ପରିବାର ଲୋକେ ମୋତେ ସହଯୋଗ କରନ୍ତି।’’ ଦଶହରା ପାଇଁ ଡାକ୍ତର ଇପ୍ସିତାଙ୍କର କୌଣସି ବିଶେଷ ଯୋଜନା ନାହିଁ। ଡ୍ୟୁଟି ଶେଷ ହେବାପରେ ଯେତିକି ସମୟ ମିଳିବ, ସେହି ସମୟରେ ପୂଜା ଦେଖିବା କିମ୍ବା ନିଜ ପାଇଁ କିଛି ସମୟ ବାହାର କରିବାକୁ ସେ ଚେଷ୍ଟା କରିବେ। ଇପ୍ସିତା କହନ୍ତି, ତାଙ୍କ ପାଇଁ ରୋଗୀଙ୍କ ସେବା ହିଁ ଏକପ୍ରକାର ପୂଜା। ଅନ୍ୟର ଦୁଃଖ ସମୟରେ ସାହାଯ୍ୟ କରିବା ଏବଂ କାହାରି ମୁହଁରେ ହସ ଫୁଟାଇବାଠାରୁ ବଡ଼ ସନ୍ତୋଷ ଆଉ କିଛି ନାହିଁ।
ରୋଗୀସେବାକୁ ପ୍ରାଥମିକତା ଦିଅନ୍ତି ମମତା
ରୋଗୀସେବାକୁ ପ୍ରାଥମିକତା ଦେଇଛନ୍ତି ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ୍ର ଶିଶୁ ବିଭାଗରେ କାର୍ଯ୍ୟରତ ନର୍ସିଂ ଅଫିସର୍ ମମତା ସାହୁ। ତାଙ୍କ ପାଇଁ ଦଶହରା କେବଳ ଏକ ପର୍ବ ନୁହେଁ, ବରଂ କର୍ତ୍ତବ୍ୟ ଓ ପାରିବାରିକ ଦାୟିତ୍ୱ ମଧ୍ୟରେ ସନ୍ତୁଳନ ରକ୍ଷା କରିବାର ଏକ ପରୀକ୍ଷା। ହସ୍ପିଟାଲ୍ରେ ସରକାରୀ ଛୁଟିର ଅର୍ଥ କାମ ବନ୍ଦ ନୁହେଁ। ଦିନ ହେଉ କି ରାତି, ରୋଗୀସେବା ପାଇଁ ହସ୍ପିଟାଲ୍ ୨୪ ଘଣ୍ଟା ଖୋଲା ରହେ। ତେଣୁ ପର୍ବପର୍ବାଣିରେ ମଧ୍ୟ ନର୍ସମାନଙ୍କୁ ନିଜ ଡ୍ୟୁଟି କରିବାକୁ ପଡ଼େ। ଷ୍ଟାଫ୍ମାନେ ପରସ୍ପର ମଧ୍ୟରେ ସମନ୍ୱୟ ରଖି ଡ୍ୟୁଟି ଓ ଛୁଟିର ସମୟ ନିର୍ଦ୍ଧାରଣ କରନ୍ତି।
ମମତାଙ୍କ କହିବା ଅନୁସାରେ, ପର୍ବପର୍ବାଣି ଆସିଲେ ପରିବାର ସହ ସମୟ ବିତାଇବା ଓ ପିଲାମାନଙ୍କ ସହ ପୂଜା ବୁଲିବାକୁ ତାଙ୍କର ମଧ୍ୟ ଇଚ୍ଛା ହୁଏ। କିନ୍ତୁ ଅନ୍ୟମାନେ ଉତ୍ସବ ପାଳନ କରୁଥିବାବେଳେ ତାଙ୍କୁ ଡ୍ୟୁଟିରେ ରହିବାକୁ ପଡ଼େ। ତଥାପି ସେ ନିଜ କର୍ତ୍ତବ୍ୟକୁ ପ୍ରାଥମିକତା ଦିଅନ୍ତି। ହସ୍ପିଟାଲ୍ରେ ରୋଗୀଙ୍କ ସଂଖ୍ୟା ବଢ଼ିଲେ କାମର ଚାପ ମଧ୍ୟ ବଢ଼ିଯାଏ। ବିଶେଷକରି ଶିଶୁ ବିଭାଗରେ କାର୍ଯ୍ୟରତ ମମତାଙ୍କୁ ପ୍ରତ୍ୟେକ ଶିଶୁଙ୍କ ଯତ୍ନ ନେବା ସହ ଠିକ୍ ସମୟରେ ସେବା ଯୋଗାଇବାକୁ ପଡ଼େ। ଏଥିପାଇଁ ଅଧିକ ସତର୍କତା ଓ ଦାୟିତ୍ୱବୋଧ ଆବଶ୍ୟକ। ପର୍ବର ଖୁସିଠାରୁ ରୋଗୀଙ୍କ ସେବାକୁ ଗୁରୁତ୍ୱ ଦେଇ ମମତା ନିଜ କର୍ତ୍ତବ୍ୟ ତୁଲାଇଥାନ୍ତି।
ନିଜ ଖୁସିକୁ ଭୁଲି ଲୋକଙ୍କ ସୁରକ୍ଷାରେ ସୁପ୍ରଭା
ଦଶହରାରେ ସମସ୍ତେ ପରିବାର ସହ ପୂଜାମଣ୍ଡପ ବୁଲି ମା’ଙ୍କ ଦର୍ଶନ କରୁଥିବାବେଳେ ଜନସାଧାରଣଙ୍କ ସୁରକ୍ଷାରେ ନିୟୋଜିତ ରହନ୍ତି ପୁଲିସ କର୍ମଚାରୀ। ଭୁବନେଶ୍ୱରରେ କାର୍ଯ୍ୟରତ ପୁଲିସ କନେଷ୍ଟବଳ ସୁପ୍ରଭା ସାହୁ ସେମାନଙ୍କ ମଧ୍ୟରୁ ଜଣେ। ପୁରୀର ଝିଅ ସୁପ୍ରଭା ଏବେ ଭୁବନେଶ୍ୱରରେ କାର୍ଯ୍ୟରତ। ବାପାଙ୍କୁ ହରାଇଥିବା ସୁପ୍ରଭା ପର୍ବପର୍ବାଣିରେ ମା’, ଭଉଣୀ ଓ ପରିବାରକୁ ଅଧିକ ମନେ ପକାନ୍ତି। ହେଲେ ଡ୍ୟୁଟି ସମୟରେ ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଅନ୍ତି।
ଦଶହରା ବେଳେ ଦୀର୍ଘ ସମୟ ଡ୍ୟୁଟି କରିବା ସହ ଭିଡ଼ ନିୟନ୍ତ୍ରଣ, ଚୋରି ରୋକିବା, ମେଢ଼ର ସୁରକ୍ଷା ଏବଂ ହଜିଯାଇଥିବା ପିଲାଙ୍କୁ ପରିବାର ସହ ମିଶାଇବା ଭଳି ଦାୟିତ୍ବ ତାଙ୍କ କାନ୍ଧରେ ଥାଏ। ଦଶହରା ଭିତରେ ପରିବାର ସହ ପୂଜା ପାଳନ କରିବାର ସୁଯୋଗ ତାଙ୍କୁ ଖୁବ୍ କମ୍ ମିଳେ। ଲୋକେ ପରିବାର ସହ ପୂଜାର ଆନନ୍ଦ ନେଉଥିବାବେଳେ ସୁପ୍ରଭା ଲୋକଙ୍କ ସୁବିଧା ଲାଗି କର୍ତ୍ତବ୍ୟ ପାଳନରେ ବ୍ୟସ୍ତ ରହନ୍ତି। ଡ୍ୟୁଟି ପରେ ସମୟ ମିଳିଲେ ହିଁ ପରିବାର ସହ ଉତ୍ସବ ପାଳନ କରିବାର ସୁଯୋଗ ପାଆନ୍ତି। ସେ ଭିଡ଼ରେ ଛୋଟ ପିଲା ଓ ବୟସ୍କଙ୍କ ସୁରକ୍ଷା ପ୍ରତି ସଚେତନ ରହିବା, ହେଲମେଟ୍ ପିନ୍ଧିବା ଓ ଟ୍ରାଫିକ୍ ନିୟମ ମାନିବାକୁ ପରାମର୍ଶ ଦିଅନ୍ତି। ତାଙ୍କ ପାଇଁ ମା’ଙ୍କ ଦର୍ଶନ ଯେତିକି ଗୁରୁତ୍ୱପୂର୍ଣ୍ଣ, ଜନସାଧାରଣଙ୍କ ସୁରକ୍ଷା ମଧ୍ୟ ସେତିକି ମହତ୍ତ୍ୱପୂର୍ଣ୍ଣ। କର୍ତ୍ତବ୍ୟନିଷ୍ଠା, ପରିବାର ପ୍ରତି ଭଲପାଇବା ଓ ଖାକି ପରିଧାନର ଗର୍ବର ନିଆରା ଉଦାହରଣ ହେଉଛନ୍ତି ସୁପ୍ରଭା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
