ସୋନିଆ ଗାନ୍ଧୀଙ୍କ ପୈତୃକ ଘରର ମାଲିକ ଏବେ ଶିଖ୍ ପରିବାର, ମ୍ୟୁଜିୟମ୍ କରିବାକୁ ଯୋଜନା
ଇଟାଲୀ: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଇଟାଲୀସ୍ଥିତ ପୈତୃକ ଘରକୁ ଏକ ସଂଗ୍ରହାଳୟରେ ପରିଣତ କରାଯିବ। ଇଟାଲୀର ଲୁସିଆନା ଗାଁରେ ଥିବା ଏହି ଘରକୁ ୨୦୨୦ରେ କିଣିଥିବା ଶିଖ୍ ସମ୍ପ୍ରଦାୟର ସୁଖଦେବ ସିଂହ କାଙ୍ଗ ଏହି ଯୋଜନା କରିଛନ୍ତି। ସୋନିଆଙ୍କ ପିଲାଦିନ ଓ ପାରିବାରିକ ଜୀବନ ସହ ଜଡ଼ିତ ସ୍ମୃତି ଏଠାରେ ସଂରକ୍ଷିତ ରଖାଯିବ। ସୁଖଦେବଙ୍କ କହିବା ଅନୁଯାୟୀ, ଛଅଟି କୋଠରି ଥିବା ଏହି ଘରେ ୧୯୪୬ ଡିସେମ୍ବର ୯ ତାରିଖରେ ସୋନିଆ ଗାନ୍ଧୀଙ୍କ ଜନ୍ମ ହୋଇଥିଲା। ଘର ବାହାରେ ‘ଇଣ୍ଡିଆନ୍ ହାଉସ୍, ଜନ୍ମସ୍ଥାନ, ୯ ଡିସେମ୍ବର ୧୯୪୬, ସୋନିଆ ଗାନ୍ଧୀ’ ଲେଖାଥିବା ଏକ ଫଳକ ମଧ୍ୟ ଲଗାଯାଇଛି। ବର୍ତ୍ତମାନ ପରିବାର ସହ ବ୍ରେସିଆରେ ରହୁଥିବା ସୁଖଦେବ କହିଛନ୍ତି, ସୋନିଆ ଗାନ୍ଧୀଙ୍କ ପୁସ୍ତକ ‘ବିଲଙ୍ଗିଂ: ଏ ଜର୍ଣ୍ଣି ଅଫ୍ ଲଭ୍’ ପ୍ରକାଶ ପାଇବା ପରେ ତାଙ୍କ ଜୀବନ ଓ ପାରିବାରିକ ପୃଷ୍ଠଭୂମିକୁ ନେଇ ଲୋକଙ୍କ ଆଗ୍ରହ ବଢ଼ିଛି। ତେଣୁ ଏହି ଘରକୁ ସଂଗ୍ରହାଳୟ କରିବା ଲାଗି ଏହା ଉପଯୁକ୍ତ ସମୟ। ଏଥିପାଇଁ ଆବଶ୍ୟକ ଅନୁମତି ମଧ୍ୟ ମିଳିସାରିଛି। ସେ ସୋନିଆ ଗାନ୍ଧୀ ଓ ତାଙ୍କ ସନ୍ତାନ ରାହୁଲ ଏବଂ ପ୍ରିୟଙ୍କାଙ୍କୁ ଭେଟି ପରିବାରର ଇତିହାସ ଓ ସଂଗ୍ରହାଳୟରେ ରଖିବାକୁ ଥିବା ବ୍ୟକ୍ତିଗତ ସାମଗ୍ରୀ ସମ୍ପର୍କରେ ଜାଣିବାକୁ ଚାହୁଁଛନ୍ତି। ସୁଖଦେବ କହିଛନ୍ତି, ସୋନିଆ ଗାନ୍ଧୀ ଓ ତାଙ୍କ ପରିବାର ଯେକୌଣସି ସମୟରେ ଏହି ଘରକୁ ଆସିପାରିବେ। ସେମାନଙ୍କୁ ଘରର ଚାବି ହସ୍ତାନ୍ତର କରିବାକୁ ପରିବାର ପ୍ରସ୍ତୁତ। ପ୍ରତିବର୍ଷ ସୋନିଆଙ୍କ ଜନ୍ମଦିନରେ ଏଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଉଛି। ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏହି ଘରକୁ ନେଇ ଆଗ୍ରହ ବଢ଼ିଛି। ବିଶେଷକରି ଭାରତରୁ ଆସୁଥିବା ପର୍ଯ୍ୟଟକମାନେ ଏହାକୁ ଦେଖିବାକୁ ଆସୁଛନ୍ତି। ଫଳରେ ଗାଁର ପର୍ଯ୍ୟଟନ ଓ ସ୍ଥାନୀୟ ବ୍ୟବସାୟକୁ ମଧ୍ୟ ଲାଭ ମିଳୁଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
