ସଂଘର୍ଷମୟ ଜୀବନରେ ନୂଆ ଅଧ୍ୟାୟ: ପୀତବାସଙ୍କ ହାତ ଧରିଲେ ଲୋମଶ କନ୍ୟା ରେବତୀ
ପୁରୁଣାକଟକ: ଦିନେ ନିଜର ଭିନ୍ନ ଶାରୀରିକ ରୂପ ପାଇଁ ଜାତୀୟ ଗଣମାଧ୍ୟମର ଶିରୋନାମା ପାଲଟିଥିଲେ।
ସଂଘର୍ଷ ଓ ଅଭାବ ଭିତରେ କଟିଥିଲା ଜୀବନ।
ଏବେ ସେହି ଜୀବନରେ ଯୋଡ଼ି ହୋଇଛି ନୂଆ ଅଧ୍ୟାୟ।
ପ୍ରେମିକ ପୀତବାସ ସାହୁଙ୍କ ହାତ ଧରି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ବୌଦ୍ଧ ଜିଲ୍ଲାର ବହୁଚର୍ଚ୍ଚିତ ଲୋମଶ କନ୍ୟା ରେବତୀ କହଁର।
ତାଙ୍କ ବିବାହ ଖବର ଏବେ ବୌଦ୍ଧ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଛି।
Advertisment ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ତଳଙ୍ଗା ପଞ୍ଚାୟତ ଅନ୍ତର୍ଗତ ଖଲିସାହି ଗ୍ରାମର ରେବତୀ କିଛିଦିନ ହେବ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ସୁବଳୟା ଗ୍ରାମର ପୀତବାସ ସାହୁଙ୍କୁ ଭଲ ପାଉଥିଲେ।
ଧୀରେ ଧୀରେ ଉଭୟଙ୍କ ପ୍ରେମ ସମ୍ପର୍କ ନିବିଡ଼ ହେବା ପରେ ଜୀବନସାଥୀ ହୋଇ ରହିବାକୁ ନିଷ୍ପତ୍ତି ନେଇଥିଲେ।
ଏହି ନିଷ୍ପତ୍ତିକୁ ବାସ୍ତବ ରୂପ ଦେବା ପାଇଁ ଗତ ଶନିବାର ପୀତବାସ ଖଲିସାହି ଗ୍ରାମରେ ପହଞ୍ଚିଥିଲେ।
ଗ୍ରାମବାସୀ ଓ ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ଗାଁ ଠାକୁରାଣୀଙ୍କ ନିକଟରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିଲା।
ଉପସ୍ଥିତ ଲୋକେ ନବଦମ୍ପତିଙ୍କୁ ଆଶୀର୍ବାଦ ଦେବା ସହ ସେମାନଙ୍କ ନୂଆ ଜୀବନର ସୁଖସମୃଦ୍ଧି କାମନା କରିଥିଲେ।
ରେବତୀଙ୍କ ଜୀବନ କାହାଣୀ ଅତୀତରେ ଦେଶବ୍ୟାପୀ ଚର୍ଚ୍ଚା ସାଉଁଟିଥିଲା।
ବାପାମାଆଙ୍କୁ ହରାଇବା ପରେ ସେ ଦୀର୍ଘଦିନ ଧରି ଛେଳି ଚରାଇ ନିଜର ଗୁଜୁରାଣ ମେଣ୍ଟାଉଥିଲେ।
ଭିନ୍ନ ଶାରୀରିକ ରୂପ ଯୋଗୁଁ ସେ 'ଲୋମଶ କନ୍ୟା' ଭାବେ ପରିଚିତ ହୋଇଥିଲେ।
ତାଙ୍କ ଜୀବନ ବିଷୟରେ ଜାଣିବା ଓ ତାଙ୍କୁ ଦେଖିବା ପାଇଁ ଦୂରଦୂରାନ୍ତରୁ ଲୋକଙ୍କ ଭିଡ଼ ଜମିଥିଲା।
ଦେଶର ପ୍ରମୁଖ ଗଣମାଧ୍ୟମଗୁଡ଼ିକ ତାଙ୍କ ଜୀବନ ସଂଘର୍ଷ କାହାଣୀକୁ ପ୍ରକାଶ କରିଥିବା ବେଳେ ବିଦେଶୀ ସମାଜସେବୀମାନେ ମଧ୍ୟ ତାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ।
ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ରେବତୀଙ୍କ ମୁହଁରେ ଦୁଇଥର ଅସ୍ତ୍ରୋପଚାର କରାଯିବା ସହ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଇଥିଲା।
ତାଙ୍କୁ ଆବାସ ଯୋଜନାରେ ଘର ମଧ୍ୟ ପ୍ରଦାନ କରାଯାଇଥିଲା।
ଜୀବନରେ ଅନେକ ଦୁଃଖ, ଅଭାବ ଓ ସଂଘର୍ଷକୁ ସାମନା କରି ଆଗକୁ ବଢ଼ିଥିବା ରେବତୀଙ୍କ ବିବାହ ତାଙ୍କ ଜୀବନରେ ଏକ ନୂଆ ମୋଡ଼ ଆଣିଛି।
ଏହି ଖବର ପୁଣିଥରେ ତାଙ୍କୁ ଗଣମାଧ୍ୟମର ଚର୍ଚ୍ଚାକୁ ଆଣିଥିବା ବେଳେ ନବଦମ୍ପତିଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ଓ ମଙ୍ଗଳମୟ ହେଉ ବୋଲି ଅଞ୍ଚଳବାସୀ ଶୁଭକାମନା ଜଣାଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
