ମୟୂରଭଞ୍ଜରେ ହୃଦୟବିଦାରକ ଘଟଣା: ଦୁଇ ଦିଅରଙ୍କ ମୃତ୍ୟୁ ଖବର ଶୁଣି ଚାଲିଗଲା ଭାଉଜଙ୍କ ଜୀବନ
ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକରେ ଏକ ଅତ୍ୟନ୍ତ ଦୁଃଖଦାୟକ ଘଟଣା ଘଟିଛି। ଦୁଇ ଜଣ ଦିଅରଙ୍କ ମୃତ୍ୟୁ ଖବର ଶୁଣି ସହିପାରିଲେନି ଭାଉଜ। ଶେଷରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ନଳଗଜା ଗ୍ରାମପଞ୍ଚାୟତର ନୁଣଚାଟି ଗ୍ରାମର ଶ୍ରଦ୍ଧାଞ୍ଜଳି ସେନାପତି (୩୨)। ସୂଚନା ଅନୁସାରେ, ଶ୍ରଦ୍ଧାଞ୍ଜଳିଙ୍କ ସ୍ୱାମୀ ଆଶିଷ ଗିରିଙ୍କ ଦୁଇ ଜଣ ମାଉସୀ ପୁଅ ଭାଇ ଓ ଅନ୍ୟ ଜଣେ ସମ୍ପର୍କୀୟ ଏକ କାର୍ରେ ପଶ୍ଚିମବଙ୍ଗ ଯାଇଥିଲେ। ସେଠାରୁ ଫେରିବା ସମୟରେ କାର୍ଟି ପ୍ରାୟ ୨୦ ଫୁଟ ତଳକୁ ଖସି ପଡ଼ିଥିଲା। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଶ୍ରଦ୍ଧାଞ୍ଜଳିଙ୍କ ଦୁଇ ଜଣ ଦିଅରଙ୍କ ମୃତ୍ୟୁ ହୋଇଥିଲା।
ଯେତେବେଳେ ଦୁଇ ଦିଅରଙ୍କ ମୃତ୍ୟୁ ଖବର ଶ୍ରଦ୍ଧାଞ୍ଜଳିଙ୍କ ପାଖରେ ପହଞ୍ଚିଲା, ସେ ଏହାକୁ ସହ୍ୟ କରିପାରିନଥିଲେ। ମାନସିକ ସ୍ତରରେ ଗଭୀର ଆଘାତ ପାଇବା ପରେ ସେ କାନ୍ଦି କାନ୍ଦି ବେହୋସ ହୋଇ ପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ରାସଗୋବିନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ, ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶ୍ରଦ୍ଧାଞ୍ଜଳିଙ୍କ ସ୍ୱାମୀଙ୍କ କହିବା ଅନୁଯାୟୀ, ପ୍ରାୟ ୪ ରୁ ୫ ବର୍ଷ ପୂର୍ବେ ତାଙ୍କର ଏକ ବଡ଼ ଧରଣର ହାର୍ଟ ସର୍ଜରୀ ହୋଇଥିଲା ଏବଂ ତାଙ୍କ ହୃଦୟରେ ଦୁଇଟି ଭଲଭ୍ ଲଗାଯାଇଥିଲା। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ରାସଗୋବିନ୍ଦପୁର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sakala-ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
