ଜଳନ୍ତା କାର୍ ନିକଟରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
କଟକ: କାର୍ ସହ ଜୀବନ୍ତ ଜଳିଗଲେ ବ୍ୟକ୍ତି । ଜଳନ୍ତା କାର୍ ଠାରୁ ୪ ଫୁଟ ଦୂରରେ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । କଟକ ଉପକଣ୍ଠ ବାରଙ୍ଗ ଥାନା ଅନ୍ତର୍ଗତ ଗୋଡ଼ିସାହି ଅଞ୍ଚଳରେ ଅଘଟଣ । ଏକ ନିଛାଟିଆ ଜଙ୍ଗଲ ରାସ୍ତାରେ ଏକ ଜଳନ୍ତା କାର୍ ନିକଟରୁ ଏକ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଚାଞ୍ଚଲ୍ୟ ଓ ଭୟ ସୃଷ୍ଟି କରିଛି। ବାରଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ, ଗୋଡ଼ିସାହି ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ନିକଟସ୍ଥ ଏକ ନିଛାଟିଆ ଜଙ୍ଗଲିଆ ରାସ୍ତାରେ ଏକ କାର୍ ଜଳୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ସେମାନେ ତୁରନ୍ତ ଏ ବାବଦରେ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ନିଆଁ ଲିଭିବା ପରେ ଜଳି ଯାଇଥିବା କାର୍ ନିକଟରେ ଏକ ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା।
ପୋଲିସର ପ୍ରାଥମିକ ରିପୋର୍ଟ ଅନୁଯାୟୀ, ମୃତ ବ୍ୟକ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ। କାରଟି ସମ୍ପୂର୍ଣ୍ଣ ଜଳି ଯାଇଥିବାରୁ ଏହାର ନମ୍ବର ପ୍ଲେଟ୍ ମଧ୍ୟ ନଷ୍ଟ ହୋଇଯାଇଛି, ଯାହା ଫଳରେ ଗାଡ଼ିର ମାଲିକଙ୍କୁ ଚିହ୍ନଟ କରିବାରେ ବାଧା ସୃଷ୍ଟି ହୋଇଛି। ବାରଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି। ଏହା ଏକ ଦୁର୍ଘଟଣା, ଆତ୍ମହତ୍ୟା କିମ୍ବା ହତ୍ୟାକାଣ୍ଡ ସେ ନେଇ ବିଭିନ୍ନ ଦିଗରୁ ପୋଲିସ ଛାନଭିନ୍ କରୁଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sakala-ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
