ମୁନିରଙ୍କ ବିରୋଧରେ ତେଜୁଛି ଅସନ୍ତାେଷ
ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନରେ ବିଦ୍ରୋହର ବିଗୁଲ୍! ଅସୀମ୍ ମୁନିରଙ୍କୁ ଖୋଲା ଚ୍ୟାଲେଞ୍ଜ, ଏବେ ଦରକାର ସ୍ୱାଧୀନ ସିନ୍ଧୁଦେଶ!ପାକିସ୍ତାନରେ ପୁଣି ଆରମ୍ଭ ହେଲା କି ବିଭାଜନର ଲଢ଼େଇ? ଗୋଟିଏ ପଟେ ବାଲୁଚିସ୍ତାନର ଅସନ୍ତୋଷ, ଅନ୍ୟପଟେ ଖାଇବର ପଖତୁନଖ୍ୱାରେ ରାଜନୈତିକ ଉତ୍ତେଜନା। ଆଉ ଏବେ ସିନ୍ଧ ପ୍ରଦେଶରେ ଉଠିଲା ନୂଆ ଝଡ଼! ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇ ଦେଲେ ଏମିତି ଏକ ନାରା, ଯାହା ପାକିସ୍ତାନର ଶାସନ ବ୍ୟବସ୍ଥା ପାଇଁ ଏକ ବଡ଼ ରାଜନୈତିକ ଚ୍ୟାଲେଞ୍ଜ ସୃଷ୍ଟି କରିଛି।
ଦାବି ଗୋଟିଏ—ସିନ୍ଧକୁ ଭାଗ କରିବାକୁ ଦିଆଯିବ ନାହିଁ। ଆଉ କେତେକ ଜାତୀୟତାବାଦୀ ସଂଗଠନଙ୍କ ଦାବି ତା’ଠାରୁ ଆହୁରି ଆଗକୁ। ସେମାନେ ଚାହୁଁଛନ୍ତି ସ୍ୱାଧୀନ ସିନ୍ଧୁଦେଶ! ହଜାର ହଜାର ପ୍ରଦର୍ଶନକାରୀ କରାଚିର ରାସ୍ତାରେ ଏକାଠି ହୋଇ ସିନ୍ଧର ଏକତା ପାଇଁ ସ୍ୱର ଉଠାଇଛନ୍ତି। ନଭେମ୍ବର ୨୨ରେ ଜେୟ ସିନ୍ଧ ରହବର କମିଟି ଅଧୀନରେ ଏହି ବିଶାଳ ରାଲି ଆୟୋଜିତ ହୋଇଥିଲା। କିନ୍ତୁ ପ୍ରଶ୍ନ ହେଉଛି, ହଠାତ୍ କାହିଁକି ଏତେ ବଡ଼ ଆନ୍ଦୋଳନ? ପ୍ରକୃତରେ ପାକିସ୍ତାନରେ ନୂଆ ପ୍ରଦେଶ ଗଠନ ଏବଂ ଛୋଟ ଛୋଟ ପ୍ରଶାସନିକ ଅଞ୍ଚଳ ସୃଷ୍ଟି କରିବା ପ୍ରସ୍ତାବକୁ ନେଇ ରାଜନୈତିକ ବିବାଦ ତୀବ୍ର ହୋଇଛି। ପାକିସ୍ତାନର ଗୃହମନ୍ତ୍ରୀ ମୋହସିନ୍ ନକଭି ନୂଆ ପ୍ରଦେଶ ଗଠନ ପ୍ରସଙ୍ଗ ଉଠାଇବା ପରେ ବିବାଦ ଆହୁରି ବଢ଼ିଥିଲା। ଯୋଜନା ମନ୍ତ୍ରୀ ଆହସାନ୍ ଇକବାଲ୍ ମଧ୍ୟ ଦେଶରେ ଥିବା ଚାରୋଟି ପ୍ରଦେଶକୁ ବଢ଼ାଇ ୧୨ରୁ ୧୫ଟି କରିବା ସମ୍ଭାବନା ଉପରେ ମତ ରଖିଛନ୍ତି। ଏହି ପ୍ରସ୍ତାବକୁ ନେଇ ସିନ୍ଧରେ ତୀବ୍ର ବିରୋଧ ଦେଖାଦେଇଛି। ପ୍ରଦର୍ଶନକାରୀମାନେ ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ୍ ଅସୀମ୍ ମୁନିରଙ୍କ ନେତୃତ୍ୱାଧୀନ ସାମରିକ ପ୍ରତିଷ୍ଠାନ ଉପରେ ମଧ୍ୟ ଅଭିଯୋଗ ଆଣିଛନ୍ତି। ତେବେ ଏହା ପ୍ରତିବାଦକାରୀଙ୍କ ଅଭିଯୋଗ, କୌଣସି ଘୋଷିତ ସରକାରୀ ଯୋଜନାର ପ୍ରମାଣିତ ତଥ୍ୟ ନୁହେଁ। ଏପଟେ ପାକିସ୍ତାନ ପିପୁଲ୍ସ ପାର୍ଟିର ନେତା ବିଲାୱଲ ଭୁଟ୍ଟୋ ଜର୍ଦାରୀ ମଧ୍ୟ ସିନ୍ଧକୁ ବିଭାଜନ କରିବା ଉଦ୍ୟମକୁ ବିରୋଧ କରିଛନ୍ତି। ତାଙ୍କ ଚେତାବନୀ, ସିନ୍ଧକୁ ଭାଗ କରିବା ଉଦ୍ୟମ ହେଲେ ପରିସ୍ଥିତି ଗମ୍ଭୀର ହୋଇପାରେ।
କିନ୍ତୁ ଏଠାରେ ଆଉ ଏକ ବଡ଼ ମୋଡ଼ ରହିଛି। କେବଳ ସିନ୍ଧକୁ ଅଖଣ୍ଡ ରଖିବା ନୁହେଁ, ଜେୟ ସିନ୍ଧ ମୁତ୍ତାହିଦା ମହାଜ୍ ଭଳି କିଛି ଜାତୀୟତାବାଦୀ ସଂଗଠନ ସ୍ୱାଧୀନ ସିନ୍ଧୁଦେଶ ଗଠନର ଦାବିକୁ ଆହୁରି ଜୋରଦାର କରିଛନ୍ତି। ଏପରିକି ପଞ୍ଜାବ ପ୍ରଦେଶ ବିରୋଧରେ ଅର୍ଥନୈତିକ ଅବରୋଧ କରିବାର ଚେତାବନୀ ମଧ୍ୟ ଦେଇଛନ୍ତି। ତେବେ ମନେ ରଖିବାକୁ ହେବ, ସିନ୍ଧୁଦେଶର ଦାବି ଆଜିର ନୁହେଁ। ୧୯୭୧ରେ ବାଂଲାଦେଶ ସ୍ୱାଧୀନ ହେବା ପରେ ସିନ୍ଧର ଜାତୀୟତାବାଦୀ ନେତା ଜି.ଏମ୍. ସୟଦ ଏହି ଦାବିକୁ ଆହୁରି ଜୋରଦାର କରିଥିଲେ। ଆଜି ଦଶନ୍ଧି ପରେ ପୁଣି ସେହି ସ୍ୱାଧୀନତାର ସ୍ଲୋଗାନ୍ ପାକିସ୍ତାନର ରାସ୍ତାରେ ଶୁଣିବାକୁ ମିଳୁଛି। ତେବେ ଏହି ଆନ୍ଦୋଳନ ଆଗକୁ କେଉଁ ରୂପ ନେବ? ସିନ୍ଧକୁ ଭାଗ କରିବା ପ୍ରସ୍ତାବ ଉପରେ ପାକିସ୍ତାନ ସରକାର ପଛକୁ ହଟିବେ ନା ନିଜ ନିଷ୍ପତ୍ତିରେ ଅଟଳ ରହିବେ? ଆଉ ସ୍ୱାଧୀନ ସିନ୍ଧୁଦେଶର ଦାବି କେବଳ ରାଜନୈତିକ ସ୍ଲୋଗାନ୍ ହୋଇ ରହିବ ନା ଏକ ବଡ଼ ଆନ୍ଦୋଳନର ରୂପ ନେବ? ଏବେ ସମସ୍ତଙ୍କ ନଜର ନଭେମ୍ବର ୨୯ରେ କରାଚିରେ ହେବାକୁ ଥିବା ପରବର୍ତ୍ତୀ ରାଲି ଉପରେ। କାରଣ ଗୋଟିଏ ପଟେ ସିନ୍ଧର ଏକତା ପାଇଁ ଆନ୍ଦୋଳନ, ଅନ୍ୟପଟେ ନୂଆ ପ୍ରଦେଶ ଗଠନ ସପକ୍ଷରେ ରାଜନୈତିକ ଶକ୍ତିଙ୍କ ରାଲି। ଏଭଳି ସ୍ଥିତିରେ ପାକିସ୍ତାନର ରାଜନୈତିକ ମାନଚିତ୍ରକୁ ନେଇ ବିବାଦ ଆହୁରି ତୀବ୍ର ହେବାର ଆଶଙ୍କା ରହିଛି। ପାକିସ୍ତାନର ଚାରୋଟି ପ୍ରଦେଶ ମଧ୍ୟରୁ ସିନ୍ଧ ଏବେ ନୂଆ ରାଜନୈତିକ ଲଢ଼େଇର କେନ୍ଦ୍ରବିନ୍ଦୁ। ଏହି ଲଢ଼େଇର ଆଗାମୀ ଅଧ୍ୟାୟ କ’ଣ ହେବ, ତାହା ଉପରେ ରହିବ ଆମର ନଜର।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
