ମାଟି ଖୋଲିବା ବେଳେ ଫାଟିଲା ଗ୍ୟାସ ପାଇପ ଲାଇନ

Jul 31, 2026 - 15:37
ମାଟି ଖୋଲିବା ବେଳେ ଫାଟିଲା ଗ୍ୟାସ ପାଇପ ଲାଇନ

ଭୁବନେଶ୍ୱର : ମାଟି ଖୋଳିବା ବେଳେ ଫାଟିଗଲା ଗ୍ୟାସ ପାଇପ । ଭୁବନେଶ୍ବର ଶୈଳଶ୍ରୀ ବିହାର ଅଞ୍ଚଳରେ ଅଘଟଣ । ଶୈଳଶ୍ରୀ ବିହାର ସ୍ଥିତ ତାରିଣୀ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ ଜେସିବି ମେସିନ୍ ସାହାଯ୍ୟରେ ମାଟି ଖୋଳାଯାଉଥିଲା । ଏହି ସମୟରେ ଭୂତଳ ଦେଇ ଯାଇଥିବା ଗେଲ୍ ଇଣ୍ଡିଆର ପ୍ରମୁଖ ଗ୍ୟାସ୍ ପାଇପ୍ ଲାଇନ୍ ଭୁଲ୍‌ବଶତଃ ଫାଟିଯାଇଥିଲା । ଫଳରେ ୪୦ ମିନିଟ ଧରି ଗ୍ୟାସ ଲିକ ହେବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ଭୟରେ ସ୍ଥାନୀୟ ବାସିନ୍ଦା ମାନେ ରୋଷେଇ ବନ୍ଦ କରି ବାହାରକୁ ଚାଲି ଆସିଥିଲେ । ଘଟଣା ସମ୍ପର୍କରେ ଖବର ପାଇବା କ୍ଷଣି ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ପକ୍ଷରୁ ତୁରନ୍ତ ତତ୍ପରତା ପ୍ରକାଶ ପାଇଥିଲା । ଖବର ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷା ଦୃଷ୍ଟିରୁ ସେହି ଅଞ୍ଚଳରେ ଲୋକଙ୍କ ଯାତାୟାତକୁ କଟକଣା କରିଥିଲେ । ଯେକୌଣସି ଅଘଟଣ ବା ନିଆଁ ଲାଗିବା ପରିସ୍ଥିତିକୁ ଏଡ଼ାଇବା ପାଇଁ ଅଗ୍ନିଶମ ଗାଡ଼ି ସହିତ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ଗେଲ୍ ଇଣ୍ଡିଆର ବୈଷୟିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ପାଇପ୍ ଲାଇନ୍‌ର ମୁଖ୍ୟ ଭାଲ୍‌କୁ ବନ୍ଦ କରିବାରେ ସଫଳ ହୋଇଥିଲେ । ସମସ୍ତ ବିଭାଗର ମିଳିତ ଓ ତ୍ୱରିତ ଉଦ୍ୟମ ଫଳରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିବାରୁ ବର୍ତ୍ତିଯାଇଛି । ତେବେ ସେଠାରେ ଭୂତଳ ଗ୍ୟାସ ପାଇପ ଲାଇନ ଯାଇଥିବା ନେଇ କୌଣସି ଫଳକ ଲଗାଯାଇ ନଥିବାରୁ ଅଘଟଣ ଘଟିଥିବା କଥା କୁହାଯାଉଛି ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।