ମହିଳାଙ୍କୁ ବଳାତ୍କାର ପରେ ହତ୍ୟା ସନ୍ଦେହ

Jun 03, 2026 - 02:40

ଝାରସୁଗୁଡ଼ା,୨ା୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରସ୍ଥିତ ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରୁ ମଙ୍ଗଳବାର ଜଣେ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ପୋଲିସ ଜବତ କରିଛି। ତାଙ୍କ ଘର ଛତିଶଗଡ଼ ହୋଇଥିବା ବେଳେ ସେ ସ୍ବାମୀଙ୍କ ସହ ଝାରସୁଗୁଡ଼ା ରେଳଷ୍ଟେଶନ ଅଞ୍ଚଳରେ ରହି ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ତେବେ ସକାଳେ ସ୍ଥାନୀୟ ଲୋକେ ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଉକ୍ତ ମହିଳାଙ୍କ ମୃତଦେହ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ।

ଝାରସୁଗୁଡ଼ା ଏସ୍‌ପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର ଏବଂ ଟାଉନ୍‌ ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଥିଲେ। ତେବେ ଉକ୍ତ ଅଞ୍ଚଳ ରେଳପଥ ଅଧୀନରେ ଆସୁଥିବାରୁ ଜିଆର୍‌ପି ଏହି ଘଟଣାର ତଦନ୍ତ ଦାୟିତ୍ୱ ଗ୍ରହଣ କରିଛି। ମୃତା ମହିଳାଙ୍କ ଶରୀରର ଏକାଧିକ ସ୍ଥାନରେ କ୍ଷତଚିହ୍ନ ରହିଛି। ଏନେଇ ଜିଆର୍‌ପି ଏକ ମାମଲା(ନଂ.୪୧/୨୬) ରୁଜୁକରି ତଦନ୍ତ ଚଳାଇଛି। ଏଥିସହ ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ମୃତଦେହ ବ୍ୟବଚ୍ଛେଦ ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ଜିଆର୍‌ପି ଆଇଆଇସି ରେଶ୍‌ମା ଏକ୍କା କହିଛନ୍ତି, ପ୍ରାଥମିକ ତଦନ୍ତରୁ ଉକ୍ତ ମହିଳାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

The post ମହିଳାଙ୍କୁ ବଳାତ୍କାର ପରେ ହତ୍ୟା ସନ୍ଦେହ appeared first on Dharitri Odia News.

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।